Unknown

 

 

 

 

 

 

 

 

 

 

ଚିତ୍ତଚକୋରୀ ଝୁରେ

ଯମେଶ୍ୱର ତ୍ରିପାଠୀ

 

ଶରତର ଗୋଟାଏ ନିହାତି ସାଧାରଣ ସଞ୍ଜ........

 

ବାହାରେ ଗୋଟାଏ ଇଜିଚେୟାର ଉପରେ ପ୍ରଫେସର ମିସ୍ ପଟ୍ଟନାୟକ ତାଙ୍କର କ୍ଳାନ୍ତ ଶରୀରଟାକୁ ମେଲାଇ ଦେଇ ପଡ଼ିଥାନ୍ତି । ପାଖରେ ଟି ପୟ ଉପରେ ଆୟା ଆସି ଚାହା ରଖିଦେଇ ଯାଇଛି । ଗରମ ଚାହାରୁ ଧୂମ୍ର କୁଣ୍ଡଳୀ ଉଠୁଛି, ସେ ଦିଗକୁ ମିସ୍ ପଟ୍ଟନାୟକଙ୍କର ଲକ୍ଷ୍ୟ ନଥାଏ—ସେ ନଗ୍ନ ଗଗନକୁ ଚାହିଁ ରହିଥିଲେ—ଶରତର ମେଘ ବିମୁକ୍ତ ନିର୍ମଳ ଆକାଶରେ ଖଣ୍ଡ ଖଣ୍ଡ ଧଳା ବାଦଲ ଭାସି ଚାଲିଥାନ୍ତି—ସତେକି ନୀଳ ସମୁଦ୍ର ବକ୍ଷରେ ଗୁଡ଼ିଏ ଛୋଟ ଛୋଟ ତରୀ ଭାସି ବୁଲୁଛନ୍ତି । ଚାନ୍ଦ ନୀଳ ଆକାଶ ବୁକୁରେ ପହଁରି ଚାଲିଛି—ତାରି ରଜତ ଜ୍ୟୋସ୍ନାରେ ବଗିଚାର ଗଛ ଗୁଡ଼ାକ ଗାଧୋଇ ପଡ଼ିଛନ୍ତି—କ୍ରୋଟେନ ଗଛର ଫାଙ୍କ ଦେଇ ଚୁନି ଚୁନି ଜୋଚ୍ଛନା ବଗିଚା ମଝିର ସିମେଣ୍ଟ ବେଦୀଟା ଉପରେ ପଡ଼ିଛି—ସତେ ଯେପରି କିଏ ଗୁଡ଼ାଏ ଧଳା ମୁରୁଜ ଚୁନା ଆଣି ଛିଞ୍ଚିଦେଇ ଯାଇଛି । ସେ ପାଖରେ ଯେଉଁ କୃଷ୍ଣଚୂଡ଼ା ଗଛଟା ଅଛି—ସକାଳୁ ଯିଏ ନିଜ ଫୁଲ ଗର୍ବରେ ପ୍ରତିଦିନ ରଙ୍ଗରେ ସୂର୍ଯ୍ୟଙ୍କ ସଙ୍ଗେ ପ୍ରତିଯୋଗିତା କରେ ସେଇ କୃଷ୍ଣଚୂଡ଼ା ଡାଳରେ ଦୁଇଟି କ୍ଳାନ୍ତ ପକ୍ଷୀ ବସି ପଡ଼ିଛନ୍ତି । ଦିନ ଯାକର ସଂଗ୍ରାମ ପରେ ବର୍ତ୍ତମାନ ନୀଡ଼କୁ ଫେରିଛନ୍ତି, ଚଞ୍ଚୁ ସହିତ ଚଞ୍ଚୁ ମିଶାଇ ସେମାନେ ଏଇ ଚାନ୍ଦିନୀ ରାତିରେ ମିଳନ ମାଧୁରୀ ଉପଭୋଗ କରୁଛନ୍ତି—ପ୍ରତି ଅଙ୍ଗ ପାଇଁ ପ୍ରତି । ଅଙ୍ଗ ତାଙ୍କର ଝୁରୁଛି । ଏଇ ଜ୍ୟୋତ୍ସ୍ନାର ବନ୍ୟାରେ ସେମାନେ ଯେପରି ମାତି ଉଠିଛନ୍ତି—ଆଃ ! କି ସୁନ୍ଦର ହୋଇଛି ଏଇ ସଂଧ୍ୟାଟା, ବଡ଼ ରମଣୀୟ ଆଉ ଉପଭୋଗ୍ୟ ହୋଇ ଉଠିଛି ।

 

ମିସ୍ ଚଂପକରେଖା ପଟ୍ଟନାୟକ— ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଗାଂଇନିକ୍ ପ୍ରଫେସର, ତାଙ୍କର ନିଜ କୋଠାରେ ବସି ଉପଭୋଗ କରୁଥିଲେ ଏ ସଂଧ୍ୟାକୁ ।

 

ପ୍ରାଣ ଭରି ଉପଭୋଗ କରିବାକୁ ଏ ଲୋଭନୀୟ ସଂଧ୍ୟାକୁ ପ୍ରଫେସର ମିସ୍ ପଟ୍ଟନାୟକଙ୍କର ପ୍ରବଳ ଇଚ୍ଛା ହେଲା—ଚେୟାର ଛାଡ଼ି କୋଠା ଆଗରେ ବଗିଚାକୁ ସେ ପାଦ ବଢ଼ାଇଲେ—

 

ଜୀବନର ତୃତୀୟାଂଶ ଶେଷ ପ୍ରାୟ । ମୁଣ୍ଡର କେଶ କେତେକ ରଙ୍ଗ ପରିବର୍ତ୍ତନ କଲେଣି—ଚକ୍ଷୁର ତାରକା ତାର ଦୀପ୍ତି ହରାଇଲାଣି—ପର ଉପରେ ନିର୍ଭର କଲାଣି—ବିନା ଚଷମାରେ ଆଖିକୁ ସ୍ପଷ୍ଟ ଦିଶୁନି, ସ୍ନାୟବିକ ଦୁର୍ବଳତା ଦେଖା ଦେଲାଣି—ଆଗପରି ଆଉ ଯୁବତୀସୁଲଭ କର୍ମ ଚପଳତା ନାହିଁ—ପୂର୍ବପରି ଦିନରାତି ଘଣ୍ଟା ଘଣ୍ଟା ଧରି ଅନିଦ୍ରା ଓ ଅଭୁକ୍ତ ରହି କାମ କରିବାକୁ ସ୍ପୃହା ହେଉନାହିଁ । ଘଣ୍ଟା ଘଣ୍ଟା ଧରି ମୁହଁରେ ମାସ୍କ ବାନ୍ଧି ଅପରେଶନ୍ ଥିଏଟରେ ଠିଆହୋଇ ଅପରେଶନ୍ କରିବାରେ ଆନନ୍ଦ ଆସୁନାହିଁ—ପ୍ରଶଂସାର ଆତସବାଜି ଆଉ ତାଙ୍କୁ ଭଲ ଲାଗୁନାହିଁ । ଜୀବନଟାରେ ବହୁତ ନାମ କଲେ, ବହୁତ ଉପକାର କଲେ, ପର ପାଇଁ ଜୀବନର ପ୍ରତି ମୁହୂର୍ତ୍ତ ମଧ୍ୟ ବିନିଯୋଗ କରି ଦେଇଛନ୍ତି । ନିଜର ସୁଖ ସୌଖୀନ, ଆନନ୍ଦବିଳାସ ପାଇଁ ଅବକାଶ ପାଇ ପାରି ନାହାଁନ୍ତି । ସଦା ସର୍ବଦା କାମ, କଲ୍ (call)—ମୁମୂର୍ଷ ରୋଗୀର କରୁଣ ଆତ୍ମ ନିବେଦନ, ଏଇ ସୁନ୍ଦର ସଂସାରରେ ବଞ୍ଚି ରହିବା ପାଇଁ କେତେ ଆକୁଳ ମିନତି—ପୁରାଣର ବୈକୁଣ୍ଠ ସେମାନେ ଚାହାନ୍ତି ନାହିଁ; କିମ୍ବା ମରଣ ପରେ ଅକ୍ଷୟ ଇନ୍ଦ୍ର ସଂପଦ ତାଙ୍କର ଲୋଡ଼ା ନାହିଁ-। ସେମାନଙ୍କର ଏଇ ଧୂଳି ମାଟିର ଧରଣୀରେ ବଞ୍ଚି ରହିବାକୁ ପ୍ରବଳ ଆଗ୍ରହ । ରୋଗ ଯନ୍ତ୍ରଣାରେ ଛଟପଟ ହେଲାବେଳେ ଶିବଙ୍କର ଘରଣୀ ରୂପେ ଆର୍ତ୍ତବିନାସିନୀ ଚଣ୍ଡିକାଙ୍କୁ ସ୍ମରଣ କରୁ ନାହାଁନ୍ତି କିନ୍ତୁ ସ୍ମରଣ କରୁଛନ୍ତି ଏଇ ମଙ୍ଗଳମୟୀ, ଶୁଭଦା, ଅର୍ଣ୍ଣପୂର୍ଣ୍ଣାଙ୍କୁ । ତାଙ୍କରି ହାତର ଅମୃତର ପରଶରେ କିପରି ସେମାନେ ରୋଗମୁକ୍ତ ହୋଇ ସମସ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବେ ଏତିକି କେବଳ ସେମାନଙ୍କର ପ୍ରାର୍ଥନା । ଏଇ ଆକୁଳ ମିନତି, ଅନୁନୟ ପ୍ରାର୍ଥନା ସେ ଏଡ଼ାଇ ଦେଇ ପାରିନାହାଁନ୍ତି । ଯିଏ ଯେତେବେଳେ ଡାକିଛି—ସମୟ, ଅସମୟ, ଦେଶ, କାଳ, ପାତ୍ରର ସେ ବିବେଚନା କରି ନାହାଁନ୍ତି । ସମସ୍ତଙ୍କର ସେବା ପାଇଁ ସେମାନଙ୍କର ଦୁଆରକୁ କାର୍ ଛୁଟାଇ ଦେଇଛନ୍ତି ।

 

ଆଜିର ବର୍ଣ୍ଣାଢ଼୍ୟ ସଂଧ୍ୟାର ଶୋଭାଶ୍ରୀ ତାଙ୍କୁ ପାଗଳିନୀ କରି ଦେଇଛି । ମନରେ ତାଙ୍କର କେତେ ହଜିଲା ରାଗିଣୀ ଛନ୍ଦ ତୋଳିଛି । ଚାଲୁ ଚାଲୁ ସେ ବଗିଚାର ଗୋଲାପ ଗଛ ନିକଟରେ ପହଞ୍ଚି ଯାଇଛନ୍ତି । ଗୋଲାପ ବୁଦାରେ ତରାଭଳି ଅସଂଖ୍ୟ ଫୁଲ କି ଲୋଭନୀୟ ହୋଇଛି ! ଆତ୍ମହରା ହୋଇ ଗୋଟି ଗୋଟି କରି କେତେଗୁଡ଼ିଏ ଗୋଲାପ ଫୁଲ ସେ ତୋଳି ବସିଲେ, ଫୁଲଗୁଡ଼ିକ ତୋଳି ସାରି ନାକ ପାଖକୁ ନେଲେ । ସୌରଭରେ ମନ ତାଙ୍କର ଆମୋଦିତା ହୋଇ ଉଠିଲା । ନିଜର ଅଜାଣତରେ ଫୁଲ ତୋଡ଼ାଟା ନିଜର ବିଶ୍ରୀ ଗଭାରେ ନେଇ ଖୋସି ଦେଲେ ।

 

ଫୁଲ କେଇଟା ଗଭାରେ ଖୋସି ଦେବାପରେ ଚମକିଲା ପରି ଶିହରୀ ଉଠିଲେ ମିସ୍ ଚଂପକରେଖା ପଟ୍ଟନାୟକ । ଫୁଲଗୁଡ଼ାକର ଓଜନ ଯେପରି ସେ ସମ୍ଭାଳି ପାରିବେ ନାହିଁ । ସେ ମିସ୍ ପଟ୍ଟନାୟକ—ଜୀବନଟା ସାରା ଚିର କୁମାରୀ ଭାବରେ କଟିଛି, ବନ୍ଧନରେ ସେ ଛନ୍ଦି ହୋଇ ନାହାଁନ୍ତି । କାହାପାଇଁ ଏ ଫୁଲର ମହକ ଦେହରେ ଧରି ବୁଲିବେ ? ଛିଃ, ବସାକୁ ଫେରିଲେ କିମ୍ବା ହୁଏତ ଆୟାଟା ଖୋଜି ଖୋଜି ଯଦି ଆସୁଥିବ ତାଙ୍କର ଏ ଅବସ୍ଥା ଦେଖି ନିଶ୍ଚୟ ଫିକ୍ କରି ହସି ପଳାଇବ । ମନେ ମନେ କହି ଉଠିବ, ବୁଢ଼ୀ ଦିନେ ସଉକ ଦେଖ ।

 

ନାରୀର ସୌନ୍ଦର୍ଯ୍ୟ ପୁରୁଷ ପାଇଁ—ଆନ ନାରୀ ପାଇଁ ନୁହେଁ । ସମୁଦ୍ରରେ ପାଣିର ଅକଳନ୍ତି ଭଣ୍ଡାର ଥାଇ ସେ ଯଦି ତୃଷ୍ଣା ଶାନ୍ତି କରି ନପାରିଲା, ରୂପର ପସରା ମେଲି ଭିତରେ ତୀବ୍ର ସୁଗନ୍ଧ ଥିଲେ ସୁଦ୍ଧା ଚମ୍ପାଫୁଲକୁ ଯଦି ଭ୍ରମର ଚୁମ୍ବିଲା ତେବେ ସେମାନଙ୍କର ସୃଷ୍ଟିରେ କ’ଣ ବ୍ୟତିକ୍ରମ ଘଟିନାହିଁ ? ବିଚଳିତା ହୋଇ ଉଠିଲେ ମିସ୍ ପଟ୍ଟନାୟକ । ଗଭାରୁ ଗୋଲାପ ଫୁଲଗୁଡ଼ାକ ଭିଡ଼ି ଆଣିଲେ, ହାତରେ ଧରି ବାରଣ୍ଡା ଆଡ଼କୁ ଫେରି ଆସିଲେ—ଇଜିଚେୟାର ଉପରେ ବସି ପଡ଼ିଲେ । ମନ ଧାଇଁଲା ଅତୀତକୁ । କ’ଣ ତାଙ୍କ ଜୀବନର ମୂଲ୍ୟ ? ଏ କୋଠା, ଏ ଅକଳନ୍ତି ବ୍ୟାଙ୍କ ବାଲାନ୍‍ସ, କି ବା ମୂଲ୍ୟ ଏଥିରେ ?

 

ଏ ଭିତରୁ କିଏ କ’ଣ ମାଆ ବୋଲି ଡାକିବେ ? ହାତରେ ଗୋଲାପ ଫୁଲର ପାଖୁଡ଼ାଗୁଡ଼ାକ ଛିଣ୍ଡାଇ ସେ ବାରଣ୍ଡା ସାରା ଫିଙ୍ଗିବାକୁ ଲାଗିଲେ ।

 

ସକାଳୁ ଡାକ୍ତରଖାନା ଯାଇଥିଲେ ଯେ ଦିନ ତିନିଟା ବେଳେ ଫେରିଛନ୍ତି । ଏବେ ବି ହାତରୁ ତାଙ୍କର ଡେଟୋଲର ତୀବ୍ର ଗନ୍ଧ ଛାଡ଼ିନାହିଁ—ଗୋଟିଏ ବଡ଼ ଧରଣର ଅପରେସନ୍ ଥିଲା । ଛୋଟ ଝିଅଟିଏ ଅଳ୍ପ ବୟସରେ ମାତୃତ୍ଵର ସୁଯୋଗ ପାଇଥିଲା । ଗର୍ଭସ୍ଥ ଶିଶୁଟି ତାର ପ୍ରାକୃତିକ ଉପାୟରେ ଭୂମିଷ୍ଠ ହୋଇ ଏ ଦୁନିଆର ଆଲୋକ ଦେଖିପାରୁ ନଥିଲା । ଯନ୍ତ୍ରଣାରେ ଦୁଇଦିନ ହେବ ଛଟପଟ ହୋଇ ମଫସଲରୁ ଆସି ପହିଁଞ୍ଚିଲା । ସ୍ଵାମୀ ତାର ସଙ୍ଗେ ସଙ୍ଗେ ଥାନ୍ତି । ବୋଧହୁଏ ଖୁବ୍ ଅଳ୍ପଦିନ ହେବ ସେମାନେ ଏଇ ମଧୁର ସଂସାର ଆରମ୍ଭ କରିଛନ୍ତି । ପତ୍ନୀର ବେଦନାରେ ଅସ୍ଥିର ହୋଇ ଉଠୁଥିଲା ଯୁବକଟି । ଆଖିର ଉପକୂଳରେ ଅଶ୍ରୁ ଲହଡ଼ି ଭାଙ୍ଗୁଥାଏ । ନୀରବ ଅଶ୍ରୁ ମୁଞ୍ଚନ କରୁଥାଏ ସେ । କେତେ ବିନୟ, ଅନୁନୟର ଭାଷା ସେ ଆଖିରୁ ବାହାରୁଥାଏ ।

 

ଯନ୍ତ୍ରଚାଳିତ ପରି ଗତାନୁଗତିକ ଭାବରେ ଡକ୍ଟର ମିସ୍ ପଟ୍ଟନାୟକ ଅପରେସନ ଥିଏଟରକୁ ପାଦ ବଢ଼ାଇଲେ । ମୁହଁରେ ମାସ୍କ, ଦେହରେ ଧଳା କନାର ଆପ୍ରନ । ମୁଣ୍ଡରେ କ୍ୟାପ୍ ଓ ହାତରେ ଗ୍ଲୋବ୍‍ସ ଏକ ସବୁଦିନିଆ ବେଶ । ସହକାରୀମାନେ ଆଗରୁ ପ୍ରସ୍ତୁତ ହୋଇଥାନ୍ତି । ପ୍ରାରମ୍ଭିକ ଇଞ୍ଜେକ୍‍ସନ ଦିଆଯିବା ପରେ ଗର୍ଭଣୀ କିଶୋରୀଟିର ଗର୍ଭରେ ଛୁରିକା ଦେଇ ସେ ଅସ୍ତ୍ରୋପଚାର କଲେ । ଦୁଇ ହାତରେ ତୋଳି ଆଣିଲେ ଶିଶୁଟିକୁ । କଅଁଳ କୁଲୁ କୁଲିଆ ପୁଅଟିଏ । ବଳିଷ୍ଠ ସ୍ଵାସ୍ଥ୍ୟ । ମୁଣ୍ଡରେ ମେଞ୍ଚାଏ କଳା କୁଞ୍ଚ କୁଞ୍ଚ କେଶ, ବଡ଼ ସୁନ୍ଦର ହୋଇଛି । ତୁଳା ଭଳି କଅଁଳ ଦେହ । ନର୍ସ ହାତକୁ ଶିଶୁଟିକୁ ବଢ଼ାଇ ଦେଇ ସେ ଅପରେସନ ସାରିବାକୁ ବ୍ୟଗ୍ର ହୋଇ ଉଠିଲେ ।

 

ଅପରେସନ ସରିଲା । ବାହାରକୁ ହାତ ଧୋଇବାକୁ ଯିବା ପୂର୍ବରୁ କିଶୋରୀଟିର ମୁହଁ ପାଖକୁ ମୁହଁ ନେଇ ଆଶ୍ୱାସନାର ବାଣୀ ଶୁଣାଉ ଶୁଣାଉ ଡକ୍ଟର ମିସ୍ ପଟ୍ଟନାୟକ କହି ଉଠିଲେ—କିଛି ଦୁଃଖ କରନାହିଁ । ଅପରେସନ ସଫଳ ହୋଇଛି । ପୁଅଟିଏ ହୋଇଛି...

 

ଆଖିର ପଲକ ମାତ୍ରେ ଚଳଚ୍ଚିତ୍ରର ଛବି ପରି ସେ ତରୁଣୀଟିର ମୁହଁରେ ପରିବର୍ତ୍ତନ ଲକ୍ଷ୍ୟ କଲେ—ଏଇ ଟିକକ ଆଗରୁ ବେଦନାରେ ବ୍ୟଥିତ ହୋଇ ଯେ ଚିତ୍କାର କରୁଥିଲା କେବଳ ନିଜ ଜୀବନହିଁ ତାର କାମ୍ୟ ଥିଲା । ବର୍ତ୍ତମାନ ଏଇ ସୁସମ୍ବାଦରେ ମୁହଁର ରଙ୍ଗ ତାର ପରିବର୍ତ୍ତିତ ହୋଇଗଲା । ତୃପ୍ତିର ଏକ ଝଲକ ହସ ତାର ଓଠର ଉପକୂଳରେ ଉକୁଟି ଉଠିଲା । ଭୁଲିଗଲା ସେ ସବୁ ଦୁଃଖ ଓ ଯାତନା । ସେ ମାଆ ହୋଇଛି, ନାରୀଜୀବନ ତାର ସାର୍ଥକ ହୋଇଛି । ଏତିକିରେ ସେ ସବୁ ଭୁଲିଗଲା ।

 

ସେତେବେଳେ ଡକ୍ଟର ମିସ୍ ପଟ୍ଟନାୟକଙ୍କ ମନରେ ଚମକ ଲାଗିଥିଲା—ଏପରି ଅପରେସନ୍ ଜୀବନରେ ବହୁତ କରିଛନ୍ତି; କାହିଁ କେବେ ତ ଦିନକ ପାଇଁ ମନରେ ଚମକ ଆସି ନଥିଲା । ହୃଦୟର ବୀଣାର ସୁକ୍ଷ୍ମ ତନ୍ତ୍ରୀରେ ହଠାତ୍ ଏ କି ସୁର ଏ ସୁର ଆଉ କିଛିନୁହେଁ—ଏ ସୁର ମମତାର ! ସ୍ନେହ ଦେଇ ପ୍ରତିବଦଳରେ ଭକ୍ତି ପାଇବାର ସୁର ।

 

ମେଘବିମୁକ୍ତ ଆକାଶକୁ ଚାହିଁଲେ ମିସ୍ ପଟ୍ଟନାୟକ—ନୀଳ ଆକାଶ ଅଙ୍ଗନ ବୁକୁରେ ଅଲିଅଳୀ ଝିଅ ପରି ଚନ୍ଦ୍ରମା ବଉଦ ସାଙ୍ଗରେ ଲୁଚୁକାଳି ଖେଳି ଚାଲିଛି । ମୁହଁରୁ ତାର ଜ୍ୟୋଚ୍ଛନାର ହସ ଝରି ପଡ଼ୁଛି—ଫିକ୍ ଫିକ୍ ହସୁଛି । ତାରି ହସରେ ସେ ଯେପରି କହି ଉଠୁଛି ବର୍ତ୍ତମାନ କାଳ ଶ୍ରେଷ୍ଠ—ଅତୀତ କିମ୍ବା ଭବିଷ୍ୟତ ପାଇଁ, ଅନୁଶୋଚନା କରିବା କେବଳ ବାଚାଳତା, ନିର୍ବୋଧତା । କେବେ ଜୀବନରେ ପୂର୍ଣ୍ଣିମାର ମଧୁ ମାସ ଆସିବ ସେଥିପାଇଁ ଏଇଦିନୁ ଉଚ୍ଛନ୍ନ ହେବା ଯେପରି ବିବେକୀର କାର୍ଯ୍ୟ ନୁହେଁ, ସେପରି ଆମାବାସ୍ୟାର ଘନ ଅନ୍ଧାର ପାଇଁ ଏଇଦିନୁ ବ୍ୟାକୁଳିତା ହେବା ବି ଏକପ୍ରକାର ନିରାଟ ନିର୍ବୋଧତା ।

 

ଡକ୍ଟର ରେଖା ପଟ୍ଟନାୟକ ମନେ ମନେ ତାଙ୍କ ମନରେ ଉଠିଥିବା ଏଇ ମହାନ୍ ସତ୍ୟକୁ ବିଶ୍ଳେଷଣ କରୁଥିଲେ । ଏଇ ଚନ୍ଦ୍ରମା ପରି ସେ ବି ଦିନେ ବର୍ତ୍ତମାନ ଉପରେ ଆସ୍ଥା ରଖି ସାରା ଦୁନିଆକୁ ଭ୍ରୂକ୍ଷେପ କରି ନଥିଲେ । କେବେ କ’ଣ ହେବ ସେ କଥା ଚିନ୍ତା କରିଥିଲେ ବୋଧହୁଏ ଆଜି ଏ ନିଃସଙ୍ଗ ଜୀବନରେ ଏ ପ୍ରକାର ଅନାବନା ଚିନ୍ତି ତାଙ୍କୁ ବ୍ୟଥିତ କରି ନଥାନ୍ତା ।

 

ମଣିଷ ଜୀବନ ସଂପୂର୍ଣ୍ଣ ଅଲଗା— ।

 

ଆଦର୍ଶବାଦର ସମୁଦ୍ର ଭିତରେ ସେ ଶାନ୍ତିର ମାଣିକ୍ୟ ଖୋଜିବାରେ ଏପର୍ଯ୍ୟନ୍ତ ଜୀବନର ତୃତୀୟାଂଶ ବିତାଇ ଦେଲେ । କିନ୍ତୁ ମାଣିକ୍ୟ କାହିଁ ? ଖୋଜି ଖୋଜି ଜୀବନଟାରେ କେବଳ ପରିଶ୍ରମ ସାର ହେଲା । ଚିନ୍ତାର ଲୁଣ ପାଣିରୁ ଢୋକ ପିଇ ପିଇ ଅତିଷ୍ଠ ହୋଇ ଉଠିଲେଣି-

 

ବାପା ଥିଲେ । ଆଖି ବୁଜିଲେଣି । ବର୍ତ୍ତମାନ ନିଜର ବୋଲି ଯେଉଁ କେତେଜଣଙ୍କୁ ସେ ତାଙ୍କର ପରିଧି ଭିତରେ ସୃଷ୍ଟି କରିଛନ୍ତି, ସମସ୍ତେ କେବଳ ଆସୁଛନ୍ତି ନିଜର ସ୍ଵାର୍ଥପାଇଁ । ଗ୍ରହଣ କରିବା ପ୍ରବୃତ୍ତି ସମସ୍ତଙ୍କର । ସେଇ ସ୍ୱାର୍ଥସିଦ୍ଧ ହେଲା ପରେ କାହାର ମୁହଁରେ ହସ ରହୁନାହିଁ । କେହି ତାଙ୍କୁ ଆଉ ତାଙ୍କ ଗ୍ରାମର ଶ୍ରେଷ୍ଠା ବିଦୁଷୀ ମହିଳା ବୋଲି ଅଯଥା ସ୍ତୁତି କରୁ ନାହାଁନ୍ତି । ତା ପରେ ପୁଣି ଅଭାବ ହେଲେ; ଅନାଟନର ଆରମ୍ଭ ହେଲେ ପରିଜନର ଦ୍ୱାହି ଦେଇ ଆସୁଛନ୍ତି ହରିଲୁଟ୍ କରିବା ପାଇଁ ।

 

ଦୀର୍ଘ ପଇଂଚାଳିଶ ବର୍ଷ ଧରି ସେ ଯାହାକୁ ପରିଜନ କୁହନ୍ତି ତାଙ୍କପାଇଁ ଯାହା ତ୍ୟାଗ କରି ଆସିଲେ ତାର ପ୍ରତିଦାନ ସେମାନଙ୍କରଠାରୁ ଆଶାକରିବା କ’ଣ ତାଙ୍କ ପକ୍ଷରେ ଶୋଭନୀୟ ନୁହେଁ ?

 

ନିଜର କରିଛନ୍ତି ଅନେକଙ୍କୁ । ସ୍ନେହ କରିଛନ୍ତି ଅନେକଙ୍କୁ । କିନ୍ତୁ ତାଙ୍କୁ କେତେଜଣ ଆପଣାର କରିଛନ୍ତି ?

 

ପ୍ରଫେସର ମିସ୍ ପଟ୍ଟନାୟକଙ୍କ ଆଖିରେ ଲୁହ ଜକେଇ ଆସିଲା—ରୁମାଲରେ ଆଖି ପୋଛିବାକୁ ଲାଗିଲେ ।

 

ଆୟା ଏ ଭିତରେ ଆସି ଯାଇଛି । ସେଥିପ୍ରତି ତାଙ୍କର ଲକ୍ଷ୍ୟ ନାହିଁ ।

 

ବଡ଼ ଶଙ୍କିତ ଗଳାରେ ଆୟା ପଚାରିଲା—ମାମା କଣ ଚାହାରେ ଚିନି ପାଇନାହିଁ ? ଖାଇଲେନି ଯେ...

 

ହଠାତ୍ ଚମକିଲା ପରି ପ୍ରକୃତିସ୍ଥା ହେଲେ ଡକ୍ଟର ମିସ୍ ପଟ୍ଟନାୟକ । ଢୋକ ଗିଳିଲେ–କହିଲେ ମୁଁ ଏ ପର୍ଯ୍ୟନ୍ତ ଚାହା ଚାଖି ନାହିଁ । ଯଦି ପାରୁ ଆଉ କପେ ଚାହା ତିଆରି କରିଦେଲେ ଭଲ ହୁଅନ୍ତା ।

 

ଆୟା କପ୍ ପ୍ଲେଟ ନେଇ ଚାଲିଗଲା ।

 

ପ୍ରଫେସର ମିସ୍ ପଟ୍ଟନାୟକ ଭାବିବାକୁ ଲାଗିଲେ— ଏ ଜୀବନଟା କ’ଣ ଏଣିକି ଲୁହ ଢାଳି ଢାଳି ଶେଷହେବ ସିନା......

 

ସଂଗ୍ରାମ ଚିଠି ଲେଖିଛି.....

 

ପଢ଼ୁଥିଲେ ପ୍ରଫେସର ମିସ୍ ପଟ୍ଟନାୟକ । ସୁଦୂର ପାଟନାରୁ ସେ ଚିଠି ଲେଖିଛି । ମାମି, ପରୀକ୍ଷା ଫିସ୍ ଦିଆଯିବ, ସେଥିପାଇଁ ଟଙ୍କା ଦରକାର ଏବଂ ପରୀକ୍ଷା ପରେ ତାଙ୍କ ଇୟରର ଛାତ୍ର Excursion (ପରିଦର୍ଶନରେ) ରେ ଯିବେ । ସେଥିପାଇଁ ଦୁଇଶହ ଟଙ୍କା ଆଗତୁରା ଡିପୋଜିଟ୍ କରିବାକୁ ହେବ । ଶୀଘ୍ର ଟଙ୍କା ପଠାଇବାକୁ ଅନୁରୋଧ କରିଛି । ଏ ଚିଠିକୁ ଟେଲିଗ୍ରାମ ବୋଲି ଭାବିବାକୁ ସେ ପ୍ରାର୍ଥନା କରିଛି ।

 

ଚିଠିଖଣ୍ଡ ଧରି ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ—ଏଇ ସଂଗ୍ରାମ କି ଅନାହୂତ ଭାବରେ ତାଙ୍କ ପାଖରେ ଦେଖା ଦେଇଛି । କି ପ୍ରକାର ତାଙ୍କର ସମ୍ପର୍କ ଏଇ ସଂଗ୍ରାମ ସହିତ କେହି ଜାଣନ୍ତି ନାହିଁ । ମନେ ପଡ଼ିଲା ଗୋଟାଏ ନାମହୀନ ରାତ୍ରି କଥା । ବୋଧହୁଏ ରାତ୍ରିଟା ଶୀତ ରାତିର ଅମାବାସ୍ୟା ଥିଲା । ବାହାରେ ବହଳ ଅନ୍ଧାର ଘେରି ରହିଥିଲା । ମୁହଁକୁ ମୁଁହ ଦିଶୁନଥାଏ । ଗୋଟିଏ ସାଙ୍ଘାତିକ ରୋଗୀ ଦେଖି ସେ ରାତି ଦୁଇଟାରେ ନିଜ କାରରେ ଫେରୁଥିଲେ । କଟକର ରାଜପଥ ନିଶୁନ୍ । ଝିପି ଝିପି ବର୍ଷା ଲାଗି ରହିଥାଏ । ବିଦ୍ୟୁତ୍ ଚମକରେ ହୃଦୟରେ ଆତଙ୍କ ସୃଷ୍ଟି ହେଉଥାଏ । ଝଡ଼ ବି ବର୍ଷା ସହିତ ସ୍ଵର ମିଳାଇ ଝଙ୍କାର ତୋଳିଥାଏ । ସତେକି ପ୍ରଳୟ ମାଡ଼ି ଆସିବ । ଏ ଦୁନିଆଟାକୁ ଧ୍ଵଂସ କରିବାପାଇଁ ବୋଧହୁଏ ପ୍ରକୃତି ଏ ଭୀଷଣ ମୂର୍ତ୍ତି ଧରିଛି । ରାସ୍ତାକଡ଼ର ବିଜୁଳିବତୀ ଗୁଡ଼ାକ ଲିଭି ଯାଇଥାଏ । କାର୍‍ର ବାହାର କାଚ ଉପରେ ବର୍ଷାପାଣି ଜମି ଯାଇଥାଏ । କାର୍‍ର ସୂୟଂଚାଳିତ ୱାଇପରଟା ବହୁତ ପାଣି ସାମ୍ନା କାଚରୁ ପୋଛି ପକାଉଥାଏ । କାର୍‍ର ଆଲୋକରେ ରାସ୍ତା ପରିଷ୍କାର ବି ଦିଶୁନଥାଏ । ଖୁବ୍ ସ୍ପିଡରେ ଡାକ୍ତର ପଟ୍ଟନାୟକ ତାଙ୍କର ନୂଆ ମଡ଼େଲ ଫିଆଟ୍ ଗାଡ଼ିଟା ଛୁଟାଇଥାନ୍ତି । ହଠାତ୍ କାର୍‍ର ବ୍ରେକ୍ କଷିଲେ ସେ । କାର୍‍ରୁ ଓହ୍ଲାଇ ଆସିଲେ । ଦେଖିଲେ ନିର୍ଜନ ରାଜପଥ ଧାରରେ ନବଜାତ ଶିଶୁଟିଏ ଅସହାୟ ଭାବରେ ପଡ଼ିଛି । ଅଙ୍ଗଟି ତାର ବସ୍ତ୍ରାବୃତ । ଏଇ ଝିପି ଝିପି ବର୍ଷା ଓ ଘଡ଼ଘଡ଼ି ଶବ୍ଦରେ ସେ କାନ୍ଦି କାନ୍ଦି ହାଲିଆ ହୋଇଗଲାଣି । ଆଉ ଏଣିକି କାନ୍ଦି ପାରୁନାହିଁ ।

 

ଶିଶୁଟିକୁ ତଳୁ ତୋଳିନେଇ କାର୍ ଭିତରକୁ ଚାଲି ଆସିଲେ । ଶିଶୁଟିର ଇତିବୃତ୍ତି କିମ୍ଵା ଜନକଜନନୀଙ୍କର ସନ୍ଧାନ ନେବାକୁ ତାଙ୍କର ଫୁର୍‍ସତ ନଥିଲା । ଜୀବନ କଳିକାଟି ନଷ୍ଟ ହେବା ପୂର୍ବରୁ ତାକୁ ବଞ୍ଚାଇବା ତାଙ୍କର ସର୍ବାଦୌ କର୍ତ୍ତବ୍ୟ ଭାବି କାର୍ ଭିତରେ ଶିଶୁଟିକୁ ପୁରାଇ ସେ ଆହୁରି ଦ୍ରୁତ ବେଗରେ କାର୍ ଚଳାଇଲେ । କାରଟା ତାଙ୍କର ବସାର ଗେଟ୍ ନିକଟରେ ପହଞ୍ଚିବାକୁ ବେଶୀ ସମୟ ଲାଗିଲା ନାହିଁ l କାରଟା ଗ୍ୟାରେଜରେ ରଖି କୋଳରେ ନବଜାତ ଶିଶୁଟିକୁ ଧରି ସେ ବସାକୁ ଫେରି ଆୟାକୁ ଡାକ ପକାଇଲେ । ଚୂଲି ଲଗାଇ ନିଆଁ କରିବାକୁ ଆୟାକୁ କହିଲେ ।

 

ଶିଶୁଟି ଦେହରୁ ଓଦାଲୁଗା ଫୋପାଡ଼ି ଦେଇ ତାକୁ ନିଜର ଗରମ କୋର୍ଟଟା ଘୋଡ଼ାଇଦେଲେ । ନିଜର ପୋଷାକ ବଦଳାଇ ନେଲେ ପ୍ରଫେସର ମିସ୍ ପଟ୍ଟନାୟକ I

 

ଆୟା ଚୁଲି ଲଗାଇ ସାରି ଆଲୁଅ ଆଣି ପହଞ୍ଚିଲା I ମୁହଁରେ ତାର ତୀବ୍ର ଅଭିଯୋଗ କଟକର ଏଇ ଇଲେକ୍ଟ୍ରି ସପ୍ଲାଇ କମ୍ପାନୀ ଉପରେ ଥାଏ । ଯଦି ଇଲେକ୍ଟ୍ରି ଲାଇନଗୁଡ଼ାକ ଫିଉଜ୍ ହୋଇ ଯାଇନଥାନ୍ତା ତେବେ ତାକୁ ଏ ପରିଶ୍ରମ କରିବାକୁ ପଡ଼ିନଥାନ୍ତା । ସେ ଅନ୍ତତଃ ଇଲେକ୍ଟ୍ରିକ୍ ହିଟର ଲଗାଇ ଚା ତିଆରି କରି ମାମାଙ୍କୁ ଦେଇପାରି ଥାନ୍ତା ।

 

ଆଲୋକ ଆସିବାପରେ ସେ ଲଣ୍ଠନଟି ନେଇ ଶିଶୁ ପାଖକୁ ଗଲେ । ବ୍ୟାଗରୁ ଟେଥେସ୍କୋପଟା କାଢ଼ି ଶିଶୁଟିକୁ ପରୀକ୍ଷା କରିବାକୁ ଲାଗିଲେ I ଅତ୍ୟଧିକ ଥଣ୍ଡା ଫଳରେ ଦେଖିଲେ ଶିଶୁଟିର ହୃଦୟର ସ୍ପନ୍ଦନ କମି ଆସୁଛି l ସର୍ବାଙ୍ଗ ତାର ବରଫ ପରି ହିମ—ହୁଏତ ଅଳ୍ପ କେତେଟା ମୁହୂର୍ତ୍ତ ପରେ ଶିଶୁଟି ଏଇ ସୁନ୍ଦର ମରତ ଛାଡ଼ି ଚାଲିଯିବ l ବ୍ୟସ୍ତ ହୋଇ ଉଠିଲେ ପ୍ରଫେସର ମିସ୍ ପଟ୍ଟନାୟକ I ମନେ ମନେ ଭାବିଲେ, ନା—ଯେ କୌଣସି ମତେ ଶିଶୁଟିର ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବେ ବ୍ୟାଗ୍ ଖୋଲିଲେ, ଗୋଟାକ ପରେ ଗୋଟାଏ ଇଞ୍ଜେକସ୍‍ନ ଫୋଡ଼ିଲେ । ପିଲାଟିକୁ ଚୁଲି ପାଖକୁ ନେଇ ନିଜେ ଗରମ ସେକ ଦେଲେ l କୃତ୍ରିମ ଉପାୟରେ ଶ୍ଵାସ ପ୍ରଶ୍ଵାସ କ୍ରିୟା କରାଇଲେ । ତାପରେ କେତେ ସମୟ ପରେ ଶିଶୁଟିର ମୁହଁରୁ ଲଳିତ ଛନ୍ଦରେ ବାହାରି ଆସିଲା—କୁଆଁ... କୁଆଁ... କୁଆଁ....

 

ଡକ୍ଟର ମିସ୍ ପଟ୍ଟନାୟକ ଆନନ୍ଦରେ ବିହ୍ୱଳ ହୋଇ ଉଠିଲେ । ଯାହାହେଉ ଜୀବନଟା ବଞ୍ଚିଗଲା । ଆୟା ହାତକୁ ପିଲାଟିକୁ ବଢ଼ାଇଦେଲେ ।

 

ଶିଶୁଟିକୁ ହାତରେ ତୋଳିଧରି ଆୟା ଭାବୁଥାଏ ଗୋଟାଏ ନାଟକର ଭାନୁମତୀ ଖେଳ ପରି ଏସବୁ କ’ଣ ତା ଆଗରେ ହୋଇ ଯାଉଛି l ଡକ୍ଟର ପଟ୍ଟନାୟକଙ୍କ ବେଡ଼ରୁମରେ ଆୟା କମ୍ବଳ ଭିତରେ ଶିଶୁଟିକୁ ଘୋଡ଼ାଇ ଦେଇ ଶୁଆଇ ଦେଇ ଆସିଲା ।

 

ରାତ୍ର ଦୁଇଟାରେ ଖଣ୍ଡେ ପାଉଁରୁଟି ଆଉ ଗ୍ଲାସେ ଦୁଧ ପିଉଥିବା ବେଳେ ପ୍ରଫେସର ପଟ୍ଟନାୟକଙ୍କୁ ଆୟା ପଚାରିଲା—ମାମା ଏ ପିଲା କାହାର ? କେଉଁଠାରୁ ଏହାକୁ ପାଇଲେ ?

 

ସେତେବେଳକୁ ପ୍ରଫେସର ମିସ୍ ପଟ୍ଟନାୟକ କେତେକ’ଣ ଭାବୁଥିଲେ । ସେ ଭାବୁଥିଲେ ହୁଏତ କେଉଁ କୁମାରୀ କନ୍ୟା ନିଜର ଅପକର୍ମରୁ ରକ୍ଷା ପାଇବାପାଇଁ ଭଲ ପାଇବାର ପବିତ୍ର ସଂଜ୍ଞା ଉପରେ କାଳିମାବୋଳି ତାର ଗର୍ଭଜାତ ସନ୍ତାନକୁ ହତ୍ୟାକରି ପାରିନାହିଁ । ରାଜପଥରେ ନବଜାତ କୋମଳ ଶିଶୁଟିକୁ ଫିଙ୍ଗି ଦେଇଛି । ଭାବିଛି ଏଇ ଝଡ଼ବର୍ଷା ସଙ୍ଗେ ସଙ୍ଗେ ତାର ଜୀବନ ଦୀପ ଲିଭିଯାଉ । କାଲି ସକାଳୁ ସେଇ ଝିଅଟି ଆଜିକାଲିର ସଭ୍ୟତାର ଛାପମାରି ନିଜକୁ ସତୀ ଶିରୋମଣୀ ବୋଲି ପ୍ରଚାର କରାଇ ପୁଣି ଏକ ନୂଆଖେଳ ଖେଳି ବସିବ । ମନେ ମନେ ହସି ଉଠିଲେ...

 

ଆସନ୍ତାକାଲିର ନବ ସୂର୍ଯ୍ୟର ପ୍ରଥମ କିରଣକୁ ଏଇ ବସାର ଅଙ୍ଗନରେ ସ୍ଵାଗତ ଜଣାଇବା ପୂର୍ବରୁ ଏଇ ଇତିହାସ ବିହୀନ ଶିଶୁଟିର ଇତିହାସ ତାଙ୍କୁ ସୃଷ୍ଟି କରିବାକୁ ହେବ ଏବଂ ଯେପରି ନାମ ଗୋତ୍ରହୀନ ଏକ ଜାରଜ ସ୍ୱାକ୍ଷର ନେଇ ସେ ବଞ୍ଚିନରହେ...

 

ସେ ଘରେ ଶିଶୁଟି ଚିହିଲି କାନ୍ଦି ଉଠୁଛି କୁଆଁ ...କୁଆଁ...କୁଆଁ...

 

ପ୍ରଫେସର ମିସ୍ ପଟ୍ଟନାୟକଙ୍କୁ ଜଣାପଡ଼ିଲା, ଶିଶୁଟି ଯେପରି ଅଭିଯୋଗ କରି କହି ଉଠୁଛି ମୁଁ ତ ମରୁଥିଲି—ତୁମେ ମୋତେ ବଞ୍ଚାଇଲ କିଆଁ ? ଦୁଇହାତରେ ମୁଣ୍ଡଟାକୁ ଚିପିଧରି ସେ ସୋଫା ଉପରେ ଲଥ୍ କରି ବସି ପଡ଼ିଲେ । କଣ କରିବେ ସେ ଏଇ ଶିଶୁଟିକୁ ନେଇ ? ଦୁନିଆ ଦୁଆରେ କି ପରିଚୟ ସେ ଦେବେ ଏଇ ଶିଶୁଟିର ? ଶିଶୁଟିକୁ ଲାଳନପାଳନ କରି ମଣିଷ କରିବା କ’ଣ କମ୍ ଦାୟିତ୍ଵ ? କମ୍ ଜଞ୍ଜାଳ । ଏଇ ଜଞ୍ଜାଳମୟ ଜୀବନକୁ ତ ସେ ଆଗରୁ ଘୃଣା କରୁଥିଲେ-। ଭଗବାନ ତାଙ୍କୁ ପୁଣି କାହିଁକି ଏ ଜଞ୍ଜାଳରେ ପକାଉଛନ୍ତି ?

 

ମନ ଭିତରେ ଯେପରି ତାଙ୍କର କିଏ କହି ଉଠିଲା ମଙ୍ଗଳମୟଙ୍କ ଇଚ୍ଛାପୂର୍ଣ୍ଣ ହେଉ । ଜଞ୍ଜାଳହୀନ ଜୀବନ ଗୋଟାଏ ପଙ୍ଗୁର ଜୀବନ ସେଥିରେ କ’ଣ ଆନନ୍ଦ ଥାଏ ? ଜୀବନର ସ୍ଵାଦ କ’ଣ ଚାଖି ହୁଏ ? ପଶୁପରି କେବଳ ଧନ, ଅସନ, ବ୍ୟସନ, ଶୟନରେ ହିଁ ଜୀବନଟା କେବଳ କଟିଯିବ—ବଞ୍ଚି ରହିବା ପାଇଁ ସଂଗ୍ରାମ ଲୋଡ଼ା । ସେ ଯାହାକିଛି ହେଉ, ଏ ଶିଶୁଟିକୁ ସେ ଅନ୍ତର କରିପାରିବେ ନାହିଁ । ନିଜ ହୃଦୟର ସମସ୍ତ ସ୍ନେହ ଚିପୁଡ଼ି ଏଇ ଶିଶୁଟିକୁ ମଣିଷ କରିବେ ।

 

ପୁଣି ଯେପରି କିଏ ତାଙ୍କ ମନ ଭିତରୁ କହି ଉଠୁଛି ତୁମ କୁକୁର ବାଘକୁ ଯେତିକି ସ୍ନେହ କରୁଛ—ଆଦର କରୁଛ—ଭଲ ପାଉଛ—ସେତିକି ହେଲେ ଏଇ ଶିଶୁଟି ପକ୍ଷରେ ଯଥେଷ୍ଟ । ମଣିଷ ରୂପୀ ଚାରା ଗଛଟିଏ ତୁମ ବସାରେ ରୋପଣ କର—ଦିନେ ନା ଦିନେ ସେ ବିଶାଳ ବୃକ୍ଷ ହେବ । ଜ୍ଞାନବିଜ୍ଞାନ ସୁମନର ମହକରେ ସେ ଦୁନିଆକୁ ମହକିତ କରିବ । ଆଉ ତୁମର ଜୈତ୍ରର ନିଶାଣ ଉଡ଼ାଇବ ।

 

ଡକ୍ଟର ମିସ୍ ପଟ୍ଟନାୟକ ଚିନ୍ତା ରାଜ୍ୟରୁ ଫେରି ମୁହଁ ତୋଳିଲେ । ସେଦିନର ଖିଆ ସେପରି ସେପରି ହେଲା । ଦୁଧ ଗ୍ଲାସକ ପିଇସାରି ସେ ଆୟା ମୁହଁକୁ ଫେରି ଚାହିଁଲେ । ପଚାରିଲେ କ’ଣ କହୁଥିଲୁ ଆୟା ?

 

—ମାମା ଏ ପିଲାଟି କାହାର ? କେଉଁଠୁ ପାଇଲ ?

 

—କାହାର ଜାଣିଥିଲେ ସେ କ’ଣ ବସାକୁ ମୁମୂର୍ଷୁ ଅବସ୍ଥାରେ ଆସିଥାନ୍ତା ? ଯାହା ପଚାରିଲୁ କେଉଁଠୁ ପାଇଲି—ହୁଏତ ତାର କଳଙ୍କିନୀ ଜନନୀ ନିଜ ହାତରେ ଶିଶୁଟିର ଗଳାଚିପି ମାରିଦେଇ ନପାରି ପ୍ରକାଶ୍ୟ ରାଜପଥ ଉପରେ ଫିଙ୍ଗି ଦେଇଥିଲା । ଯେପରିକି ଚଳନ୍ତା ଟ୍ରକ୍ କିମ୍ଵା ମଟର ଚାପରେ ଏ ଶିଶୁଟିର ମୃତ୍ୟୁ ହେଉ—କିନ୍ତୁ ପ୍ରଭୁଙ୍କର ଇଚ୍ଛା ଅନ୍ୟ ପ୍ରକାର ।

 

—ଆମେ ଏ କଅଁଳିଆ ପାଣିହାଣ୍ଡି ଛୁଆକୁ ନେଇ କଣ କରିବା ?

 

ପାଳିବା । ତୁଇ ତାର ମାଆ ହେବୁ । ମୋର ସବୁ ଜଞ୍ଜାଳ ତ ତୁଲାଉଥିଲୁ । ଏଟା ଗୋଟାଏ ଅଧିକା ଜଞ୍ଜାଳ । କ’ଣ ତୁ ପିଲାଟିର ଯତ୍ନ ନେଇ ପାରିବୁ ନାହିଁ ? ମିସ୍ ପଟ୍ଟନାୟକ ଆୟା ମୁହଁକୁ ମିନତି ପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ।

 

କ’ଣ ଉତ୍ତର ଦେବ ଆୟା ? ଆନନ୍ଦର ବନ୍ୟା ତା ହୃଦୟରେ ଢେଉ ଭାଙ୍ଗୁଛି—ଜୀବନଟା ଯାକ ମା’ ଡାକ ଶୁଣିନାହିଁ—ବିବାହ ବେଦୀରୁ ସ୍ୱାମୀ ଛାଡ଼ି ଚାଲିଯାଇଛି । ସେ କୁରୁପା, ତାର ଅଙ୍ଗରେ ଯୌବନ ଥିଲେ କ’ଣ ହେବ ରଙ୍ଗ ନଥିଲା—ତାପରେ ଘଟଣା ଚକ୍ରରେ ଭାସି ଭାସି ଆସି ପ୍ରଫେସର ମିସ୍ ପଟ୍ଟନାୟକଙ୍କ ପାଖରେ ଲାଗିଛି, ସେ ତାଙ୍କୁ ଆଶ୍ରୟ ଦେଇଛନ୍ତି । ଏ ଅଲୋଡ଼ାଜୀବନରେ ବୁକୁଭରା ସ୍ନେହ ଦେଇ ସେ ଏ ପିଲାଟିକୁ ନିଶ୍ଚୟ ପାଳିବ—

 

—କ’ଣ କିଛି କହୁନୁ ଆୟା ?

 

ଆନନ୍ଦ ଉଚ୍ଛ୍ଵସ୍ଥିତ କଣ୍ଠରେ ଆୟା କହିଲା—ସେ ଆମର ପରମ ସୌଭାଗ୍ୟ—ଭଗବାନ ଆମକୁ ଯାଚିକରି ଦେଇଛନ୍ତି—ଆମର ଯାହା ନଥିଲା—କେବେ ବି ଭାଗ୍ୟରେ ଏ ସଂପଦ ଜୁଟିନଥାନ୍ତା । ସେପରି ସରଗଚାନ୍ଦକୁ ଆମେ ହାତଛଡ଼ା କରିବା ? ନା—ନା ମାମା ମୋତେ ଆଦୌ କଷ୍ଟ ହେବନି—ମୁଁ ଏଇ ପିଲାଟିକୁ ପାଳିବି—ତେଣିକି ତାର ଆୟୁଷ ଥିଲେ ହେଲା—

 

ସେଇ ନିଝୁମ ଝଡ଼ ରାତିରେ ଡକ୍ଟର ସିସ୍ ପଟ୍ଟନାୟକ କହିଲେ ଆୟା ଲୋ—ତା ନାଁ ସଂଗ୍ରାମ ରଖିବା—ତୋତେ କିପରି ଲାଗୁଛି ?

 

ହସୁ ହସୁ ଆୟା କହିଲା—ତୁମେ ଇଂରେଜୀ ପାଠପଢ଼ିଛ—ବଡ଼ ଡାକ୍ତରୀଆଣୀ ହୋଇଛ କେତେ ଭଲ ନାଁ ଧରି ଡାକିବ—ମୋ ପାଟିରେ ତୁମ ନାଁ ପଇଟିବ ନାହିଁ—ମୁଁ କୁନା ବୋଲି ଡାକିବି—

 

ହାତରେ ତୁଳା ଆଉ ମହୁପାଣି ନେଇ ଆୟା ତା କୁନାକୁ ପିଆଇବାକୁ ଚାଲିଲା । ପିଲାଟା କେତେ ବେଳୁ ଖାଇନି । କାନ୍ଦି କାନ୍ଦି ରାହାଧରିଲାଣି—

 

ଆୟା ପଛରେ ଡକ୍ଟର ପଟ୍ଟନାୟକ ବି ଚାଲିଲେ—

 

ତାପର ଦିନ ସକାଳୁ ପ୍ରଫେସରପଡ଼ାରେ ଡକ୍ଟର ମିସ୍ ପଟ୍ଟନାୟକଙ୍କ ଘରେ ନବଜାତ ଶିଶୁର କ୍ରନ୍ଦନ ଗଗନ ପବନ ମଥିତ କରି ପ୍ରଚାରିତ ହେଲା—ସମସ୍ତେ ପ୍ରରସ୍ପର ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁଲେ । ଆଖିରେ ପଚାରିବାର ଭାଷା କିନ୍ତୁ ଉତ୍ତର କିଏ ଦେବ ?

 

ପଡ଼ାର ସବୁ ଶିଶୁମାନେ ଦଳ ଦଳ ହୋଇ ଧାଇଲେ ମିସ୍ ପଟ୍ଟନାୟଙ୍କର ପୁଅକୁ ଦେଖିବା ପାଇଁ—

 

ଡକ୍ଟର ମିସ୍ ପଟ୍ଟନାୟକ ସକାଳର ଚାହା ଖାଉ ଖାଉ ଡକ୍ଟର ରାଜଗୁରୁଙ୍କର ଛୋଟିଆ ପାଞ୍ଚ ବର୍ଷର ପୁଅ ଆସି କହିଲା—ମାମି—ତୁମ ପୁଅ ବଡ଼ ସୁନ୍ଦର ହୋଇଛି ।

 

ହସି ଉଠିଲେ ଡକ୍ଟର ମିସ୍ ପଟ୍ଟନାୟକ—ତାଙ୍କର ପୁଅ ? ଦୁନିଆରେ ସେ ତାଙ୍କରି ପୁଅ ହୋଇ ବଞ୍ଚି ରହିବ ! ହସିହସି ମୁନ୍ନାକୁ କୋଳକୁ ଆଉଜାଇ ନେଇ ସେ କହିଲେ—ମୁନ୍ନା, ତୋଠାରୁ କ’ଣ ସୁନ୍ଦର ?

 

ମୁନ୍ନା ଡାକ୍ତର ପଟ୍ଟନାୟକଙ୍କ ହାତରୁ ଖସି ପଳାଇଲା ଗଲାବେଳେ କହିଲା—ମୁଁ ତାକୁ କ’ଣ ବୋଲି ଡାକିବି ?

 

ହସିହସି ମିସ୍ ପଟ୍ଟନାୟକ କହିଉଠିଲେ ମୁନ୍ନା ସାନ ଭାଇ ନାଁ ପରା କୁନା ।

 

ମିସ୍ ଚଂପକରେଖା ପଟ୍ଟନାୟକ— ।

 

ଓଡ଼ିଶାର ଗୋଟିଏ ଅଖ୍ୟାତ ପଲ୍ଲୀରେ ତାଙ୍କର ଏନ୍ତୁଡ଼ି ନିଆଁ ଜଳିଥିଲା । ସବୁ ପିଲାଙ୍କ ପରି କୁଆଁ କୁଆଁ କରି ଲବଣୀ ପିତୁଳୀ ବେକ ନଡ଼ନଡ଼ୀ ଝିଅଟିଏ ଜଗଦୀଶ ପଟ୍ଟନାୟକଙ୍କ କୋଳରେ ଜନ୍ମ ନେଇଥିଲା । ବହୁଦିନ ଧରି ଜଗଦୀଶ ପଟ୍ଟନାୟକ ନିଃସନ୍ତାନ ଥିଲେ । କନ୍ୟାଟି ଜନ୍ମହେବା ପରେ ଜଗଦୀଶ ପଟ୍ଟନାୟକ ଆଉ ପୁତ୍ର ପାଇଁ ଆକାଂକ୍ଷା ରଖିନଥିଲେ । ସେତିକିରେ ସନ୍ତୁଷ୍ଟ ହୋଇଥିଲେ । ଭଗବାନଙ୍କ ନିକଟରେ ପ୍ରଣତି ଢାଳିଥିଲେ ଏଇ ଯେଉଁ ଗୋଟିକୁ ତାଙ୍କ କୋଳକୁ ତୋଳି ଦେଇଛନ୍ତି ସେଇଟି କିପରି ଦୀର୍ଘାୟୁ ହେଉ । ଏଇ କନ୍ୟାଟି ବଞ୍ଚିରହିଲେ ସବୁଦିନ ପାଇଁ ସେ ବଞ୍ଚି ରହିବେ ।

 

ଆଉଟା ସୁନା ପରି ରଙ୍ଗ । ଗଠଣଟି ଅତି ସୁନ୍ଦର । ଏକୋଇଶି ଦିନ ନାମ ଦିଆହେବ ବୋଲି ବହୁ ବିଚାର ପଡ଼ିଥିଲା । ଶେଷରେ ଗୋଟାଏ କ୍ଷୟିଷ୍ଣୁ ରୁଦ୍ଧିମନ୍ତ ପରିବାରର ଶେଷ ପ୍ରଦୀପରେଖା ପରି ଯେଉଁ କନ୍ୟାଟି ଭୂମିଷ୍ଠ ହୋଇ ପଟ୍ଟନାୟକ ବଂଶ ଉଜ୍ଜ୍ୱଳ କଲା ତା ନାମ ଚଂପକରେଖା ରଖାଗଲା ।

 

ବାପା ମାଆଙ୍କର ଅଲିଅଳ ଝିଅ ଚଂପକରେଖା । ଆଦର ସିନିହ ଭିତରେ ବଢ଼ି ଚାଲିଲା-। ଯାହା ଯେଉଁଦିନ ଯେତେବେଳେ ଅଳି କରିଛି ତା ପୂର୍ଣ୍ଣ ହୋଇଛି । କେବଳ ଆକାଶର ଚାନ୍ଦ ସେଇତକ ଯାହା ସେ ହାତରେ ଧରି ପାରିନାହିଁ । ଜଗଦୀଶ ପଟ୍ଟନାୟକ ଏକ ପ୍ରକାର ଜମିଦାର ଥିଲେ । ପୂର୍ବର ପିତୃ ପିତାମହ ଅମଳର ସମ୍ପତ୍ତି ଯଦିଓ ନଥିଲା ତଥାପି ଜମିଦାରୀର ଫମ୍ପା ହାୱାଟା ଥିଲା । ଜଗଦୀଶ ବାବୁଙ୍କ ମନରେ ଅହଂଭାବ ଜମାଟ ବାନ୍ଧି ରହିଥିଲା । ନିଜକୁ ସେ ଅନ୍ୟମାନଙ୍କଠାରୁ ଉଚ୍ଚରେ ଦେଖୁଥିଲେ । ସବୁବେଳେ ନିଜକୁ “ମୁଁ” ନକହି ଆମେ କହୁଥିଲେ । ଲୋକମାନଙ୍କ ସହିତ ଖୁବ୍ କମ୍ ମିଶୁଥିଲେ । ଆଶନ, ଶୟନ ଓ ବ୍ୟସନ ତାଙ୍କର ଏଇ ତିନୋଟି ପ୍ରଧାନ କାର୍ଯ୍ୟ ଥିଲା । ଗୋଟାଏ ଦୁଇଟା ପାଖ ଲୋକ ଖୋସାମତ କରିବାକୁ ଥିଲେ । ଜମିରୁ ଆଦାୟ ହେଉଥିବା ଧାନ ଓ ରବି ଫସଲରେ ସେ ଚଳୁଥିଲେ ।

 

ଜଗଦୀଶ ବାବୁଙ୍କର ସ୍ତ୍ରୀ ସୁମତୀ ଦେଵୀ ସମ୍ପୂର୍ଣ୍ଣ ଭିନ୍ନ ଥିଲେ । ପୃଥିବୀର ସମସ୍ତ ଦିଅଁ ଦେବତାଙ୍କୁ ସେ ଭକ୍ତି କରୁଥିଲେ । ଦିଅଁ ଦେବତାଙ୍କର ସେବାରେ ତାଙ୍କର ବହୁତ ସମୟ ଯାଉଥିଲା-। ମଣିଷକୁ ସେ ମଣିଷ ପରି ଦେଖୁଥିଲେ । କାହାର ବିକଳ କିମ୍ବା କଷ୍ଟ ସେ ସହି ପାରୁନଥିଲେ-। ତେଣୁ ଦାଣ୍ଡର ମୂଲିଆଙ୍କଠାରୁ ଆରମ୍ଭ କରି ସେ ସମସ୍ତଙ୍କର ଆଖିରେ ପୂଜ୍ୟା ଥିଲେ । ପରପାଇଁ ତାଙ୍କ ଆଖିରୁ ଆପଣା ଛାଏଁ ଲୋତକ ବହି ଯାଉଥିଲା । ଗାଁଟି ଭିତରେ ସମସ୍ତଙ୍କ ସହିତ ତାଙ୍କର ମିଳାପ ଥିଲା । ସବୁ ଝିଅ ବୋହୂଙ୍କୁ ସେ ଆପଣାର କରିଥିଲେ । ତେଣୁ ସମସ୍ତଙ୍କର ତାଙ୍କ ଘରେ ଅବାଧ ପ୍ରବେଶ ଥିଲା ।

 

ଷୋହଳଟି ଫଗୁଣ ଯେତେବେଳେ ଜଗଦୀଶ ବାବୁଙ୍କ ଅଙ୍ଗନରେ ମଳୟର ସୁରଭି ଢାଳି ଚାଲିଗଲା ସେତେବେଳେ ଚମ୍ପକରେଖା ମୁହଁରେ ହସର ରେଖା ଫୁଟି ଉଠିଲା । ଅୟୁତ ଯୁଗର କାମନା ନେଇ ଆଖିର କଳାଡୋଳା ଦିଇଟା ଚଞ୍ଚଳ ହୋଇ ଉଠିଲେ । ଦୁଧ ଅଳତା ରଙ୍ଗର ତନୁ ପାତଳୀ ଝିଅ ଚମ୍ପକରେଖା ଚମ୍ପାଫୁଲ ପରି ଯୌବନର ମହକ ନେଇ ଜଗଦୀଶ ବାବୁଙ୍କ ଘର ବଗିଚାରେ ମହକି ଉଠିଲା । ଟଣା ଟଣା ପୋଟଳ ଚିରା ଭସାଣିଆ ଆଖି । ପାନପତ୍ର ପରି ମୁହଁ । ବଳିଲା ବଳିଲା ହାତ ଗୋଡ଼ । ପୂରିଲା ପୂରିଲା ଯୌବନ । ସମସ୍ତଙ୍କ ଆଖିରେ ମୟାଞ୍ଜନ ବୋଳିଦେଲା । ଏଇ ମଣିଷ ଫୁଲଟିକୁ ଦେଖି ସମସ୍ତେ ମୁଗ୍‍ଧ ହୁଅନ୍ତି । ଯେ ଦେଖିଛି ସେ ଆପଣାର କରିବାକୁ ଭାବୁଛି । ବୟସ୍କମାନେ ଭାବିଲେ ଏ ପ୍ରକାର ଗୋଟିଏ ଝିଅ ସେମାନଙ୍କର ହେଲେ ଥାଆନ୍ତା କି !

 

ଯୁବକମାନେ କେବଳ ନୟନ ସାର୍ଥକ କରନ୍ତି । ମନର ଇଚ୍ଛାକୁ ମନରେ ମାରନ୍ତି । ସାହାସ ହୁଏନି ଏଇ ମଣିଷ ଫୁଲଟିକୁ ବୃନ୍ତଚ୍ୟୁତ କରି ଲୁଣ୍ଠନ କରିବାକୁ । କାରଣ ଏ ଚମ୍ପାଫୁଲର ଏପରି ତୀବ୍ର ସୁବାସ ଅଛି ଯହିଁରେ ସେମାନଙ୍କ ପରି ଭ୍ରମର ଗୁଡ଼ିକଙ୍କର କେବଳ ପାଗଳ ହେବାହିଁ ସାର ହେବ ।

 

ଅତୀତ କଥା, ଯାହାକି ପକାଇଲା ଛେପ ସଙ୍ଗେ ସମାନ । ତାକୁ ଭାବି ଲାଭ କ’ଣ ? ତଥାପି ଚଳଚିତ୍ରର ଛବିପରି ସମୟ ସମୟରେ ସେ ଗୁଡ଼ାକ ମିସ୍ ରେଖା ପଟ୍ଟନାୟକଙ୍କର ଆଖି ଆଗରେ ଭାସି ଉଠନ୍ତି । ମନରେ ତୁହାଇ ତୁହାଇ ଉଙ୍କିମାରି ପ୍ରଶ୍ନ ପଚାରନ୍ତି । ମନ ବାଧ୍ୟହୁଏ ପଛକୁ ଫେରି ଚାହିଁବାକୁ ।

 

କିଶୋରୀ ଜୀବନରେ ତାଙ୍କର ସାଥୀ ଥିଲା ନିରୁ । ଅତି ଆପଣାର ସାଥୀ । ତରଳ ଯୌବନର ସୁଅରେ ଭାସୁଥିଲାବେଳେ ଅନେକ କଥା ସେ ଦୁହେଁ ହୋଇଛନ୍ତି । ଜନ୍ମରୁ ଏକ ସଙ୍ଗେ ବଢ଼ି ଆସିଥିଲେ । ଗାଁର ସତ୍ୟବ୍ରତ ପଟ୍ଟନାୟକଙ୍କର ଝିଅ ସେ । ମଧ୍ୟବିତ୍ତ ପରିବାରର କନ୍ୟା । ଗାଁ ସ୍କୁଲରୁ ମାଇନର ପାଶ କଲାପରେ ଆଉ ପାଠ ପଢ଼ିଲାନାହିଁ । ବାପାଙ୍କର ଏକାଜିଦ୍ ଓ ମାଙ୍କର ବହୁ ମନା ସତ୍ତ୍ୱେ ସେ କିନ୍ତୁ ହାଇସ୍କୁଲର ଛାତ୍ରୀ ହୋଇ ଥାଆନ୍ତି ।

 

ଓଡ଼ିଆ ଘରେ ପୁଅ ଯଦି ପାଠ ପଢ଼ା ଛାଡ଼ି ଚାକିରୀ କଲା କିମ୍ଵା କୌଳିକ ବ୍ୟବସାୟ କଲା ତେବେ ତାହାର ସର୍ବାଦୌ ବିବାହ କରିବା ଦରକାର । ସେତେବେଳେ ପିତାମାତାଙ୍କର ସେମାନେ ଦୁର୍ବିହ ହୋଇ ଉଠନ୍ତି । ସେମାନେ ଭାବନ୍ତି ହାତରେ ପୁଅର ପଇସା ଅଛି । ମଗଜରେ କିଛି ମସଲା ପାଇଛି । ହୁଏତ ବିପଥ ଗାମୀ ହୋଇ ପାରେ । ତେଣୁ ପାଦକୁ ଶାଙ୍କୁଳୀ ପରି ଯଦି ଘରକୁ ବୋହୂ ପିଲାଟିଏ ଆସେ ତେବେ ତାଙ୍କର ରଙ୍କ ରତନ ଆଉ ପଥ ହୁଡ଼ିବ ନାହିଁ । ହାତୀର ଆଙ୍କୁଶ ଭଳି ବହୁ କାମ କରିବ । ବାପା ଯଦି କହନ୍ତି ଏଇ ଦିନୁ ଗୋଟାଏ ବୋହୂ ନେଇ ପୁଅ କ’ଣ କରିବ ? ମାଆ ଉତ୍ତର ଦିଅନ୍ତି ବେକରେ ପକାଇଲେ ସମସ୍ତେ ବଜାଇ ଶିଖନ୍ତି—

 

ଏତ ଗଲା ପୁଅଙ୍କ କଥା । ଝିଅଙ୍କ କଥା କ’ଣ ବା କହିବା ? ଉପଯୁକ୍ତ ବରପାତ୍ରର ମିଳିବା ପର୍ଯ୍ୟନ୍ତ ମଧ୍ୟବିତ୍ତ ଓଡ଼ିଆ ପରିବାରରେ ଝିଅକୁ ପାଠ ପଢ଼ା ଯାଇପାରେ । ଯଦି ଉପଯୁକ୍ତ ପାତ୍ର ମିଳିଯାଏ ତେଣିକି ଆଉ ଭାବିବାର କ’ଣ ଅଛି ?

 

ନିରୁ କହୁଥିଲା, ତା ବାପାଙ୍କ ମତରେ ଝିଅକୁ ବହୁତ ପାଠ ପଢ଼ାଇଲା ପରେ ତାର ବିବାହ ପାଇଁ ଉପଯୁକ୍ତ ଶିକ୍ଷିତ ପାତ୍ରଟିଏ ମିଳିବା ଦୁଷ୍କର ବହୁତ ଯାନି ଯୌତୁକ ପଡ଼ିବ ସେଥିପାଇଁ ତ ସମ୍ୱଳ ନଥିବ । ଉପଯୁକ୍ତ ଶିକ୍ଷିତ ପାତ୍ର ନ ପାଇଲାପରେ ମନସ୍ତାପ ବଢ଼ିବ । ଯଦି ଝିଅକୁ ଅଳ୍ପ ଶିକ୍ଷିତ ପାତ୍ରରେ ପାତ୍ରସ୍ଥ କରାଯାଏ ତେବେ ଝିଅ ମନରେ ଅଶାନ୍ତି ଲାଗିରହିବ । ଫଳରେ ଏପରି କିମ୍ଵା ସେପରି ଝିଅ ବିବାହ କରି ହେବନାହିଁ । ବହୁଦିନ ପର୍ଯ୍ୟନ୍ତ ଝିଅକୁ ବେକରେ ବାନ୍ଧି ବୁଲିବାକୁ ହେବ । ତେଣୁ ଯେତିକି ପାଠ ନିହାତି ଦରକାର ସେ ତକ ପଢ଼ାଇଲା ପରେ ଝିଅକୁ ବାହା କରିଦେବା ଉଚିତ ।

 

ନିରୁ ବାଧ୍ୟ ହୋଇ ମାଇନର ପାସ୍‍ ପରେ ଆଉ ପଢ଼ିଲା ନାହିଁ । ସେ ନିଜେ ଗାଁଠାରୁ ଦୂରରେ କଟକରେ ବାଳିକା ହାଇସ୍କୁଲର ବୋର୍ଡିଂରେ ରହି ପାଠ ପଢ଼ିଲେ । ବାପାଙ୍କର ଏକା ଜିଦ୍ ରେଖା ସେତେବେଳେ ତାଙ୍କର ପୁଅ ଆଉ ଝିଅ ସେତେବେଳେ ସେ ତାକୁ ପୁଅ ପରି ଆତ୍ମନିର୍ଭରଶୀଳ କରି ଗଢ଼ିବେ । ବାସ୍ତବିକ୍ ତାଙ୍କ ବାପା ବଡ଼ ସଂସ୍କାର ବାଦୀ ଥିଲେ । ପ୍ରଗତିଶୀଳ ମଧ୍ୟ ।

 

ଛୁଟିରେ ଗାଁକୁ ଆସିବାକୁ ହୁଏ । ଆସିଲେ ନିଃସଙ୍ଗ ଜୀବନରେ ଅସର ସମୟକୁ କେବଳ ନିରୁ ସଙ୍ଗେ ଏଣୁ ତେଣୁ ଗପ ହୋଇ ବିତାଇବାକୁ ହୁଏ ।

 

ମଣିଷର ଏପରି ଗୋଟାଏ ସମୟ ଆସେ ଯେତେବେଳେ ମନରେ କେବଳ କଳ୍ପନାର କଳା ଘୋଡ଼ା ଦେଖାଦିଏ ! ଇଚ୍ଛାହୁଏ ସେହି କଳ୍ପନାର କଳା ଘୋଡ଼ାରେ ବସି ସାରା ଜଗତଟା ବୁଲି ଆସନ୍ତା । ଆଉ କେତେକଙ୍କ ମତରେ ଯୌବନଟା ଯେଉଁଠି ଅକ୍ଷୟ ସେଇଠାରେ ହିଁ କେବଳ ବାସ କରିବ ଶ୍ରେୟସ୍କର । ସେଇ ଦେଶଠାରୁ ବୈକୁଣ୍ଠ ଆଉ କ’ଣ ଯଦିଥାଏ ବୋଲି କିଏ କହେ ସେମାନଙ୍କୁ ବଚାଳ ବୋଲି ଭାବନ୍ତି ।

 

ଗୋଟାଏ ପୁଲକିତ ଚଇତାଳି ରାତ୍ରରେ ବାରିପାଖ କୂଅ ଚାନ୍ଦିନୀରେ ଦୁଇ ସାଙ୍ଗ ବସିଥାନ୍ତି । ନିରୁ ତା ଜୀବନରେ ନୂଆ ଅନୁଭୂତି ପାଇଛି । ତାରି ମନର କଥା ସେ ତା ଆଗରେ କହୁଥାଏ । ତନ୍ମୟା ହୋଇ ସେ ଶୁଣୁଥାନ୍ତି । ବଡ଼ ମଜା ଲାଗୁଥାଏ ଶୁଣିବାକୁ । ମନରେ ସେଇ ଗପ ଶିହରଣ ଆଣୁଥାଏ ।

 

ନିରୁ କହୁଥାଏ ତା ଜୀବନରେ ଦେଖା ଦେଇଛନ୍ତି ସ୍ଵନନ୍ଦ ଭାଇ । ତା ନୂଆ ବୋହୁଙ୍କର ଭାଇ କେଡ଼େ ଭଲ ପିଲା । ବି.ଏ. ପର୍ଯ୍ୟନ୍ତ ପଢ଼ିଛନ୍ତି । ଭାରୀ ଲାଜକୁଳାଟିଏ । ତାକୁ ଭାରୀ ସ୍ନେହ କରୁଛନ୍ତି, ସେଦିନ କିପରି ସୁନ ଭାଇ ତାଙ୍କ ଘରକୁ ଆସିଥିଲେ । ତାଙ୍କୁ ସେ କି ଅପଦସ୍ଥ କଲା ସେଇ କଥା ନିରୁ ଗପୁଥାଏ ।

 

ସେଦିନ ଶୀତ ଋତୁ ହେତୁ ସୁନଭାଇଙ୍କର ନିଦଟିକେ ଭାଙ୍ଗିବାରେ ଡେରି ହୋଇଥାଏ । ସେ ଶୋଇଥାନ୍ତି । ମୁଣ୍ଡ ପାଖରେ ଜମା ହୋଇ ଲଣ୍ଠନଟି ଦିକ୍ ଦିକ୍ ହୋଇ ଜଳୁଥାଏ । ତକିଆ ପାଖରେ ପଡ଼ିଥାଏ ଖଣ୍ଡିଏ ବହି ।

 

ବନ୍ଦ ଝରକାର ଫାଙ୍କ ଦେଇ ସକାଳ ସୂର୍ଯ୍ୟକିରଣରୁ ଚେନାଏ ତାଙ୍କ ମୁହଁରେ ପଡ଼ିଥାଏ-। ଖୁବ୍ ନିଦ ହୋଇଥାଏ । ମୁଁ ଏହା ଭିତରେ ଆସି ସେ ଘରେ ଗୋଟାଏ ଦୁଷ୍ଟାମି କରି ବସିଛି-। ତା ସେ ଜାଣିପାରି ନଥାନ୍ତି । କିଛି ସମୟ ପରେ ସେ କଡ଼ ଲେଉଟାଇଲେ । ନିଦ ଭାଙ୍ଗିଗଲା । ଅଳସ ଭାଙ୍ଗିଲେ । ମୁହଁ ପାଖକୁ ହାତ ନେଇ ଆଖି ମଳିବାକୁ ଲାଗିଲେ ! ମୁହଁରେ ହାତ ବାଜିବା ପରେ ସେ ଚମକି ଉଠିଲେ । ହାତକୁ ଆଣି ଦେଖନ୍ତି ତ ହାତଯାକ ସ୍ୟାହି ବଲବଲ ହୋଇ ଲାଗିଛି-। ଦେଖିଲେ ମୁଁ ସେ ଘରୁ ବାହାରି ଯାଉଛି । ତାଙ୍କୁ ଆଉ ଅବୁଝା କିଛି ରହିଲାନି—ତାଙ୍କରି ଶୋଇବା ଅବସ୍ଥାରେ ମୁଁ ତାଙ୍କରି ମୁହଁରେ ଦାଢ଼ି ନିଶ କରିଛି ।

 

ଶେଯରୁ ଉଠି ଦଉଡ଼ି ଆସିଲେ, ଦ୍ୱାରବନ୍ଧ ନିକଟରେ ମୋ ବେଣୀଟା ତାଙ୍କ ହାତ ମୁଠାରେ ରହିଗଲା । ଭିଡ଼ିନେଲେ ମୋତେ ଘର ଭିତରକୁ ।

 

—ଉଃ ! ମରିଯିବି—ଛାଡ଼—ଛାଡ଼ । ଏଇ ବିନୟ କାକୁତି ମିଶା ବାଣୀ ମୋ କଣ୍ଠରୁ ଭାସି ଆସୁଥାଏ ।

 

—ସୁନଭାଇ କହିଲେ ମୁଁ କିନ୍ତୁ ଛାଡ଼ିବି ନାହିଁ । ତୁମେ ଜାଣ ଦାନର ପ୍ରତିଦାନ ଅଛି ଆଉ କ୍ରିୟାର ପ୍ରତିକ୍ରିୟା ଅଛି ।

 

ଆଶଙ୍କାରେ ଶିହିରି ଉଠି କହିଲି, କ’ଣ ମୋ ମୁହଁ ଚିତ୍ର କରିବ ?

 

—ଏଡ଼େ ସୁନ୍ଦର ମହଁକୁ ମୁଁ ଚିତ୍ର କରି ଅସୁନ୍ଦର କରି ପାରିବି ନାହିଁ କହି ସୁନ ଭାଇ ମୋ ବେଣୀଟା ଛାଡ଼ିଦେଲେ ।

 

ତାଙ୍କ ହାତରୁ ମୁକ୍ତି ପାଇ କହି ଉଠିଲି, ଛିଃ ବଡ଼ ଦୁଷ୍ଟ ତୁମେ ?

 

—ତୁମଠାରୁ ବୋଧହୁଏ ବେଶୀ ଦୁଷ୍ଟ ନୁହେଁ । କାରଣ ଛପି ଛପି ଆସି ଦୁଷ୍ଟାମି କରିବାକୁ ମୋତେ ଭଲ ଲାଗେନି ।

 

ନିଜର ଲୁଗାପଟା ସଜାଡ଼ି ନେବାକୁ ଭୁଲି ଯାଉଥିଲି । ମୁଁ ସୁନ ଭାଇଙ୍କ ମୁହଁକୁ ଚାହିଁଥିଲି-

 

ସୁନ ଭାଇ ହସୁଥାନ୍ତି—ଚମତ୍କାର ଦିଶୁଥାଏ । ଗୋରା ତକ୍ ତକ୍ ଦେହ । ବଳିଲା ବଳିଲା ହାତଗୋଡ଼, ଓସାରିଆ ଛାତି, ମାଂସଳ ଶରୀର ମୁଁ ଚାହିଁଥିଲି ।

 

ସୁନ ଭାଇ ଚାହିଁ ରହିଥିଲେ ।

 

ଦୁହିଁଙ୍କ ପାଟିରେ କଥା ନଥିଲା ।

 

ଲାଜରେ ମୁହଁ ମୋର ଲାଲ ହୋଇ ଉଠିଲା । ବସନ ସମ୍ଭାଳି ନେଇ କହିଲି, କ’ଣ ଏତେ ଦେଖୁଛ ?

 

ତୁମକୁ—ସୁନ ଭାଇ କହି ଉଠିଲେ ।

 

ଏକ ମନମତାଣିଆ ଉପନ୍ୟାସର ଗୋଟିଏ ପରିଚ୍ଛଦ ପଢ଼ିଲା ପରି ଆନନ୍ଦରେ ସେସବୁ ଶୁଣି ଯାଉଥିଲେ । ନିରୁ ନୂଆ ଅନୁଭୂତି କଥା କହୁଛି । ମନ ତାର କହୁଛି, ଆଉ ଏକାକୀ ହୋଇ ରହିବା ନାହିଁ । ସାଥୀଧରି ବୁଲିବ—କଳ୍ପନାର ତାଜମହଲ ତୋଳିବ । ଏ ଗାଁର ମମତା, ବାପା ଭାଇଙ୍କର ସ୍ନେହ ସୋହାଗ ସବୁ ସୁନନ୍ଦ ଭାଇଙ୍କର ସ୍ନେହ ଆଦର ଆଗରେ କିଛି ନୁହେଁ । ବଡ଼ ଆଶ୍ଚର୍ଯ୍ୟ ତାଙ୍କୁ ଲାଗୁଥାଏ । ନିରୁର ଏ ପ୍ରକାର କାର୍ଯ୍ୟରେ କ’ଣ ବା ମନ୍ତବ୍ୟ ଦେବେ ? ନିଜର ତ ଅନୁଭୂତି ନାହିଁ । ତେଣୁ ଏହାର ପରିଣାମ ଭଲ ହୁଏ କି ମନ୍ଦ ହୁଏ ତା ସେ କିପରି ବା ଆଗରୁ ଇଙ୍ଗିତ ଦେବେ ।

 

ଦୁଇଟି କଲ୍ଲ କଲ୍ଲୋଳିନୀ ତଟିନୀ ପରି ହସି ହସି ଦୁଇବନ୍ଧୁ ଘରକୁ ଫେରିଥିଲେ ।

 

ମନରେ ତାଙ୍କର ଡେଣା ଲାଗିଥିଲା । ସେ ବି ଭାବୁଥିଲେ ନିରୁର କାମନା ଯଦି ପୂର୍ଣ୍ଣ ହୁଏ; ତାର ଭଲ ପାଇବାର ପ୍ରକୃତ ମୂଲ୍ୟ ଯଦି ସେ ପାଏ, ତେବେ କେଡ଼େ ମଧୁମୟ ଜୀବନ ତାର ନହେବ !

 

ଏ ଛୁଟିରେ ସେ ନିରୁ ମୁହଁରେ ହସର ଫୁଆରା ଦେଖିଥିଲେ । ସେ କେବଳ ଉନ୍ମାଦିନୀ ଭଳି ସୁନ ଭାଇଙ୍କ କଥା ଗପୁଥିଲା । କିନ୍ତୁ ପର ଛୁଟିରେ ପୁଣି ଦୁଇ ସାଙ୍ଗଙ୍କ ଭିତରେ ସାକ୍ଷାତ୍ ହେଲା । ଆଖିରେ ଲୁହ ଧରି ଥର ଥର ଗଳାରେ ନିରୁ ପୁଣି କହି ବସିଲା—କିପରି ତାର ଭଲ ପାଇବା ଗୋଟିଏ ତାସର କୋଠା ଭଳି ଟିକକେ ଭୁଷୁଡ଼ି ପଡ଼ିଛି । ମା ତାର ରାଜିଥିଲେ । ଏ ପ୍ରସ୍ତାବ ଆସିବା ବେଳେ ସର୍ବାନ୍ତଃକରଣରେ ଚେଷ୍ଟା କରିଥିଲେ ଏହାକୁ ସଫଳ କରିବାକୁ । କିନ୍ତୁ ବାପାଙ୍କର ଏକା ଜିଦ୍ ଖାଲି ପାଠ ପଢ଼ିଥିଲେ କ’ଣ ହେବ ସୁନ ଭାଇଙ୍କର ଚଳନ୍ତି ସଂପତ୍ତି ନାହିଁ । ସଂପତ୍ତି, ଶିକ୍ଷା, ଆଭିଜାତ୍ୟ ଏଇ ତିନୋଟି ମିଳିଲେ ସେ ଝିଅ ଦେବେ । ଝିଅ ତାଙ୍କର ଶାନ୍ତିରେ ରହିବ । ଶେଷରେ ସେ ସେୟା କରିଛନ୍ତି । କିନ୍ତୁ ଝିଅ ଦୁଃଖରୁ କାଣିଚାଏ ସୁଦ୍ଧା ବୁଝିପାରିଲେ ନାହିଁ ।

 

ଅପରିପକ୍ଵା ଅନଭିଜ୍ଞା ହିସାବରେ ଯେତିକି ସମବେଦନା ଢାଳିବାର କଥା ସେ ସେତେବେଳେ ସେତିକି କରିଥିଲେ ।

 

ମାଟ୍ରିକୁଲେସନର ଶେଷ ପରୀକ୍ଷା ଯୋଗୁଁ ବହୁତ ଦିନ ପରେ ସେ ଗାଁକୁ ଆସି ପାରିନଥିଲେ । କଟକରେ ଥାଇ ଖବର ପାଇଲେ ଯେ ନିରୁର ବାହାଘର ଗୋଟିଏ ଆଭିଜାତ୍ୟ, ସଂପନ୍ନ, ଶିକ୍ଷିତ, ଧନୀ ଯୁବକ ସହିତ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶାଶୁ ଘରକୁ ଯିବା ସମୟରେ ନିରୁ ତାଙ୍କୁ ଭାରୀ ଆକୁଳ ଭାବରେ ଖୋଜୁଥିଲା । ଦୁଇ ହାତକୁ ଯୋଡ଼ି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳୁ ଢାଳୁ ସେ ପ୍ରାର୍ଥନା କରିଥିଲେ ନିରୁର ଏ ବାହାଘର ସୁଖମୟ ହେଉ । ଦେବତା ତାଙ୍କର ଯାତ୍ରା ପଥରେ ପୁଷ୍ପ ଚନ୍ଦନ ବୃଷ୍ଟି କରନ୍ତୁ । ସେ ଦୁହେଁ ସୁଖରେ ରୁହନ୍ତୁ ।

 

କିନ୍ତୁ ହାୟ ଏ କ’ଣ ହେଲା ! ମାଟ୍ରିକ୍ ପରୀକ୍ଷା ଦେବାପରେ ଯେଉଁ ଦୀର୍ଘ ଦୁଇମାସ ଛୁଟି ପାଇଥିଲେ, ସେ କ’ଣ କେବଳ ନିରୁର, ବେଦନା କାହାଣୀ ଶୁଣି ଶୁଣି କଟିଯିବା ପାଇଁ ସିନା ସାର ହେଲା । ଏଥର ବେଦନା ବିଧୁରା ନିରୁ କହୁଥିଲା—ପ୍ରାଣର ଭାଷାକୁ ସେ ଥର ଥର କଣ୍ଠ ରେ ରୂପ ଦେଉଥିଲା । ଓଠ ଥରି ଉଠୁଥିଲା, ଆଖିରେ ଲୁହ ପୁରି ଉଠୁଥିଲା । ସେ କହିଲା, ବୁଝିଲୁ ରେଖା ! ଏଥର ବାହାଘରକୁ ବି ସୁନ ଭାଇ ଆସିଥିଲେ । ବର ଓ ବରଯାତ୍ରୀଙ୍କର ପ୍ରଚୁର ଚର୍ଚ୍ଚା କରିଥିଲେ । ମୋ ବାହାଘର କିପରି ଶୃଙ୍ଖଳାରେ ହେବ ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଆଖିରେ ଲୁହଧରି ମୁଁ ତାଙ୍କରିଠାରୁ ବିଦାୟ ନେଇ ଯାହାଙ୍କ ହାତ ଧରି ଗୋଟାଏ ସୁନାର ସଂସାର ଗଢ଼ିବାର କଳ୍ପନା କରି ଚାଲିଲି, ସେ ଆଶା ମୋର ବ୍ୟର୍ଥତାରେ ପରିଣତ ହେଲା । ପ୍ରଚୁର ସଂପତ୍ତି, ଆଉ ସୁନ୍ଦର କୋଠା ଭିତରେ ମୁଁ ଗୋଟିଏ ପ୍ରାଣ ଖୋଜି ପାରିଲି ନାହିଁ । ଆମର ଦାରିଦ୍ର୍ୟ, ଆମର ସଙ୍ଗତି ପାଇଁ ମୁଁ ସେମାନଙ୍କ ଆଖିରେ ହେୟ ହୋଇ ଉଠିଲି । ସ୍ନେହ, ଆଦର ଶ୍ରଦ୍ଧା କ’ଣ ମୁଁ ଜାଣିପାରିଲି ନାହିଁ । ଘୃଣା, ଲାଞ୍ଛନା ଆଉ ଗଞ୍ଜଣାରେ ଅତିଷ୍ଠ ହୋଇ ଯେପରି ଦିନେ ଆଖିରେ ଲୁହ ଧରି ଏ ଘରୁ ପାଦ କାଢ଼ିଥିଲି ଠିକ୍ ସେଇପରି ଆଖିରେ ଲୁହ ଧରି ପୁଣି ଘରକୁ ଫେରିଆସିଲି । ବୁଝିଲୁ ରେଖା ତୁ ପାଠ ପଢ଼ି ଠିକ୍ କରିଛୁ । ତୋର ପିତାମାତା ତୋର ମିତ୍ର, ତୋର ମଙ୍ଗଳାକାଂକ୍ଷୀ-। ଯଦି ତୋରିପରି ମୁଁ ପାଠ ପଢ଼ିଥାନ୍ତି ତେବେ ଏଇ ଦୁର୍ଦ୍ଦିନରେ ପୁରୁଷ ଉପରେ ନିର୍ଭର କରି ଚଳିବାର ହତାଶାରେ କୁହୁଳି ହୋଇ ଉଠୁ ନଥାନ୍ତି । ପୁଣି ବାପା କହୁଛନ୍ତି ପାଠ ପଢ଼ିବା ପାଇଁ-। ଆଉ ଉଷୁନା ଧାନ ଗଜା ହେବନା ? ଏଇ ଡହଳ ବିକଳ ପ୍ରାଣରେ ଅଙ୍କ, ସାହିତ୍ୟ ମନେ ରହିବ-

 

ସେତେବେଳେ ସେ ଭାବୁଥିଲେ ନିରୁ ପାଠ ନପଢ଼ି କି ଭୁଲ୍ କରିଛି ?

 

ନିରୁର ଦିନ କେତେଟାରେ ଛୋଟିଆ କରୁଣ କାହାଣୀ ବହୁତ କିଛି ପ୍ରଭାବ ତାଙ୍କ ମନରେ ପକାଇ ଥିଲା । ସେହିଦିନୁ ବିବାହ ପ୍ରତି ତାଙ୍କର ଘୃଣା ଆସିଲା । ବିବାହିତା ହୋଇ ପୁରୁଷର ବନ୍ଧନ ତଳେ ରହିବାକୁ ତାଙ୍କର ମନ ଆଦୌ ମାନିଲା ନାହିଁ । ସ୍ୱାବଲମ୍ବୀ ହେବାକୁ ପ୍ରବଳ ଆଗ୍ରହ ବଢ଼ିଲା । ସେ ପାଠପଢ଼ିବେ—ତାପରେ......

 

ବୋଉର ପ୍ରସ୍ତାବକୁ ସଂପୂର୍ଣ୍ଣ ଆଗ୍ରାହ୍ୟ କରି ବାପାଙ୍କର ସମର୍ଥକ ହୋଇ ଉଠିଲେ । ବିବାହ ବିରୁଦ୍ଧରେ ତାଙ୍କର ସ୍ଲୋଗାନ ସେଇ ଦିନୁ ଆରମ୍ଭ ହେଲା ।

 

କାନ୍ଥରେ ଝୁଲୁଛି ଆତ୍ମୋତ୍ସର୍ଗ ଛବିଟି......

 

ଖୁବ୍ ମୋଟା ଫ୍ରେମ ଦେଇ ସେ ସେହି ତୈଳ ଚିତ୍ରଟି ବନ୍ଧାଇ ଆଣିଛନ୍ତି । ବୈଠକ ଘରେ ଛବିଟି ମାରି ଦେଇଛନ୍ତି । ଅନେକ ଦିନର ଏଇ ତୈଳ ଚିତ୍ରଟି, କିନ୍ତୁ କାହିଁ କେଉଁଠି କିଛି ଖୁଣ ସେ କେବେ ଦେଖି ପାରୁ ନାହାଁନ୍ତି । ଚାରିଟା ବେଳେ ନିଦରୁ ଉଠି ସେଇ ଫଟୋଟାକୁ ନିରୀକ୍ଷଣ କରୁଥିଲେ, ଡକ୍ଟରମିସ୍ ରେଖା—ପଟ୍ଟନାୟକ ।

 

ଶିଳ୍ପୀର ନିପୁଣ ହସ୍ତର ଶିଳ୍ପୀ ବୈଶିଷ୍ଟ୍ୟ ଫୁଟି ଉଠିଛି । ଜୀବନର ଅନୁଭୂତି କିମ୍ବା ପ୍ରାଣର ଉଚ୍ଛୁଳାରସକୁ ଚିପୁଡ଼ି ଶିଳ୍ପୀ ଏଇ ଶିଳ୍ପଟି ଆକିଂଛନ୍ତି । ଗୋଟିଏ ତରୁ ଛାଇ ଘେରା ସ୍ନିଗ୍ଧ ଶ୍ୟାମଳ ତରୁତଳେ ପ୍ରଣୟୀଟି ବସିଛି । ବୃକ୍ଷର ଡାଳରେ ଦୁଇଟି କପୋତ କୋପତୀ ଦୂର ଦିଗ୍‍ବଳୟକୁ ଚାହିଁ ବସିଛନ୍ତି । ଉପରେ ସଫେଦ୍ ଆକାଶରୁ ଚନ୍ଦ୍ର ଜ୍ୟେସ୍ନାଧାରା ଢାଳି ଚାଲିଛି । ପାଖ ନଈ ପାଣିରେ ଆକାଶର, ଚନ୍ଦ୍ରର ଛବି ପ୍ରତିଫଳିତ ହୋଇଛି । କାଶତଣ୍ଡୀ ଫୁଲ ନଈର ଧାରେ ଧାରେ ହସି ଉଠୁଛି-। ରଜତ ଜ୍ୟୋସ୍ନାରେ ନଈର ପାଣି ନାଚି ଉଠୁଛି । ପୃଥିବୀକୁ ବସନ୍ତ ଓହ୍ଲାଇ ଆସିଛି । ପ୍ରଣୟୀର ପ୍ରଶସ୍ତ ଛାତିରେ ପ୍ରଣୟିମାଟି ତଳି ପଡ଼ିଛି । ନିବିଡ଼ ଆଶ୍ଳେଷରେ ପ୍ରଣୟୀଟି ପ୍ରଣୟିନୀକୁ ବାଂଧି ରଖିଛି । ଶିଥିଳ ହୋଇଛି କବରୀ—ଅର୍ଦ୍ଧନିମୀଳିତ ଆୟତ ଚକ୍ଷୁରେ ଅୟୁତ ଯୁଗର କାମନା ସତେ କି ପୂର୍ଣ୍ଣତା ପାଇଛି ! ମୁହଁରେ ଶାନ୍ତିର ପ୍ରତିଛବି । କ୍ଳାନ୍ତ ଅବୟବ ଲତିକା ଆଶ୍ରା ନେଇଛି ପ୍ରଣୟୀ ଦେହରେ । ଚମ୍ପା ଫୁଲ ପରି ଆଙ୍ଗୁଳିରେ ବଉଳ କୋଳି ମଞ୍ଜି ପରି ନଖର ରକ୍ତିମ କୋକନନ୍ଦ ହସ୍ତଟି ପ୍ରଣୟୀ ଛାତିରେ ରହି ଯାଇଛି—ପ୍ରଣୟିନୀର ଗଭାରେ ଥିବା ବନକେତକୀର ପାଖୁଡ଼ା ନିକଟରେ ପ୍ରଣୟୀର ତୃଷିତ ଅଧର ଢଳି ପଡ଼ିଛି ।

 

ବାଃ—ବଡ଼ ଚମତ୍କାର ହୋଇଛି । ଭାବରେ ବିହୁଳ ହୋଇ ଉଠିଲେ ମିସ୍ ପଟ୍ଟନାୟକ–ମନେ ମନେ କହି ଉଠିଲେ ଧନ୍ୟ ଶିଳ୍ପୀ । ଜଗତକୁ ତୁମର ଏ ଅମର ଦାନ—ପ୍ରକୃତି ପୁରୁଷର ଲୀଳା । ହୁଏତ କେଉଁ ଜଙ୍ଗଲରେ ଆଦି ମାନବ ଆଦାମର ଆଦି ମାନବୀ ଇଭ ସହିତ ଏଇ ସଂପର୍କ ହୋଇଥିବ । ତାପରେ ସୃଷ୍ଟି, ତାପରେ ଏଇ ପ୍ରଜନନ କ୍ରିୟା—ବଂଶବିସ୍ତାର, ଜନବହୁଳତା......

 

ଛବିଟିର ତଳେ ଶିଳ୍ପୀର ନିପୁଣ ହସ୍ତରେ ଲେଖା ‘‘ଯାହା ପାଇଁ ଏ ଶିଳ୍ପ, ସେ ଯଦି ମହତ୍ଵ ବୁଝେ ତେବେ କଳା ସାର୍ଥକ ହେବ—ତୁମର ଜଣେ ପରିଚିତ ଶିଳ୍ପୀ ।” ମନ ଭିତରେ ଉଙ୍କି ମାରିଲା ହଜିଲା ଅତୀତ ।

 

ମନ ଭିତରେ ଯେଉଁ ଅସ୍ପଷ୍ଟ ସଙ୍ଗୀତ ବାଜି ଉଠେ ସଂସାରର ନ ଜାଣିବା ଲୋକ ଭୁଲ୍ ବୁଝି କହନ୍ତି ପ୍ରେମ—କିନ୍ତୁ ମନର ସଙ୍ଗୀତ ସଙ୍ଗେ କଳ୍ପନାର ମଣିଷ ଏକାଠି ନହେଲେ ସେ ପ୍ରେମ ଓ ସେ ଭଲ ପାଇବାର କୌଣସି ମୂଲ୍ୟ ନ ଥାଏ ।

 

ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ ସେଇ ଶିଳ୍ପୀଟିର କଥା ଯେ କି ତାଙ୍କୁ ଏଇ ଛବିଟି ଉପହାର ଦେଇଥିଲେ ।

ଶିଳ୍ପୀଙ୍କ ସହିତ ଆଳାପ—ପରିଚୟ—ସେ ଏକ ଇତିହାସର ଦୀର୍ଘ ପରିଚ୍ଛେଦ । ମେଡ଼ିକାଲ କଲେଜରେ ନାମ ଲେଖାଇବା ପରେ ତାଙ୍କର ଥାର୍ଡ଼ ଇୟର ହୋଇଥାଏ । କଲେଜର ଅନେକ ସଙ୍ଗୀଙ୍କ ସହିତ ସେ ଓଡ଼ିଶାର କଳାର କ୍ଷେତ୍ର କୋଣାର୍କକୁ ପରିଭ୍ରମଣରେ ଯାଇଥାନ୍ତି । କୋଣାର୍କ ମନ୍ଦିର ନିକଟରେ ଥିବା ଡାକବଙ୍ଗଳାରେ ସମସ୍ତେ ରହୁଥିଲେ । ଛାତ୍ରୀଙ୍କ ଭିତରେ ତାଙ୍କରି ସାଥୀ ମୀରା, ସରୋଜନଳିନୀ, ଅନୁପମା ଓ ସେ ଥିଲେ—ବାକୀ ସମସ୍ତେ ଥିଲେ ଛାତ୍ର । ରୋଷେଇ, ଖାଇବା, ପିଇବା ଏକତ୍ର ହେଉଥିଲା ବେଳେ ଗୋଟିଏ ରୁମରେ ଅନ୍ୟତ୍ର ଚାରିଜଣ ସଙ୍ଗୀ ରହୁଥିଲେ ।

ପ୍ରତ୍ୟୁଷରୁ ଚନ୍ଦ୍ର ଭାଗା ନିକଟରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ସମସ୍ତେ ବାହାରି ପଡ଼ିଥାନ୍ତି । କୋଣାର୍କଠାରେ ବାଲିରେ ଗଦାଏ ବାଟ ଗଲା ପରେ ଚନ୍ଦ୍ରଭାଗା । କାନ୍ଧରେ ଗୋଟିଏ କରି ଏୟାର ବ୍ୟାଗ ଝୁଲାଇ ଚାରି ବଂଧୁ ଚାଲିଥାନ୍ତି । ଆଳାପ, ଆଲୋଚନା କେତେ ପ୍ରକାର ହେଉଥାଏ । ସଙ୍ଗୀ ଭିତରେ ଅନୁପମାଟା ସାମାନ୍ୟ ମୋଟୀ ଥିଲା । ଦେହ ଭାର ବୋହି ସେ ଯାଇପାରୁ ନ ଥିଲା । ତାରି ଲାଗି ସମସ୍ତଙ୍କର ଗତି ଟିକେ ମନ୍ଥର ଥିଲା । ସରୋଜ ନଳିନୀ କହିଲା, ଯାଃ—ଅନୁପାଇଁ ଆଜି ଆଉ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖି ହେବ ନାହିଁ ।

ଅଭିମାନରେ ମୁହଁକୁ ଓହଳାଇ ଦେଇ ଅନୁ କହିଲା, ମୋ ପାଇଁ ତୁମେମାନେ କାହିଁକି ତୁମର ସଉକ ହରାଇବ ? ତୁମେମାନେ ଆଗରେ ଚାଲ, ମୁଁ ଗଲେତ ଦେଖିବି । ଶୀଘ୍ର ନଯାଇ ପାରିଲେ ପୁଣି ତୁମ ସାଙ୍ଗରେ ଫେରି ଆସିବି ।

 

ମିରା କହିଲା, ନଳିନୀଟା କଥା କହି ଜାଣେନି । ମୋଟି ହେବାଟା କ’ଣ ତାର ଦୋଷ ? କାହିଁକି ତୁ ତ ହଷ୍ଟେଲରେ କେତେ ପ୍ରକାର ପ୍ରୋଟିନ ଫୁଡ୍ ଖାଉଛୁ କିନ୍ତୁ କାହିଁ ତୋ ଶରୀର ? ଏମିତି ହିଂସା କଲେ କ’ ଣ କେହି କେବେ ମୋଟି ହୋଇ ପାରିବ ? ଭଗବାନ ତାକୁ ମୋଟି କରିଛନ୍ତି, ସେଇଟା ଆମେ ଦେଖିବା —ଭାବିଲେ ମନରେ ଘୃଣା ଖାଇବା । ଆମ ଭିତରେ ଏବେ ରେଖା ଭାରୀ ସୁନ୍ଦରୀୟା ବୋଲି ଆମେ ଯଦି ତା ସାଙ୍ଗରେ ବାଦ କରିବା ତେବେ କ’ଣ......

 

ହଠାତ୍ ମୀରା ପାଟିରୁ କଥାଟା ଛଡ଼ାଇ ନେଇ ରେଖାଦେବୀ କହି ଉଠିଲେ—ବାଃ ମୁଁ କ’ଣ ସୁନ୍ଦରୀ ?

 

ହସି ହସି ସରୋଜ କହିଲା, ଆମେ ସିନା ଯୁବକ ହୋଇଥିଲେ ଆମ ପ୍ରଶଂସାର ମୂଲ୍ୟ ଥାନ୍ତା । ଯାହାହେଉ ତୁ ଚିନ୍ତା କରନା । ଆମ ଭିତରେ ତୋତେ ନେଇ କିଏ ପ୍ରେମ କରୁଛି ?

 

ଚମକିଲା ପରି ସେ ଭାବିଲେ—ପ୍ରେମ ! ସେ କି ଜିନିଷ । ଉପନ୍ୟାସରେ ପଢ଼ିଛନ୍ତି ପ୍ରେମ କଥା କିନ୍ତୁ ମନ ଡହଳ ବିକଳ ହେଲା, ପ୍ରେମ କ’ଣ ?

 

ସରୋଜ କଥାରେ ସମସ୍ତେ ହସି ଉଠିଲେ । ସେ ନିଜେ ବି ସେଥିରେ ଯୋଗ ଦେଇଥିଲେ ।

 

ଚାଲୁ ଚାଲୁ ଆସି ସେମାନେ ଚନ୍ଦ୍ରଭାଗା ନିକଟରେ ପହଞ୍ଚି ଯାଇଛନ୍ତି—ସୂର୍ଯ୍ୟୋଦୟ ହେବାକୁ ତଥାପି ଡେରିଥାଏ—ହାଲିଆ ହୋଇ ବାଲି ଉପରେ ଚାରିଜଣ ବଂଧୁ ବସି ପଡ଼ିଲେ ।

 

ସରୋଜ ୱାଟର ବ୍ୟାଗରୁ ପାଣି କାଢ଼ି ସମସ୍ତଙ୍କୁ ବଢ଼ାଇ ଦେଲା । ସମସ୍ତେ ନିଜ ନିଜର ଟୁଥ ପେଷ୍ଟ ଓ ବ୍ରସ୍ ଧରି ଦାନ୍ତ ଘଷିବାରେ ଲାଗିଲେ । ଦାନ୍ତ ଘଷା ପର୍ବ ସରିଗଲା । ତାପରେ ସମସ୍ତେ ଚନ୍ଦ୍ରଭାଗାର କୂଳେ କୂଳେ ବୁଲିବାକୁ ଲାଗିଲେ । ଅଳ୍ପ ଦୂରରେ ଜଣ ଜଣ ହୋଇ ଛାତ୍ର ବୁଲୁଥାନ୍ତି ।

 

ସେ ଓ ସରୋଜ ପ୍ରସ୍ତାବ କଲେ ଯେ ନିଃସଙ୍ଗ ଭାବରେ ଏ ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ପ୍ରତ୍ୟେକ ଉପଲବ୍ଧି କରି ପ୍ରତ୍ୟେକଙ୍କର ଅନୁଭୂତି ବର୍ଣ୍ଣନା କରିବେ ।

 

ସେଇ ବାଲିରେ ଏୟାର ବ୍ୟାଗ ଓ ୱାଟର ବ୍ୟାଗ ସବୁ ରଖି ଦେଇ ସମସ୍ତେ ଉପକୂଳରେ ଭ୍ରମଣ କରିବାକୁ ଲାଗିଲେ ।

 

ଭ୍ରମୁ ଭ୍ରମୁ ରେଖାଦେବୀ ହୁଏତ ଭ୍ରମରେ ଅନେକ ବାଟ ଆସିଲେଣି । ସୈକତ ପ୍ରାନ୍ତରରେ ବୁଲି ବୁଲି ସେ କ୍ଳାନ୍ତ ହୋଇ ପଡ଼ିଥିଲେ । ଟିକେ ବିଶ୍ରାମ ପାଇଁ ପାଦ ଦୁଇଟା ତାଙ୍କର ଅଧୀର ହୋଇ ଉଠୁଥିଲା । କ୍ଳାନ୍ତ ହୋଇ ସେ ସେହି ବାଲୁକା ଶଯ୍ୟାରେ ବସିପଡ଼ିଲେ । ଦୂର ଦିଗ୍‍ବଳୟକୁ ଚାହିଁ ରହିଲେ । ପୂର୍ବାକାଶ ରକ୍ତାରୁଣ ରାଗରେ ରଞ୍ଜିତ ହେଲାଣି—ସମୁଦ୍ରର ଢେଉ ସବୁ ଚଳ ଚଞ୍ଚଳ ହୋଇ ଉଠିଲେଣି ! ସତେ କି ସୂର୍ଯ୍ୟ ଦେବଙ୍କର ବନ୍ଦାପନା ପାଇଁ ସେମାନେ ଉନ୍ମନା ହୋଇ ଉଠିଲେଣି । କଅଁଳିଆ ଗେଲବସର ପୁଅ ଭଳି ସୂର୍ଯ୍ୟଦେବ ଫକ୍ କରି ପାଣି ଉପରକୁ ହଠାତ୍ ଡେଇଁ ପଡ଼ିଲେ । ପାଣି ଉପରେ ଗୋଟିଏ ରକ୍ତବର୍ଣ୍ଣ ପେଣ୍ଡୁ ଭାସିଲା ପରି ଜଣାଗଲା—ମୁଗ୍‍ଧା ହୋଇ ସେ ସୌନ୍ଦର୍ଯ୍ୟ ସେ ଉପଲବ୍ଧି କରୁଥିଲେ ।

 

ସୂର୍ଯ୍ୟଙ୍କ ତେଜ ଟିକେ ତୀବ୍ର ହେବାରୁ ଧ୍ୟାନ ଭାଙ୍ଗିଗଲା ମିସ୍ ରେଖା ପଟ୍ଟନାୟକଙ୍କର–ସେ ମୁହଁ ଫେରାଇ ଯିବାକୁ ଉଦ୍ୟତ ହେଲେ ।

 

ଏହି ସମୟରେ ସାନୁନୟ କଣ୍ଠରେ ଜଣଙ୍କ ମୁହଁରୁ ଭାସି ଉଠିଲା,ଦୟାକରି ଆଉ ପାଞ୍ଚ ମିନିଟ୍ ବସନ୍ତୁ ।

 

ଚଞ୍ଚଳା ମୃଗୁଣୀ ପରି ଫେରି ଚାହିଁଲେ ମିସ୍ ରେଖା ପଟ୍ଟନାୟକ ବିସ୍ମିତ ହୋଇ ଉଠିଲେ–ଜଣେ ଅପରିଚିତ ତରୁଣ ତାଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରୁଛି । ଏକାକୀ ସେହି ନିର୍ଜନ ସୈକତ ପ୍ରାନ୍ତରରେ ସେ ପ୍ରମାଦ ଗଣିଲେ ।

 

ହାତରେ ପେନ୍‍ସିଲ୍ ଓ ଅସଂପୂର୍ଣ୍ଣ ଗୋଟିଏ ଛବିଧରି ଯୁବକ ଜଣକ ତାଙ୍କ ନିକଟକୁ ଆଗେଇ ଆସି ସୁପ୍ରଭାତ ଜଣାଇ ନମସ୍କାର କଲେ ।

 

ପ୍ରତି ନମସ୍କାର ପାଇଁ ତାଙ୍କର ହାତ ଦୁଇଟା ଆପଣା ଛାଏଁ ଉଠି ଯାଇଥିଲା ।

 

ନିଜର ପରିଚୟ ଦେବାକୁ ଯାଇ ଯୁବକ ଜଣକ କହିଲେ ଯେ ସେ ବମ୍ବେର ଜେ.ଜେ ଆର୍ଟ ସ୍କୁଲର ଛାତ୍ର—ତାଙ୍କର ଘର ଏଇ ଓଡ଼ିଶାରେ; ଛୁଟିରେ ଗାଁକୁ ଆସିଥିଲେ । ମନରେ ତାଙ୍କର କୋଣାର୍କର ଚାରୁକଳାର ମମତା ଜାଗି ଉଠିଲା । ସେ ବି ତାଙ୍କ ପରି ଚନ୍ଦ୍ରଭାଗା ତୀରରେ ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ଦର୍ଶନ ପ୍ରୟାସୀ ହୋଇ ଆସିଥିଲେ । ଭଗବାନଙ୍କ ସୁନ୍ଦର ସୃଷ୍ଟିରେ ଶିଳ୍ପୀ ହିଁ କେବଳ ସୌନ୍ଦର୍ଯ୍ୟର ସଂଧାନ ନିଏ । ତା ଆଖିରେ ନଗ୍ନ, ବିଭତ୍ସତା କିଛି ନଥାଏ । ଯାହାକୁ ଆପଣ ନଗ୍ନ କୁହନ୍ତି, କୁତ୍ସିତ କହନ୍ତି ସଭ୍ୟତାର ରୁଚି ବିରୁଦ୍ଧ ବୋଲି ନାକ ଟେକନ୍ତି ସେହିଠାରେ ଆମେ ଶିଳ୍ପୀକୁଳ କେବଳ ରସ ଗ୍ରହଣ କରୁ । ସୌନ୍ଦର୍ଯ୍ୟ କିପରି ରୂପାୟିତ ହୋଇଛି ତାହା ଉପଲବଧି କରିବା ସଙ୍ଗେ ସଙ୍ଗେ ସ୍ରଷ୍ଟାଙ୍କର ଶିଳ୍ପ ନୈପୁଣ୍ୟକୁ ତାରିଫ କରୁ । କ୍ଷମା କରିବେ, ଏଇ କେତେ ମୁହୂର୍ତ୍ତ ଭିତରେ ମୁଁ ଆପଣଙ୍କର ଛବି ଆଙ୍କୁଥିଲି—ଆପଣ ହଠାତ୍ ଚାଲିଗଲେ ସେହି ଶିଳ୍ପଟା ମୋର ଅସଂପୂର୍ଣ୍ଣ ହୋଇ ରହିଯିବ । ଆପଣଙ୍କ ପରି ମଡ଼େଲ ହୁଏତ ମୁଁ ପାଇ ନ ପାରେ ।

 

ଲଜ୍ଜାରେ ପଟଳ ଅରୁଣିମାରେ ମିସ୍ ରେଖା ପଟ୍ଟନାୟକଙ୍କର ଗଣ୍ଡ ଲାଲ ହୋଇ ଉଠିଲା–ମନେ ମନେ ଶିଳ୍ପୀ ପ୍ରତି ଶ୍ରଦ୍ଧା ଆସିଲା । ସେ ଭଗବାନଙ୍କ ସୃଷ୍ଟିରେ ରୂପବତୀ ଏଇ ଯେଉଁ ପ୍ରଶଂସା ସେ ଜଣେ ରୂପପାୟୀ ଶିଳ୍ପୀଙ୍କଠାରୁ ଶୁଣୁଛନ୍ତି ସେତେକ କ’ଣ ତା ପକ୍ଷରେ ଯଥେଷ୍ଟ ନୁହେଁ-! ପୁଣି ପରକ୍ଷଣରେ ମନରେ ଚେଇଁ ଉଠିଲା—ଏଇ ଅର୍ବାଚୀନ ବ୍ୟକ୍ତି ହୁଏତ ଶିଳ୍ପୀ ଏଇ ପବିତ୍ର ନାମରେ କଳଙ୍କ ବୋଳିଥାଇ ପାରନ୍ତି । ଶିଳ୍ପୀର ସଂଜ୍ଞା ନେଇ ଗୋଟିଏ ତରୁଣୀର ବିନା ଅନୁମତିରେ ଚିତ୍ର ଆଙ୍କିବା କ’ଣ ଶିଷ୍ଟାଚାରର ପରିଚୟ ଦିଏ ?

 

—ଆପଣ ବୋଧହୁଏ ମୋତେ କ୍ଷମା କରିବେ ଆପଣଙ୍କ ଛବିଟା ଆପଣଙ୍କ ଅନୁମତି ନେଇ ମୋର ଆଙ୍କିବା ଉଚିତ୍ ଥିଲା । କିନ୍ତୁ ମୁଁ ଯେତେବେଳେ ଆପଣଙ୍କୁ ମଡ଼େଲ କରି ଏ ଛବି ଆଙ୍କି ବସିଲି ସେତେବେଳେ ମୁଁ ଶିଳ୍ପୀର ଆଖି ନେଇ ଆଙ୍କିବା ଆରମ୍ଭ କଲି । ଏଇ ଝାଉଁ ଗଛ, ଏଇ ସୂର୍ଯୋଦୟ, ଏଇ ନୀଳ ଆକାଶ ଏମାନଙ୍କଠାରୁ କ’ଣ ମୁଁ ଅନୁମତି ନେଇଛି । ସୋନ୍ଦର୍ଯ୍ୟ ଦେଖିଲେ ଆମେ ଆତ୍ମହରା ହୋଇ ଉଠୁ—ନିନ୍ଦା, ଅପମାନ, ଆଉ ଲଜ୍ଜ୍ୟାକୁ ନମାନି ଆମେ ଆଗେଇ ଯାଉ । ନାରୀ ହେଉଛି ମା’ର ଜାତି—କୋଣାର୍କର ଏଇ ଗାତ୍ରରେ ତାଙ୍କୁ କ’ଣ ନଗ୍ନ ଆଉ ଅଶ୍ଳିଳ ଭାବରେ ଚିତ୍ରଣ କରିବା ଦ୍ଵାରା ଅବମାନନା କରାଯାଇ ନାହିଁ ? କିନ୍ତୁ କହି ପାରିବେ କି ଲକ୍ଷ ଲକ୍ଷ ଦର୍ଶକ ଏପରିକି ଆପଣ ଓ ମୁଁ କାହିଁକି କୋଣାର୍କ ଆସିଛେ ? ନଗ୍ନତା, ଏଇ ବିଭତ୍ସତା କ’ଣ ଆମକୁ ଟାଣି ଆଣିଛି ? ବୋଧହୁଏ ତାହା ନୁହେଁ । ସୃଷ୍ଟିର ଅପରୂପ ସୌନ୍ଦର୍ଯ୍ୟ ଦର୍ଶନ ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ-। କୋଣାର୍କର ନର୍ତ୍ତକୀ ମୂର୍ତ୍ତି ଯେଉଁ ଶିଳା ଲେଖରେ ନାରୀ ବେଶ ପ୍ରସାଧନ କରୁଛି ସେ ମୂର୍ତ୍ତିରେ ସୌନ୍ଦର୍ଯ୍ୟ ଭରି ରହିଛି । ବୋଲି ଆମ ସମସ୍ତଙ୍କର ମତ—କିନ୍ତୁ ଘୃଣ୍ୟମନ ନେଇ ଦେଖିଲେ ସବୁ ଅଶ୍ଳିଳ, ସବୁ ଅରୁଚିକର ଦିଶିବ । ଆମେ ଶିଳ୍ପୀକୁଳ ଯେଉଁଠାରେ ସୌନ୍ଦର୍ଯ୍ୟର କାଣିଚାଏ ଦେଖୁଁ ତାକୁ ନିଜର କରି ତୁଳୀରେ ରୂପଦେବା ପାଇଁ ଚେଷ୍ଟା କରୁ । ଆପଣ ଆଉ ଅଳ୍ପ ସମୟ ବସି ରହିଲେ ମୁଁ ମୋର ଛବିଟାର ସ୍କେଚ ଆଙ୍କି ଦେବି ।

 

କୌଣସି ତରୁଣୀ ଯଦି ନିଜର ରୂପର ପ୍ରଶଂସା ଶୁଣେ ତେବେ ତାର ଅହମିକା ନ ଥିଲେ ବି ନରମ ବୁକୁ ତଳେ ଅହଂ ଜାଗି ଉଠେ । ସରମ ଖୋଲି ସେ ଦି ପଦ କହି ବସେ ।

 

ବହୁ ସମୟ ଧରି ନୀରବ ରହିବା ପରେ ରେଖା ଦେବୀ କହିଲେ, ଆପଣଙ୍କର ମୋରଠାରୁ ଅନୁମତି ନେବାର ଆବଶ୍ୟକ ଥିଲା କି ନାହିଁ ସେ କଥା ମୁଁ ଭାବୁନାହିଁ କିନ୍ତୁ ମୁଁ ଆପଣଙ୍କ ନିକଟରେ ମଡ଼େଲ ହୋଇ ବସି ପାରିବି ନାହିଁ । ଫଟୋ ନେଲାବେଳେ ଷ୍ଟୁଡ଼ିଓର ଟେକିନିସିଆନ୍ ଫଟୋ ନେବା ବ୍ୟକ୍ତିଙ୍କୁ ଇଙ୍ଗିତ ଦେଇ କହିଲା ପରି—ହଁ ଏପରି ବସନ୍ତୁ, ଏଇ ଟିକେ କାନ୍ଧ ପାଖକୁ ଚାହିଁ ଅଳ୍ପ ମୁରୁକି ହସନ୍ତୁ । ବାସ୍ ହୋଇଗଲା । ନାଃ ବେଣୀଟା ଏ ପାଖକୁ ଆଣିଲେ ଭଲ ହେବ । ଏ ପ୍ରକାର ବଚନିକା ଶୁଣିବା ପାଇଁ ମୁଁ ମଡ଼େଲ ହୋଇ ବସିପାରିବି ନାହିଁ । ଆପଣଙ୍କର ଯଦି ଆଙ୍କିବାର ଇଚ୍ଛା ତେବେ କଳ୍ପନାରୁ ଆଙ୍କନ୍ତୁ ।

 

ଆହତ ହେଲେ ବି ଆହତ ନ ହେବାର ଛଳନା କରି ଶିଳ୍ପୀ କହିଲେ ବାସ୍ତବ ମଡ଼େଲ ଥାଉ ଥାଉ କଳ୍ପନାର ମଡ଼େଲ କ’ଣ ଉତ୍ତମ ହୋଇ ପାରିବ ? ଏଇ ବିଶାଳ ଦୁନିଆର ବିପୁଳ ସ୍ୟୈନ୍ଦର୍ଯ୍ୟରୁ ଆମେ ମଡ଼େଲ ନେଉ । ଚନ୍ଦ୍ର ଅଛି । ସେ ଆକାଶରେ ଥାଏ । ରାତ୍ରିରେ ପ୍ରକାଶିତ ହୁଏ ଏଇଟା ବାସ୍ତବ । ଏଇଟା ସତ୍ୟ ତେଣୁ ତାର ରୂପକୁ ମନର ଭାବନାର ରଙ୍ଗରେ ଏଇ ନିର୍ଜୀବ ତୂଳୀରେ ଆମେ ରୂପ ଦେଉ—ସେପରି......

 

—କ୍ଷମା କରିବେ—ବର୍ତ୍ତମାନ ଯୁକ୍ତି କରିବାକୁ ମୋର ସମୟର ଅଭାବ—ମୋର ଅଲକ୍ଷ୍ୟରେ ଆପଣ ମୋତେ ବହୁ ସମୟ ଧରି ଦେଖିଛନ୍ତି ଆଉ ନ ଦେଖିଲେ ବି ଚଳିବ ଧନ୍ୟବାଦ୍–କହି ରେଖାଦେବୀ ଫେରିବାକୁ ଆରମ୍ଭ କଲେ ।

 

ଶିଳ୍ପୀ ଯୁବକଟି ତରୁଣ ପ୍ରାଣ ନେଇ ମିସ୍ ରେଖାଦେବୀଙ୍କର ଗତିପଥକୁ ଚାହିଁ ରହିଲେ । ଅନେକ କିଛି ସେ ଭାବୁଥିଲେ ।

 

 

ବାଟରେ ଆସୁ ଆସୁ ମିସ୍ ରେଖା ମନେ ମନେ ନିଜକୁ ପ୍ରଶଂସା କରି ଭାବୁଥିଲେ । ଯାହା ହେଉ ଶିଳ୍ପୀର ବାହାନା ଦେଖାଇ ଯେଉଁ ଯୁବକଟି ତାଙ୍କର ରୂପର ମାଧୁରୀ ପିଉଥିଲା, ସେଇ ଅଶ୍ଳୀଳ ଯୁବକକୁ ସେ ଉଚିତ୍ ଶିକ୍ଷା ଦେଇଛନ୍ତି ।

 

ବାଟରେ ଅନୁ, ସରୋଜା ଦେଖାହେଲେ । ମୁହଁ ଫୁଲାଇ ସରୋଜା କହିଲା, ବୟ ଷ୍ଟୁଡ଼େଣ୍ଟ (Boy Student) ମାନେ କେତେବେଳୁ ଗଲେଣି । ତୋତେ ଆମେମାନେ ଅପେକ୍ଷା କରି କରି କେତେ କ’ଣ ଭାବୁଥିଲୁ ।

 

ଅନୁ କହିଲା ଏଇ ସାହାରା ମରୁଭୂମିରେ ଓୟେସିସ୍ ପରି ତ ପ୍ରେମିକ ମିଳିବେ ନାହିଁ ତେଣୁ ମୁଁ ଭାବୁଥିଲି ରେଖା ନିଶ୍ଚୟ ପଥ ହୁଡ଼ିଛି ।

 

ହସି ହସି ସେ କହିଥିଲେ ପଥ ହୁଡ଼ୁଥିଲି ଯେ ଭାଗ୍ୟ ଭଲ ପାଇଗଲି ।

 

ସେଦିନ ରାତିରେ ମିସ୍ ରେଖା ପଟ୍ଟନାୟକ ଶୋଇ ପାରିଲେ ନାହିଁ । ଖୋଲା ଝରକା ବାଟେ ଜ୍ୟୋସ୍ନାୟତ ଆକାଶକୁ ଚାହିଁ ରହି ସେ ଶିଳ୍ପୀଙ୍କ କଥା ବହୁତ ଭାବିଥିଲେ । ଯେଉଁ ଶିଳ୍ପୀଙ୍କୁ ସେ ଆଘାତର ବାକ୍ୟ ବାଣ ହାଣି ବିଜୟିନୀର ମନ ନେଇ ଚାଲି ଆସିଲେ ସେଇ ମନତଳେ ପୁଣି ତାଙ୍କର ପରାଜୟ ଗ୍ଳାନି ଦେଖାଦେଲା । ଶିଳ୍ପୀଙ୍କର କଥା—ଭଗବାନଙ୍କର ବିପୁଳ ସୃଷ୍ଟିରେ ଆମେ ସୌନ୍ଦର୍ଯ୍ୟ ଯେଉଁଠି ଦେଖୁ ତାକୁ ଆତ୍ମହରା ହୋଇ ଲୁଟି ନେବାକୁ ବସୁ । ତାକୁ ନିଜସ୍ୱକରି ମନର ରସକୁ ଚିପୁଡ଼ି କଳ୍ପନାର ରଙ୍ଗ ଦେଇ ସବୁଦିନ ପାଇଁ ସାଇତି ରଖୁ । ଭଗବାନଙ୍କ ସୃଷ୍ଟି ବିଲୁପ୍ତ ହେବା ପରେ ଆମରି ସୃଷ୍ଟିରେ ତାହା ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିରହେ ।

 

ମିସ୍ ରେଖା ପଟ୍ଟନାୟକ ମେଡ଼ିକାଲ କଲେଜରେ ଥାର୍ଡ଼ ଇୟରର ଛାତ୍ରୀ ସେତେବେଳେ ଭାବୁଥିଲେ ପ୍ରକୃତରେ ସେ କ’ଣ ସୁନ୍ଦରୀ ??

 

ତାପର ଦିନ ସକାଳୁ.....

 

କୋଣାର୍କ ଦେଉଳର ପ୍ରାଙ୍ଗଣରେ ପୁଣି ରେଖାଦେବୀ ଦେଖିଲେ ସେଇ ଶିଳ୍ପୀଙ୍କୁ—ଗୋଟିଏ ନର୍ତ୍ତକୀ ଶିଳାଲେଖର ନୃତ୍ୟଭଙ୍ଗୀ ସେ ମୁଗ୍‍ଧ ହୋଇ ଦେଖୁଥିଲେ ଏବଂ କାଗଜ ପେନ୍‍ସିଲ ଧରି କ’ଣ ଟିପୁଥିଲେ ।

 

କାଲିର ଦୁର୍ଘଟଣା ପରେ ଯଦିଓ ରେଖାଦେବୀଙ୍କର ଯିବାକୁ ସାହାସ ହେଉ ନଥାଏ କିନ୍ତୁ ଆଗ୍ରହ ଖୁବ୍ ଥାଏ । ମନ୍ଦିର ଚଃତୁପାର୍ଶ୍ୱର ବେଢ଼ା ଉପରେ ସେ ପରିଭ୍ରମଣ କରୁ କରୁ ଭାବୁଥିଲେ ଯଦି ଶିଳ୍ପୀଙ୍କର ଦୃଷ୍ଟି ତାଙ୍କ ଉପରେ ପଡ଼ିବ ତେବେ ସେ ନିଶ୍ଚୟ ତାଙ୍କଠାରୁ କ୍ଷମା ମାଗି ନେବେ ।

 

ଶେଷରେ ତାଙ୍କର ଭାବନା ହିଁ ହେଲା—ଶିଳ୍ପୀ ଦୃଷ୍ଟି ଫେରାଇଲା ପରେ ମନ୍ଦିରର ପ୍ରାଚୀର ଉପରେ ଗତ ଦିନର ସକାଳର ତରୁଣୀଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଉଠିଲେ । ହାତ ଯୋଡ଼ି ସୁପ୍ରଭାତ ଜଣାଇଲେ ।

 

ପ୍ରତି ନମସ୍କାର ଜଣାଇ ରେଖାଦେବୀ ସେହିଠାରେ ସ୍ଥାଣୁବତ୍ ଠିଆହୋଇ ରହିଲେ । ଶିଳ୍ପୀଙ୍କୁ ଦେଖି କେତେ କ’ଣ କହିବେ ବୋଲି ମନରେ ପାଞ୍ଚ କରିଥିଲେ ସବୁ ଯେପରି ତାଙ୍କର ତଣ୍ଟି ପାଖରେ ଆସି ଜମାଟ ବାନ୍ଧି ଯାଇଛି । ସେ ନିର୍ବାକ୍ ହୋଇ ଚାହିଁ ରହିଲେ ।

 

ତରୁଣ ଶିଳ୍ପୀ କହି ଉଠିଲେ ଯାହା ହେଉ ମୋର ସୌଭାଗ୍ୟ ଯେ ପୁଣି ଆପଣଙ୍କ ସହିତ ଦେଖା ହୋଇଗଲା । ଆପଣ ଚାଲିଯିବେଣି ବୋଲି ମୁଁ ବିଶ୍ୱାସ କରିଥିଲି ।

 

ସଂବିତ୍ ଫେରି ପାଇଲେ ରେଖାଦେବୀ—ଅଳ୍ପ ହସ ଓଠ କଣରେ ଉକୁଟାଇ କହିଲେ, ଆଜି ଉପରଓଳି ଗାଡ଼ିରେ ଚାଲିଯିବୁ ।

 

ସୌଜନ୍ୟତା ରକ୍ଷା କରିବାପାଇଁ ତରୁଣ ଶିଳ୍ପୀଙ୍କ ନିକଟକୁ ରେଖାଦେବୀ ଓହ୍ଲାଇ ଆସିଲେ ।

 

—କାଲି କିନ୍ତୁ ଆପଣ ମୋତେ ଭୁଲ୍ ବୁଝିଲେ । ଯାହା ହେଉ ଯଦି ଆପଣଙ୍କ ମନରେ କଷ୍ଟ ଦେଇଥାଏ ତେବେ ମୋତେ କ୍ଷମା ଦେବେ । ଶିଳ୍ପୀଙ୍କର କଣ୍ଠ ଥରି ଉଠୁଥିଲା । ବୋଧହୁଏ ଗତ ରାତ୍ରିରେ ସେ ଅନିଦ୍ରା ରହି ନିଜର କ୍ରିୟାକୁ ବିଶ୍ଳେଷଣ କରୁଥିଲେ ।

 

ନିରୁତ୍ତରା ରହିଥିଲେ ରେଖାଦେବୀ ।

 

ଶିଳ୍ପୀ କହି ଚାଲିଲେ, ଗୋଲାପ ଫୁଲଟି ସୁନ୍ଦର ଦିଶେ ଗଛ ଭିତରେ ପତର ଶେଯ ଭିତରେ ଥାଇ । ସେ ହସୁଥିଲାବେଳେ ଆହୁରି ସୁନ୍ଦର ଦିଶେ । ଗଛରେ ଥିଲାବେଳେ ଗୋଲାପ ଫୁଲଟିର ସୌନ୍ଦର୍ଯ୍ୟ ବେଶ୍ ଉପଭୋଗ କରି ହୁଏ । ଯଦି ତାକୁ ବୃନ୍ତଚ୍ୟୁତ କରାଯାଏ ତେବେ ତାର ସୌନ୍ଦର୍ଯ୍ୟ ସମସ୍ତଙ୍କ ପାଇଁ ନ ହୋଇ ଜଣଙ୍କର ହୁଏ । ତାପରେ ଯଦି ତାର ତନୁ ତନିମାରେ ଅତ୍ୟାଚାର କରାହୁଏ ତେବେ ତାର ସୌନ୍ଦର୍ଯ୍ୟକୁ ହତ୍ୟା କରିହୁଏ । ସେପରି ମୁଁ ଆପଣଙ୍କୁ ନିଜର କରିବାର କଳ୍ପନା କେବେ କରିନଥିଲି । ସେହିଠାରେ ମଣିଷ ଭୁଲ କରି ବସେ । ନିର୍ଜନ ସୈକତ ପ୍ରାନ୍ତରେ ଚଞ୍ଚଳା କୃଷ୍ଣସାର ପରି ଆପଣଙ୍କର ଉପସ୍ଥିତି ହଠାତ୍ ମୋତେ ଆମୋଦ ଦେଇଥିଲା । ବହୁତ ଖୋରାକ ବି ଯୋଗାଇ ଦେଇଥିଲା—ଆଜିକାଲି ସତ କହିଲେ ଲୋକେ ଭୁଲ ବୁଝନ୍ତି ......

 

—ଓଃ ! ସେଥିପାଇଁ ଆପଣ ଅପ୍ରିୟ ସତ୍ୟ କହିଲେ ? ଶିଳ୍ପୀଙ୍କ ମୁହଁରୁ କଥା ଛଡ଼ାଇ ନେଇ ରେଖା ଦେବୀ କହିଉଠିଲେ ।

 

—ଅପ୍ରିୟ ସତ୍ୟ ଯେଉଁମାନେ କହନ୍ତି ସେମାନଙ୍କ ମନ ସୁନିର୍ମ୍ମଳ । କିନ୍ତୁ ସତ ନକହି ସତ୍ୟର ଅପଳାପ ଯେଉଁମାନେ କରନ୍ତି ସେମାନଙ୍କୁ ତୋଷାମଦିଆ କୁହାଯାଏ । ସତ୍ୟଟା ସର୍ବଦା ଅପ୍ରିୟ । ଯଦି କେବେ କୌଣସି ଦିନ ଆପଣଙ୍କ ତନୁ ତନିମା ପାଇଁ ମନ ମୋର ବ୍ୟାକୁଳ ହୋଇ ଉଠିବ ସେହି ଦିନ ମୁଁ ମୋର ଆଦର୍ଶ ପଥରୁ ବିଚ୍ୟୁତ ହେବି—ଆଉ ଆପଣଙ୍କ ଆଗକୁ ଆସି କଥା କହିବାର ସାହାସ ମୋର ନଥିବ ।

 

—ଆପଣ ଏପରି ବାଚାଳଙ୍କ ପରି କ’ଣ ଗୁଡ଼ାଏ ଗପି ଚାଲିଛନ୍ତି ? ପ୍ରଶ୍ନକଲେ ରେଖାଦେବୀ ।

 

—ମୁଁ ପାଗଳ ନୁହେଁ । ଲୋକେ କହନ୍ତି ଲେଖକ, ଚିତ୍ରକର, ସଙ୍ଗୀତଜ୍ଞ ଯେଉଁମାନେ କି କଳାର ପୂଜାରୀ ସେମାନେ କୁଆଡ଼େ ଅଳ୍ପ ବହୁତ ପାଗଳ । କିନ୍ତୁ ପ୍ରକୃତରେ କ’ଣ ସେମାନେ ପାଗଳ ? ଗୋଟାଏ ଜିନିଷ ପ୍ରତି ମାତ୍ରାଧିକ ଆଗ୍ରହ ତାଙ୍କୁ ଲୋକ ଲୋଚନରେ ପାଗଳ କରାଏ । ତାପରେ ସେମାନେ ପ୍ରାୟ ମନେ ମନେ ଯାହା ଭାବି ବସନ୍ତି ତାକୁ ଭାଷାରେ ପ୍ରକାଶ କରିପକାନ୍ତି । ସେହିଠାରେ ସେମାନଙ୍କର ଭୁଲ ହୁଏ ।

 

ଆପଣତ ବହୁତ ଆଦର୍ଶବାଦ ଓ ତତ୍ତ୍ଵର କଥା କହିପାରୁଛନ୍ତି । ବାସ୍ତବିକ୍ ଆପଣଙ୍କର କହିବା ଭଙ୍ଗୀ ଚମତ୍କାର । ପ୍ରଶଂସା କରି କହି ଉଠିଲେ ରେଖାଦେବୀ ।

 

ଯାହାହେଉ ମୋର କହିବାର ଭଙ୍ଗୀ ଯେ ଆପଣଙ୍କ ମନକୁ ଛୁଇଁ ପାରିଛି ସେତିକି ହିଁ ମୋ ପକ୍ଷରେ ଯଥେଷ୍ଟ । ଆପଣ ଯିବାପୂର୍ବରୁ ମୁଁ ଆପଣଙ୍କର ସାକ୍ଷାତ ପାଇଛି ଏବଂ ନିରୋଳାରେ ମୋର ବକ୍ତବ୍ୟ କହି ପାରିଛି ତାହା ଭାବି ନିଜକୁ ସୌଭାଗ୍ୟବାନ ମଣୁଛି । ତେବେ ମୋତେ ଏତିକି ଆନନ୍ଦ ଲାଗୁଛି ଯେ ମୁଁ ଆପଣଙ୍କର ଭ୍ରମଧାରଣା ଦୂର କରିବାକୁ ଚେଷ୍ଟା କରିଛି ଏବଂ ରୁଷ୍ଟ ଚିତ୍ତରେ ସରସତା ଆଣି ପାରିଛି ।

 

ହସି ଉଠିଲେ ରେଖାଦେବୀ ।

 

ହସି ହସି ଶିଳ୍ପୀ କହିଲେ—ଏ କମ୍ ସୁଯୋଗର କଥା ନୁହେଁ—ନଚେତ୍ ମନରେ ଗୋଟାଏ “କିନ୍ତୁ” ଦୁହିଁଙ୍କର ରହିଯାଇ ଥାନ୍ତା । ଆଉ ଥରେ ଯେ ସାକ୍ଷାତ୍ ହୋଇପାରିଥାନ୍ତା ସେଥିରେ କେଉଁ ବିଶ୍ୱାସ ଅଛି !

 

—ସାକ୍ଷାତ୍ ଯେ ନ ହୋଇଥାନ୍ତା ସେପରି କାର’ଣ କିଛି ନାହିଁ । ଘରତ ଆପଣଙ୍କର ଏଇ ଓଡ଼ିଶାରେ; ଅନ୍ୟ ପ୍ରଦେଶରେ ବି ହୋଇଥିଲେ ଟ୍ରେନ୍, ପ୍ଲେନ୍ ଯୁଗରେ ଦୁରତ୍ଵର କଥା ଉଠୁନାହିଁ ।

 

ଆପଣଙ୍କ କଥା ଅବଶ୍ୟ ନିରାଟ ସତ୍ୟ । କିନ୍ତୁ ସେଇ ଟ୍ରେନ୍ କିମ୍ବା ପ୍ଲେନ ଚଢ଼ିବା ପୂର୍ବରୁ ସମୟ ଓ ସୁଯୋଗ ଦରକାର । ପ୍ରାୟ ଅଧିକାଂଶ ଏଇ ଦୁଇଟାରୁ ବଞ୍ଚିତ ହୁଅନ୍ତି ।

 

—ଓହୋ—ଆପଣ ମନ କଥା ବି କହିଲେ । ମନ ନ ଥିଲେ ସମୟ ଓ ସୁଯୋଗ ଆଦୌ ଆସିବ ନାହିଁ । ତାପରେ ବିଶେଷ ସାକ୍ଷାତର କ’ଣ ବା ପ୍ରୟୋଜନ ଅଛି ? ଟ୍ରେନରେ ଗଲାବେଳେ ପ୍ରତି ଷ୍ଟେସନରୁ କେତେଲୋକ କମ୍ପାଟମେଣ୍ଟରେ ଚଢ଼ନ୍ତି । ନିର୍ଦ୍ଦିଷ୍ଟ ଷ୍ଟେସନରେ ଓହ୍ଲାଇବା ପର୍ଯ୍ୟନ୍ତ ସେଇ କମ୍ପାଟମେଣ୍ଟରେ ବସିଥିବା ଯାତ୍ରୀ ସହିତ ଆଳାପ ଆଲୋଚନାର ସୁବିଧା କରି ସମୟ କଟାଇବା ପାଇଁ ବଂଧୁତ୍ଵ ପାତି ବସନ୍ତି । ଲକ୍ଷ୍ୟ ଷ୍ଟେସନ ଆସିଲେ ନିଜ ନିଜର ଜିନିଷ ପତ୍ର ଧରି ଓହ୍ଲାଇ ଯାଆନ୍ତି । ସେତିକି ସମୟ ଭିତର ଆଲୋଚନା ଓ ବଂଧୁତ୍ୱ ସେଇଠାରେ ଇତି ହୁଏ ।

 

—ଆପଣ କ’ଣ ଭାବୁଛନ୍ତି ଏଇ କୋଣାର୍କ ମନ୍ଦିର ପାଖରୁ ଆମେ ଯିବା ପରେ ପରେ ଆପଣ ଓ ମୋର ପରିଚୟ ସମାପ୍ତ ହୋଇଯିବ । ମୋର ଧାରଣା, ବୋଧହୁଏ ଏଇ ପରିଚୟ ଆପଣଙ୍କ ଓ ମୋ ଭିତରେ ବହୁଦିନ ପର୍ଯ୍ୟନ୍ତ ଜାଗି ରହିବ; ଅନ୍ତତଃ ମୋର ଆଲବମରେ ଆପଣଙ୍କର ଛବିଟା ସାଇତା ହୋଇ ରହିଥିବା ପର୍ଯ୍ୟନ୍ତ । ନମ୍ର କଣ୍ଠରେ ଶିଳ୍ପୀ ପୁଣି କହିଲେ, କ୍ଷମା କରିବେ ମୁଁ ଏପର୍ଯ୍ୟନ୍ତ ଆପଣଙ୍କର ପରିଚୟ ଜାଣି ପାରି ନାହିଁ ।

 

ପରିଚୟ ଶିଳ୍ପୀ ହୁଏତ ମାଗିବେ ଏବଂ ସେ ପରିଚୟ ଦେବେ ବୋଲି ଯଦିଓ ଆଗରୁ ମନସ୍ଥ କରିଥିଲେ ତଥାପି ରେଖା ଦେବୀଙ୍କ ଓଷ୍ଠଚିରି ତାଙ୍କରି ପରିଚୟ ବାହାରି ପଡ଼ିଲା ।

 

ଶିଳ୍ପୀ ତାଙ୍କର ସ୍କେଚ କାଗଜ ପଛରେ ରେଖା ଦେବୀଙ୍କ ପରିଚୟ ଟିପି ରଖିଲେ ।

 

ଶିଳ୍ପୀଙ୍କର ପରିଚୟ ମାଗିବାକୁ ଇଚ୍ଛା ଥିଲେ ବି ରେଖାଦେବୀ ମାଗି ପାରିଲେ ନାହିଁ । ସେଇଟା ତାଙ୍କର ନାରୀ ସୁଲଭ ଦୁର୍ବଳତା । ପରିଚୟ ମାଗିଲେ ଶିଳ୍ପୀ ହୁଏତ ତାଙ୍କର ହୃଦୟର ଦୁର୍ବଳତା ବୁଝି ପାରିବେ ଏଇ ଆଶଙ୍କା ତାଙ୍କର ଥିଲା । ତାପରେ ଭାବିଲେ ଦୁଇଜଣଙ୍କ ଭିତରୁ ଜଣେ ପରିଚୟ ପାଇଲେ ଅନ୍ୟ ଜଣକର ପରିଚୟଟା ମିଳିବାରେ କଷ୍ଟହେବ ନାହିଁ । ସେ ପରିଚୟ ଦାନ କରିଛନ୍ତି । ପ୍ରତିଦାନ ନିଶ୍ଚୟ ପାଇବେ । ହୁଏତ ବିଳମ୍ବ ହୋଇପାରେ ।

 

ଶିଳ୍ପୀଙ୍କ ସହିତ ବୁଲି ବୁଲି ରେଖାଦେବୀ ଆସି କୋଣାର୍କର ସେଇ ହାତୀ ନିକଟରେ ପହଞ୍ଚିଲେ । ତାଙ୍କୁ ଆଜିର ଏଇ ସକାଳଟା ବଡ଼ ରମଣୀୟ ଲାଗୁଥିଲା । ସେ ଯେପରି ଗୋଟାଏ ନୂତନ ଉନ୍ମାଦନା ଅନୁଭବ କରୁଥିଲେ ।

 

ନିଜର ଅଜଣାରେ ଅପରିଚିତ ସହିତ ଖୁବ୍ ଅଳ୍ପ ସମୟ ଭିତରେ ମନରେ ଯେଉଁ ଦରଦ ଜାଗିଉଠେ ତାକୁ ଭଲ ପାଇବା କୁହନ୍ତି ଏବଂ ସେହି ଭଲ ପାଇବା ହିଁ ବହୁତ ଦିନ ପର୍ଯ୍ୟନ୍ତ ମନରେ ଲାଗିରହେ । ଏପରିକି ମଣିଷର ଏ ତନୁ ମଶାଣିରେ ପାଉଁଶ ହେଲେ ଯାଇ ସେ ସ୍ମୃତି ପୋଛିହୁଏ–ଡକ୍ଟର ମିସ୍ ପଟ୍ଟନାୟକଙ୍କର ସେଇଆହିଁ ହୋଇଥିଲା ।

 

ଶିଳ୍ପୀ କହିଲେ ଆପଣଙ୍କର ଧାରଣା ମୋ ପ୍ରତି କଣ ହେଉଛି ବା ହୋଇଛି ସେଥିପାଇଁ ଯଦି ମୁଁ ଅପେକ୍ଷା କରି ପାରିନାହିଁ ତଥାପି ଉପେକ୍ଷା କରି ପାରୁନି । ମୋର ଏଇ ଖୋଲା ଚଳଣୀ କିପରି ଆପଣଙ୍କୁ ଲାଗୁଥିବ ମୁଁ କହି ପାରୁନାହିଁ । ଆଚ୍ଛା ରେଖାଦେବୀ ଆପଣ କୁହନ୍ତୁ, ଏଇ ଆମ ଭିତରେ ଆମରି ପରି ହାତଗୋଡ଼ ଥାଇ ସାଧାରଣ ମଣିଷ ସେମାନେ ଥିଲେ, କିନ୍ତୁ ସେମାନେ ସୌନ୍ଦର୍ଯ୍ୟର ପୂଜାରୀ ଥିଲେ । ରୂପର ସୃଷ୍ଟି କରିଛନ୍ତି—ସେମାନଙ୍କର ନାମର ସିନା ମୃତ୍ୟୁ ହୋଇଛି କିନ୍ତୁ ସେମାନଙ୍କ କଳାର.......

 

ନିଜ ନାମଟା ଶିଳ୍ପୀଙ୍କ ମୁହଁରୁ ଉଚ୍ଚାରିତ ହେବାମାତ୍ରେ କିପରି ଚମକ ରେଖାଦେବୀଙ୍କ ମନରେ ଲାଗିଲା । ଶିଳ୍ପୀଙ୍କ କଥା ସହିତ ସମ୍ପର୍କ ରଖି ରେଖା ଦେବୀ କହିଲେ, କିନ୍ତୁ ସେମାନଙ୍କର କଳାର ମୃତ୍ୟୁନାହିଁ । ସେହି କଳା ବା ରୂପସୃଷ୍ଟିହିଁ ଆମପରି କେତେ ଦର୍ଶକଙ୍କୁ ଟାଣି ଆଣିଛି, ଆଣୁଥିଲା ଆଉ ଟାଣି ଆଣୁଥିବ —ପ୍ରକୃତରେ ଶିଳ୍ପୀ—ମାନଙ୍କର ଜୀବନ ବଡ଼ ରୋମାଣ୍ଟିକ୍ ।

 

ଗୋଟାଏ ଦୀର୍ଘ ନିଶ୍ଵାସ ଟାଣି ଶିଳ୍ପୀ କହିଲେ—ଅର୍ଦ୍ଧଭୁକ୍ତ ଜୀବନରେ ମୁହଁରେ ହସ ଫୁଟାଇ ସେମାନେ ପ୍ରକୃତରେ ବଡ଼ରୋମାଣ୍ଟିକ୍ ହୋଇ ପଡ଼ନ୍ତି । ଶୁଣନ୍ତୁ ଏଇ ଆମର କଳାର ଛାତ୍ରଙ୍କ କଥା କହୁଛି—କଳା ତ ଅମୂଲ୍ୟ । ଏକଥା ସର୍ବବାଦୀ ସମ୍ମତ । କିନ୍ତୁ ଚାରିବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଯେତେବେଳେ ଆମେ ଆର୍ଟ ସ୍କୁଲରୁ ଉପାଧି ପାଇ ବାହାରକୁ ବାହାରି ପଡ଼ିବୁ ସେତେବେଳେ ସରକାର କେବଳ ଆମକୁ ହାଇସ୍କୁଲରେ ଗୋଟିଏ ଗୋଟିଏ ଡ୍ରଇଁ ଶିକ୍ଷକ ରୂପେ ନିଯୁକ୍ତି ଦେବେ । ଦରମା ତ ଯାହାଦେବେ ତା ଅବଶ୍ୟ ମୁହଁଖୋଲି ନକହିବା ଭଲ । ଏଇ କଳା, ଏଇ ଶିଳ୍ପ ଏତିକିରେ ପଡ଼ିରହିବ । ତେଣିକି ସ୍କୁଲର ସିଲାବସ୍ ନେଇ ଶିମ୍ବ, ଆମ୍ବ, ସରା, ସୁରେଇ, ଗିଲାସ ଏଇଗୁଡ଼ିକୁ ଆଙ୍କିବାକୁ ହେବ । ଅନ୍ନଚିନ୍ତା ଚମତ୍କାର ହେବ ।

 

—ଆପଣମାନଙ୍କର ପ୍ରକୃତରେ ଗୋଟାଏ କିଛି ସୁବନ୍ଦୋବସ୍ତ ହେବା ଦରକାର ।

 

—ଆପଣ ଯାହା କହିଲେ ତା ସତ କିନ୍ତୁ ଏତ ଆପଣ ଓ ମୋ କଥା—ଏଥିରେ ତ ସରକାର ଚଳିବ ନାହିଁ—ତେଣୁ ସେ ପ୍ରକାର ଆଲୋଚନା ନକରିବା ହିଁ ଭଲ । ତାହାହେଲେ ଆପଣ ଏଇ ଉପର ଓଳି ବସରେ ଚାଲି ଯାଉଛନ୍ତି । ଜୀବନରେ ଆଉ ସାକ୍ଷାତ ହୋଇ ପାରୁଛି କି ନାହିଁ କହି ହେବନି ।

 

ହସୁ ହସୁ ରେଖାଦେବୀ କହିଲେ ଯଦି ସେପରି ଦୈବୀ ଦୁର୍ଘଟଣା ନହୁଏ ତେବେ ସାକ୍ଷାତ ନହେବାର କିଛି କାରଣ ନାହିଁ ।

 

ସକାଳର ସୂର୍ଯ୍ୟ ସେତେବେଳକୁ ଆକାଶର ବୁକୁରେ ବହୁତ ଦୂର ଆଗେଇ ଆସିଲେଣି-। ନିତ୍ୟ ନୈମିତିକ କାର୍ଯ୍ୟରେ ବିଳମ୍ବ ହେଲାଣି । ଦୁହିଁଙ୍କର ପରସ୍ପରଠାରୁ ବିଦାୟ ନ ନେବାର ଯଦିଓ ଇଚ୍ଛା ଥିଲା ତଥାପି ବାଧ୍ୟ ହୋଇ ବିଦାୟ ନେବାକୁ ଯାଇ ରେଖାଦେବୀ ନମସ୍କାର ଜଣାଇଲେ ।

 

ହସୁ ହସୁ ଶିଳ୍ପୀ କହିଲେ—ଯାହାହେଉ ମୋର କୋଣାର୍କ ଦର୍ଶନର ସ୍ମୃତି ହୋଇ ରହିବେ । ଯେତେବେଳେ ଏଣିକି କୋଣାର୍କର ଚାରୁକଳା ମନେପଡ଼ିବ ସେତେବେଳେ ମୋ ମନ ଆଖିରେ ଆପଣ ଠିଆ ହେବେ ।

 

ଯାଉ ଯାଉ ପଛରୁ ଫେରି ରେଖାଦେବୀ କହିଲେ ସେତିକି ସୌଭାଗ୍ୟ ମୋର ଯଥେଷ୍ଟ-

 

କୋଣାର୍କରୁ ଫେରିବା ପରେ ବର୍ଷେ ବିତିଯାଇଛି ।

 

ଇତିମଧ୍ୟରେ ଶିଳ୍ପୀଙ୍କଠାରୁ ସେ କୌଣସି ପ୍ରକାର ପତ୍ର ପାଇ ନାହାଁନ୍ତି । ଗୋଟାଏ ମନ ମତାଣିଆ ସିନେମା ଦେଖି ତାକୁ ଭୁଲିଗଲା ପରି ରେଖାଦେବୀ ସେକଥା ଭୁଲି ଯାଇଛନ୍ତି । ପୁଣି ଆସି ମନ ଦେଇଛନ୍ତି ସେଇ ମେଟେରିଆମେଡ଼ିକାରେ, ଗ୍ରେଜ୍ ଆନାଟୋମିରେ—କ୍ଲିନିକାଲ ମେଥଡ଼ ଇତ୍ୟାଦିରେ । ପୁଣି ମନ ତଳେ ତାଙ୍କର ଚେଇଁ ଉଠିଛି ପିପାସା । ଜ୍ଞାନର ପିପାସା । କିପରି ସେ ପଢ଼ିବେ, ଅନୁଧ୍ୟାନ କରିବେ, ବେଶୀ ଜାଣିବେ । ମଣିଷ ଶରୀରର ପ୍ରତି ଅଙ୍ଗ ନିଜ ଛୁରୀରେ ବ୍ୟବଚ୍ଛେଦ କରି ବିଶ୍ଳେଷଣ କରିଛନ୍ତି । ପରୀକ୍ଷା କରି ଦେଖିଛନ୍ତି କାହାର କାହା ସହିତ ସମ୍ପର୍କ । କେଉଁଠି ଆଘାତ ଲାଗିଲେ ତାର ପ୍ରତିକ୍ରିୟାରେ ଆଉ କେଉଁଠି କଣ ହୁଏ !

 

ଲେଡ଼ିଜ୍ ହଷ୍ଟେଲରେ ଅନବରତ ଘରର ଘରର ବିଜୁଳି ପଙ୍ଖା ତଳେ ଦିନରାତି ସେ ଅକ୍ଲାନ୍ତ ପରିଶ୍ରମ କରି ଚାଲିଥାନ୍ତି । ବଡ଼ କଠିନ ଏହି ଚିକିତ୍ସା ବିଜ୍ଞାନ । ଆଲୋପାଥିକ ଚିକିତ୍ସାରେ କେତେଗୁଡ଼ାଏ ଶାଖା ପ୍ରଶାଖା ସବୁ ପଢ଼ିବାକୁ ହେବ । ଫିଜୋଲୋଜି, ପାଥୋଲୋଜି, ଫର୍ମାକୋଲୋଜି, ଗାଇନାକୋଲୋଜି ଇତ୍ୟାଦି କେତେ ଲୋଜି । କେଉଁଟା ଛାଡ଼ି ହେବ ନାହିଁ । ସବୁଥିରେ ସଂପୂର୍ଣ୍ଣ ଜ୍ଞାନ ଆବଶ୍ୟକ । ତାପରେ ପରୀକ୍ଷା । ସେ ପୁଣି ଏକ କଠିନ ବ୍ୟାପାର । ସେଥିରେ ପାଶ୍ କରିବାକୁ ହେବ । ଏଇ କ୍ଳାନ୍ତିକର ପରିସ୍ଥିତି ଭିତରେ ରେଖାଦେବୀ ପ୍ରାୟ ଶିଳ୍ପୀଙ୍କ ସହିତ ତାଙ୍କର ସାକ୍ଷାତକୁ ଭୁଲି ଯାଇଥିଲେ ।

 

ସେଦିନ ସରୋଜା ଆଉ ଅନିମା ଦୁହେଁ ଆସି ରେଖା ରୁମରେ ହାଜର ।

 

ସରୋଜା କହିଲା—ବୁଝିଲୁ ଅନୁ ପାଠତ ସମସ୍ତେ ପଢ଼ୁଛନ୍ତି କିନ୍ତୁ ରେଖାପରି କିଏ ପଢ଼ୁଛି ?

 

—ନପଢ଼ିଲେ ଡିଷ୍ଟିଙ୍କ୍‍ସନ୍‍ ଅନର୍ସ ଏସବୁ ମିଳିବ କିପରି ?

 

—ୟା ବୋଲି ଗୋଟାଏ ଗ୍ରନ୍ଥକୀଟ ସେ ପ୍ରାୟ ପାଲଟି ଗଲାଣି । ସେଇ ଅନର୍ସ ପାଇ ସେ ଗୋଟାଏ ସର୍ଜନ ହେବ ଆଉ ଆମେବି ଅନର୍ସ ବା ଡିଷ୍ଟିଙ୍କ୍‍ସନ୍‍ ନପାଇ ଗୋଟାଏ ଗୋଟାଏ ସର୍ଜନ ହେବୁ । ଏତେ ପାଠରେ କ’ଣ ବା ଲାଭ ?

 

—ତୁ ସିନା ତୋର ଭାଗ୍ୟକୁ ଏଇ ଏମ୍.ବି.ବି.ଏସ୍‍ ପରେ ସିଲ୍‍କରି ରଖିଦେବୁ କିନ୍ତୁ ରେଖା, ତାର ଆଶା ବିରାଟ—ତାର କଳ୍ପନା ଅପରିସୀମା । ସେ ପୋଷ୍ଟ ଗ୍ରାଜୁଏଟ କରିବ । ତାପରେ ବିଲାତ ଭୂଇଁରୁ ସିଧା ଏଇ ମେଡ଼ିକାଲ କଲେଜକୁ ଉଡ଼ି ଆସିବ ଗୋଟାଏ ଆସିଷ୍ଟାଣ୍ଟ ପ୍ରଫେସର ହୋଇ । ତାପରେ ଦିନ କେତେଟା ପରେ ପ୍ରଫେସର ।

 

କୃତ୍ରିମ କ୍ରୋଧ ସୃଷ୍ଟିକରି ରେଖାଦେବୀ କହିଲେ—ଆଃ...ଥାଉ ତୁମର ସେ ଥଟ୍ଟା । ବିନା ଭୂମିକାରେ ଦୁଇ ଭଉଣୀ ତୁମର ଉଦ୍ଦେଶ୍ୟ କଣ କହିଲ ? କ’ଣ ମୋ ନିକଟରୁ ଚାହୁଁଛ ?

 

ସରୋଜା କହିଲା—ସଦାବେଳେ ଜଳଖିଆ ଦେଇ ଦେଇ ଏ ପାଟିଟାକୁ ଲାଞ୍ଚୁଆ କରି ରଖିଲୁଣି । ଘରୁ ମାଉସୀ ଯେଉଁ ଆଚାର ପଠାଇଥିଲେ ତୁ ତ କାହିଁ ଏପର୍ଯ୍ୟନ୍ତ ଚଖାଇନାହୁଁ...

 

—କିଲୋ କେଡ଼େ ଲୋଭୀଟେ ତୁ । ବର୍ତ୍ତମାନ ପରା ତୋ ରୁମରେ ଦୁହେଁ ଖାଇକରି ଆସିଲେ । ଯଦି ଯିବା କଥା, ତେବେ ରେଖାକୁ କହ ସେ ଶୀଘ୍ର ପ୍ରସ୍ତୁତ ହେବ ।

 

ରେଖା ଦେବୀ ଦୁହିଁଙ୍କ ମୁହଁକୁ ଚାହିଁ ରହିଲେ । ପାଟିରୁ ବାହାରି ପଡ଼ିଲା, କ’ଣ ସିନେମା-?

 

ସଦାବେଳେ ସିନେମା ଆଗ୍ରହରେ ଦେଖିଲାପରି ମୁହଁରୁ ସିନେମା ସଙ୍ଗେ ସଙ୍ଗେ ବାହାରି ପଡ଼ୁଛି । ହଁ, କ’ଣ କହୁଥିଲିକି ରାମଚନ୍ଦ୍ର ଭବନରେ ଗୋଟାଏ କଳା ପ୍ରଦର୍ଶନୀ ଦୁଇଦିନ ହେବ ଖୋଲିଛି । ବହୁତ ଲୋକ ଯାଉଛନ୍ତି । ସାଙ୍ଗହୋଇ ଯିବା ସେଇଗୋଟା ଦେଖିଆସିବା । ଜଣେ ଶିଳ୍ପୀ ତାଙ୍କର ଯେତେ ଆର୍ଟ ଅଛି ସବୁ ପ୍ରଦର୍ଶନୀକରି ଦେଖାଯାଉଛନ୍ତି । ଶୁଣୁଛି ଭାରୀ ଭିଡ଼ ହେଉଛି । ସମସ୍ତେ ତାର ଶିଳ୍ପ, ଚାତୁରୀ ଦେଖି ମୁଗ୍ଧ ହୋଇ ଯାଉଛନ୍ତି ।

 

ରେଖା ପ୍ରସ୍ତୁତ ହେଲା ଯିବାକୁ ।

 

ସରୋଜା କହିଲା—ଆଉ ଦିଇଟା ମାସ ଯାହା ଫୁର୍ତ୍ତି କରିବା, ତେଣିକି ଇଉନିଭରସିଟି ପରୀକ୍ଷା ଆସିଯିବ । ଖାଲି ପାଠପଢ଼—

 

ତିନିବନ୍ଧୁ ହଷ୍ଟେଲରୁ ବାହାରିଲେ କଳା ପ୍ରଦର୍ଶନୀ ଦେଖିବା ପାଇଁ ।

 

ରେକ୍‍ସାରୁ ଓହ୍ଲାଇ ରେଖାଦେବୀ ଦେଖିଲେ ଅସମ୍ଭବ ଭିଡ଼ କାଉଣ୍ଟର ନିକଟରେ ଜମି ଉଠିଛି । ବହୁ କଷ୍ଟରେ ତିନିବନ୍ଧୁ ତିନିଖଣ୍ଡ ଟିକେଟ ସଂଗ୍ରହକରି ହଲ ଭିତରକୁ ପଶିଲେ । ସିଲହୋଟ୍‍, ସିମ୍ବଲିକ୍, ବାଇକଲର, ଟାଇକଲର, ହାଫଟୋନ୍, ଅଏଲ ପେଣ୍ଟ ଇତ୍ୟାଦି ବିଭିନ୍ନ ପରିକଳ୍ପନା ନେଇ ବିଭିନ୍ନ ପ୍ରକାରର ଛବି ରଙ୍ଗିନ୍ ସାଲୁକନା ଉପରେ ଝୁଲୁଛି—ଅନେକ ପ୍ରକାରର ଭଙ୍ଗୀ—ଅନେକ ପ୍ରକାର ଭାବ—ସେଇ ଛବି ଦେହରେ ଫୁଟି ଉଠିଛି । ନିପୂଣ ହସ୍ତର ନିଖୁଣ ଅଙ୍କନରେ ଶିଳ୍ପୀଙ୍କର ଚାତୁରୀ ରୂପାୟିତ ହୋଇ ଉଠିଛି ।

 

ପ୍ରତିଟା ଛବିକୁ ନିରୀକ୍ଷଣ କରି ତିନିବନ୍ଧୁ ଦେଖି ଚାଲିଥାନ୍ତି । କବିବର ଯାହା ଲେଖିଥିଲେ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଆଖିକୁ ଏଇ ପାଖରୁ ଫେରାଇ ଅନ୍ୟ ପାଖକୁ ନେବାକୁ ଇଚ୍ଛା ହେଉ ନଥାଏ । ପ୍ରତ୍ୟେକ ଛବିପରେ ଅନ୍ୟଟି ଅପୂର୍ବ ଲାଗୁଥାଏ । ରେଖାଦେବୀ ଛବି ଗୁଡ଼ାକ ମନ ପୁରାଇ ଦେଖୁଥିଲେ । ପ୍ରକୃତରେ ତାଙ୍କୁ ଏଇ ମନୋମୁଗ୍ଧକର ସାଜସଜ୍ଜା ଅପୂର୍ବ ଲାଗୁଥିଲା । ଅଳ୍ପ ଦୂରରେ ଗୋଟିଏ ଛବି ନିକଟରେ ସାମାନ୍ୟ କୋଳାହଳ ଦେଖି ରେଖାଦେବୀ ଆଖିତୋଳି ଚାହିଁଲେ । ଦେଖିଲେ ତାଙ୍କର ସହପାଠୀ ସୁରଜିତ ବାବୁ ଖଣ୍ଡିଏ ଛବି ନେବାପାଇଁ ଜିଦ୍ ଧରିଛନ୍ତି ।

 

ସାତ ଆଠଜଣ, ଭଦ୍ରବ୍ୟକ୍ତିଙ୍କ ଭିତରେ ଯେଉଁ ବ୍ୟକ୍ତିଜଣକ ଶିଳ୍ପଟି ଦେବାକୁ ନାସ୍ତି କରୁଥାନ୍ତି, ରେଖାଦେବୀ ଦେଖିଲେ ସେ ଆଉ କେହି ନୁହେଁ ତାଙ୍କର ପୂର୍ବ ପରିଚିତ ଶିଳ୍ପୀ । ବଡ଼ ବିନୟରେ ସେ କହୁଥାନ୍ତି ଯେ ଏ ଛବିଟି ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ । କେବଳ କଳାର ମହତ୍ତ୍ଵ ପ୍ରତିପାଦନ କରିବାପାଇଁ ଏ ଛବିଟିକୁ ଏଇ ପ୍ରଦର୍ଶନୀରେ ସ୍ଥାନ ଦିଆହୋଇଛି । ଅନ୍ୟ ଛବି ତଳେ ବିକ୍ରି ମୂଲ୍ୟ ଲେଖାଅଛି କିନ୍ତୁ ଏ ଛବି ତଳେ ସେଥିପାଇଁ ମୂଲ୍ୟ ଲେଖାନାହିଁ ।

 

ସୁରଜିତ ବାବୁ କହୁଥାନ୍ତି ଯେ ଶିଳ୍ପୀ ଯାହା ପାରିଶ୍ରମିକ ଦାବୀ କରିବେ ତା ସେ ଦେବାକୁ ପ୍ରସ୍ତୁତ କିନ୍ତୁ ଛବିଟା ତାଙ୍କର ନିହାତି ଦରକାର । ଶିଳ୍ପୀଙ୍କୁ ପ୍ରଶଂସା କରି ସେ କହୁଥାନ୍ତି । ଆପଣତ ଇଶ୍ୱରଙ୍କର ପୁତ୍ର । ଭଗବାନ ଆପଣଙ୍କଠାରେ ଅନନ୍ୟ ସାଧାରଣ ପ୍ରତିଭା ଦେଇଛନ୍ତି । ଇଛାକଲେ ଏହିପରି କେତେ ଛବି ଆଙ୍କି ପାରିବେ । ତେଣୁ ସେ ଛବିଟା ଦେବାରେ ଆପଣଙ୍କର ଏତେ ଆପତ୍ତି କାହିଁକି ?

 

ସବୁ ଛବି ସବୁ ସମୟରେ ଆଙ୍କି ହୁଏନାହିଁ । ସେଥିପାଇଁ ପରିସ୍ଥିତି ଓ ପରିବେଶ ବିଶେଷ ଭାବରେ ପ୍ରୟୋଜନ । ମଣିଷ ମନ ନେଇ ଆମେ ଜନ୍ମ ହୋଇଛୁ । ଆମ ମନର ଭାବ ତ ସଦାବେଳେ ସମାନ ନଥାଏ, ତେଣୁ ଏପରି ଛବିଟିଏ ଆଙ୍କିବା ବିଶେଷ କଷ୍ଟକର । ଯଦି ଆମ୍ବ, ପଣସ ଆଙ୍କିବାକୁ ହୁଅନ୍ତା ତେବେ ବିଶେଷ କଷ୍ଟ ହୁଅନ୍ତାନି ।

 

ଆମ୍ବ କିମ୍ବା ପଣସର ଛବି ହୋଇଥିଲେ ଆପଣଙ୍କୁ ଏତେ ଅନୁରୋଧ କରିବାକୁ ପଡ଼ନ୍ତା ନାହିଁ । ଆପଣଙ୍କର ଟଙ୍କା ଦରକାର, ତେଣୁ ଏ ସୋ’ ଦେଇଛନ୍ତି । ତାପରେ ଯଦି ଏଇ ଛବିଟିରେ ଆପଣ ଆଶାନୁରୂପ ପାରିଶ୍ରମିକ ପାଆନ୍ତି ତେବେ ନ ଦେବାର ତ କିଛି କାରଣ ନାହିଁ ।

 

ଆପଣଙ୍କ କଥା ସତ୍ୟ ହେଲେ ମୁଁ ଏତିକି କହିପାରେ ଯେ ଶିଳ୍ପୀମାନେ ଗରୀବ ହୋଇପାରନ୍ତି କିନ୍ତୁ ଭିଖାରୀ ନୁହନ୍ତି । ଦାରିଦ୍ର୍ୟ ପାଇଁ ଆଭିଜାତ୍ୟ ହରାଇ ବସିପାରନ୍ତି ନାହିଁ ।

 

ଏଇ କଥା ପଦକରେ ସୁରଜିତ ବାବୁଙ୍କର ଆଉକିଛି କହିବାକୁ ନଥିଲା । କାରଣ ଛବିଟିର ସ୍ଵତ୍ୱ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ।

 

ରେଖାଦେବୀଙ୍କର ମନରେ ସେଇ ଛବିଟି ଦେଖିବାପାଇଁ ପ୍ରବଳ ଆଗ୍ରହ ଜନ୍ମିଲା । ସେଇ ଶୋଭନୀୟ ଓ ଲୋଭନୀୟ ଛବିଟି ଦେଖିବାକୁ ଯାଇ ଛବି ନିକଟରେ ପହଞ୍ଚିଲେ । ଛବିଟି ଦେଖିଲେ—ନିଜ ଆଖିକୁ ବିଶ୍ୱାସ କରି ପାରିଲେନାହିଁ । ସେଇ ଛବିଟା ଆଉ କାହାରି ନୁହେଁ, ତାଙ୍କରି—ଛବିଟିର ତଳେ ଲେଖାଅଛି “ କୋଣାର୍କର ସୃତି” ।

 

ମୁଁହ ଫେରାଇ ଚାହିଁଲେ ଶିଳ୍ପୀଙ୍କ ମୁହଁକୁ । ଆପଣା ଛାଏଁ ହାତ ଦୁଇଟା ଉଠିଗଲା ଅଭିବାଦନ ପାଇଁ ।

 

ଆପଣ !!! ବିସ୍ମୟରେ ଶିଳ୍ପୀଙ୍କ ପାଟିରୁ ବାହାରି ପଡ଼ିଲା ।

 

ହସି ହସି ରେଖାଦେବୀ କହିଲେ—ଯାହାହେଉ ଦୁନିଆଟା ଗୋଲ । ନଚେତ୍ ଦେଖା ହୋଇ ପାରିନଥାନ୍ତା । ପ୍ରଥମ ସାକ୍ଷାତରେ ଆପଣ ମୋତେ ଚିହ୍ନି ପାରିବେ ନାହିଁ ବୋଲି ମୁଁ ଆଶଙ୍କା କରିଥିଲି ।

 

—ଏତେଟା ସ୍ୱାର୍ଥପର ମୁଁ ହୋଇପାରିବି ନାହିଁ ।

 

—ଆପଣ ତ ପ୍ରାୟ ଏକ ରକମ ଭୁଲି ଯାଇଛନ୍ତି ।

 

—ଭୁଲି ଯିବାର ପ୍ରଶ୍ନ ତ ଆଦୌ ଉଠୁନାହିଁ । କିନ୍ତୁ ଆପଣଙ୍କ ସହିତ ଇଚ୍ଛା କରି ମୁଁ ସଂପର୍କ ରଖିନାହିଁ । ତାର କାରଣ ଅଯଥା ପତ୍ରାଳପରେ କେବଳ ଆପଣଙ୍କ ମନରେ ମୁଁ ଚଞ୍ଚଳତା ଆଣିଥାନ୍ତି । ଆଉ କ୍ଷତି ଭିତରେ ଆପଣଙ୍କର ପଢ଼ାରେ ବ୍ୟାଘାତ ଘଟାଇଥାନ୍ତି । ଭବିଷ୍ୟତରେ କେବଳ ଆପଣଙ୍କଠାରୁ ନିନ୍ଦା ଶୁଣିଥାନ୍ତି ।

 

—ଆପଣଙ୍କ କଥାଟା ସଂପୂର୍ଣ୍ଣ ସତ୍ୟ ନ ହେଲେ ବି ମିଥ୍ୟା ବୋଲି କହିହେବ ନାହିଁ ।

 

କ୍ଷମାକରିବେ ଅବଶ୍ୟ ମୁଁ ଯାହା କହିଥିଲି କେବଳ ରୂପର ପୂଜାରୀ ଆମେ । ତାରି ଭିତରେ କ’ଣ ଅଛି ତା ଆମେ କେବେ ଦେଖିବାକୁ ଚାହୁଁନାହୁଁ । ଯେପରି ଏଇ ଶରୀରରେ ଚମ, ମାଂସ ଏଇ ହାଡ଼ର ଛାଞ୍ଚଟାକୁ ଘେରି ରହିଛି ଏବଂ ତା ଭିତରେ କେଉଁଠି ମନ ଅଛି ଆମେ ତାକୁ ବାନ୍ଧି ରଖିବାକୁ ଚେଷ୍ଟା କରୁନାହିଁ । ଯଦି କାହାର ମନ ଦର୍ପଣରେ ଆମେ ପ୍ରତିଫଳିତ ହୋଇ ରହୁ ସେଇଠାରେ ଭାବୁ ଆମର ସଂପର୍କ ଦୃଢ଼ ହୁଏ । ଆପଣଙ୍କ ଛବି ଦେଖିଲେ ଆପଣ ମନେ ପଡ଼ନ୍ତି । ସେଦିନର କଥୋପକଥୋନ ମନେପଡ଼େ । ପ୍ରତ୍ୟେକ କଥା ମୋର ଏବେ ବି ମନେ ଅଛି । ଆପଣଙ୍କ ମନଦର୍ପଣରେ ମୋର ପ୍ରତିଫଳନ ନ ହୋଇଥିଲେ ଆପଣ କ’ଣ ମୋତେ ଚିହ୍ନି ପାରିଥାନ୍ତେ ? ଯଦିବା ଚିହ୍ନିଥାନ୍ତେ ତେବେ ନିଜର ଆଭିଜାତ୍ୟ, ସମ୍ମାନ କିମ୍ବା ଆଜିକାଲିର ଅହଂମିକା ନେଇ ଆପଣ ମୋତେ ଚିହ୍ନି ନ ଚିହ୍ନି ପାରିବାର ଛଳନା କରିଥାନ୍ତେ । ତାପରେ ମୋ ଆଡ଼ୁ ଆପଣଙ୍କୁ ମୁଁ ପରିଚୟ ଦେବାକୁ ଯିବାବେଳେ ଆପଣ ଅତି ଆଶ୍ଚଯ୍ୟ ହୋଇଥାନ୍ତେ । ଆଉ କହିଥାନ୍ତେ, ଆପଣ ଭୁଲ କରୁନାହାଁନ୍ତି ତ । ମୁଁ ତ ଆପଣଙ୍କୁ କୌଣସି ଠାରେ ଦେଖିଲା ପରି ମନେ ହେଉନାହିଁ ।

 

—ଚମତ୍କାର ଆପଣଙ୍କ ଢଙ୍ଗ ।

 

—ମୁଁ ତ ସେଥିପାଇଁ କହେ ଆପଣ ବାଂଧି ଜାଣନ୍ତି ବୋଲି ଆପଣଙ୍କ ମଥା ସୁନ୍ଦର ।

 

ହସି ଉଠିଲେ ରେଖାଦେବୀ । ଯାହାହେଉ କବିତ୍ଵ ବି ଅଛି । ତେବେ କେତେଦିନ ଏଠାରେ ରହୁଛନ୍ତି ।

 

—ସେପରି ଗୋଟାଏ କିଛି ନିର୍ଦ୍ଧିଷ୍ଟ ମାସତମ ସ୍ଥିର କରିନାହିଁ । ଦୁଇଜଣ ବନ୍ଧୁ ଏକତ୍ର ହୋଇ ଦିନେ ଭାବିଲୁ ଏଥର ପଢ଼ା ସାରି ଓଡ଼ିଶାକୁ ଫେରିଲେ ଗୋଟିଏ କଳା ପ୍ରଦର୍ଶନୀ ଖୋଲିବା-। କଲିକତା, ବମ୍ବେ, ମାନ୍ଦାଜ୍ ପ୍ରଭୃତି ବଡ଼ ବଡ଼ ସହରରେ ଏଇ କଳା ପ୍ରଦର୍ଶନୀ ପ୍ରାୟ ବର୍ଷର ଅଧିକାଂଶ ସମୟରେ ହୁଏ । ଖିଆଲଟା ତ ହଠାତ୍ ହେଲା । ବିଳମ୍ବ ହେଲେ ମନରେ ଏହି ଝୁଙ୍କ କାଳେ ରହିବ ନାହିଁ ଭାବି ଶୀଘ୍ର ଏହି କଳା ପ୍ରଦର୍ଶନୀ ଖୋଲିଦେଲୁ । ସବୁ ଆୟୋଜନ ମୋର ସାଥି କରିଛି, ମୁଁ ନିମିତ୍ତ ମାତ୍ର ।

 

—ପଢ଼ାତ ସରିଲା । ଏଣିକି କ’ଣ କରିବେ ବୋଲି ଠିକ୍ କରିଛନ୍ତି ?

 

—ଠିକ୍ ଆଉ କଲି କ’ଣ ? ଏଇ ଛବିକୁ ତ ନେଇ ଗାଁ ଗାଁ ଧରି ବୁଲିଲେ କେହି ପଇସା ଦେବେନି । ତେଣୁ ବାଧ୍ୟ ହୋଇ ଚାକିରୀ କରିବାକୁ ପଡ଼ିବ । ଚାକିରି କଲେ ଥରେ ଯାହା ଆପଣଙ୍କୁ କହିଛି ଆମ୍ବ, ଶିମ୍ବ ଆଙ୍କିବୁ । ନାହିଁ ଯଦି ଚାକିରୀ ନମିଳିଲା ତେବେ ଓଡ଼ିଶାରେ ଆମ ଭଳି କେତେଟା ଦୁଃସ୍ଥ ଶିଳ୍ପୀଙ୍କ ପରି ବହି ମଲାଟର ଛବି ତିଆରି କରି ପ୍ରକାଶକଙ୍କ ଦୁଆରକୁ ଦଶ, ପନ୍ଦରଟା ଟଙ୍କା ପାଇଁ ଦଉଡ଼ି ଦଉଡ଼ି ଯୋତାର ହିଲ୍ ଛିଣ୍ଡିଯିବ । ନଚେତ୍ ଗୁଡ଼ାଖୁ କଂପାନୀ, ବାସ୍ନା ତେଲ କଂପାନୀର ବିଜ୍ଞାପନ ଚିତ୍ର ଆଙ୍କିବୁ । ଏଇ ତ ଆମ ଭାଗ୍ୟର ଶେଷ ପରିଣତି ।

 

—ପ୍ରକୃତରେ ଆପଣଙ୍କର ଛବି ଗୁଡ଼ିକ ଜୀବନ୍ତ । ଆପଣଙ୍କ ନିର୍ଜୀବ ତୂଳିରେ ରୂପ ଦେଇ ଏ ଛବିଗୁଡ଼ିକୁ ଆପଣ ପ୍ରାଣବନ୍ତ କରି ତୋଳିଛନ୍ତି । ପ୍ରତିଛବି ତଳେ ଯେଉଁ ଦାମ୍ ଲେଖିଛନ୍ତି ସେ ଗୁଡ଼ାକ ମାମୁଲି । କିନ୍ତୁ କିଏ ଏଇ ଛବିର କିମ୍ବା ଆପଣଙ୍କର ସାଧନାର ମୂଲ୍ୟ ଦେଇ ପାରିବ ?

—ଆପଣଙ୍କର ଅନୁମାନ ସତ୍ୟ । ସମସ୍ତେ ଦେଖୁଛନ୍ତି କିନ୍ତୁ ଜଣେ ଦୁଇଜଣ ବ୍ୟତୀତ ମୂଲ୍ୟ ଦେଇ ଛବି କିଣିବାକୁ କେହି ପସନ୍ଦ କରୁନାହାଁନ୍ତି । କେତେକ ମନ୍ତବ୍ୟ କରୁଛନ୍ତି, ଏତେ ଦାମ୍-? ଆଉ କେତେକ କହୁଛନ୍ତି ଏଥିପାଇଁ ତ ଓଡ଼ିଶାର ଶିଳ୍ପୀଙ୍କର ଉନ୍ନତି ନାହିଁ । ସେମାନଙ୍କର ଛବି ଯଦି ଟିକେ ପ୍ରାଣସ୍ପର୍ଶୀ ହେଲା ତେଣିକି ଲୋଭ ଆସି ତାଙ୍କର ମୁଣ୍ଡ ଖାଇଲା । ତାପରେ ଏକ ପ୍ରକାର ଆଖିବୁଜି ଦାମ୍‍କୁ ହାଙ୍କି ଚାଲିଗଲେ ।

—ବାସ୍ତବିକ ଓଡ଼ିଶା ମାଟିରେ କଳାକାରର ଜନ୍ମ କେବଳ ଅନାହାର ଓ ବୁଭୁକ୍ଷା ପାଇଁ । ତେବେ ଆପଣ କାଲି ତ ରହୁଛନ୍ତି ? ପ୍ରଶ୍ନ କଲେ ରେଖାଦେବୀ ।

—ଯେତେଦୂର ସଂଭବ ରହୁଛି ।

ଆପଣ ମୋତେ ସେଇ ‘କୋଣାର୍କ ସ୍ମୃତି’ ଫଟୋଟା ଦେଇ ଦିଅନ୍ତୁ ।

—ଆପଣଙ୍କୁ ଦେବି ? କାହିଁକି ?

—ଆପଣଙ୍କ ପ୍ରଶ୍ନର ଉତ୍ତର ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବଣି । ତେବେ ମୋର ଏହି ଛବିଟା ଏ ହଲରେ ପ୍ରଦର୍ଶିତ କରନ୍ତୁ ନାହିଁ । ସୁରଜିତ୍ ବାବୁ କେବଳ ପ୍ରଚୁର ଅର୍ଥ ଯାଚୁଥିଲେ ସେ ଛବିଟା ପାଇଁ ଯେହେତୁ ସେ ଜାଣି ପାରିଲେ ଯେ ଏ ଛବିଟା ମୋର ।

 

—ଆପଣଙ୍କର ସେଇ ଭଦ୍ରବ୍ୟକ୍ତିଙ୍କ ସହିତ ଆଳାପ ପରିଚୟ ତେବେ ଅଛି ?

 

—ଆଳାପ ପରିଚୟ କ’ଣ ଯଥେଷ୍ଟ ? ସେ ମୋର ସହପାଠୀ ।

 

—ଏତେ ଛବି ଥାଉଁ ଥାଉଁ ଆପଣଙ୍କ ଛବି ପ୍ରତି ତାଙ୍କର ଏତେ ପ୍ରବଳ ଆଗ୍ରହ କାହିଁକି-? ଏଇ ଛବିଟି କିଣିଲା ପରେ କ’ଣ ଆପଣଙ୍କୁ ନେଇ ସେ ସବୁଦିନପାଇଁ ବାଂଧି ରଖିବାର ପ୍ରୟାସ କରୁଛନ୍ତି କି ?

 

—ଏ ଛବି କିଣିବାଟା ଯଦି ଭଲ ପାଇବାର ଗୋଟାଏ ପର୍ଯ୍ୟାୟ ହୁଏ ତେବେ ଆପଣଙ୍କ ଅନୁମାନ ସତ୍ୟ । ସେ ଦୁରନ୍ତ ଦୁଃସ୍ଵପ୍ନ ସେ ଦେଖିଛନ୍ତି । କ’ଣ ଆପଣଙ୍କର ହିଂସା ହେଉଛି କି ?

 

—ଥରେ କହିଛି, ରୂପର ପୂଜାରୀ ଆମେ । ଆପଣଙ୍କର ରୂପଶ୍ରୀ ଦେଖି ଆମେ ଶିଳ୍ପୀକୁଳ ଅମୃତ ପିଇ ସଂତୁଷ୍ଟ ହେଉ । ଶୋଭା ନଷ୍ଟ କରି ସୃଷ୍ଟିର ଅବମାନନା କରୁନି । ଶୋଭା ନଷ୍ଟ ହେଲେ ଆଉ କ’ଣ ରୂପର ଅମୃତ ଝରିବ ?

 

—ଓହୋ, ଆପଣ ତେବେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନକରି ଚିର କୁମାର ରହିବାର ସ୍ୱପ୍ନ ଦେଖୁଛନ୍ତି ।

 

—ଚିର କୁମାର ରହି ନିର୍ବୋଧତା କରିବି କାହିଁକି ? ଥରେ ପଢ଼ିଥିଲି ଏବେ ବି ମନେଅଛି ଯେ ବିବାହ ପରେ ଭଲ ପାଇବାର ମୃତ୍ୟୁ ହୁଏ । ତେଣୁ ଯାହାକୁ ଜୀବନରେ ହୃଦୟ ଦେଇ ଭଲ ପାଇଥିବ ତାକୁ ବିବାହ କରିବ ନାହିଁ । ତେଣୁ ମୁଁ ଆପଣଙ୍କୁ କହିଥିଲି ଯେ ଆପଣଙ୍କର ତନୁ ତନିମା ନେଇ ଖେଳିବାକୁ ମୋର ଆଗ୍ରହ ନାହିଁ । ଯେଉଁ ଦିନ ସେ ନିଷ୍ଫଳ ଚେଷ୍ଟା କରିବି ସେ ଦିନ ମୋର ଆଦର୍ଶ ପଥରୁ ବିଚ୍ୟୁତ ହେବି ।

 

ରେଖା ଦେବୀ ଦେଖିଲେ ସରୋଜା ଓ ଅନିମା ଦୁହେଁ ତାଙ୍କ ନିକଟକୁ ଆସୁଛନ୍ତି । ସେମାନଙ୍କର ଦେଖା ସରିଲାଣି ଯିବାକୁ ହେବ । ଆଉ କଥାବାର୍ତ୍ତାର ସୁଅକୁ ବିଶେଷ ନବଢ଼ାଇ ରେଖାଦେବୀ ବିଦାୟ ମାଗି ବାହାରିଲାବେଳେ କହିଲେ କ’ଣ କାଲି ଦର୍ଶନ ପାଇବି ତ ?

 

ଆସୁ ଆସୁ ବାଟରେ ସରୋଜା କହିଲା । ରେଖା ଆମକୁ ଛାଡ଼ି ତାଙ୍କ ସହିତ ଖୁବ୍ କଥା ହେଉଥିଲା । ତୁ କ’ଣ ତାଙ୍କୁ ଚିହ୍ନୁ ରେଖା ?

 

—ସିମିତି, ଏକ ପ୍ରକାର....ରେଖା ଦେବୀଙ୍କ ପାଟିରୁ ବାହାରି ପଡ଼ିଲା ।

 

ତାପର ଦିନ ଅପରାହ୍ନ ।

 

ନିଜ ରୁମରେ ବସି ଆଇନା ଧରି ରେଖାଦେବୀ ନିଜକୁ ସଜାଉଥିଲେ ।

 

କାଳିନ୍ଦୀ କଳାକୁନ୍ତଳରେ ଚିରିଣୀ ମାରି ଦୁଇଟି ବେଣୀ ବାନ୍ଧିଲେ । ବେଣୀ ଆଗରେ ନାଲି ରିବନରେ ଦୁଇଟି ଫୁଲ କଲେ । ମୁହଁରେ ପାଉଡ଼ର ଓ ରୁଜ୍‍ର ପ୍ରଲେପ ଦେଲେ । ଦୁଇ ଭ୍ରୂଲତା ମଝିରେ କୁଙ୍କୁମର ସରୁ ଟିପାଟିଏ ମାଇଲେ । ଟଣା ଟଣା ଆଖି ପତାରେ ସାମାନ୍ୟ କଜଳ ଦେଲେ । ମଥାର ଚୂର୍ଣ୍ଣକୁନ୍ତଳକୁ ସ୍ଵାଧୀନ ଭାବରେ ଛାଡ଼ିଦେଲେ । ନିଜର ଗୌର କାନ୍ତିକୁ ମାନିଲାଭଳି ଗାଢ଼ ରଙ୍ଗର ଶାଢ଼ି ଓ ବ୍ଲାଉଜ ପିନ୍ଧିଲେ । ନିଜର ଅଙ୍ଗ ସଜ୍ଜାରେ ସେ ବିଶେଷ ମନୋନିବେଶ କଲେ । ରୂପସୀ ବୋଲି ମନରେ ତାଙ୍କର ଗର୍ବ ଆସୁଥିଲା । ସେ, ଅନନ୍ୟା—ଅସାଧାରଣ—ଶିଳ୍ପୀ ତାଙ୍କର ଲାବଣ୍ୟ ଦେଖି ମୁଗ୍ଧ ହୋଇଛନ୍ତି । ତେଣୁ ସେଇ ରୂପକୁ ସେ ଆହୁରି ସୁନ୍ଦର କରି ସଜାଇବେ । ଶିଳ୍ପୀୟ ମନମୀନକୁ ଟାଣି ଆଣିବେ । ଯେଉଁ ଶିଳ୍ପୀ କେବଳ ଯେ ପୋଥିଗତ ଆଦର୍ଶର ପଦାବଳୀ ବାଢ଼ୁଛନ୍ତି, ତାଙ୍କର ଅନ୍ଧ ଅନୁସରଣକୁ ଭାଙ୍ଗିବାକୁ ପଡ଼ିବ । ତାଙ୍କର ହୃଦୟକୁ ଜୟ କରିବାକୁ ହେବ । ସେ ବୁଝନ୍ତୁ କାୟା ଭିତରେ ମନ ଅଛି । ସେହି ମନ ମାୟା ସୃଷ୍ଟିକରେ । ସେଇ ମାୟା ବା ମମତାକୁ ଭଲ ପାଇବାର ସଂଜ୍ଞା ଦିଆଯାଇପାରେ । କ୍ରିୟାର ପ୍ରତିକ୍ରିୟା ଅଛି । ଶିଳ୍ପୀ ଯଦି ତାଙ୍କର ମନରେ ଝଙ୍କାର ତୋଳିଛନ୍ତି ତେବେ ନିଶ୍ଚୟ ଶିଳ୍ପୀ ବି ତାଙ୍କ ପାଇଁ ଭାବୁଥିବେ । ସେ କାଠ ପଥର ନୁହନ୍ତି—ସେ ମଣିଷ । ତେଣୁ ନିଶ୍ଚୟ ଭାବୁଥିବେ । କାରଣ ଇନ୍ଦ୍ରିୟ ନଥିବା ପଦାର୍ଥକୁ ସଜୀବ କହିଲେ ଭୁଲ ହେବ ।

 

ଶିଳ୍ପୀଙ୍କର ଯଦି ତାଙ୍କଠାରେ ମାୟା ନାହିଁ ତେବେ ସେଦିନ ପ୍ରଦର୍ଶନୀରେ ସେ ସୁରଜିତ୍ ବାବୁଙ୍କୁ ସେ ଛବିଟା ଦେବାକୁ କାହିଁକି ମନାକଲେ ? ସୁରଜିତ୍ ବାବୁ ଭଲଭାବରେ ଜାଣିପାରିଛନ୍ତି ଯେ “କୋଣାର୍କର ସ୍ମୃତି” ଛବିଟି ତାଙ୍କର । ସେଥିପାଇଁ ଯଥେଷ୍ଟ ମୂଲ୍ୟ ଦେଇ ସେ ଛବିଟା କିଣିବାକୁ ଚାହିଁଥିଲେ । ଅର୍ଥୋପାର୍ଜନ ଶିଳ୍ପୀଙ୍କର ସେଇ ପ୍ରଦର୍ଶନୀର ମୂଳଲକ୍ଷ୍ୟ ଥିଲା । ତେଣୁ ସେପରି କିଛି ବ୍ୟକ୍ତିଗତ କାରଣ ନଥିଲା ସେ ଛବିଟା ଦେବାକୁ ଅନିଚ୍ଛୁକ ହୋଇ ନଥାନ୍ତେ ।

 

ମନେପଡ଼ିଲା । ସୁରଜିତ୍ ବାବୁ କାହିଁକି ସେ ଛବିଟା ଚାହୁଁଥିଲେ । ସେ ମଧ୍ୟ ଜଣେ ତାଙ୍କର ରୂପର ପୂଜାରୀ, ଅନ୍ଧ ସ୍ତାବକ । ସେ ଭାବିଛନ୍ତି ବୋଧହୁଏ, ଏ ପରି ତାଙ୍କର ଛବିଟା, କିମ୍ବା ସେ ଭଲ ପାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥକୁ କିଣି ସାଇତି ରଖିଲେ ସେ ଗୁଡ଼ାକ ଭଲ ପାଇବାର ମାଇଲ ଖୁଣ୍ଟ ହୋଇପାରେ ।

 

ସୁରଜିତ୍ ବାବୁଙ୍କର ରୂପ ଅଛି । ଧନୀର ସନ୍ତାନ ପରି ଜଣାପଡ଼ନ୍ତି—ରୁଚି ବି ଅଛି । କିନ୍ତୁ ତାଙ୍କର ନାହିଁ ଗୋଟିଏ କଥା । ସେଇଟା ହେଲା ଚରିତ୍ର । ମନ ଦେଇ ପାଠ ପଢ଼ିଥିଲେ ଏଇ ମେଡ଼ିକାଲ କଲେଜରୁ ବିଦାୟ ନେଇ ସେ କେଉଁ ଦିନୁ ଡାକ୍ତରୀ ବ୍ୟବସାୟ ଆରମ୍ଭ କରିସାରନ୍ତେଣି-। କିନ୍ତୁ ଏଇ କଲେଜର ସୁନ୍ଦର ଆକର୍ଷଣୀୟ ପରିବେଶ ଭିତରେ ଶତ ଯୁବତୀର ଚିବୁକ ଧରି ଭ୍ରମୁଛନ୍ତି ସିଏ ଭ୍ରମର ପରି । ଚନ୍ଦ୍ରମାରେ ଏଇତକ କଳଙ୍କ ଅଛି । ତେଣୁ ବର୍ଷକର ପାଠକୁ ଦୁଇ ବର୍ଷରେ ସାରନ୍ତି । ଓଲିଆ ବଳଦ ଉଚ୍ଚ ଚାଳକୁ ମୁଁହ ବଢ଼ାଇଲା ପରି ସେ ରେଖାଦେବୀଙ୍କ ସହିତ କଥାବାର୍ତ୍ତା ହୋଇ ବଂଧୁତ୍ୱର ପରିବେଶ ସୃଷ୍ଟି କରିବା ପାଇଁ ବହୁତ ଚେଷ୍ଟା କରିଛନ୍ତି । କଥାବାର୍ତ୍ତା ଭିତରେ “ହଁ” ଓ “ନାହିଁ” କେବଳ ଏଇ ସଂକ୍ଷିପ୍ତ ଉତ୍ତର ସେ ପାଇଛନ୍ତି । ହାତ ତାଙ୍କର ପାଏନାହିଁ-। ରେଖାଦେବୀ ପଦ୍ମ ଘୁଞ୍ଚିଗଲା ପରି ତାଙ୍କଠାରୁ ଦୂରେଇ ରହନ୍ତି । ଆତ୍ମରକ୍ଷା ଓ ମାନମର୍ଯ୍ୟାଦା ରକ୍ଷାପାଇଁ ସେ ସୁରଜିତ୍ ବାବୁଙ୍କୁ ଦେଖିଲେ ବାଟ ଭାଙ୍ଗି ଦୂରରୁ ଫେରନ୍ତି ।

 

ଜୁନ୍ ମାସର ଅପରାହ୍ନ, ଭୀଷଣ ଗରମ ହେଉଥାଏ । କେବଳ ଇଲେଟ୍ରିକ୍ ଫ୍ୟାନ୍‍ଟା ପାଇଁ ରେଖାଦେବୀ ବଞ୍ଚିଯାଉଥିଲେ । ଦ୍ଵିପହରେ ଏତେ ଗରମ ଯେ ପଙ୍ଖା ଘୂରିଲେ ବି ଗରମ ପବନ ଆସୁଥାଏ । ନିଦ ବି ଭଲ ହେଲାନାହିଁ—କ୍ଲାସ ନଥିଲା । ଇଲେକ୍ଟ୍ରିକ୍ ପଙ୍ଖା ପରି ତାଙ୍କ ମନରେ କେବଳ ଗୁଡ଼ାଏ ଅନାବନା ଚିନ୍ତା ଘୁରି ବୁଲୁଥାଏ ଛଅଟା ବେଳକୁ ରେକ୍‍ସା ଖଣ୍ଡିଏ କରି ରେଖାଦେବୀ ବାହାରି ପଡ଼ିଲେ । ଆଜି ଅନୁ ସରୋଜ କାହାକୁ ସାଙ୍ଗରେ ନେଲେ ନାହିଁ । କାହା ଆଗରେ ତାଙ୍କର ଯିବାର ଉଦ୍ଦେଶ୍ୟ ଜଣାଇ ନ ଥାନ୍ତି ।

 

ରେକ୍‍ସା ଯାଇ ଶ୍ରୀରାମଚନ୍ଦ୍ର ଭବନରେ ପହଞ୍ଚିଲା ।

 

ଶିଳ୍ପୀ ଓ ତାଙ୍କର ବଂଧୁ ପ୍ରାୟ ପ୍ରଦର୍ଶନୀର ସବୁ ଆନୁସଙ୍ଗିକ ବ୍ୟବସ୍ଥା କରିସାରିଥାନ୍ତି । ଶିଳ୍ପୀଙ୍କୁ ଦେଖି ରେଖା ଜାଣି ପାରିଲେ ଯେ ଶିଳ୍ପୀ ଯେପରି ତାଙ୍କ ପାଇଁ ପ୍ରତୀକ୍ଷା କରିଛନ୍ତି ।

 

ନମସ୍କାର ସହ ମୃଦୁ ହସ ହସି ରେଖା ଦେବୀ ରେକ୍‍ସାରୁ ଓଲ୍ହାଇ ଆସିଲେ । ଜୀବନରେ ସେ ପ୍ରଥମ ଥର ପାଇଁ ଜଣେ ଅପରିଚିତ ରୁଚିବାନ ରୂପବାନ ଯୁବକଙ୍କ ସହିତ ଖୋଲାଭାବରେ ମିଶୁଛନ୍ତି । ପୂର୍ବର ସବୁ ଗତାନୁଗତିକ ପରଂପରା ତାଙ୍କୁ ଭଲ ଲାଗୁ ନଥାଏ । ଏଇ ଅବାଧ ଖୋଲା ମିଳାମିଶାରେ ସେ ଯେପରି ଏକ ଅପୂର୍ବ ଆନନ୍ଦ ଉପଲବ୍ଧି କରୁଥାନ୍ତି ।

 

ସମ୍ଭାଷଣ ଜଣାଇ ଶିଳ୍ପୀ ତାଙ୍କୁ ପାଛୋଟି ନେଲେ ।

 

ବିଶେଷ କିଛି କହିବାକୁ ନ ଦେଇ ରେଖା ଦେବୀ ପ୍ରସ୍ତାବ କଲେ ଯେ ଏଇ ମନୋରମ ସଂଧ୍ୟାକୁ ମୁକ୍ତାକାଶ ତଳେ ଉପଭୋଗ କଲେ ନିଶ୍ଚୟ ତାଙ୍କର ଶିଳ୍ପୀ ପ୍ରାଣରେ ପ୍ରେରଣା ଆସି ପାରିବ ।

 

ପ୍ରସ୍ତାବକୁ ରକ୍ଷା କରିବାକୁ ଶିଳ୍ପୀ ବାଧ୍ୟ ହେଲେ । କାରଣ ନାରୀର ପ୍ରାର୍ଥନା କେବେ ବିଫଳ ହୋଇ ନାହିଁ । ବଂଧୁଙ୍କଠାରୁ ଅନୁମତି ମାଗି ସେ ଗୋଟିଏ ରେକ୍‍ସାରେ ବସି ରେଖାଦେବୀଙ୍କ ରେକ୍‍ସାକୁ ଅନୁସରଣ କଲେ । କାଠଯୋଡ଼ି କୂଳରେ ରେକ୍‍ସା ଦୁଇଟି ସେମାନଙ୍କୁ ଛାଡ଼ି ବିଦାୟ ନେଲା ।

 

କାଠଯୋଡ଼ି ବାଲି ଉପରେ ଚାଲୁ ଚାଲୁ ରେଖା ଦେବୀ ପ୍ରଶ୍ନ କଲେ ଆପଣଙ୍କର କଟକରେ ସୋ ଦେବାର ଆଜକୁ ଚର୍ତୁଥ ଦିନ । ଓଡ଼ିଶାରୁ ଯେଉଁ ତିନି ଚାରୋଟି ଦୈନିକ ଖବର କାଗଜ ବାହାରେ କାଲି ସବୁଥିରେ ଆପଣଙ୍କର ଉଚ୍ଛ୍ୱସିତ ପ୍ରଶଂସାରେ ପଢ଼ିବାକୁ ପାଇଲି । କେବଳ ଏଇ ଅର୍ଥହୀନ ପ୍ରଶଂସାରେ ଆପଣ ସନ୍ତୁଷ୍ଟ ନା ବଞ୍ଚିବାପାଇଁ କିଛି ଅର୍ଥ ସଞ୍ଚୟ କରି ପାରିଛନ୍ତି ।

 

ବଞ୍ଚିବା କଥା କହିଲେ ଲୋକମାନେ ଆମ କଥା ବୁଝୁଥିଲେ ଶିଳ୍ପୀ ଗୁରୁ ବି.ବର୍ମା ପରି ଗୋଟାଏ ପ୍ରତିଭାଶାଳୀ ବ୍ୟକ୍ତି ଟୋପାଏ ଔଷଧ ଓ ମୁଠାଏ ଉପଯୁକ୍ତ ପଥ୍ୟ ବିନା ଅକାଳରେ ଝରି ପଡ଼ି ନଥାନ୍ତେ । ହାତ ପତାଇ ଓଡ଼ିଶାର ଜନସାଧାରଣଙ୍କୁ ଚିତ୍କାର କରି କଣ୍ଠ ଫଟାଇ ଏ ଖବର କାଗଜର ସଂପାଦକମାନେ ମାଗିଛନ୍ତି । କିନ୍ତୁ ଜନସାଧାରଣଙ୍କ ଭିତରୁ କେତେ ଜଣ ସେମାନଙ୍କର ନିବେଦନ ଶୁଣିଛନ୍ତି ? ସେଇ ପରି ଆମେ ରୋଜଗାର କରୁ ଓ ବଞ୍ଚୁ । ଦିନରାତି ଅନିଦ୍ରା ରହି ନିର୍ଜୀବ କାଗଜ ଉପରେ ତୁଳୀରେ ରଙ୍ଗ ବୋଳି ହସ ଫୁଟାଉ । ଆଉ କଳାର ସେବା କରି କେତେଟା ପରେ କଲିକ୍ ବେମାରୀକୁ ନିମନ୍ତ୍ରଣ କରି ଆଣୁ ।

 

ଆପଣ ସିନା ଶାରୀରିକ ରୁଗ୍‍ଣ ହୁଅନ୍ତି କିନ୍ତୁ ଆପଣମାନଙ୍କର ମନ ସଦାସର୍ବଦା ସବୁଜ ରହେ । ଦୁନିଆର ତିକ୍ତ ଅନୁଭୂତିରେ ଆପଣଙ୍କ ମନ ବୁଢ଼ା ହୋଇପାରେ ନାହିଁ । ଶିଳ୍ପୀମନ ନେଇ କେବଳ ନୂତନତ୍ଵ ସୃଷ୍ଟି କରି ଆପଣ ଅମର ହୋଇ ରହନ୍ତି । ଏଇ ବିପୁଳ ଦୁନିଆର ରସ, ଗନ୍ଧ ଓ ରୂପ ହିଁ କେବଳ ଆପଣଙ୍କୁ ପାଗଳ କରେ । ପ୍ରଳୟ ବନ୍ୟା ମେଘ କନ୍ୟାର କେରି କେରି କୁନ୍ତଳକୁ ଆପଣ ରୂପ ଦେଲା ବେଳେ ସରସ ଧରାର ଅତି ହିନିମାନୀ ଝିଅ ଘାସ ଫୁଲର କଥାକୁ ଆପଣ ଭୁଲି ପାରନ୍ତି ନାହିଁ । ସେଇ ପଥଧାରର ଶତପଦଦଳିତ ଘାସ ଫୁଲ ବି ଆପଣଙ୍କ ତୁଳୀରେ ରୂପ ନିଏ; ଜୀବନ୍ତ ହୁଏ ସୌନ୍ଦର୍ଯ୍ୟ ପାଇ । ଯାହା କହିଥିଲେ ଆପଣଙ୍କ ଶିଳ୍ପୀକୂଳ ପାଗଳ ବୋଲି ତା ସତ । କିନ୍ତୁ ସୌନ୍ଦର୍ଯ୍ୟରେ ଥରେ ଆତ୍ମହରା ହୋଇ ଉଠିଲେ ଆପଣଙ୍କର ସେଇ ଜିନିଷ ପ୍ରତି ମମତା ଆସିଯାଏ । ଆପଣମାନେ ତାକୁ ଭଲ ପାଇ ବସନ୍ତି ।

 

ଗୋଟାଏ ଜିନିଷକୁ ଭଲ ନପାଇଲେ ତା ପ୍ରତି ଆକର୍ଷଣ ଆସେନି କିମ୍ବା ମମତା ଜାଗି ଉଠେ ନାହିଁ ।

 

ଶିଳ୍ପୀଙ୍କର ଏପରି ଉତ୍ତରରେ ରେଖାଦେବୀ ଫେଁ କରି ହସି ଉଠିଲେ । ଆଶ୍ଚର୍ଯ୍ୟ ହୋଇ ଶିଳ୍ପୀ ରେଖା ଦେବୀଙ୍କ ମୁହଁକୁ ଚାହିଁ କହିଲେ—ହସିଲେ ଯେ ?

 

ଆପଣ ହସାଇଲେ —ମୁଁ ଆଉ ନହସି ରହିପାରନ୍ତି ।

 

—କ’ଣ କହୁଛନ୍ତି ମୁଁ କିଛି ବୁଝି ପାରୁ ନାହିଁ ।

 

—ଆପଣଙ୍କର ପରି ସବୁ କଳାକାରମାନେ ବୋଧ ହୁଏ ଭୋଳା ମହେଶ୍ଵର, ଯାହା କହନ୍ତି ତାକୁ ପରକ୍ଷଣରେ ପାଶୋରି ପକାନ୍ତି । ନାଟକୀୟ ଭଙ୍ଗୀରେ ରେଖାଦେବୀ କହିଲେ । ଆପଣ କହିଥିଲେ ନା, କେବଳ ଆପଣ ରୂପର ପୂଜାରୀ । ଏଇ ରକତ ମାଉଁସ ଦେହ ଭିତରେ ମନ ବୋଲି ଗୋଟାଏ ପଦାର୍ଥ ଅଛି ତା ସହିତ ଆପଣମାନଙ୍କର କୁଆଡ଼େ କୌଣସି ସଂବନ୍ଧ ନଥାଏ-। ନିର୍ଜୀବ ଗୋଲାପ, ଆଉ ପଳାଶର ରଙ୍ଗକୁ ଆପଣ ଭଲ ପାଇଲା ଭଳି ଆମ ପରି ଯୁବତୀମାନଙ୍କର ଲାବଣ୍ୟକୁ ହିଁ ଆପଣ ଆଦର କରନ୍ତି । ବର୍ତ୍ତମାନ ଆପଣ କହିଲେ ମନରେ ମମତା ନ ଆସିଲେ ଭଲ ପାଇ ହୁଏନାହିଁ, କିମ୍ବା ସେ ଜିନିଷ ପ୍ରତି ଆକର୍ଷଣ ବଢ଼େ ନାହିଁ-। ଗତ ଥରର ଉକ୍ତି ଓ ଆଜିର ଉକ୍ତି ଭିତରେ ମୁଁ କେଉଁଟାକୁ ଠିକ୍‍ ବୋଲି ଧରି ନେବି ?

 

ବାସ୍ତବିକ୍ ବଡ଼ ବୁଦ୍ଧିମତୀ ଆପଣ । ମୋରି ମୁହଁରେ ମୋରି ଭୁଲଟା ସ୍ଵୀକାର କରାଇ ନେଲେ । ଯେଉଁଟା ଚିରନ୍ତନ ସେଇଟାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ, ଏ ଦୁନିଆଁରେ ‘କିନ୍ତୁ’ ‘ତଥାପି’ ‘ଅଥଚ’ର ସ୍ଥାନ ବହୁତ । ସେଥିପାଇଁ ମଣିଷ ଭରସି କରି କିଛି କହିପାରେ ନାହିଁ । ତାର ଅନ୍ତର ତଳେ ଯେଉଁ ଅନୁଭୂତି ଜାଗିଉଠେ ତାକୁ ଓଠ ଫିଟାଇ ଭାଷାରେ ରୂପ ଦେବାକୁ ତାର ସାହସ ହୁଏ ନାହିଁ । ସେଥିପାଇଁ ସେ ‘କିନ୍ତୁ’ ‘ଅଥଚ’ର ଆଶ୍ରୟ ନିଏ । ଶ୍ଳୀଳତା ବା ଶିଷ୍ଟାଚାର ଦୃଷ୍ଟିରୁ ମନର କଥାକୁ ସେ କେବଳ ମନରେ ମାରି ଆଦର୍ଶର ଭାଗବତ ପଢ଼ିଚାଲେ ।

 

Unknown

ଯେପରି ଆପଣ ଏଇ କେତେଦିନ ହେବ ମୋ ନିକଟରେ ପଢ଼ି ଚାଲିଥିଲେ । ହସୁ ହସୁ ରେଖା ଦେବୀ କହିଲେ ।

 

ହସିହସି ଶିଳ୍ପୀ କହିଲେ, ଆଦର୍ଶ ଭାଗବତରୁ କେବଳ “ନମଇଁ ନୃସିଂହ ଚରଣ” ପଢ଼ିଥିଲି । ‘କହଇ ବିପ୍ର ଜଗନ୍ନାଥ’ ଆସିବାକୁ ବହୁତ ଡେରି ଥିଲା, କିନ୍ତୁ......

 

ମୋତେ ଏଇ ଅବ୍ୟୟ ଗୁଡ଼ାକ ଶୁଣିବାକୁ ଭଲ ଲାଗୁନାହିଁ । ଯାହା କହିବେ ତା କହି ଚାଲନ୍ତୁ । ମୁଁ ଶୁଣିବାକୁ ପ୍ରସ୍ତୁତ ଅଛି ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା ମୁଁ କେବଳ ଆପଣଙ୍କ କଥା ଭାବୁଛି । ଆପଣ ମୋ ନିକଟରେ ଏତେ ଖୋଲା ହୋଇ ପାରୁଛନ୍ତି କିନ୍ତୁ ମୁଁ ଆପଣଙ୍କ ସହିତ କଥା ହେବାକୁ ଯିବାବେଳେ ମୋର କଣ୍ଠ ଥରି ଉଠୁଛି । ସତେ ଯେପରି କଥା ଗୁଡ଼ାକ ଏଇ ତଣ୍ଟି ପାଖରେ ଆସି ଜମାଟ ବାନ୍ଧି ଯାଉଛି । ଆପଣଙ୍କ ପରି ଜଣେ ସ୍ପଷ୍ଟବାଦିନୀଙ୍କ ନିକଟକୁ ପତ୍ର ଦେବାକୁ ମୋର ସାହସ ହେଉନଥିଲା । ତାର କାରଣ ଆପଣ ହୁଏତ ମୋର ଦୁର୍ବଳତା ବୁଝି ମନରେ ମୋ ପ୍ରତି ଘୃଣା ଭାବ ଆଣିପାରନ୍ତି । ଭାବିଥିଲି, ଯଦି ଜୀବନରେ କେବେ ଦେଖାହେବ ଏବଂ ଆପଣ ମୋତେ ଚିହ୍ନି ପାରିବେ ତେବେ ସେତିକି ମୋ ପକ୍ଷରେ ଯଥେଷ୍ଟ ହେବ । ସେତିକରୁ ମୁଁ ସ୍ପଷ୍ଟ ଧରି ନେବି ଆପଣ ମୋତେ ଭୁଲି ନାହାଁନ୍ତି । ନାରୀ ପ୍ରତି ମମତା ପୁରୁଷର ବହୁଦିନୁ ରହି ଆସିଛି । ଗୋଟାଏ ନିର୍ଜ୍ଜନ ସୈକତ ବେଳାରେ ଆପଣଙ୍କ ସହିତ ମୋର ସାକ୍ଷାତ ଏବଂ ଆକସ୍ମିକ ଆଳାପ ହୁଏ, ଆପଣ ମୋତେ ଆଘାତ ଦେଇଛନ୍ତି । ନାରୀ ଭାବରେ ଅହଂକାର କିମ୍ବା ଭଦ୍ରତାର ନଖ ଦେଇ ମୋପରି ଗୋଟାଏ ଅଭାଗା ଶିଳ୍ପୀକୁ ଚିରି ବିଦାରି ଦେଇଛନ୍ତି । ତଥାପି ମୁଁ ସବୁ ସହିଛି, କାରଣ ମୁଁ ଆପଣଙ୍କୁ ସେତେବେଳେ ବିଶ୍ଳେଷଣ କରୁଥିଲି । ଭାବୁଥିଲି ଏଇ ସୁନ୍ଦର କେତକୀର ରୂପ ଦେଇ ଭଗବାନ ଯାହାକୁ ସୃଷ୍ଟି କଲେ ତାର ଭିତରେ କ’ଣ ଏଇ ଅହଂକାର ମନର କଣ୍ଠ ସୃଷ୍ଟି କରିଛନ୍ତି ? ପରକ୍ଷଣରେ ଭାବିଲି ଏଇ ପ୍ରକାର ରୂପର ନିଆଁ ନେଇ ଯେ ଖେଳିଥିବ ସେ ପୋଡ଼ି ହୋଇଥିବ । ମନ ତାର କୁହୁଳୁ ଥିବ । ତେଣୁ ମୁଁ କହୁଥିଲି ରୂପର ଦର୍ଶନ ମୋର କାମ୍ୟ ଥିଲା । ତା ମୁଁ ପାଇଛି । ମନ ତ ମୋର ଦରକାର ନଥିଲା । ସେଥିପାଇଁ ଅନୁତାପ କରିବି କାହିଁକି ? ଗୋଟାଏ ଜିନିଷକୁ ପାଇବାର ଆଶାକରି ନପାଇଲେ ମନରେ ଯେତିକି ଦୁଃଖ ହୁଏ ତାହା ଅଳ୍ପେ ବହୁତେ ସମୟେ ଦୁନିଆଁରେ ଜାଣିଛନ୍ତି । ତେଣୁ ମୋର ଏଇ ମନଟାକୁ ଆଉ ଡହଳ ବିକଳ କରିବାକୁ ଇଚ୍ଛା ହେଲା ନାହିଁ ।

 

ତା ପରେ ?

 

ଆପଣଙ୍କର ସହିତ ମିଶିବାର ସୁଯୋଗ ପୁଣି ଭଗବାନ ଦେଲେ । କେତେଟା ମୁହୂର୍ତ୍ତ ଯାହା ମିଶିଲି ସେଥିରେ ଦେଖିଲେ ଯେ ଏଇ ଅହଂ ମନରେ କଣ୍ଟାର ଜ୍ୱାଳା ସହି ପାରିଲେ କେତକୀ ଫୁଲ ନିକଟକୁ ଯାଇହେବ । ତା ଭିତରେ ଯେଉଁ ମହକ ଅଛି ତାକୁ ଉପଭୋଗ କରିହେବ । ନଚେତ୍ ଏଇ ମଣିଷ ବୁଦା ଭିତରେ ଆପଣଙ୍କ ପରି କେତକୀ ଫୁଲର ସାନ୍ନିଧ୍ୟ ଲାଭ କରିବା ଦୁଃସାଧ୍ୟ ।

 

ଯୁକ୍ତି ପାଇଁ ଅବଶ୍ୟ କହୁଛି । ଜୀବନ ପଥରେ ଆପଣ ବହୁତ ରୂପସୀ ଦେଖିଥିବେ । ସେମାନଙ୍କର ରୂପଦେଖି ଆତ୍ମହରା ହୋଇ ଉଠିଥିବେ । ସମସ୍ତଙ୍କୁ ଆପଣାର କରିବାକୁ ଇଛାବି କରିଥିବେ । ରେଖା ଦେବୀ ଏକ ପ୍ରଶ୍ନ ବାଣ୍ୟଟି ହାଣିଲେ ।

 

ବାଣଟି ଆସି ଅବଶ୍ୟ ଶିଳ୍ପୀଙ୍କ ମନରେ ଖୁବ୍ ଜୋରରେ ଗଳିଗଲା । କି ପ୍ରକାର ଉତ୍ତର ଏଇ ପ୍ରଶ୍ନର ଦେଇ ହେବ ଭାବି ଶିଳ୍ପୀ ବିଚଳିତ ହୋଇ ପଡ଼ିଲେ । ଏଇ ପ୍ରତ୍ୟୁତ୍ପନ୍ନମତୀ ତରୁଣୀଟି ନିକଟରେ ନିଶ୍ଚୟ ତାଙ୍କର ଯୁକ୍ତି ପରାସ୍ତ ମାନିନେବ । ସବୁ ଦୁର୍ବଳତା ସେ ଜାଣିପାରିଲେଣି । ହଠାତ୍ ଶିଳ୍ପୀ କହି ଉଠିଲେ, ଗଛରେ ବହୁତ କଢ଼ ହୁଏ । ସବୁ କଢ଼ କ’ଣ ଫୁଲ ହୁଏ ? ଯେଉଁ କେତେଟା ଫୁଲ ଅବା ପ୍ରସ୍ଫୁଟିତ ହୋଇ ମହକ ବିତରଣ କରନ୍ତି ସେଥିରୁ କ’ଣ ସବୁ ଫୁଲ ଦେବତାର ମସ୍ତକକୁ ଯିବାର ସୁଯୋଗ ପାଆନ୍ତି ?

 

ମନେ ମନେ ଆମୋଦିତା ହୋଇ ଉଠିଲେ ରେଖା ଦେବୀ ।

 

ଆକାଶରେ ଚନ୍ଦ୍ର କେତେବେଳୁ ତାର ଲୁଚକାଳି ଖେଳ ଆରମ୍ଭ କରି ଦେଲାଣି । ରେଖା ଦେବୀ ସେ ପର୍ଯ୍ୟନ୍ତ ନିଜର ରିଷ୍ଟଓ୍ୟାଚ୍‍ଟାକୁ ଦେଖି ନ ଥିଲେ । ଦୃଷ୍ଟି ପଡ଼ିବା ମାତ୍ରେ ଦେଖିଲେ ରାତି ଆଠଟା ବାଜିବାକୁ ଅଳ୍ପ କେତେ ମିନିଟ୍ ଅଛି ବୋଲି ଘଣ୍ଟା କଣ୍ଟା ଦୁଇଟି ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।

 

ରେଖା ଦେବୀ କହିଲେ, ଆପଣ ବର୍ତ୍ତମାନ ବ୍ୟବସାୟୀ ହୋଇଛନ୍ତି । ଅନେକ ମୂଲ୍ୟବାନ ସମୟ ଆପଣଙ୍କର ନଷ୍ଟ କଲିଣି । ସେଥିପାଇଁ ଆପଣ ମୋ ଉପରେ ଦୁଃଖ କରୁଥିବେ-। ପୁନଶ୍ଚ ଆପଣଙ୍କ ବଂଧୁ ଆପଣଙ୍କୁ ଅପେକ୍ଷା କରି ଏକାକୀ ହଇରାଣ ହେଉଥିବେ-

 

ସମୟ ମୂଲ୍ୟବାନ୍ ନିଶ୍ଚୟ; କିନ୍ତୁ ବର୍ତ୍ତମାନ ଆପଣଙ୍କ ସାନ୍ନିଧ୍ୟରେ ଯେଉଁ କଥାବାର୍ତ୍ତା ହେଉଛେ ଏ ଆଲୋଚନା ପାଇଁ ଏ ସମୟ ନଷ୍ଟ ହେଉନାହିଁ । ବରଂ ଆହୁରି ମୂଲ୍ୟବାନ ହୋଇ ଉଠିଛି । ଆମ ଦୁଇ ବଂଧୁଙ୍କ ଭିତରେ ଭଲ ବୁଝାମଣା ଅଛି । ତେଣୁ ମୋର ବଂଧୁଟି ମୋର ଅନୁପସ୍ଥିତିରେ ସବୁ କାମ କରି ନେଉଥିବ । ମୁଁ ଭାବୁଥିଲି ଏତେ ରାତିରେ ହଷ୍ଟେଲକୁ ଫେରିବାରେ ନିଶ୍ଚୟ ଆପଣଙ୍କର ଅସୁବିଧା ହେବ । ଚାଲନ୍ତୁ ଯିବା କହି ଶିଳ୍ପୀ ଯିବାକୁ ଉପକ୍ରମ କଲେ ।

 

ଆସୁ ଆସୁ ରେଖାଦେବୀ କହିଲେ, କଣ କାଲି ସୋ’ର ଶେଷ ରାତ୍ର ?

 

ଆଜି ଶେଷ ରାତ୍ର ଅଛି । ତାପରେ କାଲି ଦୁଇବଂଧୁ ଏଇ କଟକ ମହାନଗରୀରୁ ବିଦାୟ ନେବୁ ।

 

ପୁଣି କିପରି କେବେ ସାକ୍ଷାତ୍ ହେବ ?

 

ଭଗବାନ୍‍ଙ୍କ ଅସୀମ କୃପା ଥିଲେ ନିଶ୍ଚୟ ସାକ୍ଷାତ୍ ହେବ । ଆପାତତଃ ବର୍ତ୍ତମାନ କେତେ ଦିନ ମୁଁ ଗାଁରେ ରହିବି । ତାର ପରେ କର୍ମ୍ମପନ୍ଥା ନିର୍ଦ୍ଧାରିତ ହେଲେ ଚାଲିଯାଇପରେ, ତେଣୁ ଏ ଭିତରେ ସାକ୍ଷାତ୍ ହୋଇପାରେ । ଆପଣଙ୍କ ନିକଟରେ ମୁଁ ଆପଣଙ୍କ ପରି ଖୋଲା ହେବାକୁ ଚେଷ୍ଟା କରୁଛି । ତାର କାରଣ ମନରେ ମୋର ଆବିଳତା ନାହିଁ । ତେଣୁ ପୁଣି କହୁଛି, ଚିଠି ଦେବା ପାଇଁ ମୁଁ ସେଦିନ ଆପଣଙ୍କର ନାମ ଜାଣିବାକୁ ଚାହିଁ ନ ଥିଲି । କେବଳ ଆପଣଙ୍କର ନାମଟା ଜାଣିବାର ଦରକାର ଥିଲା । ଆପଣ ଓ ମୋ ଭିତରେ ପତ୍ରର ଆଦାନ ପ୍ରଦାନକୁ ମୁଁ ବିଶେଷ ପସନ୍ଦ କରୁନଥିଲି । ତହିଁରେ ଆମେ ସମୟ ନଷ୍ଟ କରିବା ସଙ୍ଗେ ସଙ୍ଗେ ଅପର ଦୃଷ୍ଟିରେ ସମାଲୋଚନାର ପାତ୍ର ହୋଇଥାନ୍ତେ ।

 

ରେଖା ଦେବୀ ଭାବିଲେ, ଶିଳ୍ପୀ ପ୍ରକୃତରେ ଗୋଟାଏ ବିରାଟ ସତ୍ୟ କଥା ପ୍ରକାଶ କଲେ ।

 

ରାମଚନ୍ଦ୍ର ଭବନ ନିକଟରେ ପହଞ୍ଚି ଶିଳ୍ପୀ ବିଦାୟ ନେଇ ଗଲାବେଳେ ରେଖା ଦେବୀ କହିଲେ—ଆପଣ କ’ଣ ମୋ ନିକଟରେ ଶିଳ୍ପୀ ହୋଇ ରହିଯିବେ ? ଆପଣଙ୍କର ନାମଟା ଜାଣିବା କ’ଣ ମୋର ଉଚିତ ହେବ ନାହିଁ ?

 

—ବର୍ତ୍ତମାନ ବିଶେଷ ଆବଶ୍ୟକ ବୋଲି ଭାବୁଥିଲେ ନିଶ୍ଚୟ କହିଥାନ୍ତି । ତେବେ ଶିଳ୍ପୀ ବୋଲି ଜାଣିରଖିଲେ ଚାଳିବ । ହସୁ ହସୁ ଶିଳ୍ପୀ କହିଲେ ।

 

ରେଖା ଦେବୀ ହସୁଥିଲେ—

 

ଫାଇନାଲ ଏମ୍.ବି.ବି.ଏସ. ପରେ ଏକ ବର୍ଷ ହାଉସ୍ ସର୍ଜନସିପ୍‍ ସାରି ପାଟନାରୁ ସଂଗ୍ରାମ ଫେରି ଆସିଥାଏ ।

 

କଟକରେ ପ୍ରଫେସର ମିସ୍‍ ପଟ୍ଟନାୟକଙ୍କର ନୀରସ କର୍ମ୍ମକ୍ଳାନ୍ତ ଜୀବନାକୁ ସଂଗ୍ରାମର ଉପସ୍ଥିତି ଟିକେ ସରସ କରି ତୋଳିଥାଏ । ନିଃସଙ୍ଗ ଜୀବନରେ ସଂଗ୍ରାମର ଚଞ୍ଚଳତା ଡକ୍ଟର ସିସ୍ ପଟ୍ଟନାୟକଙ୍କ ଜୀବନରେ ଟିକେ ପରିବର୍ତ୍ତନ ଆଣି ଦେଇଥାଏ । ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ, ଏଥର ପଢ଼ା ପରେ ଯଦି ସଂଗ୍ରାମ ତାଙ୍କରି ପାଖରେ ରହନ୍ତା, ହୁଏତ ତାଙ୍କୁ ଅନେକଗୁଡ଼ାଏ । ଅନାବନା ଚିନ୍ତାରୁ ତ୍ରାହି ମିଳନ୍ତା । ଅତୀତକୁ ସେ ପୂରାପୂରି ଭୁଲିଯାଆନ୍ତେ ।

 

ଫାଷ୍ଟ ସୋ ସିନେମାରୁ ଫେରି ସଂଗ୍ରାମ ସେଦିନ ଆସି ପହଞ୍ଚିଲା । ଗ୍ୟାରେଜରେ ଗାଡ଼ିଟାକୁ ଭର୍ତ୍ତି କରିଦେଇ ଡକ୍ଟର ମିସ୍ ପଟ୍ଟନାୟକଙ୍କ ନିକଟରେ ବଗିଚାରେ ଖଣ୍ଟିଏ ଚୌକି ଭିଡ଼ି ଆଣି ବସିପଡ଼ି ଆରମ୍ଭ କଲା—ମମି ! ମୁଁ ଏଥର ପୋଷ୍ଟ ଗ୍ରାଜୁଏଟ କେଉଁଠି କରିବି ?

 

ମୋ ମତରେ ଆମ ଭାରତବର୍ଷରେ କଲେ ମନ୍ଦ ହୁଅନ୍ତା ନାହିଁ । ତାପରେ ତତେ ବେଶୀ ଦିନ ଦୂରରେ ରଖିବାକୁ ମୋତେ ଭଲ ଲାଗୁ ନାହିଁ ।

 

ଏତେଟା ଦୁର୍ବଳତା କ’ଣ ତୁମ ପକ୍ଷରେ ଶୋଭା ପାଏ ମାମି ! ତୁମେ ଜଣେ ସୁନାମଧନ୍ୟ ପ୍ରଫେସର । ତୁମେ କ’ଣ ଚାହଁ ତୁମରି ପୁଅ ଏତିକି ଯୋଗ୍ୟତାରେ ଏଇ ଓଡ଼ିଶାରେ କେଉଁ ଅଖ୍ୟାତ ପ୍ରାଇମେରୀ ହେଲ୍‌ଥ ସେଣ୍ଟର ଦାୟିତ୍ଵରେ ରହି ମିଡ଼ୱାଇଫ୍‌ମାନଙ୍କ ଗୁଣ୍ଡଦୁଧବଣ୍ଟନର ହିସାବ ଦେଖିବ ! କାଛୁ କୁଣ୍ଡିଆ ପାଇଁ ସଲ୍‌ଫର ମଲମ ଓ ଝାଡ଼ାବାନ୍ତି ପାଇଁ ସଲ୍‌ଫାଗୁଆନାଡ଼ାଇନ୍‌ ଲେଖିବା ବ୍ୟତୀତ ସର୍ଜ୍ଜରୀ କ’ଣ ଜାଣିବ ? ହଁ ବଥ, ଆବୁ କାଟିବ—ନଚେତ୍‌ ବୁଢ଼ାବୁଢ଼ୀଙ୍କ ମାଢ଼ିରୁ ହଲିଲା ଦାନ୍ତ ଓପାଡ଼ିବ; କିନ୍ତୁ ମୁଁ କ’ଣ ଚାହେ ମାମି, ଜାଣିଛ ? ମୁଁ ଚାହେଁ ମୋ ମାମିଠାରୁ ଆହୁରି ନାଁ କରିବି, ଯେପରି ଲୋକମାନେ କହିବେ ପ୍ରଫେସର ପଟ୍ଟନାୟକଙ୍କ ପୁଅ ହିସାବରେ ସଂଗ୍ରାମ ସାର୍ଥକତା ରହିଯାଇଛି ।

 

ନିରୁତ୍ତର ହୋଇ ପ୍ରଫେସର ମିସ୍‌ ପଟ୍ଟନାୟକ ଶୁଣୁଥିଲେ । ସଂଗ୍ରାମ, ତାଙ୍କରି ପୁଅ, ଭିକ୍ଷା ମାଗୁ ନାହିଁ ବରଂ ଦାବୀ କରୁଛି । ପୁଅ ଭାବରେ ସମସ୍ତ ସ୍ନେହ, ସହାନୁଭୂତି ପାଇଆସିଛି । ସେଥିପାଇଁ କହୁଛି ଆହୁରି ପଢ଼ିବ । ଆହୁରି ନା କରିବ । ମନେ ମନେ ଭାବିଲେ ପଢ଼ୁ । ଏଇ ଯେଉଁ ବ୍ୟାଙ୍କ ବାଲାନ୍‌ସ ଅଛି ତାର ଉତ୍ତରାଧିକାରୀ କିଏ ହେବ ? ଏଇ ସଂଗ୍ରାମ ତ ? ତାରି ପାଇଁ ସଞ୍ଚିଥିଲେ । ତେଣୁ ପଇସା ନେଇ ସେ ମଣିଷ ହେଉ । ଏ ଟଙ୍କାଗୁଡ଼ାକ କ’ଣ ତାଙ୍କୁ ମାମି ବୋଲି ଭାବିବେ ? ଭକ୍ତି କରିବେ ? ସ୍ନେହରେ ଗଳାରେ ଓହଳିପଡ଼ି ମୁହଁରେ ବୋକ ଦେଇ କହିଉଠିବେ ମୋ ମାମି ବଡ଼ ଭଲ ?

 

ନୀରବତାକୁ ଭାଙ୍ଗି ସଂଗ୍ରାମ କହିଉଠିଲେ—କ’ଣ ଭାବୁଛ ମାମି ! ଅର୍ଥାଭାବ କଥା ଭାବୁଥିଲେ ମୁଁ କହିବି loan stipend (ଋଣ ବୃତ୍ତି) ପାଇଁ ଦରଖାସ୍ତ କରିବା । ଯଦି ମିଳିଯାଏ, ତେବେ ଚିନ୍ତା କରିବାର କିଛି ନାହିଁ । ମୋର ଯେପରି ମନେହୁଏ, ମୋତେ ବୃତ୍ତି ମିଳିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ।

 

ଗୋଟାଏ ଦୀର୍ଘନିଶ୍ଵାସ ଟାଣି ପ୍ରଫେସର ମିସ୍ ପଟ୍ଟନାୟକ କହିଲେ—ଦୁଃଖ ଲାଗିଲା ସଂଗ୍ରାମ, ତୁ ଏପର୍ଯ୍ୟନ୍ତ ତୋର ମାମିକୁ ଚିହ୍ନି ପାରିଲୁ ନାହିଁ । ତୋ ମାମି କ’ଣ ଏପର୍ଯ୍ୟନ୍ତ ତୋତେ ପଢ଼ାଇ ଆଣିବାରେ କେବେ ସରକାର କିମ୍ବା ଅନ୍ୟ କାହା ପାଖରେ ହାତପାତି ଠିଆହୋଇଛି ? କେବେ ତୋର କୌଣସି ଅଭାବ ଅପୂରଣ ହୋଇ ରହିଯାଇଛି ? ମୁଁ ଏଇ ଟଙ୍କା କଥା ଭାବୁନି । ସରକାରଙ୍କଠାରୁ ଋଣ ସ୍ଵରୁପ ବୃତ୍ତି ପାଇ ପାଠ ପଢ଼ିଲେ ଏକ ପ୍ରକାରର ଦାସତ୍ଵ ସ୍ଵୀକାର କଲା ଭଳି ହେବ । ପାଶ୍ କରି ଆସିଲା ପରେ ଏଇ ସରକାର ତଳେ ଚାକିରୀ କରିବାକୁ ବାଧ୍ୟ ବୋଲି ହାତ କାଟି ଲେଖିଦେବାକୁ ହେବ । ତା ଅପେକ୍ଷା ନିଜ ହାତରୁ ଖର୍ଚ୍ଚ କରି ପାଠ ପଢ଼ିଲେ ମଣିଷର ସ୍ଵାଧୀନତା ରହିବ । ତୁ ଲଣ୍ଡନ ନ ଯାଇ ଯଦି ଭାରତବର୍ଷର ପାଟନା, କଲିକତା କିମ୍ବା ମାନ୍ଦ୍ରାଜରେ ପୋଷ୍ଟ ଗ୍ରାଜୁଏଟ କଲେ କିପରି ହୁଅନ୍ତା ?

 

—ମୋ ଅପେକ୍ଷା ମାମି, ତୁମର ଧାରଣା ଯଥେଷ୍ଟ ଭଲ । କାରଣ ଭାରତୀୟ ମେଡ଼ିକାଲ କଲେଜ ଭିତରୁ କେତେଟାକୁ ତୁମେ ପରୀକ୍ଷକ ହିସାବରେ ଯାଇଛ । ପିଲାଙ୍କୁ ପରୀକ୍ଷା କରି ସେମାନଙ୍କର ପଢ଼ା ପାଠର ଓଜନ ମାପିଛ । ନିଜେ ମଧ୍ୟ ବିଦେଶରେ ଯାଇ ପାଠ ପଢ଼ି ଆସିଛ ନିଜେ ତୁଳନା କର କେଉଁଠି ମଣିଷ ଶିଖିପାରେ ? କେଉଁଠି ଜ୍ଞାନର ପରିପକ୍ଵତା ଆସେ ? ବିଲାତରେ F. R. C. S. (ଏଫ୍, ଆର, ସି, ଏସ) ଡିଗ୍ରୀ ସଙ୍ଗେ ଏଠାକାର M. S (ଏମ୍.ଏସ୍.) ଡିଗ୍ରୀର ମୂଲ୍ୟ ଚାକିରୀ କ୍ଷେତ୍ରରେ ସମାନ ହୋଇପାରେ; କିନ୍ତୁ......

 

—ତା ଅବଶ୍ୟ ମୁଁ ମାନୁଛି । ତେବେ କୁନା, ମୁଁ କ’ଣ କହୁଥିଲି କି ମୋର ସ୍ଵାସ୍ଥ୍ୟ ଆଜିକାଲି ପ୍ରାୟ ଭଲ ରହୁନାହିଁ । ଜୀବନରୁ ଅର୍ଦ୍ଧାଧିକ ସମୟ ଏଇ ଆୟାଟା ସଙ୍ଗେ କଟିଗଲା । ତଥାପି ଆଜିକାଲି ମୋତେ କିପରି ନିଃସଙ୍ଗ ଲାଗୁଛି । ମୁଁ କ’ଣ କହୁଥିଲି କି ଯଦି ତୋର ବିବାହଟା ବିଲାତ ଯିବା ପୂର୍ବରୁ ହୋଇପାରନ୍ତା, ତେବେ...

 

ହସି ହସି ସଂଗ୍ରାମ କହିଲା—ତୁମେ ମାମି କିପରି ଗୋଟାଏ ରକ୍ଷଣଶୀଳ ମା’ର ମନୋବୃତ୍ତି ନେଇ ଆଜି ଏ କଥା କହିଲ । ବୋହୂଟା ତୁମର ବିଶେଷ ଦରକାର ଥିଲା ପରି ତୁମ କଥାରୁ ଜଣା ପଡ଼ୁଛି । ତାପରେ ଆଜିକାଲି ମାମି କେତେବେଳେ କ’ଣ ହେଉଛି କିଏ କହିପାରିବ ? ଶୁଣିଲ କେବଳ ଝଡ଼ ଝଞ୍ଜାରେ ପଶ୍ଚିମ-ବଙ୍ଗରେ ପଚାଶ ହଜାର ଲୋକ ପ୍ରାଣ ହରାଇଲେ, କ୍ୱେଟାରେ ଭୂମିକମ୍ପ, ଚାରିଆଡ଼େ ଯୁଦ୍ଧର ପ୍ରଳୟ ଝଞ୍ଜାରେ କେତେ ଜୀବନ ଟଳିପଡ଼ୁଛନ୍ତି; ସେଥିରେ ଏତେ ଆଗରୁ ବାହା ହୋଇ ଲାଭ କ’ଣ ? ଆଚ୍ଛା ମାମି, ତୁମ ପୁଅକୁ କ’ଣ ବାହା ହେବାକୁ କନ୍ୟା ମିଳିବ ନାହିଁ ?

 

ହସିଉଠିଲେ ରେଖା ଦେବୀ । କହିଲେ—ମୋ କୁନା ଗୋଡ଼ ତଳକୁ କେତେ କନ୍ୟା ଆସିବେ । ଆଚ୍ଛା, ତୁ ବିବାହ ହୋଇଗଲେ—

 

—ଓହୋ ! ତୁମର ତୁମ କୁନାଠାରେ ତେବେ ମାମି ସନ୍ଦେହ ହେଉଛି । କାଳେ ପୁଅ ଗୋଟାଏ ଇଂରାଜୀ ତରୁଣୀକୁ ବୋହୂକରି ଆଣିବ । ଏଇ ଆଶଙ୍କା ତ ? ମୁଁ ଏତିକି କହିପାରିବି ଯେ ସଂଗ୍ରାମ ଯଦି ପ୍ରକୃତ ପୁଅ ହୋଇଥିବ ତେବେ, ସେ କେବେ ଅପଥକୁ ଯିବ ନାହିଁ । ତେଣୁ ତା ଗୋଡ଼ରେ ଏଇ ଦିନୁ ଗୋଟାଏ ଶାଙ୍କୁଳି କାହିଁକି ବାନ୍ଧୁଛ ?

 

ଶେଷ କଥା ପଦକରେ ପ୍ରଫେସର ମିସ୍ ପଟ୍ଟନାୟକ ଚମକି ଉଠିଲେ । କୁନା କହୁଛି, ପ୍ରକୃତିରେ ସେ ଯଦି ତାଙ୍କର ପୁଅ ତେବେ ତାଙ୍କର ତା’ଠାରେ ଭରସା ରଖିବା କଥା । ପ୍ରକୃତ ପୁଅ-! ତେବେ କ’ଣ ସଂଗ୍ରାମ ଜାଣି ପାରିଲାଣି ତାର ଜନ୍ମର ଇତିହାସ । କେଉଁ ବନ୍ଧୁଠାରୁ କିମ୍ବା ଅନ୍ୟ କେଉଁ ପ୍ରତ୍ୟକ୍ଷଦର୍ଶୀଠାରୁ କ’ଣ ଖବର ନେଇସାରିଛି ଯେ ସେ ତାଙ୍କର ପୁଅ ନୁହେଁ ! ଯଦି ସେ ଜାଣି ପାରିଥାଏ ଯେ ଏଇ ପବିତ୍ର ପଟ୍ଟନାୟକ ବଂଶର ରକ୍ତରୁ ତାର ଉତ୍ପତ୍ତି ହୋଇ ନାହିଁ, ତେବେ କ’ଣ ଗୋତ୍ର ସୁମରି କୁଆବସାରୁ କୋଇଲି ଉଡ଼ିଯିବ ! କାହିଁକି ତାଙ୍କର ପୁଅ ହେବାରେ ପ୍ରକୃତ ଆଉ ଅପ୍ରକୃତରେ ପ୍ରଶ୍ନ ଉଠୁଛି ! ଦିନେ ତ ସଂଗ୍ରାମକୁ ଆଦର ସ୍ନେହରେ ଉଣା କରି ନାହାନ୍ତି । ଜନ୍ମ କଲା ଜନନୀ ହୁଏତ ଆଉ କେତେ ଅଧିକା ଆଦର ସ୍ନେହ ସେମାନଙ୍କର ସନ୍ତାନ ପ୍ରତି କରିପାରୁ ଥାଆନ୍ତି ତାଙ୍କୁ ଜଣା ନାହିଁ । କିନ୍ତୁ ସେତ କୌଣସି ଦିନ ଛୁଟି କରିନାହାନ୍ତି । ହୃଦୟର ସମସ୍ତ ସ୍ନେହକୁ ଚିପୁଡ଼ି ସେ ଭଲ ପାଇଛନ୍ତି କୁନାକୁ । କୁନାର ସ୍ନେହରେ ଅଂଶୀଦାର ହେବାକୁ ଏ ପରିବାର ଭିତରେ ତ କେହିନଥିଲେ ।

 

ଆୟା ଆସି ତାଙ୍କର ଭାବନାର ବାଧା ଦେଲା । ଡାକିଲା—ଆସ ଦୁହେଁ ଖାଇବ ।

 

ଖାଇବା ଟେବୁଲ ନିକଟକୁ ଯିବା ସମୟରେ ପ୍ରଫେସର ମିସ୍ ପଟ୍ଟନାୟକ କହିଲେ—ଆୟା ! ତୋ କୁନା ବାବୁ ବିଲାତ ଯାଉଛନ୍ତି ପଢ଼ିବାକୁ । ତୁ କ’ଣ କହୁଛୁ ?

 

ମୁଁ କ’ଣ କହିବି ? ତୁମ ପୁଅ ! ତୁମେ ସିନା ଯାହା କହିବ, ତୁମେ କେତେ ପାଠ ପଢ଼ିଛ, ତୁମ ପୁଅ ଆଗ ତୁମ ପାଠତକ ପଢ଼ିସାରୁ । ପିଲାଲୋକ ପାଠ ନ ପଢ଼ି କ’ଣ ଏଇଦିନୁ ଚାକିରୀ କରି ତୁମକୁ ପୋଷିବ !

 

ମୁହଁରେ ହସର ଫଲ୍ଗୁ ସୃଷ୍ଟିକରି ପ୍ରଫେସର ମିସ୍ ପଟ୍ଟନାୟକ କହିଲେ—ନାଇଁ, ମୋତେ ପୋଷିବାକୁ ମୁଁ କହୁନାହିଁ, ତୋତେ ପୋଷୁ । ତୋ ଇଚ୍ଛା ଆଉ ତୋ କୁନା ବାବୁଙ୍କ ଇଚ୍ଛାରେ ବାଧା ଦେବି ମୁଁ କାହିଁକି ? କୁନା ବାବୁ ପଢ଼ିବାକୁ ଯିବେ ।

 

ଉଠିପଡ଼ି ସଂଗ୍ରାମ କହିଲା—ଆୟା, ମାମିକୁ ଦୁଇଟା ବଡ଼ ରସଗୋଲା ଦେ ।

 

ହସି ହସି ଆୟା କହିଲା—ସତେ କି ତୁମ ଅର୍ଜ୍ଜନ.....

 

ସଂଗ୍ରାମ କୃତିତ୍ଵର ସହିତ ପାଟନା ବିଶ୍ଵବିଦ୍ୟାଳୟରୁ ସର୍ଜ୍ଜରୀରେ ଅନର୍ସ ରଖି ପାଶ୍ କରିଛି । ବିଲାତ ପଢ଼ିବାକୁ ଯିବାର ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିଲା । ଆଜି ସଂଗ୍ରାମକୁ କଟକ ଷ୍ଟେସନରେ ଗାଡ଼ି ଚଢ଼ାଇ ଫେରିଆସିଲେ ମିସ୍ ପଟ୍ଟନାୟକ । ଆଖି ତାଙ୍କର ଲୁହରେ ଛଳଛଳ ହୋଇ ଉଠୁଥାଏ । ହୃଦୟରୁ କୋହ ଉଠୁଥାଏ । ମମତାର ବନ୍ଧନର ବିଚ୍ଛେଦ ଯେ କି ମର୍ମ୍ମନ୍ତୁଦ, ତା ସେ ଅନୁଭବ କରୁଥିଲେ । ମନେ ମନେ ଭାବୁଥିଲେ ପ୍ରତି ଛୁଟିରେ ପିଲାଟା ଆସୁଥିଲା । ଧୁମ୍‍ଧାମ୍ କରି ଚାଲି ଯାଉଥିଲା । ବିହାର କିଏ ? ଓଡ଼ିଶା କିଏ ? କେତେ ବା ଦୂର ? କେବଳ ପୁରାତନ ବିଶ୍ୱବିଦ୍ୟାଳୟର କଲେଜ ହିସାବରେ ସେ ପାଟନାରେ ସଂଗ୍ରାମକୁ ପଢ଼ାଇଲେ, ନଚେତ୍ ପାଖରୁ ପିଲାଟାକୁ ଦୂର କରିବାକୁ ସେ ଚାହୁଁ ନ ଥିଲେ ପାଟନାରେ ଥିଲାବେଳେ ପଡ଼ିଶା ଘରେ ରହିଲା ପରି ଲାଗୁଥିଲା । ତାର ସେ ସମସ୍ତ ପ୍ରକାର ଖବର ରଖୁଥିଲେ, ଏବେ ସାତ ସମୁଦ୍ର ତେର ନଈ ପାର ହୋଇ ବିଲାତ ଗଲା ।

 

ବନ୍ଧ୍ୟା ଜୀବନରେ ଏ ଯେଉଁ ମମତା ସେ ସଂଗ୍ରାମ ପାଖରେ ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ତୁହାଇ ହୋଇ ଗୁମୁରି ଗୁମୁରି କାନ୍ଦି ଉଠୁଥିଲେ ।

 

ଆୟା ଆସିଲା, ବୈଠକ୍ ରୁମ୍ ରେ ଚାହା ଦେଇଗଲା ।

 

ସକାଳୁ ପ୍ରଫେସର ମିସ୍ ପଟ୍ଟନାୟକ କଲେଜ ଯାଇଥିଲେ, ତାପରେ ଆସି ସଂଗ୍ରାମକୁ ନେଇ ଷ୍ଟେସନ ଗଲେ । ସେଦିନର ଡାକଗୁଡ଼ାକ ଦେଖି ନ ଥିଲେ । ଆୟାକୁ ପଚାରିଲେ—କ’ଣ ଚିଠି ଅଛି କି ଆୟା ?

 

ଚିଠି ଓ ଖବର କାଗଜଗୁଡ଼ାକ ଆୟା ଆଣି ଦେଇଗଲା । ସବୁ ଚିଠିଗୁଡ଼ାକ ଫିଟାଇ ପଢ଼ୁ ପଢ଼ୁ ଖଣ୍ଡିଏ ଚିଠି ଦେଖି ଚମକି ଉଠିଲେ । ନିରୁ ଲେଖିଛି । କେଉଁ ସ୍ଵପ୍ନର ଅତୀତକୁ ଉଖାରି ସେ କହିବସିଛି—ହଠାତ୍ ତୁ ଭାବିବୁ କାହିଁକି ଏ ଚିଠି ? ଅନେକ ଦିନୁ ତୋ ପାଖକୁ କୌଣସି ପତ୍ର ଦେଇପାରିନଥିଲି । ସେଥର ମୋର କରୁଣ କାହାଣୀ ଶୁଣାଇବା ପରେ ସମାଜରେ ହୁଏତ ପରିତ୍ୟକ୍ତା ହୋଇ ରହିଯିବି ଏ ଧାରଣା ମୋର ହୋଇଥିଲା ଓ ତୋର ବି ହୋଇଥିବ । ଦେଖାସାକ୍ଷାତ୍ ହୋଇନାହିଁ; କାରଣ ତୁ ଚାକିରୀ ଜୀବନରେ ଗାଁ ସହିତ ଖୁବ୍ କମ୍ ସମ୍ପର୍କ ରଖିଲୁ ।

 

ସମୟର ଚକ ଘୁରିଚାଲିଛି । ତାରି ସାଥିରେ ତାଳ ମିଶାଇ ସମସ୍ତଙ୍କର ଭାଗ୍ୟ ବଦଳୁଛି-। ସେପରି ପରିବର୍ତ୍ତନ ମୋର ଜୀବନରେ ଦେଖାଗଲା । ତୋରି ଆଦର୍ଶରେ ମୁଁ ପାଠ ପଢ଼ିଲି-। ପୁଣି ଛାତ୍ରୀସାଜି ସ୍କୁଲକୁ ଗଲି, ପ୍ରଥମେ ସ୍କୁଲରେ ମୋଠାରୁ ଯଥେଷ୍ଟ ଛୋଟ ପିଲାଙ୍କ ସହିତ ପାଠପଢ଼ିଲା ବେଳେ କିମିତି କିମିତି ଲାଗିଲା । ତାପରେ ଅଭ୍ୟାସ ହୋଇଗଲା । ମାଟ୍ରିକ୍‍ଟା ପାଶ୍ କରିନେଲି-। ତାପରେ କ’ଣ କରିବି ସେଇ କଥା ଭାବୁଥାଏ । ଏ ଯୁଗରେ ନାରୀ ସ୍ୱାବଲମ୍ବୀ ନ ହେଲେ ବଞ୍ଚିପାରିବ ନାହିଁ । ଆଉ ପୁରୁଷର କୃପାର ପାତ୍ର ହୋଇ ରହିବାକୁ ଭଲ ଲାଗିଲା ନାହିଁ । ଶିକ୍ଷୟିତ୍ରୀ ହେବାର ବାସନାଜାଗି ଉଠିଲା । ସେଇ ଚାକିରୀଟା କିପରି ମୋର ପବିତ୍ର ବୋଲି ମନେ ହେଲା-। ଶିକ୍ଷୟିତ୍ରୀ ଟ୍ରେନିଙ୍ଗ ଦୁଇ ବର୍ଷ ନେଲି । ତାପରେ ଗାଁଠାରୁ ଦୂରରେ ଗୋଟିଏ ଶିକ୍ଷୟିତ୍ରୀ ହୋଇ ରହିଲି । ଦିନରାତି ପରିଶ୍ରମ କରିବାକୁ ଭଲ ଲାଗୁଥିଲା । ଅପୂର୍ବ ଲାଗୁଥିଲା ସେ ଜୀବନ । କିନ୍ତୁ ସତ କହିବୁ ରେଖା, ଦୁନିଆଁରେ ଝିଅଟିଏ ଯଦି ଏରୁଣ୍ଡି ବନ୍ଧ ଡେଇଁ ରାସ୍ତା ଉପରେ ଚାଲିବାକୁ ଆରମ୍ଭ କଲା, ତେବେ ବହୁତ ଆଖି ତା ଉପରେ ଖେଳି ବୁଲିଲା । ସବୁରି ଆଖିରେ ପଚାରିଲା ପଚାରିଲା ଭାବ—ସନ୍ଦେହ ଆଉ ଲୁଣ୍ଠନ କରିବାର ଅଶ୍ଳୀଳ ଇଙ୍ଗିତ । ତୁ ଅବଶ୍ୟ ଯେ ଏ ପ୍ରକାର ଦୁର୍ଦ୍ଦଶାର ସମ୍ମୁଖୀନ ନ ହୋଇଥିବୁ ତା ନୁହେଁ । ତଥାପି ବୁକୁକୁ ପଥର କରି ଆଖିବୁଜି ମାଡ଼ି ମକଚି ଚାଲିବାର ଅଦମ୍ୟ କାମନା ରଖି ଆଗେଇ ଚାଲିଲି; କିନ୍ତୁ ଯେଉଁ ଦୃଢ଼ ଚିତ୍ତରେ ଚାଲିବାର ଆରମ୍ଭ କରିଥିଲି, ମୋର ଚିତ୍ତର ସେଇ ଦୃଢ଼ତା ରହିଲା ନାହିଁ । ଜୀବନରେ ଠୋକର ଖାଇ ସେ ପୁଣି ମୋ ପାଖକୁ ଫେରିଆସିଲେ । ସମସ୍ତ ଭୁଲ ସ୍ୱୀକାର କଲେ । ବୁଝିଲୁ ରେଖା, ତାଙ୍କୁ ଫେରାଇ ପାଇଲି ନାହିଁ । ସେ ହାତ ବଢ଼ାଇଲେ—ଚାକିରୀ ଛାଡ଼ି ତାଙ୍କରି ହାତ ଧରି ପୁଣି ତାଙ୍କରି ଘରକୁ ଫେରିଆସିଲି । ତାଙ୍କରି ଉପେକ୍ଷା ଲାଗି ସିନା ଚାକିରି କରିଥିଲି; କିନ୍ତୁ ଯେତେବେଳେ ଦେଖିଲି ସେ ମୋ ପାଇଁ ଅପେକ୍ଷା କରିଛନ୍ତି, ସେତେବେଳେ ଆଉ ନିଷ୍ଠୁର ହୋଇପାରିଲି ନାହିଁ । ଶାସ୍ତି ଦେବାକୁ ଆଉ ଇଚ୍ଛା ହେଲା ନାହିଁ । ଡହଳ ବିକଳ ମନକୁ ନେଇ ଆଉ ମୋତେ ବେଶୀଦିନ ସନ୍ତୁଳି ହୋଇ ମରିବାକୁ ଭଲ ଲାଗିଲା ନାହିଁ । ତେଣୁ ମୁହଁ ଖୋଲି ନାହିଁ କରିପାରିଲି ନାହିଁ । ସ୍ୱାଧୀନ ହେବାର ମନୋବୃତ୍ତିର ମୋର ପୂର୍ଣ୍ଣଚ୍ଛେଦ ପଡ଼ିଲା । ତାପରେ ତାଙ୍କରି ଘରର କୁଳବଧୂ ହୋଇ ଛିଣ୍ଡିଲା ବୀଣାତାର ଯୋଡ଼ି ସେଥିରେ ସ୍ୱର ସଂଯୋଗ କଲି । ସେ ହସିଉଠିଲେ, ଜୀବନ ଆମର ହସିଉଠିଲା-। ଏହିପରି ହସଖୁସିରେ ବିବାହ ପରେ ଦଶ ବର୍ଷ ବିତିଗଲାଣି । କିନ୍ତୁ ମୁହଁରେ ଏଣିକି ସେ ହସ ଆଉ ରହୁନାହିଁ । ସଦାବେଳେ ଅଶାନ୍ତି । ସୃଷ୍ଟି ପାଇଁ ସିନା ବିବାହ କରନ୍ତି, କିନ୍ତୁ ଚାହୁଁ ଚାହୁଁ ବର୍ଷେ ନୁହେଁ, ଦିବର୍ଷ ନୁହେଁ, ଦଶ ବର୍ଷ ବିତିଗଲାଣି; କିନ୍ତୁ କୋଳ ମୋର ଶୂନ୍ୟ । ଏ ଘରେ ଠୁକୁ ଠୁକୁ ଚାଲିକରି ଦରୋଟି ହସ ହସି ଗୋଟିଏ ପିଲା ଦାଣ୍ଡପହଣ୍ଡ ହେବାର ଆଖି ଦେଖିପାରିଲା ନାହିଁ-। ମୋର ସୁଖର ସଂସାରରେ ଏତିକି ଅବଶୋଷ ରହିଗଲା । ସ୍କୁଲ ସବ୍ଇନ୍ସପେକ୍ଟର ଚାକିରୀ ତାଙ୍କର, ସଦାବେଳେ ଗସ୍ତ । କେତେବେଳେ ଯଦି ଘରକୁ ଆସନ୍ତି ତେବେ ବ୍ୟସ୍ତ ରହନ୍ତି ତାଙ୍କର ଟୁର ରିପୋର୍ଟ ଲେଖିବାରେ । ଖାଲି କାମ କାମ ପଛରେ ଯେ ଗୋଟାଏ ସଂସାର ରହୁଛି ଏବଂ ସେଥିପାଇଁ ତାଙ୍କର କର୍ତ୍ତବ୍ୟ ଅଛି, ସେ କଥା ସେ ଭୁଲି ଯାଆନ୍ତି । କିପରି ଉଦାସୀନ ହୋଇଉଠନ୍ତି-। ପୁଅଟିଏ ପାଇଁ ମୁଁ ଓଷା ଓପାସ କଲେ ସେ ହସନ୍ତି, ଖିଆଲ କରନ୍ତି । କହନ୍ତି, ଶୁଖି ଶୁଖି ଆତ୍ମାକୁ କଷ୍ଟ ଦେଲେ ଯଦି ପୁଅ ହୁଏ, ଏଇ ଅନ୍ଧବିଶ୍ୱାସ ନେଇ ତୁମେ ବଞ୍ଚି ରୁହ, ସେଥିରେ ମୋତେ ଅଂଶ ଗ୍ରହଣ କରିବା ପାଇଁ ବାଧ୍ୟ କରନାହିଁ । ବହୁତ କହିବା ପରେ ଥରେ ଯାଇ ଡାକ୍ତରଙ୍କ ପାଖରେ ରକ୍ତ ପରୀକ୍ଷା କଲୁ । ମୋର ଦୋଷ ନାହିଁ । ଦୋଷ ଯାହା ତାଙ୍କରି ରକ୍ତରେ ବାହାରିଲା-। ବହୁତ କଷ୍ଟରେ କେତେଟା ଔଷଧ ତାଙ୍କୁ ଗିଳାଇଥିଲି । ଫଳ କିଛି ପାଇଲି ନାହିଁ । ସମସ୍ତେ କହୁଛନ୍ତି ତୋରି ଚିକିତ୍ସାରେ କେତେ ଲୋକଙ୍କର କୋଳ ପୂର୍ଣ୍ଣ ହେଲାଣି । ମୋର ଅନୁରୋଧ, ତୁ ମୋତେ ଚିକିତ୍ସା କର । ମୋର ପୁଅଟିଏ ଦରକାର । ମୋର ବିଶ୍ଵାସ, ତୋରି ଚିକିତ୍ସାରେ ମୁଁ ପାଇପାରିବି-

 

ନିରୁର ଏ ଚିଠିଖଣ୍ଡି ପଡ଼ି ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ, ଏଇ ନିରୁର ନବ ବିବାହିତ ଜୀବନର କରୁଣ ଅନୁଭୂତି ସେ ଛାତ୍ରୀ ଜୀବନରେ ଶୁଣିଥିଲେ । କୁସୁମିତ ମନରେ ତାଙ୍କର ବିବାହ ପାଇଁ ବିତୃଷ୍ଣା ଜାଗିଉଠିଥିଲା । ପୁଣି ଏ ଚିଠି ତାଙ୍କ ମନକୁ ଚହଲାଇ ଦେବାପାଇଁ ନୁହେଁ ତ-? ଚିଠିଟାର ଉତ୍ତର ସେ ନ ଦେବାକୁ ଶ୍ରେୟ ମନେ କଲେ ।

 

ମଣିଷ ଯେଉଁ ଅବସ୍ଥାରେ ରହୁ ସେଥିରେ ସେ ସନ୍ତୁଷ୍ଟ ରହିଲେ ଶାନ୍ତି ପାଏ, ନଚେତ୍ ଅଶାନ୍ତିର ନିଆଁରେ ସନ୍ତୁଳି ହୋଇ ମରେ ।

 

ପ୍ରଫେସର ମିସ୍ ପଟ୍ଟନାୟକ ଚିଠିଟା ପଢ଼ିସାରି ଏତେ ଦୁଃଖରେ ବି ଟିକେ ହସିଦେଲେ-। ନିରୁ ବର୍ତ୍ତମାନ ପୌଢ଼ା ହୋଇଯିବଣି । ମୁଣ୍ଡର କେଶରୁ କେତେଗୁଡ଼ାଏ ନିଶ୍ଚୟ ତାଙ୍କର ପରି ରଙ୍ଗ ପରିବର୍ତ୍ତନ କରିବଣି । ଯେଉଁ ଅବସ୍ଥାରେ ଅଛି ସେଥିରେ ସେ ଘରସଂସାର ସୁଖରେ କରୁ-। ଆଉ ପୁଣି ସନ୍ତାନର ଆକାଂକ୍ଷା କାହିଁକି—ଏ ବୟସରେ ? ପୁଣି ପରକ୍ଷଣରେ ମନେ ମନେ ଭାବିଲେ, ହୁଏତ ବର୍ଷ ଗୋଟାଏ ଦୁଇଟା ପରେ ସେ ପୋଷା ପୁତ୍ର ଗ୍ରହଣ କରିବ । ତା ପରେ ନାତି ନାତୁଣୀ ଧରି ତାଙ୍କର ଜ୍ଵାଳାରେ ଘାଣ୍ଟି ହୋଇ ସେଥିରୁ ଅମୀୟ ସୁଖ ପାଇବ, ନଚେତ୍ ପୋଷ୍ୟ ପୁତ୍ରର ଲାଞ୍ଛନାରେ ଜର୍ଜରିତ ହୋଇଉଠିବ—କିନ୍ତୁ ନିଜେ ?

 

ବିଚଳିତା ହୋଇଉଠିଲେ ଡକ୍ଟର ମିସ୍ ପଟ୍ଟନାୟକ । ଏଇ ଆୟାକୁ ନେଇ କେବଳ ବଞ୍ଚିରହିବେ । ମଲାବେଳେ ମୁହଁରେ ନିଆଁ ଟିକେ ଦେବାକୁ ନିକଟରେ କେହି ନ ଥିବେ । ତା ପରେ ସମସ୍ତେ ଆସିବେ—ଏଇ ପୂରନ୍ତା ଘରଟାକୁ ଯେଝା ସୁବିଧାରେ ଖାଲି କରିନେବେ । ତାଙ୍କର ଅକ୍ଳାନ୍ତ ପରିଶ୍ରମର ଫଳରେ ଯେଉଁ ସଂପତ୍ତି ଗଚ୍ଛିତ ରଖିଛନ୍ତି ତାର ଶେଷ ପରିଣାମ ଯାହା କହନ୍ତି ଭୂତ ଖାଇବେ ସେଇୟା ହିଁ ହେବ । ଆଖି ଆଗରେ ହଠାତ୍ ଭାସିଉଠିଲେ ସଞ୍ଜୟ ବାବୁ । ପାଠପଢ଼ି ସାରି ଚାକିରୀ ଜୀବନର ପ୍ରାରମ୍ଭରେ ସେ ଖୋର୍ଦ୍ଧା ସଵ୍ଡ଼ିଭିଜନାଲ ହାସ୍‍ପାତାଳର ଲେଡ଼ି ଡାକ୍ତର ଥାନ୍ତି...ତାଙ୍କର ବସାଠାରୁ ଖଣ୍ଡେ ଦୂରରେ ସଞ୍ଜୟ ବାବୁଙ୍କର ବଙ୍ଗଳା । ସଞ୍ଜୟ ବାବୁ ସେତେବେଳେ ସେଠାରେ ଫରେଷ୍ଟ ସବ୍ଡ଼ିଭିଜନାଲ ଅଫିସର ଥାନ୍ତି । ଜଙ୍ଗଲ ବିଭାଗରେ ବଡ଼ ସାହେବ ବୋଲି ତାଙ୍କର ଖାତିର ଯଥେଷ୍ଟ ଥାଏ । ଗୋରା ତକ୍ ତକ୍ ଚେହେରା । ପତଳା ହୋଇ ଯୁବକ ଜଣେ । ନିଜର ଅଙ୍ଗସଜ୍ଜା ତାଙ୍କର ପ୍ରଧାନ ରୁଚି । ଯେଉଁ ଜିନିଷ ବ୍ୟବହାର କରନ୍ତି ପ୍ରତ୍ୟେକରେ ନୂତନତ୍ଵ ଥାଏ । ଜୀବନକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରୁଥାନ୍ତି । ବଡ଼ ମିଷ୍ଟାଳାପୀ ଓ ଶାନ୍ତ ଭଦ୍ର ଯୁବକ ଗେଜେଟେଡ୍ ଅଫିସରର ଦ୍ୱାହି ଦେଇ ସେ ତାଙ୍କ ସହିତ ମିଳାମିଶା କରିବାକୁ ଅନେକ ବାର ଆସନ୍ତି । ଜଣେ ପୁରୁଷ ସହିତ ମିଳାମିଶାରେ ନାରୀ ଯେତିକି ସଂକୋଚ ଅନୁଭବ କରିବାର କଥା, ସେତକ ମିସ୍ ପଟ୍ଟନାୟଙ୍କର ହୋଇନଥିଲା । କାରଣ ସେ ବହୁ ଆଗରୁ କଲେଜ ଜୀବନରେ ପୁରୁଷ ପିଲାଙ୍କ ସହିତ ଚଳିବାରେ ଅଭ୍ୟସ୍ତା । ଯେତିକି ମାର୍ଜିତ ବ୍ୟବହାର ଦେଖାଇବାର କଥା, ସେ ସେତିକି ଦେଖାନ୍ତି । ନିଜକୁ ବହୁତ ସଂଯତ ରଖନ୍ତି; କାରଣ ସେ ଜାଣନ୍ତି ଯେ ଏଇ ତରଳ ଜୀବନରେ ମନ ଥରେ ଚହଲିଗଲେ ଆଉ ସ୍ଥିର ହୋଇ ରହିପାରିବ ନାହିଁ । ତେଣୁ ଚିତ୍ତ ଦୃଢ଼ ରଖିବାକୁ ହୁଏ ।

 

ପ୍ରଗଳ୍‍ଭତା ତରୁଣ ଅବିବାହିତ ଜୀବନର ଏକ ଧର୍ମ୍ମ । ସଞ୍ଜୟ ବାବୁ ସେଇ ଧର୍ମକୁ ଉତ୍ତମ ରୂପେ ପାଳନ କଲା ପରି ଜଣାପଡ଼ନ୍ତି । ସମୟ ସମୟରେ ଆସି ପ୍ରଚୁର ଗପି ବସନ୍ତି । ସେ ଗଳ୍ପର କୌଣସି ଉଦ୍ଦେଶ୍ୟ ନ ଥାଏ । ଧୈର୍ଯ୍ୟ ଧରି ରେଖା ଦେବୀ ସବୁ ଶୁଣନ୍ତି । ଅନେକ ଥର ଭୁବନେଶ୍ୱର ସିନେମା ଦେଖିଯିବାକୁ ନିମନ୍ତ୍ରଣ କରନ୍ତି । ନିଜ କାରରେ ସାଙ୍ଗ ହୋଇ ବୁଲିଯିବାକୁ କୁହନ୍ତି । କିନ୍ତୁ କାର୍ଯ୍ୟର ଗୁରୁତ୍ଵ ଏବଂ କେତେବେଳେ ଶାରୀରିକ ଅସୁସ୍ଥତାର ଛଳନା ଦେଖାଇ ସେ ତାଙ୍କୁ ବିଦାୟ ଦିଅନ୍ତି । ସାମାଜିକତା ଓ ଲୌକିକତା ଦୃଷ୍ଟିରୁ ସେ ସଞ୍ଜୟ ବାବୁଙ୍କଠାରୁ ଦୂରରେ ରହୁଥିଲେ । ନିଃସଙ୍ଗ ଜୀବନରେ ସେତେବେଳେ ମନ ତଳେ ସାମୟିକ ନିଆଁ ଲାଗୁଥିଲା, ସେ ଉନ୍ମନା ହୋଇ ଉଠୁଥିଲେ । ହାତରେ ହାତ ମିଳାଇ ଦୁସ୍ତର ସଂସାର ପାରିବାରକୁ ଲଙ୍ଘିଯିବା ପାଇଁ କେତେବେଳେ କିମିତି ମନ ଚାହୁଁ ଥିଲା ସଞ୍ଜୟ ବାବୁଙ୍କ ସହିତ ମିଶିବାକୁ କିନ୍ତୁ; ସେତେବେଳେ ତାଙ୍କ ଆଖି ଆଗରେ ଶିଳ୍ପୀଙ୍କ ମୁହଁଟି ଭାସି ଉଠୁଥିଲା । ବିବେକର ଚାବୁକ ଖାଇ ସେ ଫେରି ଆସୁଥିଲେ । ପୁଣି ପରକ୍ଷଣରେ ମନରେ ଭାବୁଥିଲେ, ବିବାହ ! ସେ ଯେଉଁ ବନ୍ଧନ ତାକୁ ପୁଣି କାହିଁକି ନିମନ୍ତ୍ରଣ କରି ଆଣିବେ ?

 

ଜଞ୍ଜାଳ—ଶୃଙ୍ଖଳରେ ଶୃଙ୍ଖଳିତ ହୋଇ ପୁରୁଷର ଇଙ୍ଗିତରେ ଚଳିବାକୁ ତାଙ୍କର ସ୍ୱାଧୀନା ନାରୀମନ ବିଦ୍ରୋହ କରିଉଠିଲା । ସେ ବିବାହ ନ କରିବେ ବୋଲି ତ ସଂଗ୍ରାମ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି । ପୁରୁଷର ପରିପୂରକ ନାରୀ ଏଇଟା ସତ୍ୟ ହେଲେ ବି ସେ କିନ୍ତୁ ଭାବନ୍ତି ସ୍ଵାଧୀନତା ଓ ସ୍ୱତନ୍ତ୍ରତା ନ ରହିଲେ ସେ ପରିପୂରକର କୌଣସି ଅର୍ଥ ନାହିଁ । ସେ ମେଡ଼ିକାଲ କଲେଜରୁ ପାଶ୍ କଲା ପରେ ବାବାଙ୍କ ପାଖକୁ କେତେ ସଂଭ୍ରାନ୍ତ ପରିବାର ଘରୁ ତାଙ୍କର ବିବାହ ନେଇ ପ୍ରସ୍ତାବ ଆସିଛି; କିନ୍ତୁ ବାପା କୌଣସିଟାକୁ ଗ୍ରହଣ କରି ନାହାନ୍ତି । ସବୁ ତାଙ୍କରି ଉପରକୁ ଛାଡ଼ିଦେଇଛନ୍ତି । ସେ କହନ୍ତି, ରେଖା ବିଭା ହେବ, ଭଲମନ୍ଦ ବିଚାର କରିବାର ଶକ୍ତି ତାଙ୍କ ଝିଅର ହୋଇଛି । ତେଣୁ ତାର ସ୍ଵାଧୀନତାର ଆଞ୍ଚ ଆଣି ସେ କୌଣସି ନିଷ୍ପତ୍ତି ତା ଉପରେ ଜବରଦସ୍ତି ଲଦିଦେଇ ପାରିବେ ନାହିଁ । ବିବାହ ଯେହେତୁ ରେଖା କରିବ, ତେଣୁ ସେ ବିଷୟରେ ସମସ୍ତ ମତାମତ କେବଳ ସେଇ ହିଁ ନିଷ୍ପତ୍ତି କରିବ । ତାଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିପାରେ ନାହିଁ । କାରଣ ଯେଉଁମାନେ ମୁରବି ସାଜି ତାଙ୍କ ଘରକୁ ତାଙ୍କୁ ବଧୂ କରିବାର ଦୁର୍ବାର ଆକାଙ୍‍କ୍ଷା ନେଇ ଯାଇଥାନ୍ତି, ସେମାନେ ତାଙ୍କୁ ସିଧା ସଳଖ ଏ ପ୍ରକାର ପ୍ରଶ୍ନ ପଚାରିବାକୁ ଭରସି ପାରନ୍ତି ନାହିଁ ।

 

ବହୁତ ଥର ମିଳାମିଶା କରିବା ପରେ ସଞ୍ଜୟ ବାବୁଙ୍କ ସହିତ ତାଙ୍କର କଥାବାର୍ତ୍ତାରେ ସେତେ ଲୌକିକତା ଆଉ ନ ଥାଏ । ମନେ ଅଛି ଅତୀତର କେଉଁ ଏକ ନାମହୀନ ଅମାବାସ୍ୟାର ସାଂଧ୍ୟ ଚାଦାର ଆସରରେ ସଞ୍ଜୟ ବାବୁ ତାଙ୍କୁ ଜୀବନସାଥୀ କରିବାର ଅଭିପ୍ରାୟ ଜଣାଇଥିଲେ ।

 

ନିଜର ଦେହକୁ ଜଣେ ପୁରୁଷକୁ ସବୁଦିନ ପାଇଁ ଉପଭୋଗ କରିବାକୁ ଉତ୍ସର୍ଗ କରି ନାରୀ ଯେଉଁ ଜୀବନଯାପନ କରେ, ତାକୁ ବିବାହ କରନ୍ତି । ବିବାହ ପରେ ନାରୀର ସ୍ଵାଧୀନତା କ୍ଷୁଣ୍ଣ ହୁଏ । ସ୍ଵାମୀଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ହୁଏ । ସ୍ୱାମୀଙ୍କର ପ୍ରତ୍ୟେକ ରୁଚିକୁ ଚାହିଁ ସ୍ତ୍ରୀକୁ ପ୍ରସ୍ତୁତ ହେବାକୁ ହୁଏ । ତା ନ ହେଲେ ଦାମ୍ପତ୍ୟ ଜୀବନରେ କଳହ ଦେଖାଦିଏ । ମତାନ୍ତରରୁ ମନାନ୍ତର ସୃଷ୍ଟି ହୁଏ । ଯେଉଁ ସରସ ସୁନ୍ଦର ଜୀବନର ସ୍ଵପ୍ନ ବିବାହ ପୂର୍ବରୁ ଦେଖାଯାଉଥାଏ ତାହା ଅଳ୍ପକେ ଅପସରିଯାଏ । ହତାଶା ଓ ଅବଶୋଷ ଜୀବନର ସମ୍ବଳ ହୁଏ । ଡକ୍ଟର ମିସ୍ ରେଖା ପଟ୍ଟନାୟକ ସେତେବେଳେ ଏଇ କଥା ଭାବୁଥିଲେ ।

 

ରେଖା ଦେବୀ ସେଦିନ ସଞ୍ଜୟବାବୁଙ୍କୁ ପଚାରିଥିଲେ—ବିବାହଟା କ’ଣ ଦେହକୁ ନେଇ ହୁଏ ନା ମନକୁ ମଧ୍ୟ ନେଇ ହୁଏ ?

 

ସଂସାରର ବନ୍ଧୁର ପଥରେ ସହଯାତ୍ରିଣୀ ହୋଇ ଚାଲିବାକୁ ହେଲେ ଉଭୟଟା ହିଁ ଦରକାର ।

 

ମୋର ସେ ଆପଣଙ୍କ ପ୍ରତି ଅନୁରକ୍ତି ବଢ଼ିଛି, ତା ଆପଣ କିପରି ଜାଣିଲେ ?

 

ଆହତ ହେଲେ ସଞ୍ଜୟବାବୁ, ତଥାପି କହିଲେ ଅନୁରକ୍ତିଟା ହଠାତ୍ ହୁଏନି, ତାକୁ ସୃଷ୍ଟି କରିବାକୁ ହୁଏ । ମୁଁ ଭାବୁଥିଲି, ଆପଣ ହୁଏତ ସଂକୋଚରେ ଯେଉଁ ମନୋଭାବଟା ପ୍ରକାଶ କରିପାରୁନାହାନ୍ତି, ମୁଁ ସେଇଟା ପ୍ରକାଶ କରିଦେଲି ।

 

—ଚମତ୍କାର, ଆପଣ ଏଇ କେତେ ଦିନର ମିଳାମିଶା ପରେ ବୋଧହୁଏ ଅନ୍ତର୍ଯ୍ୟାମୀ ହୋଇଗଲେଣି । ହସି ହସି ରେଖା ଦେବୀ କହିଲେ ।

 

ପୁଲକିତ ହୋଇଉଠିଲେ ସଞ୍ଜୟ ବାବୁ ।

 

ରେଖାଦେବୀ କହିଲେ—ଜୀବନସାଥି ନ ହୋଇ ଆପଣ ଯଦି ମୋର ଜୀବନ ସାରା ବଂଧୁ ହୋଇ ରହନ୍ତେ, ତେବେ ମୁଁ ସୁଖୀ ହୁଅନ୍ତି—ଯେହେତୁ ବିବାହ ପ୍ରତି ମୋର ପ୍ରାରମ୍ଭରୁ ବିତୃଷ୍ଣା ଅଛି ।

 

ଏ ଆପଣଙ୍କର ଗୋଟାଏ ଖିଆଲ୍ ହୋଇପାରେ । ଆପଣ ଯଦି ଏପରି ଗୋଟାଏ ଅବାସ୍ତବ ଖିଆଲ ନେଇ ଏବେ ବି ଦୃଢ଼ ରହନ୍ତି, ତେବେ ମୁଁ କହିବି ଆପଣ ଭୁଲ କରୁଛନ୍ତି । ସମୟ ଚାଲିଗଲା ପରେ ଆପଣ ନିଶ୍ଚୟ ଅନୁତାପ କରିବେ । ଅବଶୋଷରେ ଆପଣଙ୍କର ପ୍ରତିଟି ମୁହୂର୍ତ୍ତ ବେଦନାବିଧୁର ହୋଇଉଠିବେ । କିନ୍ତୁ ସେତେବେଳକୁ ଆପଣଙ୍କର କରିବାର କିଛି ନ ଥିବ; କାରଣ ମଣିଷ କ’ଣ, ଉଦ୍ଭିଦ କ’ଣ ପ୍ରତ୍ୟେକଙ୍କର ଗୋଟାଏ ଗୋଟାଏ ସମୟ ଆସେ ଯେତେବେଳେ ସେମାନେ ଲୋଭନୀୟ, ଶୋଭନୀୟ ଓ ଆକର୍ଷଣୀୟ ହୋଇଉଠନ୍ତି । ଫୁଟିଲା ମୁହରେ ସରସତା ଦେଖିଲେ କେତେକଙ୍କର ହୃଦୟ ଚହଲିଉଠେ—ସୃଷ୍ଟି ପାଇଁ ନିୟନ୍ତ୍ରଣ ଆସେ । ଏ ନିୟନ୍ତ୍ରଣକୁ ଯେ ପ୍ରତ୍ୟାଖ୍ୟାନ କରେ, ସମୟ ତା ପାଇଁ ଅଟକି ରହେ ନାହିଁ । ସେ ପଛେଇ ହୋଇ ରହିଯାଏ । ଅନ୍ୟମାନେ ଆଗେଇ ଚାଲନ୍ତି । ଅବଶ୍ୟ ମୁଁ ବନ୍ଧୁ ହିସାବରେ କହୁଛି, ଆପଣ କ୍ଷମା କରିବେ, ଆପଣ ଯେତେବେଳେ ଯୌବନର ପ୍ରଥମ ପାହାଚରେ ପାଦ ଦେଇ ନ ଥିଲେ, ସରଳ ଓ ନିଷ୍ପାପ ହୃଦୟ ନେଇ ନିଃସଂକୋଚରେ ବୁଲୁଥିଲେ, ସେତେବେଳେ ଆପଣଙ୍କ ନିକଟକୁ ଏ ପ୍ରକାର ନିବେଦନ ନେଇ କେହି ଆସୁନଥିଲେ । ଯଦିବା କାହା ତୁଣ୍ଡରୁ ଶୁଣିଥିବେ, ସେ ହୁଏତ ଆପଣଙ୍କର ଜେଜେବାପା କିମ୍ବା ଅଜା ହୋଇଥିବେ । ମଧୁର ସଂପର୍କ ନେଇ ଆପଣଙ୍କ ମୁହଁରେ ସାମୟିକ ହସ ଦେଖିବା ପାଇଁ ଆପଣଙ୍କୁ ଥଟ୍ଟା କରି କହିଥିବେ । କିନ୍ତୁ ସେଥିରେ ତ ସତ୍ୟତା ନ ଥିଲା । ଯୌବନର ସୀମାରେଖା କ’ଣ ଯଦିଓ ମୁଁ ନିଶ୍ଚୟ କରିପାରିବି ନାହିଁ, କିନ୍ତୁ ଏତିକି କହିପାରିବି ଯେ ଦେହରେ ଆପଣଙ୍କର ରଙ୍ଗ ଥିବା ପର୍ଯ୍ୟନ୍ତ ଏ ପ୍ରକାର ନିମନ୍ତ୍ରଣ ଆସୁଥିବ । ସୁନାର ଅଙ୍ଗରୁ ରଙ୍ଗ ବିଦାୟ ମାଗିଲେ ଆଉ ଆପଣଙ୍କ ନିକଟକୁ ଏ ପ୍ରକାର ନିମନ୍ତ୍ରଣ ଆସିବ ନାହିଁ । ଆପଣ ଏ ଦୃଷ୍ଟିରୁ ପରିତ୍ୟକ୍ତା ହୋଇ ରହିଯିବେ । ଅସହିଷ୍ଣୁ ଭାବରେ ସଞ୍ଜୟ ବାବୁ ଗପି ଚାଲିଥିଲେ ।

 

ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ—ପରାସ୍ତ ସୈନିକ ଅନ୍ୟ ନିକଟରେ ତାର ବିଜୟର କାହାଣୀ ଗପି ବସିଲା ପରି ସଞ୍ଜୟ ବାବୁ ତାଙ୍କର ମନର ଅବଶୋଷକୁ ଜଣାଇବାକୁ ଯାଇ ଅସହିଷ୍ଣୁ ହୋଇ ଉଠିଛନ୍ତି । ରେଖା ଦେବୀ ପାଇଁ କହିଲେ—ବୈଦିକ ରୀତିରେ ବିବାହ ହେଲେ ସେ ବନ୍ଧନ ଚିରଦିନ ପାଇଁ ରହିଯାଏ । ନାରୀ ଥରେ ବଧୂ ହେଲେ ତାକୁ ସମସ୍ତ ଅତ୍ୟାଚାରକୁ ନିର୍ବିବାଦରେ ସହିବାକୁ ହୁଏ । ତେଣୁ ଆଜିକାଲି କଣ୍ଟ୍ରାକ୍ଟ ମ୍ୟାରେଜ୍ ଭଲ । ଏହାଦ୍ୱାରା ଆପଣ ଭାବନ୍ତୁ ନାହିଁ ଯେ ମୁଁ କହୁଛି କଣ୍ଟ୍ରାକ୍ଟ ମ୍ୟାରେଜ ପାଇଁ ପ୍ରସ୍ତୁତ ଅଛି ?

 

ବିବାହ ଅର୍ଥ ମୋ ମତରେ ନାରୀ ଓ ପୁରୁଷ ଦୁହେଁ ସୃଷ୍ଟିର ପରିପୂରକ । ସେମାନେ ଏକତ୍ର ହୋଇ ସ୍ରଷ୍ଟାଙ୍କର ସୃଷ୍ଟିର ବିଜୟ ଶଙ୍ଖ ଫୁଙ୍କନ୍ତି, ମିଳନ ସଙ୍ଗୀତ ଗାଆନ୍ତି । ତେଣୁ ସେଠାରେ ଅତ୍ୟାଚାରର ପ୍ରଶ୍ନ କେଉଁଠି ଉଠୁଛି ? ପୁରୁଷ ଓ ନାରୀ ଉଭୟଙ୍କର ପରସ୍ପର ପ୍ରତି ତ୍ୟାଗ ରହିବା ମଧ୍ୟ ସ୍ଵଭାବିକ । ତା’ପରେ ବୈଦିକ ରୀତିର ବିବାହ ଅପେକ୍ଷା ଏ ଚୁକ୍ତିବଦ୍ଧ ବିବାହର ମୁଁ ପକ୍ଷପାତୀ ନୁହେଁ । ଏଇ କଣ୍ଟ୍ରାକ୍ଟ ମ୍ୟାରେଜରେ କ’ଣ ଜୀବନ ଥାଏ ? ପ୍ରେମ ଓ ପ୍ରଣୟ କ’ଣ ଚୁକ୍ତି ଉପରେ ଚାଲିପାରେ ? କଣ୍ଟ୍ରାକ୍ଟ ମ୍ୟାରେଜ୍ ମୋ ମତରେ ଯୌନଲାଳସା ପରିତୃପ୍ତି ପାଇଁ ଏକ ସଭ୍ୟ ଭାଷା । ମୁଁ କହିବି—ବିଲାତି କହନ୍ତୁ, ଆମେରିକା କହନ୍ତୁ ଯେଉଁଠାରେ ଏ ପ୍ରକାର ବିବାହର ପ୍ରଚଳନ ଅଛି, ସେଠାରେ ଜୀବନର ମାଧୁର୍ଯ୍ୟ କ’ଣ ସେମାନେ ପ୍ରକୃତରେ ଉପଭୋଗ କରିଥାନ୍ତି ? ମୋ ମତରେ ଆହୁରି ତଳେଇ କରି ଚାହିଁଲେ ଏଇ କଣ୍ଟ୍ରାକ୍ଟ ମ୍ୟାରେଜ୍ ଏକ ପ୍ରକାର ବେଶ୍ୟାବୃତ୍ତି । ବହୁପତିବ୍ରତକୁ କ’ଣ କୁହାଯିବ ?

 

ମୋ ମତରେ ଏଇ କଣ୍ଟ୍ରାକ୍ଟ ମ୍ୟାରେଜରେ ନାରୀର ସ୍ଵାଧୀନତା ବଜାୟ ରହେ ।

 

ବିବାହ ପରେ ଯେ ନାରୀର ପରାଧୀନତା ଆସିଗଲା, ଏ ପ୍ରକାର ଭାବନା ହିଁ ପ୍ରଥମରୁ ଭୁଲ । ମୁଁ ଆଗରୁ କହୁଛି—ବିବାହ ପରେ ନାରୀ ଓ ପୁରୁଷ ଦୁହେଁ ସଂସାରର ବନ୍ଧୁର ପଥରେ ସହଯାତ୍ରୀ ଓ ସହଯାତ୍ରିଣୀ ହୋଇ ଚଳନ୍ତି ! ଆପଣ ଯଦି ପୁରାଣର କଥା କହୁଥିବେ, ତେବେ ମୁଁ କିଛି ସ୍ପଷ୍ଟ ମତ ଦେଇପାରୁ ନାହିଁ । ତଥାପି ପୁରାଣର ଚରିତ୍ରଗୁଡ଼ିକ ବିଶ୍ଳେଷଣ କରି ଯାହା ପାଇଛି ସେଥିରୁ ଏତିକି ଜାଣିଛି ଯେ ସେଗୁଡ଼ିକ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ପାଇଁ କେତେକ ଉଦାହରଣ । ଧର୍ମ ତ ଆମର ଅସ୍ଥିମଜ୍ଜାଗତ । ତେଣୁ ଧର୍ମ ମାଧ୍ୟମରେ ସେ ଆଖ୍ୟାୟିକାକୁ ଭର୍ତ୍ତି କରାଯାଇ ପ୍ରଚାର କରା ହୋଇଥାଏ । ସାବିତ୍ରୀଙ୍କ କଥା କହନ୍ତୁ କିମ୍ଵା ଦମୟନ୍ତୀଙ୍କ କଥା କହନ୍ତୁ, ସତ୍ୟବାନ ଏବଂ ନଳ ଏମାନଙ୍କ ଭିତରେ କେହି ସେମାନଙ୍କର ସ୍ଵାଧୀନତାରେ ଆଞ୍ଚ ଆଣିଥିଲେ ନା ଦାସୀ ପରି ପୁରୁଷର ସେବା କରିବାକୁ ପ୍ରବର୍ତ୍ତାଇଥିଲେ ? ସେମାନେ ଯେପରି ନିଷ୍ଠାର ସହିତ ସେମାନଙ୍କର ପତି ପାଇଁ ବ୍ୟାକୁଳତା ହୋଇ ଉଠିଥିଲେ, ସେପରି ଭ୍ରମରବର ରଙ୍ଗବତୀ ପାଇଁ ବି ଯୋଗୀବେଶ ସାଜିଲା, ପ୍ରଣୟର ଶ୍ରେଷ୍ଠ ପରିଣାମ ଦେଖାଇଲା । ହୃଦୟ ଓ ମନର ଦିଆନିଆ ଭାବକୁ ପ୍ରଣୟ କୁହାଯାଏ । ପ୍ରଣୟର ଶେଷ ପରିଣତି ପରିଣୟ । ପରିଣୟ ସାର୍ଥକ ହୁଏ ସୃଷ୍ଟିରେ ।

 

ସଞ୍ଜୟ ବାବୁଙ୍କ କଥା ପୁଣି ରେଖା ଦେବୀ ଭାବୁଥିଲେ—ଏ ସମାଜରେ କୁମାରୀ ହୋଇ ରହିବାର ଅୟାସ ଏକ ସାଧ୍ୟ ସାଧନା । ଯାହା ସଞ୍ଜୟ ବାବୁ କହିଲେ ଦେହର ରଙ୍ଗରେ ମହକ ଥିଲେ ଏଇପରି ପ୍ରସ୍ତାବମାନ ଆସୁଥିବ ତା ପ୍ରକୃତ ସତ୍ୟ । ରକ୍ତ ମାଂସର ଦେହ କେତେ ଦିନ ଏପରି ଆହ୍ଵାନକୁ ପାଦରେ ଠେଲିଦେଇ ପାରିବ ? ସେଦିନ ସେଇ ନିରୋଳା ଲଗ୍ନରେ କେଡ଼େ ନିଷ୍ଠୁର ସତ୍ୟ କଥା ସେ ପ୍ରକାଶ କରିନଥିଲେ ! ସେ ସଞ୍ଜୟ ବାବୁଙ୍କର ପ୍ରଣୟର ନିବେଦନକୁ ଅଗ୍ରାହ୍ୟ କଲେ, ନିଜର ତନୁ—ଯମୁନାର ଲାବଣ୍ୟକୁ ଅକ୍ଷତ ଓ ଅତୁଟ ରଖିବାକୁ ସ୍ଥିର କଲେ; କିନ୍ତୁ ସଞ୍ଜୟ ବାବୁ କ’ଣ ତାଙ୍କୁ ଅପେକ୍ଷା କଲେ ??

 

ଯେଉଁଦିନ ସଞ୍ଜୟ ବାବୁଙ୍କର ବିବାହର ନିମନ୍ତ୍ରଣପତ୍ର ସେ ପାଇଲେ, ସେଦିନ ତାଙ୍କର ମନ ବିଚଳିତ ହୋଇ ଉଠିଥିଲା । ମନତଳେ ମୁହୂର୍ତ୍ତକ ପାଇଁ ଇର୍ଷା ଜାଗି ଉଠିଥିଲା । ଅନୁଶୋଚନା ହୋଇଥିଲା । ମନେହେଲା ସେ ଯେପରି ଫେଲ୍ ମାରିଗଲେ । ଜିତିଗଲେ ସଞ୍ଜୟ ବାବୁ । ସମାଜରେ ତାଙ୍କଠାରୁ ଆହୁରି ଆଭିଜାତ୍ୟସଂପନ୍ନା, ସୁନ୍ଦରୀଝିଅକୁ ବିବାହ କଲେ । ସଞ୍ଜୟ ବାବୁଙ୍କର ଯେ ଧର୍ମ୍ମପତ୍ନୀ ହେଲା ସେ ତାଙ୍କର ବନ୍ଧୁ, ପରିଚିତା—ଶର୍ମିଷ୍ଠା ମହାନ୍ତି—କଟକ ଶୈଳବାଳା ମହିଳା କଲେଜର ଇତିହାସ ଅଧ୍ୟାପିକା ।

 

ସଞ୍ଜୟ ବାବୁଙ୍କର ମାଙ୍ଗଳିକ ସାହନଇ ଶୁଣିବାର ସାହସ ତାଙ୍କର ନ ଥିଲା । ସେ ତେଣୁ ଟେଲିଗ୍ରାମ ଜରିଆରେ ସମ୍ବର୍ଦ୍ଧନା ଜଣା ନିଜର ଆତ୍ମଗ୍ଳାନିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।

 

ବିବାହର କିଛିଦିନ ପୂର୍ବରୁ ସଞ୍ଜୟ ବାବୁ ଖୋର୍ଦ୍ଧାରୁ ଟ୍ରାନ୍ସଫର ହୋଇ ଯାଇଥିଲେ । ତେଣୁ ସଞ୍ଜୟ ବାବୁ ଓ ଶର୍ମ୍ମିଷ୍ଠାଙ୍କ ସହିତ ତାଙ୍କର ଆଉ ସାକ୍ଷାତ୍ ହୋଇପାରିଲା ନାହିଁ ।

 

ଡକ୍ଟର ପଟ୍ଟନାୟଙ୍କର ମନେପଡ଼ିଲା—ବିବାହର ବର୍ଷକ ପରେ ସଞ୍ଜୟ ବାବୁ ଖଣ୍ଡିଏ ପତ୍ର ଲେଖିଥିଲେ । ସେଥିରେ ସେ ବିଖ୍ୟାତ ଇଂରେଜ କବି ସମରସେଟ୍‍ଙ୍କର ଗୋଟିଏ ପଂକ୍ତି ଉଦ୍ଧାର କରି ଲେଖିଥିଲେ, “love that lasts longer is the one which is never returned.” ଯେଉଁ ପ୍ରେମରେ ପ୍ରତିଦାନ ମିଳେ ନାହିଁ, ସେହି ପ୍ରେମ ହିଁ ମନ—ମନ୍ଦିରରେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିରହେ । ଏପରି ପ୍ରେମକୁ ଏକମୁଖୀ ପ୍ରେମ କହନ୍ତି । ଏଥିରେ ପ୍ରୀତିର ଚିଟାଉ ଲେଖି ହୁଏ ନାହିଁ । ପ୍ରେମିକ—ପ୍ରେମିକା ପରସ୍ପର ବାହୁଫାଶରେ ବିହ୍ୱଳିତ ହୋଇପଡ଼ନ୍ତି ନାହିଁ । କେହି ନିଶି ଉଜାଗର ହୋଇ କାହା ପାଇଁ ପ୍ରତୀକ୍ଷା କରନ୍ତି ନାହିଁ । ଜୀବନରେ ଉନ୍ମାଦଭରା ମିଳନର ଗୁଞ୍ଜନ ମୁହୂର୍ତ୍ତରେ ଆସେ ନାହିଁ । ଏପରି ପ୍ରଣୟରେ ଦହନ ନ ଥାଏ । ତଥାପି ଏଭଳି ପ୍ରଣୟ ମନଟାକୁ କିପରି ଶୂନ୍ୟତାରେ ଭରିଦିଏ । ମନରେ ଗୋଟାଏ ପ୍ରକାର ଅଲିଭା ଦାଗ ଟାଣିଦିଏ । ସେ ଦାଗ ସ୍ମୃତିପଟରୁ ସହଜରେ ଲିଭିଯାଏ ନାହିଁ । ସେଥିପାଇଁ ମିସ୍ ପଟ୍ଟନାୟକ, ଆପଣ ମୋ ମନରେ ସାମୟିକ ଉଙ୍କି ମାରୁଛନ୍ତି । ଆପଣ ନୂତନ ଆଦର୍ଶ ସୃଷ୍ଟି କରିବା ପାଇଁ ଜଞ୍ଜାଳକୁ ସ୍ଵାଗତ କରୁନାହାନ୍ତି । କିନ୍ତୁ ଜଞ୍ଜାଳ ନ ଥିଲେ ମଣିଷ ଅନେକ ଅର୍ଥଶୂନ୍ୟ ଚିନ୍ତା କରି ବସେ । ସେତେବେଳେ ଏଇ ଫାଙ୍କା ଭାବନାଗୁଡ଼ିକ ଜାଳିପୋଡ଼ି ଖାଇବେ । ଆପଣ ଜଞ୍ଜାଳ ପାଇଁ ବ୍ୟସ୍ତ ହୋଇଉଠିବେ ।

 

ସଞ୍ଜୟ ବାବୁଙ୍କ କଥା ସତ ହେଲା । ଆଜି ସେ ଜଞ୍ଜାଳ ପାଇଁ ବ୍ୟାକୁଳତା । ଛଳନାର ଇନ୍ଦ୍ରଜାଲ ସୃଷ୍ଟିକରି ସଂଗ୍ରାମ ମୁହଁରୁ “ମାମି” ଡାକ ଶୁଣିଛନ୍ତି । ଅନ୍ତର ଆଜି ତା ବିଚ୍ଛେଦରେ ଘାରି ହେଉଛି । ତା ସତ, କିନ୍ତୁ ନିଜ ଛାତିରୁ ଅମୃତ ଦେଇ କାହା ମୁହରେ ସେ ହସ ଦେଖିଛନ୍ତି ? ଜୁଳୁ ଜୁଳୁ ଆଖି ତୋଳି, କିଲ୍ କିଲ୍ ହସ ହସି, କିଏ କ’ଣ କଅଁଳ ଗୁଲୁ ଗଲୁ ପାଦରେ ଛାତିରେ ପଦାଘାତ କରିଛି କି ?

 

ବର୍ତ୍ତମାନ ସଞ୍ଜୟ ବାବୁ ଫରେଷ୍ଟ ବିଭାଗର ଡିଭିଜନାଲ ଅଫିସର ଉନ୍ନୀତ ହୋଇ କଞ୍ଜରଭେଟର ହେଲେଣି । ସେ କାଳର ପୁରୁଣା ମଡ଼େଲ ଗାଡ଼ି ଛାଡ଼ି ନୂଆ ମଡ଼େଲର ଫିଆଟ୍ କାର କିଣିବେଣି । ପୁରୀ କିମ୍ବା କଟକ ପରି ସହରରେ କୋଠା ତୋଳା ସରିବଣି । ପୁଅ ଝିଅ କିଏ ବାହା ହେବେଣି । ନାତି ନାତୁଣୀ ନେଇ ସେ ଖେଳୁଥିବେ । ଦୁନିଆକୁ ଆସି ଜୀବନର ସ୍ଵାଦ ଚାଖି ସେ ପରିତୃପ୍ତ ହୋଇ ଉଠିଥିବେ; କିନ୍ତୁ ସେ......

 

ଆୟା ଚାହା ନେଇ ଆସି ପହଞ୍ଚିଲା । ମୁହଁରୁ ତାର ବାହାରି ପଡ଼ିଲା—ମାମା ! ସଂଗ୍ରାମ ପାଇଁ ତୁମେ ଆଖିରେ ଲୁହ !!!

 

ମୁହଁ ତୋଳି ପ୍ରଫେସର ମିସ୍ ପଟ୍ଟନାୟକ ଆୟା ମୁହଁକୁ ଫେରି ଚାହିଁଲେ । ଆଖିରେ ତାଙ୍କର ଲୁହ ଢଳ ଢଳ ହେଉଥାଏ ।

 

ମେଡ଼ିକାଲ କଲେଜରେ ପଢ଼ୁଥିବା ସମୟରେ ମା’ଙ୍କର ମୃତ୍ୟୁ ହୋଇଥିଲା । ଜୀବନର ଚତୁର୍ଥାବସ୍ଥାରେ ବାପାଙ୍କୁ ମା’ଙ୍କର ବିଚ୍ଛେଦ ବେଦନା ଦେଇଥିଲା । ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଇଚ୍ଛା କରିଥିଲେ ସେତେବେଳେ ବି ସେ ରେଖା ଦେବୀଙ୍କର ପାଠପଢ଼ା ବନ୍ଦ କରିଦେଇ ପାରିଥାନ୍ତେ-। ତାଙ୍କୁ ବିବାହ କରାଇ ସେ ତାଙ୍କର ସମ୍ପତ୍ତି ଉପରକୁ କୌଣସି ଗୋଟିଏ ଶିକ୍ଷିତ ଯୁବକକୁ ଝିଅ ଦେଇ ପୁଅ ରୂପେ ସବୁଦିନ ପାଇଁ ଆଣିଥାନ୍ତେ । ସେ ତାଙ୍କର ସ୍ଵାମୀ ହୋଇଥାନ୍ତା, ସେ ଏ ବିପୁଳ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାନ୍ତା । କିନ୍ତୁ ବାପାଙ୍କ ପ୍ରଗତିଶୀଳ ମନ ଏ ଆଘାତରେ ଭାଙ୍ଗି ପଡ଼ିନଥିଲା । ସେ ତାଙ୍କର ଆଦର୍ଶପଥରୁ ବିଚ୍ୟୁତ ହୋଇନଥିଲେ । ସେ ରେଖା ଦେବୀଙ୍କୁ ଉତ୍ସାହ ଦେଇଥିଲେ । ସାନ୍ତ୍ଵନାର ବାଣୀ ଶୁଣାଇ ଅଧିରା ମାତୃହରା ରେଖା ଦେବୀଙ୍କୁ ସେ ପ୍ରବୋଧ ଦେଇଥିଲେ । ମାଆଙ୍କ ମୃତ୍ୟୁରେ ଅଧୀରା ହୋଇ ସେ ଯେତେବେଳେ ବାପାଙ୍କ ଛାତିରେ ମୁଣ୍ଡଗୁଞ୍ଜି କାନ୍ଦୁଥିଲେ, ସେତେବେଳେ ତାଙ୍କର ମୁଣ୍ଡର କେଶ ଉପରେ ହାତ ବୁଲାଇ ବାପା କହିଥିଲେ–ଆଜିଠାରୁ ତୋର ବାପା ଓ ମାଆ ମୁଁ ହେଲି । ବାପାଙ୍କର ଅନାବିଳ ସ୍ନେହ କିନ୍ତୁ ମା’ଙ୍କୁ ଭୁଲାଇ ପାରିଲା ନାହିଁ । ଯେତେବେଳେ କରୁଣାମୟୀ ମା’ ତାଙ୍କର ମନେ ପଡ଼ନ୍ତି ଆଖି ତାଙ୍କର ଛଳ ଛଳ ହୋଇଉଠେ । ମନେ ମନେ ଭାବନ୍ତି, ତାଙ୍କ ମାଆଙ୍କର ଦିଅଁ ଦେବତାଙ୍କଠାରେ ଯେଉଁ ଅଚଳା ଭକ୍ତି, ତାରି ପୁଣ୍ୟ ପ୍ରଭାବରୁ ସେ ମଣିଷ ପରି ମଣିଷଟିଏ ହୋଇପାରିବେ ।

 

ଦୁର୍ଦ୍ଦିନ ସମସ୍ତଙ୍କର ଜୀବନରେ ଦେଖାଦିଏ । ରେଖା ଦେବୀ ଚାକିରି କରିବାର ଦୁଇ ବର୍ଷ ପରେ ପୋଷ୍ଟ ଗ୍ରାଜୁଏଟ୍ ପଢ଼ିବା ପାଇଁ ବିଲାତ ଯିବାକୁ ହେଲା । ସରକାରୀ ବୃତ୍ତି ପାଇ ସେ ଉଚ୍ଚଶିକ୍ଷା ପାଇଁ ଭାରତରୁ ବିଦାୟ ନେଲେ । ମନେଅଛି ଯେଉଁଦିନ ସେ ଓଡ଼ିଶା ଛାଡ଼ିଲେ, ବାପା ତାଙ୍କୁ ବିଦାୟ ଦେବାକୁ କଟକ ଷ୍ଟେସନକୁ ଆସିଥିଲେ । ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଆସୁଥିଲା । ବାପାଙ୍କ ପାଦତଳେ ପ୍ରଣତି ତାଳି ରେଖା ଦେବୀ କହିଉଠିଲେ—ଛି ବାପା, ତୁମେ କାନ୍ଦୁଛ ?

 

ଥର ଥର କଣ୍ଠରେ ଜଗଦୀଶ ପଟ୍ଟନାୟକ କହି ଉଠିଥିଲେ, ନା ମା, ଏ କାନ୍ଦର ଅର୍ଥ ଅନ୍ୟ ପ୍ରକାର । ଏ ଲୁହ ବେଦନାର ପ୍ରତିମୂର୍ତ୍ତି ନୁହେଁ । ବୁକୁ ଭିତରେ ମୋର ଯେଉଁ ଆନନ୍ଦର ବନ୍ୟା ଉଠିଛି, ଏଇ ଅଶ୍ରୁ ତାରି ରୂପାନ୍ତର । ଆଶା ମୋର ଯାହା ଥିଲା ତାକୁ ତୁ ଆହୁରି ଦିଗନ୍ତପ୍ରସାରୀ କରିଦେଲୁ । ତୁ ମଣିଷ ହୋଇ ଫେରି ଆସିଲେ ମୋର କାମନା ପୂର୍ଣ୍ଣ ହେବ ।

 

ବିଲାତରେ ଥାଇ ରେଖା ଦେବୀ ଦୁଃସମ୍ବାଦ ପାଇଲେ । ବାପାଙ୍କର ମୃତ୍ୟୁ ବାର୍ତ୍ତା ତାଙ୍କୁ ବିଚଳିତା କରି ଦେଇଥିଲା, ସେ ଅଧୀରା ହୋଇ ଉଠିଥିଲେ । ସୁଦୂର ବିଲାତ ଭୂଇଁରୁ ପ୍ଳେନ ଯୋଗେ ଆସି ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ମହା ଆଡ଼ମ୍ବରରେ ସମ୍ପନ୍ନ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ହଠାତ୍ ତ ବିଲାତରୁ ଆସିହେବ ନାହିଁ ? ତେଣୁ ମନେ ମନେ ଭାବିଲେ—ବର୍ତ୍ତମାନ ଯାଇ ଲାଭ କ’ଣ ହେବ ? ବାପାଙ୍କୁ ତ ଆଉ ଦର୍ଶନ କରିହେବ ନାହିଁ ? ଖଣ୍ଡିଏ ଚିଠିରେ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କିପରି ମହାସମାରୋହରେ ପାଳିତ ହେଲା, ତାର ବିସ୍ତୃତ ବିବରଣୀ ସେ ତାଙ୍କର ମାମୁଁଙ୍କଠାରୁ ପାଇଥିଲେ ।

 

ଦୁଇ ବର୍ଷ ପରେ ଗାଇନାକୋଲେଜିରେ ଉଚ୍ଚ ଡିଗ୍ରୀ ଧରି ସେ ଓଡ଼ିଶାଭୂଇଁକୁ ଫେରିଲେ-। ତା’ ପରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଗାଇନିକ୍ (ସ୍ତ୍ରୀରୋଗ) ବିଭାଗରେ ସହକାରୀ ପ୍ରଫେସର ରୂପେ ନିଯୁକ୍ତି ପାଇଲେ । ଗାଁର ସମ୍ପତି ନେଇ ସାମୟିକ ତାଙ୍କୁ ବିବ୍ରତ ହେବାକୁ ହେଉଥିଲା । ଯଦିଓ ଗାଁର ପିତୃ ଅର୍ଜ୍ଜିତ ସମ୍ପତ୍ତିରୁ ଧାନ ଆଣି ଚାଉଳ କରି ଖାଇବାର ଦୁର୍ବାର ଆକାଙ୍‍କ୍ଷା କରି ନଥିଲେ, ତଥାପି ଚାଷୀ ଓ ଗାଁର କେତେକ ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ତାଙ୍କୁ ଆସି ହଇରାଣ କରୁଥିଲେ । ପୈତୃକ ସମ୍ପତ୍ତି ଓ ତାର ଶେଷ ପରିଣତି ନେଇ ବହୁତ ଭାବିଲେ-। ଯଦି ଉପଯୁକ୍ତ ବ୍ୟବସ୍ଥା କରା ନ ଯାଏ, ତେବେ ସମ୍ପତ୍ତି ଭୂତ ଖାଇବେ ।

 

ଲୋକେ କହନ୍ତି—ସମ୍ପତ୍ତି ଉପରକୁ ପୁଅଟିଏ ଉତ୍ତରାଧିକାରୀ କରି ଆଣିଲେ ମୁଠାଏ ପିଣ୍ଡ କିମ୍ବା ପାତ୍ରିଏ ପାଣିକୁ ଅପର ଲୋକରେ ଭରସା ଥାଏ । ମଲା ପରେ ଯେ ଆତ୍ମାର କି ପରିଣତି ହୁଏ, କେହି ଜାଣନ୍ତି ନାହିଁ । କେବଳ ଶ୍ରାଦ୍ଧବାର୍ଷିକୀ ଦିନ ଅର୍ଥାତ୍ ବର୍ଷକରେ ଗାଁରେ ବା ପରିବାର ଭିତରେ ଥରେ ମନେପକାଇବା ପାଇଁ ଗୋଟାଏ ପୁତ୍ର ଦରକାର । ପୁତ୍ର ଯେ ନିଶ୍ଚୟ ଶ୍ରାଦ୍ଧ କରିବ, ତାର ବା କେଉଁ ମାନେ ଅଛି ? ମିସ୍ ରେଖା ପଟ୍ଟନାୟକ ଭାବିଲେ, ପୋଷ୍ୟ ପୁତ୍ର କରିବା ବାପାଙ୍କର ଅନ୍ତିମ କାମନା ନ ଥିଲା ।

 

ବହୁତ ଭାବିଚିନ୍ତି ଉପାୟ ସ୍ଥିର କଲେ ଗାଁରେ ମାଇନର ସ୍କୁଲଟିଏ ଅଛି । ହାଇସ୍କୁଲ ନାହିଁ ବୋଲି ଅଧିକାଂଶ ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଯଦି ପୈତୃକ ସମ୍ପତ୍ତି ବିନିମୟରେ ଗାଁରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ବାପାଙ୍କ ନାମରେ ପ୍ରତିଷ୍ଠିତ ହୋଇପାରନ୍ତା, ତେବେ ଏ ଶ୍ରାଦ୍ଧବାର୍ଷିକୀ ଅପେକ୍ଷା ସେ ବହୁତ ଦିନ ବଞ୍ଚି ରହିପାରିବେ । ଗାଁରେ ଜମିବାଡ଼ିର ଝିନ୍‍ଝଟ୍‍ ଓ ଅଯଥା ଜଞ୍ଜାଳରୁ ରକ୍ଷା ମିଳିବ ଏବଂ ବାପାଙ୍କ ନାମରେ ଗୟା ବା ଗଙ୍ଗାରେ ପିଣ୍ଡଦାନ ଅପେକ୍ଷା ଏ ଗୋଟିଏ ସ୍ମରଣୀୟ କୀର୍ତ୍ତି ହୋଇ ସବୁଦିନ ପାଇଁ ରହିଯିବ । ଆଉ ଗାଁରୁ ଲୋକମାନେ ସେମାନଙ୍କର ସ୍ଵାର୍ଥ ନେଇ ତାଙ୍କୁ ବିବ୍ରତ କରୁ ନ ଥିବେ । ସେ ଶାନ୍ତିରେ ତାଙ୍କର ଜୀବନ ଯାପନ କରିପାରିବେ ।

 

କିନ୍ତୁ ଶାନ୍ତି ? କାହିଁ ସେ ଶାନ୍ତି ? ଗାଁରେ ବାପାଙ୍କ ନାମରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ହୋଇଛି । ସେ ପ୍ରତିବର୍ଷ ସ୍କୁଲର ପୁରସ୍କାର ବିତରଣୀ ଉତ୍ସବରେ ଯୋଗ ଦିଅନ୍ତି । ବାପାଙ୍କର ପୁଅ ହୋଇଥିଲେ ଯାହା କରନ୍ତେ, ତାଠାରୁ ଅଧିକ ସେ ଝିଅ ହୋଇ କରନ୍ତି । ପ୍ରତିବର୍ଷ ବାପାଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ସ୍କୁଲରୁ ପୁରସ୍କାର ବିତରଣୀ ଉତ୍ସବ ପାଳନ କରନ୍ତି । ସମସ୍ତଙ୍କ ଉପରେ ହସ ଫୁଟି ଉଠେ । କଟକ ଫେରି ପୁଣି କାମରେ ଯୋଗ ଦିଅନ୍ତି । ଗତାନୁଗତିକ ଭାବରେ ଜୀବନର ଚକ ପୁଣି ଗଡ଼ିଚାଲେ ।

 

ଅନେକ ଦିନ ତଳେ ପୁଣି ମନକୁ ମନ୍ଥନ କରିବା ପାଇଁ ଶିଳ୍ପୀଙ୍କଠାରୁ ଉପହାର ପାଇଥିଲେ ଆତ୍ମୋତ୍ସର୍ଗ ଛବିଟି । ସେଥି ସହ ଥିବା ଚିଠିରେ ଶିଳ୍ପୀ ଲେଖିଥିଲେ—

 

ଡକ୍ଟର ମିସ୍ ପଟ୍ଟନାୟକ,

 

ପ୍ରଥମେ କ’ଣ ବୋଲି ସଂବୋଧନ କରିବି ତା ଭାବିସ୍ଥିର କରି ପାରିଲି ନାହିଁ । କାରଣ କେବେ ତ ପତ୍ର ଦେବାର ଆବଶ୍ୟକତା ନ ଥିଲା । ଶେଷରେ ଏଇ ସଂବୋଧନ କଲି ।

 

ଆପଣଙ୍କ ସହିତ ଅନେକ ଦିନୁ ସାକ୍ଷାତ ହୋଇ ନାହିଁ । ସେଦିନ କଟକର ଶିଳ୍ପ ପ୍ରଦର୍ଶନୀରୁ ଫେରି ଆଜିକାଲି ଏଠାର ଗୋଟିଏ ସରକାରୀ ସ୍କୁଲରେ ଆର୍ଟ ଶିକ୍ଷକ ରୂପେ କାର୍ଯ୍ୟ କରୁଛି । ଦରମା ଯାହା ମାମୁଲି ପାଏ ସେଥିରେ ଚଳିଯାଏ । ସଂସାର କହିଲେ ବହୁତ୍ କିଛି ଅର୍ଥ ତା ଭିତରୁ ବାହାରିଆସେ । ତେଣୁ ସେ ବିଷୟରେ ଆପଣଙ୍କ ମନକୁ ମୁଁ ବିବ୍ରତ କରୁନାହିଁ । ଆପଣଙ୍କ ସହିତ ସଂଯୋଗ ରଖି ନ ଥିବାରୁ ଆପଣ ହୁଏତ ଭାବି ଥାଇପାରନ୍ତି ମୁଁ ଆପଣଙ୍କୁ ଭୁଲି ଯାଇଛି । କିନ୍ତୁ ତା ଯଦି ହୋଇଥାନ୍ତା ତେବେ ଦୀର୍ଘଦିନ ପରେ ମୁଁ ଆପଣଙ୍କର ଠିକଣା କିପରି ପାଇ ପାରିଥାନ୍ତି ? ଆପଣଙ୍କ ଶେଷ ପରୀକ୍ଷା ପରେ ଆପଣ ଯେତେବେଳେ ଜଣେ ଡିଗ୍ରୀଧାରୀ ଲେଡ଼ି ଡାକ୍ତର ହେଲେ, ସେତେବେଳେ ଆପଣଙ୍କ ସାଫଲ୍ୟରେ ମୁଁ କ’ଣ ଆନନ୍ଦିତ ହୋଇ ନ ଥିଲି ? ଆପଣ ବିଲାତ ଗଲେ ଉଚ୍ଚ ଶିକ୍ଷା ପାଇଁ । ସେ ଖବର ମୁଁ ରଖିଛି । ବିଲାତରୁ ଫେରି ଆପଣ କଟକରେ ସ୍ଥାୟୀ ବାସିନ୍ଦା ହୋଇ ଜନସେବାରେ ନିଜ ଜୀବନକୁ ନିୟୋଜିତ କଲେ, ତା ବି ମୁଁ ଜାଣିଛି ।

 

ଏଇ ସୁଦୂର ମଫସଲରୁ ପାଖ ବାଲେଶ୍ଵର ଟାଉନ୍‍କୁ ମୁଁ କେବେ କିମିତି ପାଦ ପକାଏ । ଆଉ କୁଆଡ଼େ ଯିବାକୁ ଭଲ ଲାଗେ ନାହିଁ । ହୁଏତ ଆପଣ ପଚାରିପାରନ୍ତି କେଉଁଠିକୁ ନ ଯାଇ ମୁଁ କିପରି ଆପଣଙ୍କର ଏତେ ଖବର ସଂଗ୍ରହ କରିପାରିଲି ! ମନ ଥିଲେ ମଣିଷ ସବୁ ଖବର ରଖିପାରିବ । ସେ ବିଷୟ ସଂପୂର୍ଣ୍ଣ ବ୍ୟକ୍ତିଗତ । ତେଣୁ ଏଇ କ୍ଷୁଦ୍ର ପତ୍ରରେ ସେସବୁର ବିଶ୍ଳେଷଣ କରିବାଟା ଶୋଭନୀୟ ହେବ ନାହିଁ । ଅନେକ ସମୟରେ ଆପଣଙ୍କ କଥା ଭାବି ବହୁତ ଖୁସି ହୁଏ । ଗୋଟାଏ ତରଳ ଛଳଛଳ ଜୀବନରେ ଆପଣ ମୋ ହୃଦୟରେ ଗାର ଟାଣିଦେଇ ଚାଲିଗଲେ । ସେ ଗାର ଆଉ ଲିଭିଲା ନାହିଁ । ଆପଣଙ୍କୁ ବି ଭୁଲି ହେଲାନାହିଁ । ଥରେ ଆପଣଙ୍କୁ ମୋର ଆଦର୍ଶର କଥା କହିଥିଲି, ନିଶ୍ଚୟ ମନେଥିବ । ଯାହାକୁ ପ୍ରାଣଭରି ଭଲ ପାଇଥିବ, ତାକୁ ବିବାହ କରିବ ନାହିଁ-। ସେ ଜୀବନରେ ବିବାହ ମଧୁମୟ ହୁଏ ନାହିଁ । ମୋର ଏଇ ଆଦର୍ଶ କେବଳ କଥାରେ ରହିଗଲା-। ଏ ମନ—ଆରସିରେ ବହୁତ ରୂପ ଦେଖିଛି, କିନ୍ତୁ କେହି ଏ ପ୍ରାଣ ଭିତରେ ସ୍ପନ୍ଦନ ତୋଳିପାରିଲେ ନାହିଁ । ତେଣୁ ବିବାହକୁ ବନ୍ଧନ କହିଲେ ସୁଦ୍ଧା ସେଥିରେ ମନ ମାନିଲା ନାହିଁ । ହୃଦୟର ବନ୍ଧନ ଯେଉଁଠି ନାହିଁ, ସେଠାରେ କ’ଣ ଏ ଜୀବନ ଶୃଙ୍ଖଳିତ ହୋଇପାରିବ ? କିବା ଲାଭ ସେ ପ୍ରକାର ବିବାହରୁ ମିଳିବ ? ତେଣୁ ବିବାହକୁ ଜୀବନର ଗୋଟିଏ ଆବଶ୍ୟକ ବିଷୟ ବୋଲି ଭାବି ନେଇପାରିଲି ନାହିଁ । ଆପଣଙ୍କ ଭଳି ଜୀବନ ବାଛିନେଲି ।

 

ଜାଣେନା ଅବଶ୍ୟ ମୁଁ କି ପ୍ରକାର ରେଖାପାତ ଆପଣଙ୍କ ଜୀବନରେ କରିପାରିଛି ! ଆଜି ଜୀବନର ତୃତୀୟାଂଶ ଗତ ହେଲା ପରେ ଆପଣଙ୍କ ପାଖକୁ ଲେଖିବାକୁ ମୋ ମନରେ କୌଣସି ଦ୍ୱିଧା ଆସୁନାହିଁ । ଯଦି ଆପଣ କୁମାରୀ ନ ଥାଇ ବିବାହିତ ଜୀବନ ଯାପନ କରୁଥାନ୍ତେ, ତେବେ ଏ ପ୍ରକାର ପତ୍ର ଲେଖିଥିଲେ ମୋର ଧୃଷ୍ଟତା ହୋଇଥାନ୍ତା । ଯେଉଁ ତରଳଂ ମୁହୂର୍ତ୍ତରେ ଜୀବନ କୌଣସି ବାଧାବନ୍ଧନ ନ ମାନି ଢଳିଯିବାକୁ ଚାହେଁ, ସେତେବେଳେ ମୁଁ ଆପଣଙ୍କଠାରୁ ଦୂରେଇ ବହୁତ କୌଶଳ କରି ନିଜର ଠିକଣା ଆପଣଙ୍କଠାରୁ ଗୋପନ ରଖିଛି । ଏପରି କି ନିଜର ନାମଟି ମଧ୍ୟ ଆପଣଙ୍କୁ ଜଣାଇ ଦେଇ ନାହିଁ । ଯେଉଁ ଶିଳ୍ପୀ ରୂପରେ ଆପଣଙ୍କ ପାଖରେ ଦେଖା ଦେଇଥିଲି, ସେଇ ଶିଳ୍ପୀ ରୂପରେ ସବୁଦିନ ରହିଯାଇଛି । ମୋର ଜୀବନର ଇତିବୃତ୍ତି ଆପଣଙ୍କୁ ଜଣାଇ ଦେଇ ନାହିଁ । ଆଜି କିନ୍ତୁ ଆଉ ନିଜକୁ ଆପଣଙ୍କଠାରୁ ଅପରିଚିତ କରି ରଖିବି ନାହିଁ । ସଂପୂର୍ଣ୍ଣରୂପେ ମୋତେ ପ୍ରକାଶ କରିଦେବି । ବନ୍ଧୁ ରୂପରେ ଆପଣ ଦେଖା ଦେଇଥିଲେ, କିନ୍ତୁ ବନ୍ଧୁ ରୂପରେ ରହିପାରିଲେ ନାହିଁ । ଆପଣ ପ୍ରିୟା ହୋଇ ରହିଗଲେ ।

 

ସ୍ପଷ୍ଟ ଭାବରେ କହିଲେ ମୁଁ ଆପଣଙ୍କ ସହିତ ଖୋଲାଖୋଲି ଭାବରେ ମିଳାମିଶା କରି ଆପଣଙ୍କ ଭିତରେ ଥିବା ନିର୍ଭୀକ ସ୍ଵାଧୀନ ମନର ପରିଚୟ ପାଇଥିଲି । ଆପଣଙ୍କ ମନରେ ଶସ୍ତା ପ୍ରଣୟର ଅହମିକା ନ ଥିଲା । ଆପଣଙ୍କର ତନୁର ତନିମା ଯେପରି ଲୋଭନୀୟ ଥିଲା, ଆପଣଙ୍କର ହୃଦୟ ଥିଲା ସେହିପରି ନିର୍ମଳ, ସେଥିପାଇଁ ଆକର୍ଷଣୀୟ ।

 

ଆପଣଙ୍କର ଓ ମୋର ହୃଦୟର ମିଳନ ହୋଇଥିଲା । ଛଳଛଳ ଯୌବନର ଉଦ୍ଦାମତାକୁ ସଂଯତ ହୋଇ ଆମେ ରକ୍ଷା କରିପାରି ନଥିଲେ ହୁଏତ ଆଜି ଆପଣ ଜଣେ ପ୍ରଖ୍ୟାତ ସ୍ତ୍ରୀରୋଗ ଚିକିତ୍ସାବିଶାରଦ ହୋଇ ପାରିଥାନ୍ତେ କି ନାହିଁ କହି ହେଉ ନାହିଁ । ମୁଁ ମଧ୍ୟ ସେଇ ଶିଳ୍ପୀର ଆଖି ନେଇ ଆପଣଙ୍କର ସୌନ୍ଦର୍ଯ୍ୟର ପୂଜାରୀ ହେଲାବେଳେ ଶପଥ କରିଥିଲି ଯେ ଆପଣଙ୍କର ତନୁ ତନିମାକୁ ନଷ୍ଟ କରି ଆପଣଙ୍କୁ ବାସର ରଜନୀର ସାଥୀ କରିବି ନାହିଁ । ଆପଣଙ୍କୁ ପରିଣୟ କଲେ ମୁଁ ମୋର ଆଦର୍ଶପଥରୁ ବିଚ୍ୟୁତ ହେବି । ମୋର ଭଲ ପାଇବାଟା ଏକପ୍ରକାର ସ୍ଵାର୍ଥପରତାରେ ପର୍ଯ୍ୟବସିତ ହେବ । ମୁଁ ରକ୍ତ ମାଂସର ଆକର୍ଷଣ ଏଡ଼ି ନ ପାରି ଆପଣଙ୍କର ରୂପର ଅଯଥା ସ୍ତୁତି କରୁଥିଲି ବୋଲି ଆପଣ ଭାବିଥାନ୍ତେ । ମୋର ମନର ଦୁର୍ବଳତା ଜାଣିଲା ପରେ ଆପଣ ମୋତେ ଘୃଣା କରିଥାନ୍ତେ । ମନରେ ଯେଉଁ ମମତା ଆପଣଙ୍କ ପ୍ରତି ଜାଗିଉଠୁଛି, ସେ କ’ଣ ଆଉ ଥାନ୍ତା ? କଥାରେ ଅଛି ଆକାଙକ୍ଷା ଥିବା ପର୍ଯ୍ୟନ୍ତ ଆଶାଟା ସୁଖଦାୟକ । ଯେପରି ପରିକ୍ଷାରେ ପାଶ୍ କଲା ପରେ । ପରିକ୍ଷା ଦେଇ ଫଳ ବାହାରିବା ପୂର୍ବରୁ ଛାତ୍ରର ମନରେ ଯେଉଁ ଆଶା ଓ ଆକାଙ୍‍କ୍ଷା ଥିଲା ଏବଂ ଯେତେ ରଙ୍ଗୀନ୍ କଳ୍ପନା ତାର ମନରେ ଡେଣା ପିଟୁଥିଲା, ସେସବୁ କ’ଣ ପାଶ୍ କଲା ପରେ ଆଉ ଥାଏ ?

 

ଆଜିକାଲି ଦେହ ସାମୟିକ ଅସୁସ୍ଥ ରହୁଛି । ଦିନ ଦିନ ଧରି ଏ ଦେହ ଉପରେ ଯେଉଁ ଅତ୍ୟାଚାର ହୋଇ ଚାଲିଛି, ତାକୁ ଏଇ ରକ୍ତ ମାଂସର ଦେହଟା କେତେ ବା ସହିବ ? ବହୁ ବନ୍ଧୁ ଉପଦେଶ ଦିଅନ୍ତି କଳାର ବନ୍ଧୁର ପଥରୁ ଓହରି ଆସିବାକୁ । ଆଉ କେତେକ କହନ୍ତି ଯେଉଁ କଳାର ତୁ ଏତେ ଏକାଗ୍ର ସାଧନା କରୁଥିଲୁ ସେ ତୋ ଜୀବନରୁ ଦାରିଦ୍ର୍ୟର କଳାମେଘକୁ ଘୁଞ୍ଚାଇପାରିଲା ନାହିଁ । ଜୀବନଟା ସାରା ଅଭାବ ଅନାଟନରେ ଚଳିଲୁ । ଏବେ ଏକୁଟିଆ ବସି ଘଣ୍ଟା ଘଣ୍ଟା ଧରି ରଙ୍ଗ, ତୁଳୀ ଓ କ୍ୟାନ୍‍ଭାସ୍ ଧରି ଆଙ୍କିବାକୁ ଭଲ ଲାଗିଲାନି । ତେଣୁ ଏ ସ୍କୁଲର କଳା ଶିକ୍ଷକତ୍ଵକୁ ଗ୍ରହଣ କରିନେଲି । ସ୍କୁଲର ଛାତ୍ରଛାତ୍ରୀଙ୍କର କୋଳାହଳରେ ମୋର ବେଦନାବିଧୁର ଦିନଗୁଡ଼ିକୁ ଭୁଲିଗଲି ।

 

ପ୍ରାଣର ସମସ୍ତ ରସକୁ ଚିପୁଡ଼ି ଏଇ ନିର୍ଜୀବ ତୁଳୀ ମୁନରେ ମୁଁ ଏଇ ଆତ୍ମୋତ୍ସର୍ଗ ଛବିଟି ଆଙ୍କିଛି । ଯାହା ସତ୍ୟ, ଯାହା ଚିରନ୍ତନ, ଯେଉଁ ମହାନ୍ ସଙ୍ଗୀତ ମୁହୁର୍ମୁହୁଃ ବାଜିଉଠେ, ପ୍ରାଣକୁ ରସମୟ ଓ ମଧୁମୟ କରେ, ସେଇ ପ୍ରଣୟ ସଙ୍ଗୀତକୁ ତୁଳୀ ଓ ରଙ୍ଗରେ ଖଣ୍ଡିଏ କାଗଜ ଉପରେ ବାନ୍ଧି ରଖିବାର ଚେଷ୍ଟା କରିଛି । ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ଏବଂ ଏ ସୃଷ୍ଟିର ଧର୍ମ ମିଳନ । ପ୍ରାଣର ପ୍ରାଣ ସଙ୍ଗେ, ତନୁର ତନୁ ସଙ୍ଗେ ମିଳନ ହୋଇ ନୂତନ ଜୀବନ ସୃଷ୍ଟି ହେଉ । ମୋର କଳାର ଆପଣ ଅନ୍ଧସ୍ତାବକ ନୁହନ୍ତି, କିନ୍ତୁ ମୋର ସୃଷ୍ଟି ଆପଣଙ୍କୁ ମୁଗ୍ଧ କରେ । ଆପଣ ତାର ପ୍ରଶଂସା କରନ୍ତି ।

 

ଏ ଜୀବନରେ ଅଦେୟ ହୋଇ ସବୁ ରହିଗଲା । ଏ ଛବିଟି ପଠାଇଲି । ଜାଣେନା ଏଥର ଏ କିପରି ତୁମ ମନକୁ ଛୁଇଁବ !

 

ଇତି

ତୁମର ପରିଚିତ ଶିଳ୍ପୀ ‘ଶୁଭେନ୍ଦୁ’

 

ହଁ—ହଁ, ଶୁଭେନ୍ଦୁ କୁମାର ସାମନ୍ତରାୟ । ସେତେବେଳକୁ ପ୍ରତିଭା ତାଙ୍କର ଓଡ଼ିଶାସାରା ବ୍ୟାପ୍ତ ହୋଇ ପଡ଼ିଥିଲା । ଦିନ କେଇଟାରେ ସାରା ଓଡ଼ିଶା ଭିତରେ ସେ ଜଣାଶୁଣା ହୋଇ ଉଠିଥିଲେ । ସେତେବେଳେ ତାଙ୍କ ସହିତ ସମ୍ପର୍କ ରଖିବାକୁ ସମସ୍ତେ ଆଗ୍ରହୀ ହୋଇ ଉଠିଥିଲେ । ମିସ୍ ପଟ୍ଟନାୟକ ଭାବିଥିଲେ, ହୁଏତ ଶିଳ୍ପୀ ତାଙ୍କୁ ଭୁଲି ଯିବେଣି । ଏତେଦିନର ବ୍ୟବଧାନ ପରେ ମଣିଷ କ’ଣ ଗୋଟିଏ ସ୍ମୃତିକୁ ମନେରଖିପାରେ ? ସେଇ ନିଷ୍ଫଳ କଳ୍ପନାକୁ ଶିଳ୍ପୀ ଶୁଭେନ୍ଦୁଙ୍କର ଏ ଚିଠିଖଣ୍ଡି ଅସାର କରି ପକାଇଲା ।

 

ମନେ ମନେ ମିସ୍ ପଟ୍ଟନାୟକ ଭାବିଲେ, ଶିଳ୍ପୀ ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ପରିଚୟ ଦେଉ ନ ଥିଲେ ସେତେଦିନ ପର୍ଯ୍ୟନ୍ତ ତାଙ୍କର ଅବଚେତନ ମନରେ ଭଲ ପାଇବା ବୋଧହୁଏ ଅଙ୍କୁରି ଉଠିଥିଲା । ବର୍ତ୍ତମାନ ସେଇ ଆଶାର ଅଙ୍କୁରଟି ଶୁଖି ମରିଗଲା । ତେଣୁ ଶିଳ୍ପୀ ନିଜକୁ ବହୁ ଦିନ ଧରି ତାଙ୍କଠାରୁ ସଂପୂର୍ଣ୍ଣ ଅବଜ୍ଞାତ କରି ରଖିବାକୁ ବୋଧହୁଏ ଉଚିତ ମନେକଲେ ନାହିଁ ।

 

ଶୁଭେନ୍ଦୁ ବାବୁଙ୍କୁ ଥରେ ଆଖିପୂରାଇ ଦେଖିନେବାକୁ ମିସ୍ ପଟ୍ଟନାୟକଙ୍କର ମନଟା ଆକୁଳ ହୋଇଉଠିଲା । ସେହି ପୂର୍ବପରି ତାଙ୍କ ସହିତ ଗୁଡ଼ାଏ ତାର୍କିକ ଆଲୋଚନା କରିବାକୁ ମନଟା ବ୍ୟଗ୍ର ହୋଇ ଉଠିଲା । ମନରେ ଜାଗିଉଠିଲା ଶିଳ୍ପୀଙ୍କର ଚିଠିର ଶେଷ ଆଡ଼କୁ ଥିବା ବ୍ୟଥିତ ପଂକ୍ତିଗୁଡ଼ାକ । ନିଃସଙ୍ଗ ଜୀବନରେ ଆଉ ରଙ୍ଗକାଳି ଧରି ଘଣ୍ଟା ଘଣ୍ଟା ଧରି ଆଙ୍କିବାକୁ ତାଙ୍କୁ ଭଲ ଲାଗୁ ନାହିଁ । ତେଣୁ ଦେବନାବିଧିର ଜୀବନକୁ ଛୋଟ ଛୋଟ ପିଲାଙ୍କ କୋଳାହଳରେ ଭୁଲି ଯାଉଛନ୍ତି । ଶିଳ୍ପୀ ସେ । ତାଙ୍କର ସୃଷ୍ଟିରେ ସେ ଅମର ହୋଇ ଉଠିବେ । ସେ ପୁଣି ସଂସାରୀ ହେଲେ ନାହିଁ ! କ’ଣ ବା ଅଭାବ ଥିଲା ତାଙ୍କର ? କାହିଁକି ସେ ଚିରକୁମାର ରହିଲେ । ତାଙ୍କ ସହିତ ମିଶି ଯେତିକି ଦୃଢ଼ ଧାରଣା ହୋଇଛି ସେଥିରେ ସେ ସଂପୂର୍ଣ୍ଣ ନିଶ୍ଚିନ୍ତ ଯେ, ତାଙ୍କର ଜୀବନ ନିଷ୍କଳଙ୍କ । ଜୀବନରେ ସେ କୌଣସି ତରୁଣୀଙ୍କୁ ମନ ଦେଇ ଭଲପାଇ ତା ପ୍ରତି ପ୍ରତାରଣା କରି ଏ ନିଷ୍ଠୁର ଜୀବନ ଯାପନ କରୁନାହାନ୍ତି । ତେବେ ଦୀପର ସଳିତା ଭଳି ନିଜେ ଜଳି ଜଳି ସମସ୍ତଙ୍କୁ ଆନନ୍ଦର ଆଲୋକ ଦେଉଛନ୍ତି କାହିଁକି ? କାହା ପାଇଁ ତାଙ୍କର ଏ ତ୍ୟାଗ ? ପାରିବାରିକ ଜୀବନରେ ସେପରି କିଛି ଅସୁବିଧା ନାହିଁ, ଯାହା ପାଇଁ ସେ ଏ ପ୍ରକାର ରୁକ୍ଷ ପଥକୁ ବାଛି ନେଇଛନ୍ତି ! ସେପରି କିଛି ଥିଲେ ସେ ନିଶ୍ଚୟ ଲେଖିଥାନ୍ତେ । ଯଦିଓ ନିଜର ଆଦର୍ଶବାଦ ଉପରେ ସେ ଅଟଳ ରହିଛନ୍ତି, ତଥାପି ମନରେ ତାଙ୍କ ପ୍ରତି ଅହେତୁକ ଆକର୍ଷଣ ଜାଗି ଉଠିଛି ଯାହାକୁ କି ସେ ‘ଭଲପାଇବା’ ବୋଲି କହିପାରୁ ନାହାନ୍ତି ।

 

ଶୁଭେନ୍ଦୁ ବାବୁଙ୍କର ସ୍ଵାସ୍ଥ୍ୟଭଙ୍ଗ ହେଉଛି । ତାଙ୍କର ଯତ୍ନ ନେବାକୁ କେହି ନାହାନ୍ତି । ତାଙ୍କ ନିକଟକୁ ଯିବାକୁ ପ୍ରବଳ ଆଗ୍ରହ, ହେଉଥିଲେ ମଧ୍ୟ କେତେକ କାରଣରୁ ବିବେକ ବାଧା ଦେଉଛି । ପତ୍ରର ପ୍ରତିଲିପି ଲେଖିବାକୁ ମିସ୍ ପଟ୍ଟନାୟକ ସ୍ଥିର କଲେ । ସେ ଭାବିଲେ, ସେଇ ପତ୍ରରେ ସେ ଶିଳ୍ପୀଙ୍କୁ ଅନୁରୋଧ କରିବେ ଯେ ପୁରୁଣା ବନ୍ଧୁତ୍ଵର ମହତ୍ତ୍ଵ ରଖି ସେ ଯେପରି ଥରେ ହେଲେ ଆସି ବୁଲିଯାଆନ୍ତୁ । ଏଣିକି ଆଉ ପତ୍ରାଳାପରେ ଅସୁବିଧା ହେବ ନାହିଁ । କାରଣ ନିଜେ ସେ ଆତ୍ମନିର୍ଭଶୀଳ ଓ ନିଜର ପଦମର୍ଯ୍ୟାଦା ବା ବ୍ୟକ୍ତିତ୍ଵର ସମ୍ମାନ ବିଷୟରେ ବିଶେଷ ସଚେତନ ହେବାର ବୟସ ତାଙ୍କର ହୋଇଯାଇଛି ।

 

ଏ କୁସୁମିତ ଜୀବନରେ କେହି ତ ତାଙ୍କୁ ଅପେକ୍ଷା କରି ନାହାନ୍ତି । ସମସ୍ତେ କେବଳ ଭଲପାଇବାର ଦ୍ୱାହି ଧରି ଅସ୍ଥିର ମନ ନେଇ ଆସିଥିଲେ । ଧୈର୍ଯ୍ୟ ଧରିବାର ପ୍ରକୃତି କାହାର ନ ଥିଲା । ତେଣୁ ତାଙ୍କର ନାସ୍ତିବାଣୀ ଶୁଣିବା ପରେ କେହି ତାଙ୍କୁ ଆନ୍ତରିକତାର ସହିତ ଅପେକ୍ଷା କରିନଥିଲେ । ସମସ୍ତେ ନିଜ ନିଜର ଜୀବନସଙ୍ଗିନୀ ଧରି ଦୁନିଆ ବାଟରେ ଚାଲିବାକୁ ଲାଗିଲେ । କେବଳ ଶିଳ୍ପୀ ଶୁଭେନ୍ଦୁ ବାବୁ ଅସଂସାରୀ ହୋଇ ଯାଇଛନ୍ତି । ସେ କ’ଣ ତାଙ୍କରି ପାଇଁ ଅପେକ୍ଷା କରି ରହିଛନ୍ତି ? ଡକ୍ଟର ମିସ୍ ପଟ୍ଟନାୟକ କେବଳ ଏଇ କଥା ଭାବୁଥିଲେ ।

 

ଦୂର ଦିଗ୍‍ବଳୟକୁ ଅପଲୋକ ନେତ୍ରରେ ଚାହିଁ ମିସ୍ ପଟ୍ଟନାୟକ ଚିଠିଖଣ୍ଡ ଧରି ଭାବୁଥିଲେ । ଏଡ଼ିନ୍‍ବରାରୁ ପୋଷ୍ଟ ଗ୍ରାଜୁଏଟ୍ ପାଶ୍ କରି ଆସିବା ପରେ କଂଗ୍ରାଜୁଲେସନ ବା ସମ୍ବର୍ଦ୍ଧନା ଜଣାଇବା ପାଇଁ କେତେ ବନ୍ଧୁ ଆଗେଇ ଆସିଥିଲେ । ସୁରଜିତ୍ ବାବୁ କହିଲେ ହ୍ୟାଲୋ ! ଡଃ ପଟ୍ଟନାୟକ—ମୋର କିପରି ଗୋଟାଏ ଧାରଣା ହୋଇଥିଲା ଯେ ଆପଣ ପଢ଼ା ପରେ ସେଇ ବିଲାତ ଭୂଇଁରେ ଚାକିରୀ କରି ରହିଯିବେ । ଭାରତର ନଦୀ ନାଳ ଏବଂ ସର୍ବୋପରି ଏଇ ଅନଗ୍ରସର ଓଡ଼ିଶା ଯେ ପୁଣି ଆପଣଙ୍କୁ ଆକର୍ଷଣ କରିବ, ତା ମୁଁ ଭାବି ପାରିନଥିଲି ।

 

ହସି ହସି ସେ ସୁରଜିତ୍ ବାବୁଙ୍କର ଏତାଦୃଶ ଭାବନା ପାଇଁ ଧନ୍ୟବାଦ ଜଣାଇଥିଲେ ।

 

ସଞ୍ଜୟ ବାବୁ ଲେଖିଥିଲେ—ଆପଣଙ୍କର ସାଫଲ୍ୟ ଶୁଣି ଖୁସି ହେଲି । ସେଥିପାଇଁ ଅଭିନନ୍ଦନ ଜଣାଉଛି । ଆପଣଙ୍କର ଏଇ ସାଫଲ୍ୟ ପାଇଁ ଯେତେଟା ଅଭିନନ୍ଦନ ଜଣାଇବାର କଥା ତାଠାରୁ ଅଧିକା ଜଣାଉଛି ଆପଣ ଆପଣଙ୍କର ଆଦର୍ଶକୁ ବଞ୍ଚାଇ ପାରିଛନ୍ତି ବୋଲି । ନାରୀ ପୁଣି ଶ୍ରୀଯୁକ୍ତା ହୋଇଥିବାରୁ ମୋର ଧାରଣା ହୋଇଥିଲା ଯେ ଆପଣ ବୋଧହୁଏ କେଉଁ ଶ୍ୱେତାଙ୍ଗର ପାଣିଗ୍ରହଣ କରିଥିବେ । କ୍ଳବରେ ପହଞ୍ଚି ବଲ୍ ଡାନ୍‍ସରେ ଯୋଗ ଦେଇଥିଲା ପରେ ପୁଣି ଏ ମାଟିକୁ ଆସିବାର ସ୍ଵପ୍ନ ଆଉ ଆପଣଙ୍କର ହେବ ନାହିଁ ବୋଲି ମୁଁ କିପରି ଗୋଟାଏ ନିଶ୍ଚିତ ଧାରଣା ନେଇ ବସିଥିଲି । ଆଚ୍ଛା ଡଃ ମିସ୍ ପଟ୍ଟନାୟକ, କହିଲେ ମୋର ଏ ଧାରଣାଟା ହେବା କ’ଣ ଭୁଲ୍ ? ଯେତେବେଳେ ଏ ଦେଶର ଯୁବକ ଇଞ୍ଜିନିୟର, ଡାକ୍ତର ଏବଂ ଆଡ଼ଭୋକେଟମାନେ ଉଚ୍ଚଶିକ୍ଷା ପାଇବାକୁ ଯାଇ ଶିକ୍ଷାପରେ ବାପା, ମା ଏବଂ ତାଙ୍କ ପାଇଁ ଆତ୍ମୋତ୍ସର୍ଗ କରିଥିବା ଗୋଟିଏ ପରିବାର କଥା ଭୁଲି ସେହିଠାରେ କୌଣସି ଶ୍ୱେତାଙ୍ଗିନୀର ମଧୁ ପ୍ରଣୟରେ ଆବଦ୍ଧ ହୋଇ ଆଉ ନିଜର ଜନ୍ମମାଟିକୁ ଫେରନ୍ତି ନାହିଁ ଏବଂ ସେହିଠାରେ ଦିନ କେତେଟା ପରେ ନାଗରିକତାର ଦାବୀ କରି ବସନ୍ତି, ସେତେବେଳେ ଆପଣଙ୍କ ପରି ଜଣେ ସୁଶ୍ରୀ ବିଦୁଷୀ ମହିଳାଙ୍କ ପାଇଁ ଏପରି ଆଶଙ୍କା କରିବାରେ ଯଥେଷ୍ଟ ଅବକାଶ କ’ଣ ନାହିଁ ?

 

ଡକ୍ଟର ମିସ୍ ପଟ୍ଟନାୟକ ଭାବୁଥିଲେ—କାହିଁ ଶିଳ୍ପୀ ଶୁଭେନ୍ଦୁବାବୁ ତ ଏପରି ଆଶଙ୍କା କରିପାରିନଥିଲେ ? ତାଙ୍କ ମନରେ ତ ସନ୍ଦେହର ଛାଇ ଦେଖା ଦେଇ ନଥିଲା ! ସେ ନିଶ୍ଚିତ ଥିଲେ ଯେ ସୀତା ଅଗ୍ନିପରକ୍ଷାରେ ଗୋଟାଏ ଅକ୍ଷତ ଶରୀର ନେଇ ଫେରିଲା ପରି ମୁଁ ନିଶ୍ଚୟ ବିଦେଶରୁ ଗୋଟାଏ ନିଷ୍କଳଙ୍କ ଚରିତ୍ର ନେଇ ଫେରି ଆସିପାରିବି । ଯାହା ଲେଖିଛନ୍ତି ସେ ଯେ ମୋର ସ୍ଵାଧୀନ ମନକୁ କେହି ଟଳାଇ ଦେଇପାରିବେ ନାହିଁ, ସେଇ ନିଷ୍ଠୁର ସତ୍ୟକୁ ଉପଲବଧି କରିବାକୁ ହେଲେ ତାଙ୍କ ସହିତ ନିବିଡ଼ ମିଳାମିଶାର ଯଥେଷ୍ଟ ଆବଶ୍ୟକତା ରହିଛି । ସେଇ ସୁଯୋଗ କେବଳ ଶିଳ୍ପୀ ଶୁଭେନ୍ଦୁ ପାଇଥିଲେ ।

 

ଶିଳ୍ପୀଙ୍କର ସେଇ ଚିଠିଖଣ୍ଡ ଆହୁରି ଥରେ ପଢ଼ିବାକୁ ଲାଗିଲେ ଡକ୍ଟର ମିସ୍ ପଟ୍ଟନାୟକ-। ପୁରୁଣା ଦିନର ଇତିହାସର ଗୋଟାଏ ଛିନ୍ନ ପୃଷ୍ଠା । କେତେ ସମ୍ବେଦନା, କେତେ ଆଶା, କେତେ ମମତା ଏଇ ଚିଠି ଖଣ୍ଡିକରେ ଭରି ରହିଛି ! ବହୁତ ଚିନ୍ତାକରି ମଧ୍ୟ ପତ୍ରର ପ୍ରତ୍ୟୁତ୍ତର ଦେବା ପାଇଁ ମିସ୍ ପଟ୍ଟନାୟକ ସେତେବେଳେ ସାହାସ କରିପାରି ନ ଥିଲେ । ଶିଳ୍ପୀଙ୍କର ଶରୀର କ୍ରମାଗତ ଅସୁସ୍ଥ ରହୁଛି; କିନ୍ତୁ ନିଜେ ସେ ଶିଳ୍ପୀଙ୍କ ନିକଟକୁ ଅନୁରୋଧ କରି ଦୁର୍ବଳ ସ୍ଵାସ୍ଥ୍ୟ ଉପରେ ଆଉ ଅତ୍ୟାଚାର କରନ୍ତୁ ନାହିଁ, ନିଜ ଶରୀରର ଯତ୍ନ ନିଅନ୍ତୁ ଏବଂ ଅନ୍ତତଃ ଦୁନିଆରେ ଦୁନିଆରେ କିଛିଦିନ ବଞ୍ଚିରହନ୍ତୁ ଲେଖି ପାରିଲେ ନାହିଁ ।

 

ଶିଳ୍ପୀ ଶୁଭେନ୍ଦୁ ବଞ୍ଚିରହିଲେ ତାଙ୍କର କ’ଣ ଲାଭ ହେବ ? ମିସ୍ ପଟ୍ଟନାୟକ ଭାବୁଥିଲେ–କିଛି ନ ହେଲେ ମଧ୍ୟ ତାଙ୍କ ପାଇଁ ମମତା, ଅନୁରାଗ କିମ୍ବା ଶ୍ରଦ୍ଧା ଥିବା ଗୋଟାଏ ହୃଦୟ ତ ତାଙ୍କ ପାଇଁ ବଞ୍ଚି ରହିଛି । ଏତକ ଆଶ୍ଵାସନା କ’ଣ ଏଇ ଆମ କେନ୍ଦ୍ରୀୟ ସ୍ୱାର୍ଥପର ସମାଜରେ ମିଳିବାଟା ଯଥେଷ୍ଟ ନୁହେଁ......

 

ସଞ୍ଜୟ ବାବୁ ଲେଖିଛନ୍ତି—

 

ଆଜିକାଲି ସେ ବଣାଇ ସବ୍ଡ଼ିଭିଜନର ଫରେଷ୍ଟ ଡିଭିଜିନାଲ ଅଫିସର୍—ଆଉ ଅଳ୍ପ କେତେ ବର୍ଷ ପରେ ସେ ଅବସର ଗ୍ରହଣ କରିବେ । ବହୁତ ଦିନର ବନ୍ଧୁତ୍ୱକୁ ଉଖାରି ସେ ଖଣ୍ଡିଏ ପତ୍ର ଲେଖିଛନ୍ତି । ଡକ୍ଟର ମିସ୍ ପଟ୍ଟନାୟକ ସେଦିନ ଡାକ୍ତରଖାନାରୁ ଫେରି ଚିଠିଖଣ୍ଡ ଧରି ବୈଠକ ରୁମ୍‍ରୁ ତାଙ୍କ ଚଶମାଟା ଆଣିବାକୁ ଆୟାକୁ ଡାକ ପକାଇଲେ । ବିନା ଚଷମାରେ ସେ ଆଜିକାଲି ଏପରିକି ଅପରେସନ ବି କରିପାରୁ ନାହାଁନ୍ତି । ଯୌବନର ରଙ୍ଗୀନ୍ ଝଲକ୍ ଲିଭିଗଲାଣି । ବାର୍ଦ୍ଧକ୍ୟର ସତର୍କ ତଦାଘାତ ଶୁଭିଲାଣି । ଶିଳ୍ପୀଙ୍କର ଭାଷାରେ ନିଃସଙ୍ଗ ଜୀବନରେ ଅନାବନା ଚିନ୍ତାର ଭୂତ ମଣିଷର ମୁଣ୍ଡରେ ପଶି ନାନା ପ୍ରକାର ଗଣ୍ଡଗୋଳ ସୃଷ୍ଟି କରନ୍ତି । ତେଣୁ ସେଇ ଚିନ୍ତାଠାରୁ ଦୂରେଇ ରହିବାକୁ ହେଲେ ଜଞ୍ଜାଳ ଦରକାର ଏବଂ ଅତୀତକୁ ଭୁଲିବା ପାଇଁ ସେ ଚାକିରୀର ମୋହ ଛାଡ଼ିପାରୁନାହାନ୍ତି । ସେ ଶିଳ୍ପୀଙ୍କର ମହାନ୍ ସତ୍ୟକୁ ମାନିନେଇଛନ୍ତି ଏବଂ ନିଜେ ମଧ୍ୟ ତାର ସତ୍ୟତା ଉପଲବ୍ଧି କରି ପାରୁଛନ୍ତି । ନିଜର ଚାକିରୀ ସମୟ ପରେ ଟାଉନ ଭିତରେ ଗୋଟିଏ ଘରୋଇ କ୍ଲିନିକ୍ ଖୋଲିଛନ୍ତି । ଅବଶିଷ୍ଟ ସମୟ ସେଥିରେ କଟିଯାଏ । ବାକୀ ସମୟ ଘରେ ପତ୍ରପତ୍ରିକା ପଢ଼ାରେ ଯାଏ ।

 

ଆୟା ଆଣି ଚଶମାଟା ଦେଇଗଲା । ଚିଠି ଖଣ୍ଡ ଡକ୍ଟର ମିସ୍ ପଟ୍ଟନାୟକ ପଢ଼ିବାକୁ ବସିଲେ । ସଞ୍ଜୟ ବାବୁ ଲେଖିଛନ୍ତି—

 

ଗୋଟାଏ ଶୁଭ ମୁହୂର୍ତ୍ତରେ ଆମର ବନ୍ଧୁତ୍ୱ ଜାଗି ଉଠିଥିଲା ଏବଂ ପରେ ତାହା ନାନା ପ୍ରକାର ଭାବରେ ଗତି କରି ସୁଦୃଢ଼ ହୋଇପାରି ନ ଥିଲେ ସୁଦ୍ଧା ଆପଣ ମୋତେ ଚିହ୍ନି ପାରିବେ, ଏ ବିଶ୍ୱାସ ମୋର ଅଛି । ଏ ପତ୍ର ମୁଁ ଲେଖୁଛି । ଉତ୍ତର ବୟସରେ ତ ଆଉ ସେହି ଦୁର୍ବାର କାମନା ଆମର ନାହିଁ, ଏ ଚିଠି ତେଣୁ ସେ ତାରଲ୍ୟର ସ୍ଵାକ୍ଷର ବହନ କରିନାହିଁ । ମୋର ଗୋଟିଏ ଅନୁରୋଧ ଅଛି—ଆଶାକରେ ଆପଣ ତାହା ରକ୍ଷା କରିବେ ।

 

ଯେଉଁ କାମନା ଆମର ପୂର୍ଣ୍ଣ ହୋଇପାରିଲା ନାହିଁ, ମୁଁ ଭାବୁଛି ବୋଧହୁଏ ଆପଣ ଯଦି ମୋର ଅନୁରୋଧ ରକ୍ଷା କରନ୍ତେ ତେବେ ଆମର ଅପୂର୍ଣ୍ଣ ଆକାଙ୍‍କ୍ଷା ପୂର୍ଣ୍ଣ ହୋଇପାରନ୍ତା । ଆମେ ପୁଣି ସମାଜରେ ଦୁଇ ଘନିଷ୍ଠ ବନ୍ଧୁ ଭାବରେ ବଞ୍ଚିରହନ୍ତେ ।

 

ଆପଣତ ଆଉ ଆସି ନାହାନ୍ତି, ତେଣୁ ମୋର ପରିବାରର କେହି ଆପଣଙ୍କ ସହିତ ପରିଚିତ ହୋଇପାରି ନାହାନ୍ତି । ପରିବାର କହିଲେ ଆମ ଦୁଇଜଣଙ୍କୁ ବାଦ୍ ଦେଲେ ଗୋଟିଏ ପୁଅ ଓ ଝିଅ । ମୁଁ ବର୍ତ୍ତମାନ ମୋର ଝିଅ କଥା ଆପଣଙ୍କୁ କହୁଛି । ନାମଟି ତାର ଧାରା । ଏ ବର୍ଷ ବି. ଏସ. ସି. ପାଶ୍ କରିବ । ପାଠ ବ୍ୟତୀତ ଅନ୍ୟାନ୍ୟ ଗୃହକାର୍ଯ୍ୟରେ ସେ ସୁନିପୁଣା । ମୋର ଏବଂ ତାର ବୋଉର ଇଚ୍ଛା ଯେ ଏ ବର୍ଷ ତାର ବିବାହ ଶେଷ କରିବାକୁ ହେବ । ଆଉ ତାକୁ ପଢ଼ାଇବାକୁ ଆଗ୍ରହ ନାହିଁ । କାରଣ ଆଉ ପାଠ ପଢ଼ି କ’ଣ ବା କରିବ ? ଯେତିକି ଯୋଗ୍ୟତା ଦରକାର ତା’ ଠାରେ ସେତେକ ମୁଁ ଦେଇଛି । ଯଦି ଜୀବନରେ ଝଡ଼ ଆସେ । ତେବେ ସେତିକିରେ ସେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିପାରିବ । ଚିରକୁମାରୀ ରହିବାର ମୁଁ ପକ୍ଷପାତୀ ନୁହେଁ । ପାଠ ପଢ଼ିଲେ ଯଦି ଚିରୁକୁମାରୀ ହୋଇ ରହିବାକୁ ହେବ, ତେବେ ସୃଷ୍ଟି କ’ଣ ବଞ୍ଚିପାରିବ ?

 

ମୋର ଏବଂ ମୋର ସ୍ତ୍ରୀର ସଂପୂର୍ଣ୍ଣ ଇଚ୍ଛା ଧାରାକୁ ଆପଣଙ୍କର ବୋହୂ କରି ଦେଖିବାକୁ-। ସେ ଆମ କୋଳରେ ଝିଅ ହୋଇ ଜନ୍ମିଥିଲା ଆଉ ଆପଣଙ୍କ କୋଳରେ ଝିଅ ହୋଇ ଚଳିବ-। ସଂଗ୍ରାମକୁ ଜ୍ଵାଇଁ ନୁହେଁ, ପୁଅ ରୂପେ ପାଇବାକୁ ମୋର ଇଚ୍ଛା । ଆପଣ ପଚାରି ପାରନ୍ତି ସମାଜ କଥା—ସମାଜ କ’ଣ ଏଇ ବିବାହକୁ ମାନିନେବାକୁ ପ୍ରସ୍ତୁତ ? କିନ୍ତୁ ମୁଁ କହିବି ସମାଜ ତ ଆମକୁ ସୃଷ୍ଟି କରି ନାହିଁ, ଆମେ ସମାଜକୁ ସୃଷ୍ଟି କରିଛେ । ଆପଣ ଚିରକୁମାରୀ । ପୋଷ୍ୟପୁତ୍ର ଗ୍ରହଣ କରିବାର ଅଧିକାର ଆପଣଙ୍କର ଯେ ନାହିଁ, ଏ କଥା କେହି ଅସ୍ୱୀକାର କରି ପାରିବେ ନାହିଁ-। ମଣିଷ ସ୍ନେହରେ ବିରାଡ଼ି, କୁକୁର ପିଲା ଆଣି ପାଳୁଛି । ଆଉ ଯଦି ମଣିଷ ପିଲାଟିଏ ଆଣି ପାଳିଲେ ସେହିଠାରେ ତାର ଗୋତ୍ରର ସନ୍ଧାନ ନେବାକୁ ନିର୍ବୋଧତା ବ୍ୟତୀତ ଆଉ କ’ଣ କୁହାଯିବ-?

 

ଆଜିର ସମାଜ ଉଚ୍ଚ ବଂଶ କିମ୍ଵା ନୀଚ ବଂଶର ସଂକୀର୍ଣ୍ଣତା ଭିତରେ ଆବଦ୍ଧ ହୋଇ ରହିବାକୁ ଚାହୁଁ ନାହିଁ । ମୋର କନ୍ୟାର ଭବିଷ୍ୟତ ମଙ୍ଗଳମୟ ହେଉ—ଏତିକି ମୋର କାମନା କରିବା କ’ଣ କର୍ତ୍ତବ୍ୟ ନୁହେଁ ? ସଂଗ୍ରାମ ଭଳି ଯୋଗ୍ୟ ପାତ୍ର କେତେ ଜଣ ମିଳିବେ ବହୁତ ଭାବିଚିନ୍ତି ମୁଁ ସଂଗ୍ରାମକୁ ଆପଣଙ୍କଠାରୁ ଭିକ୍ଷା ମାଗୁଛି । ଆପଣ ସଂଗ୍ରାମକୁ ମୋ କୋଳକୁ ତୋଳିଦେଇ ଧାରାକୁ ଆପଣଙ୍କ କୋଳକୁ ଆଉଜାଇ ନେବେ ମୋର ଏତିକି ମିନତି । ମୋ ପରି ହୁଏ ତ ମୋଠାରୁ ଆହୁରି ଉଚ୍ଚଧରଣର ପ୍ରସ୍ତାବ ଆପଣଙ୍କ ନିକଟକୁ ଆସିଥିବ । ପ୍ରତ୍ୟେକ ମାତା ବିବାହ ବେଳେ ଲାଭକ୍ଷତିର କଥା ଭାବିବସନ୍ତି । କିନ୍ତୁ ଏ ପ୍ରସ୍ତାବ କ’ଣ ସବୁ ପ୍ରସ୍ତାବ ସଙ୍ଗେ ସମାନ-? ତେବେ ଏତିକି ନିର୍ଭର ରହନ୍ତୁ ଯେ ସଂଗ୍ରାମକୁ ମୁଁ ଅସମ୍ମାନିତ କରିବି ନାହିଁ ।

 

ଜୀବନରେ ଥରେ ଆପଣ ମୋତେ ଆହତ କରି ନିରାଶରେ ଫେରାଇ ଦେଇଥିଲେ । ସେହି ଜ୍ୱାଳାକୁ ମୁଁ ଦୀର୍ଘଦିନ ଧରି ବୁକୁପାତି ସହିଛି । ବର୍ତ୍ତମାନ ସେଇ ଅତୀତର ହତାଶାକୁ ଭୁଲିଯାଇ ପୁଣି ଯାଚ୍ଞା କରି ବସିଛି ମୋର ଅନୁରୋଧ—ନା ନା ଭିକ୍ଷା । ନିଶ୍ଚୟ ରକ୍ଷା କରିବେ, ଏ ଆଶା ଓ ବିଶ୍ୱାସ ମୋର ଅଛି ।

 

ଚିଠି ଖଣ୍ଡ ପଢ଼ିସାରି ମିସ୍ ପଟ୍ଟନାୟକ ଭାବୁଥିଲେ—ଖଣ୍ଡିଏ ସଂକ୍ଷିପ୍ତ ପତ୍ରରେ ସଞ୍ଜୟ ବାବୁ ବହୁତ କଥା ଲେଖି ପାରିଛନ୍ତି । ଚିରକୁମାରୀତ୍ଵର ସମର୍ଥନ ସେ କରିପାରୁ ନାହାନ୍ତି । ରକ୍ତରେ ନିଆଁ ଲାଗିଲେ ମନରେ ଯେ କି ଉତ୍ତାପ ସୃଷ୍ଟି ହୁଏ, ତାହା ନିଜେ ସେ ଅନୁଭବ କରିଛନ୍ତି । ବାସ୍ତବିକ ସଞ୍ଜୟ ବାବୁଙ୍କର ଏ ନିଷ୍ଠୁର ସତ୍ୟ ପ୍ରତି ତାଙ୍କର ଅକୁଣ୍ଠ ସମର୍ଥନ ରହିଛି । ଗୋଟିଏ ବାସ୍ତବଧର୍ମୀ ପତ୍ର ସେ ଲେଖିଛନ୍ତି । ଗୁଡ଼ାଏ ଅନାବନା ଚିନ୍ତା ନାହିଁ କିମ୍ବା ଅଯଥା ସ୍ତୁତିପାଠ ନାହିଁ । ସଞ୍ଜୟ ବାବୁ ଲେଖିଛନ୍ତି—ସମାଜକୁ ଆମେ ସୃଷ୍ଟି କରିଛେ, ସମାଜ ଆମକୁ ସୃଷ୍ଟି କରି ନାହିଁ । କି ନିଷ୍ଠୁର ସତ୍ୟ ! ସଞ୍ଜୟ ବାବୁଙ୍କ ପରି ପ୍ରଗତିଶୀଳ ବ୍ୟକ୍ତି ନ ରହିଲେ ଏଇ ଆଜିକାଲିକାର ସମାଜର ସଂକୀର୍ଣ୍ଣ ମନୋବୃତ୍ତିଧାରୀ ତଥାକଥିତ ସମାଜପତିଙ୍କଠାରୁ କ’ଣ ନ୍ୟାୟ ମିଳିପାରିବ ? ଯେଉଁ ଯୁବକର ଜନ୍ମ ପଛରେ ଇତିହାସ ନାହିଁ; ତାକୁ ଜାମାତା ରୂପେ ବାଟବରଣ କରିବାକୁ କେତେ ଜଣ ଆଗେଇ ଆସିବେ ?

 

ଆପେ ଆପେ ଯେଉଁ ଜିନିଷ ହାତମୁଠାକୁ ଆସେ ତାକୁ ଗ୍ରହଣ ନ କରିଲେ ପଛରେ ତା ପାଇଁ ଅନୁତାପ କରିବାକୁ ହୁଏ । ଚିଠି ଖଣ୍ଡି ଲଫାପା ଭିତରେ ରଖୁ ରଖୁ ମିସ୍ ପଟ୍ଟନାୟକ ଦେଖିଲେ ଖଣ୍ଡିଏ ପାସପୋଟ୍‍ ସାଇଜର ଫଟୋ ତା ଭିତରେ ଅଛି ।

 

ଫଟୋଟି ଭିତରୁ ହସି ଉଠୁଛି ଧାରା—ତାଙ୍କର ଭାବୀ ବଧୂ ସଂଗ୍ରାମର ପ୍ରସ୍ତାବିତ ସହଧର୍ମିଣୀ । କି ସୁନ୍ଦର ଚେହେରା ! ପୂରିଲା ପୂରିଲା ଗାଲ, ପାନପତ୍ର ପରି ମୁହଁ, ଟଣା ଟଣା ଆଖି-। ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ପରିଧେୟରେ ରୁଚିଜ୍ଞାନ ଅଛି । ମୁଗ୍ଧା ହୋଇଉଠିଲେ ଡକ୍ଟର ମିସ୍ ପଟ୍ଟନାୟକ । ମନେ ମନେ ଭାବିଲେ—ଏକ ପ୍ରକାର ବୋହୂ ଦେଖା ତ ହୋଇଗଲା । ସଞ୍ଜୟ ବାବୁ ବଡ଼ ଚତୁର । ଲୌକିକତାକୁ ରକ୍ଷା କରିବା ପୂର୍ବରୁ ସମସ୍ତ ସୁବିଧା ଦେଇଛନ୍ତି । ଧାରାକୁ ଦେଖିଲେ ଅଧିକ କ’ଣ ହେବ ? ଟେବୁଲ ଉପରେ ଟ୍ରାଂଜିଷ୍ଟର ଉପରେ ଥିବା ସଂଗ୍ରାମର ଫଟୋ ଷ୍ଟାଣ୍ଡ (Stand) ପାଖରେ ଧାରାର ଫଟୋଟି ଖଞ୍ଜି ଦେଲେ ।

 

ତନ୍ମୟା ହୋଇ ପ୍ରଫେସର ମିସ୍ ପଟ୍ଟନାୟକ ଦେଖୁଥିଲେ—କି ଅପୂର୍ବ ମେଳ ! ସତେ କି ଏକା ମା’ ପେଟରେ ଭାଇ ଭଉଣୀ ! ଏ ବାହାଘର ଯଦି ହୁଏ ତେବେ ମଣିକାଞ୍ଚନର ସଂଯୋଗ ହେବ ।

 

ମନତଳେ ତାଙ୍କର ଆନନ୍ଦର ଫଲ୍ଗୁ ନାଚି ଉଠିଲା । ସେ କେତେ କଥା କଳ୍ପନା କରିବସିଲେ । ଧାରା ଏ ଘରକୁ ବୋହୂ ହୋଇ ଆସିବ—ଶାଶୁ ସେ ହେବେ, କେତେ ମାନ୍ୟ, କେତେ ଭକ୍ତି ସେ ପାଇବେ । ତାଙ୍କରି ଘରେ ଗୋଟାଏ ସୁଖର ସଂସାର ହସି ଉଠିବ । ସଂଗ୍ରାମ କୋଳକୁ ବର୍ଷ କେତେଟା ପରେ ପୁଅ କି ଝିଅ ଆସିବେ । ଅନ୍ତିମ ସମୟଟା ସଂଗ୍ରାମର ପିଲାମାନଙ୍କର ଅଳିଅର୍ଦ୍ଦୋଳି ସହି କଟିଯିବ । ଦୁନିଆ ବୁକୁରେ ନାଚିକୁଦି ସେ ଗର୍ବରେ କହିଉଠିବେ–ସଂସାରୀ ନ ହୋଇ, ଜଞ୍ଜାଳ ଭିତରକୁ ନ ପଶି ସେ କ’ଣ ଅସଂସାରୀ ହୋଇଉଠିଲେ ? ପୁଅ ବୋହୂ, ନାତି ନାତୁଣୀ ନେଇ ଘର କରି ସଂସାରରୁ କୁମାରୀର ତିଳକ ନେଇ ବିଦାୟ ନେଉଛନ୍ତି-। ଗୋଟାଏ ଇତିହାସ ସେ ନୂତନ କରି ସୃଷ୍ଟି କରିଗଲେ ।

 

ମନେ ମନେ ଠିକ୍ କଲେ ସଞ୍ଜୟ ବାବୁଙ୍କ ପାଖକୁ ତାଙ୍କର ସମ୍ମତି ଜଣାଇ ପଠାଇବେ । ସଂଗ୍ରାମ ବିଲାତରୁ ଫେରିଲା ପରେ ନିର୍ବନ୍ଧ ହେବ ଏବଂ ଲଗ୍ନ ସ୍ଥିର ହେବ ।

 

ଡିସେମ୍ବର ମାସର ଗୋଟାଏ ଶୀତ ସକାଳ......

 

ଗତ ରାତ୍ରିରୁ ବର୍ଷା ଲାଗିରହିଛି । ସକାଳୁ ବି ଗୁରୁ ଗୁରୁ ଶୀତ ହେଉଛି । କେଉଁଆଡ଼େ ବାହାରିବାକୁ ଇଚ୍ଛା ହେଉ ନ ଥାଏ ଦେହରେ ସ୍କାର୍ଫଟାକୁ ଭିଡ଼ିଧରି ଝରକା ପାଖରେ ମିସ୍ ପଟ୍ଟନାୟକ ଆସି ଠିଆହୋଇ ଝଡ଼ର ତାଣ୍ଡବ ଲୀଳା ଦେଖୁଥିଲେ ।

 

ବାହାରେ ପ୍ରକୃତି ଭୀଷଣ ରୂପ ଧରିଛି । ଏପରି ଦୁର୍ଦ୍ଦିନରେ କାମକୁ ଯିବାକୁ ପ୍ରଫେସର ମିସ୍ ପଟ୍ଟନାୟକଙ୍କର ଇଚ୍ଛା ହେଲା—ନାହିଁ । ନିଜର ଅସୁସ୍ଥତା ଜଣାଇ ସୁପରିନଟେଣ୍ଡେଣ୍ଟଙ୍କ ପାଖକୁ ଖଣ୍ଡିଏ ଦରଖାସ୍ତ ପଠାଇ ଦେଲେ ।

 

ମିସ୍ ପଟ୍ଟନାୟକଙ୍କର ବେଡ଼ ରୁମକୁ ପଶି ଆସିଲା ଆୟା । ହାତରେ ତାର ଗରମ ଚାହାର ପିଆଲା । ଟି-ପୟ ଉପରେ ଚାହାକୁ ରଖିଦେଇ କହିଉଠିଲା—ମା ଚାହା ଆଣିଲି ।

 

ମୁହଁ ଫୁଲେଇଲେ ପ୍ରଫେସର ମିସ୍ ପଟ୍ଟନାୟକ—

 

ମିସ୍ ପଟ୍ଟନାୟକଙ୍କ ମୁହଁକୁ ଚାହିଁ ଆୟା କହିଉଠିଲା, ଛିଃ—ତୁମେ ଏତେ ଅବୁଝା ହେଲେ ମା ଚଳିବ ? କାଲି ରାତ୍ରରୁ କାନ୍ଦୁଛ । କାନ୍ଦି କାନ୍ଦି ଆଖି ଦୁଇଟା ବେଙ୍ଗଫୁଲା ପରି ଫୁଲିଗଲାଣି । କ’ଣ ନାହିଁ ତୁମର ? କାହିଁକି ଏତେ ଦୁଃଖ ? ରାତ୍ରିରେ ଖାଇଲ ନାହିଁ । ରୋଷାଇ ସବୁ ଫୋପଡ଼ା ହେଲା । କାନ୍ଦି କାନ୍ଦି ଶୋଇଲ; ପିଲାଟା ସେ, କି ବା ବୁଦ୍ଧି ତାର ? କାଲିପରି ଲାଗୁଛି ଏଇ ଘରେ ଝୁଲାରେ ସେ ଖେଳୁ ଥିଲା, ସେ ପୁଣି ଖଣ୍ଡିଏ ଚିଠି ଲେଖିଲା । ସେଥିପାଇଁ ଏତେ ଦୁଃଖ ?

 

ଦୁଃଖରେ ଗୋଟାଏ ର୍ଦୀର୍ଘନିଃଶ୍ୱାସ ମିସ୍ ପଟ୍ଟନାୟକଙ୍କର ପଞ୍ଜରା ଥରାଇ ବାହାରି ଆସିଲା । ଚେୟାର ଉପରେ ଆସି ବସି ପଡ଼ିଲେ । ଟି-ପୟ ଉପରୁ ଚାହାକୁ ତୋଳି ନେଇ ସେଥିରେ ଚୁମକ ଦେଉ ଦେଉ କହିଲେ, ମଣିଷ କେଡ଼େ ଭୁଲ୍ ନ କରେ କହିଲୁ ? କାହିଁକାର ଗୋଟାଏ ନାମ ଗୋତ୍ରହୀନପିଲା । ମୁଁ ନ ଆଣିଥିଲେ ମରିବାକୁ ଅଧଘଣ୍ଟାଏ ବି ଲାଗି ନଥାନ୍ତା । ମଲା ପରେ କାଉ, କୁକୁରଙ୍କର ଆହାର ହୋଇଥାନ୍ତା । ତୋରି ହାତରେ ତୁ ପାଳି ଆଣିଥିଲୁ । ତେଣୁ ତୋ ଆଗରେ ମୁଁ କ’ଣ କହିବସିବି ? ସବୁ ତୁ ଜାଣିଛୁ । ସଞ୍ଜୟ ବାବୁ ଭଳି ଗୋଟାଏ ପ୍ରତିଷ୍ଠିତ ବ୍ୟକ୍ତି, ଯାହାର ମାନ, ସମ୍ମାନ, ଧନ, ପ୍ରତିପତ୍ତି କେଉଁଥିରେ ଅଭାବ ନାହିଁ, ତାକୁ କ’ଣ ଜ୍ୱାଇଁର ଅଭାବ ହୋଇଥାନ୍ତା । କେବଳ ମୋର ମୁହଁକୁ ଚାହିଁ ଧାରାକୁ ସେ ସଂଗ୍ରାମ ହାତକୁ ଟେକି ଦେବାକୁ ଚାହିଁଥିଲେ । ଏଘରକୁ ଯଦି ସେପରି ଲକ୍ଷ୍ମୀପିତୁଳୀ ବୋହୁ ହୋଇ ଆସିଥାନ୍ତା, ତେବେ କେଡ଼େ ଭଲ ନ ହୋଇଥାନ୍ତା କହିଲୁ ? ଏଘର ପୂରି ଉଠୁଥାନ୍ତା । ଦେଖୁନାହିଁ, ସେ ଫଟୋ ଭିତରୁ କିପରି ନୀରିହ ଭାବରେ ଜୁଳୁ ଜୁଳୁ ହୋଇ ଚାହିଁଛି । ଧୀର ସ୍ଥିର ଶାନ୍ତ ପିଲାଟିଏ ଧାରା । ରତିକି ନିନ୍ଦା କରି ରୂପ ପାଇଛି । ସେ ପୁଣି ସଂଗ୍ରାମର ମନଲାଖି ହେଲାନାହିଁ ।

 

ତମେ ଭୁଲ ବୁଝୁଛ ମାମା—ସେ ତ ସେକଥା ଲେଖି ନାହାଁନ୍ତି । କାଲି ଯେଉଁ ଚିଠିଟା ପଢ଼ି ଶୁଣାଉଥିଲ, ସେଥିରେ ସେ ଧାରାର ନାମ ସୁଦ୍ଧା ଧରି ନାହାନ୍ତି । ସେ ତ ଧାରାକୁ ବିବାହ କରିବେ ନାହିଁ ବୋଲି ଲେଖି ନାହାନ୍ତି । ଖାଲି ମିଛରେ ତାକୁ ଦୋଷ ଦେଉଛ ସିନା ।

 

ମିଛରେ ମୁଁ କାହାକୁ ଦୋଷ ଦିଏ ନାହିଁ । ମୁଁ ତା ପାଖକୁ ଧାରା କଥା ଲେଖିଥିଲି । ସେ ଧାରା କଥା କିଛି ନ ଲେଖି ମିସ୍ ମେରୀ କଥା ମୋ ପାଖକୁ ଲେଖିଛି । କେଉଁ ଗୋଟାଏ ଶ୍ୱେତାଙ୍ଗିନୀ ତରୁଣୀ । ସେ ପୁଣି ତାର ସହପାଠିନୀ । ତାର ଚାଲି, ଚଳନ, ବ୍ୟବହାର ତାକୁ ମୁଗ୍ଧ କରିଛି । ଅନ୍ଧ ଭାବରେ ସେଇ ତରୁଣୀର ଗୁଡ଼ାଏ ସ୍ତବ ପାଠ କରିଛି । ତୁ ଜାଣିନୁ ଆୟା, ଗୋଟିଏ ଅବିବାହିତ ଯୁବକ ଯଦି ଗୋଟାଏ ଅବିବାହିତା ତରୁଣୀର ସଂସ୍ପର୍ଶରେ ଆସି ତାରି ରୂପ, ଗୁଣର ପ୍ରଶଂସା କରେ, ତାକୁ କହନ୍ତି “ପ୍ରେମ”—ସଂଗ୍ରାମ ନିଶ୍ଚୟ ପଥ ହୁଡ଼ିଛି । ସେଇ ମାଟିରେ ତାର ମାଆ ବି ଦିନେ ବୁଲି ଆସିଥିଲା । ସେଠାକାର ଚାଲିଚଳନ ସହିତ ମୋଠାରୁ ଆଉ ଅଧିକ କ’ଣ ତୁ ପରିଚିତ ? ସଂଗ୍ରାମ ନିଶ୍ଚୟ ପବିତ୍ର ହିନ୍ଦୁ ଧର୍ମକୁ ଛାଡ଼ିଛି । ଗୋଟାଏ ତରୁଣୀର ରୂପ ତାର ମନକୁ ଚହଲାଇ ଦେଇଛି । ସେ ନିଶ୍ଚୟ କ୍ଲବକୁ ଯାଉଥିବ ବଲ୍ଡ଼ାନ୍ସ କରୁଥିବ ସେଇ ମେରୀକୁ ନେଇ କେତେ ପାର୍କରେ ଘୁରୁଥିବ । ଏଥିରେ ତିଳେହେଲେ ଅବିଶ୍ଵାସ କରିବାର ନାହିଁ ତା ଯଦି ନ ହୋଇଥାନ୍ତା, ତେବେ ସେ କ’ଣ ମୋ ପାଖକୁ ମେରୀର ଫଟୋ ପଠାଇବାକୁ ସାହସ କରି ପାରିଥାନ୍ତା ? ଉତ୍ତେଜିତ ହୋଇ ପ୍ରଫେସର ମିସ୍ ପଟ୍ଟନାୟକ ମେରୀର ଫଟୋଟା ତକିଆତଳୁ କାଢ଼ି ଆୟା ହାତକୁ ବଢ଼ାଇ ଦେଇ କହିଲେ—ଦେଖିଲୁ ଅୟା—ଧାରା ଆଉ ମେରୀ—କେତେ ତଫାତ୍ ଦୁହିଁଙ୍କ ଭିତରେ—ଧାରା ଆକାଶର ଚାନ୍ଦ ହେଲେ ମେରୀ, ନା—ନା ଧାରା ସହିତ ମେରୀର ତୁଳନା ହୋଇ ପାରେ ନାହିଁ ।

 

ଆୟା ମେରୀର ଫଟୋକୁ ନିରୀକ୍ଷଣ କରିବାକୁ ଲାଗିଲା । କହରା କହରା ଝିଲିପି ବାଳ, ଚିଲା ଚିଲା ଆଖି, ସେଥିରେ ପୁଣି ଏଡ଼େ ବଡ଼ ଟୋକିଟାଏ ଫକ୍ ପିନ୍ଧିଛି । ଆୟା କହିଉଠିଲା—ବଡ଼ ବେସରମୀଟାଏ ମାଆ । ଲାଜ କ’ଣ ଟିକିଏ ମୁହଁରେ ଅଛି ? ଏଇମିତି ହେରେମୀଙ୍କ ଭଳି ବସି ଫଟୋ ନେବାକୁ ତାକୁ କିପରି ଭଲ ଲାଗିଲା ?

 

ସେ ଦେଶରେ ଲାଜ ମହତ କିଛି ନାହିଁ । ଆମ ଦେଶପରି ପ୍ରେମ କରିବାଟା ସେଠାକାର ମହରଗ ନୁହେଁ । ଆମର ଏଠାରେ ବିବାହ ପରେ ଛାଡ଼ପତ୍ର ଦେଲେ ଖୁବ୍ କ୍ଵଚିତ୍ ସ୍ତ୍ରୀ ଅନ୍ୟ ସ୍ୱାମୀର ଚିନ୍ତା କରନ୍ତି; କିନ୍ତୁ ସେଠାରେ ପ୍ରଣୟ ଯେପରି ଶସ୍ତା, ଛାଡ଼ପତ୍ର ସେପରି ଶସ୍ତା । ଏପରିକି ବହୁ ସନ୍ତାନର ଜନନୀ ମଧ୍ୟ ନିଜର ସନ୍ତାନ—ମାନଙ୍କର ମାୟା ଛାଡ଼ି ଅନ୍ୟ ସହିତ ସୁଖରେ ବଞ୍ଚିବା ପାଇଁ ଚାଲିଯାଏ । ପ୍ରେମ କରି ବିବାହ କରିବାର ମୁଁ ଆଦୌ ପକ୍ଷପାତୀ ନୁହେଁ । ପ୍ରେମ—ବିବାହରେ ବରକନ୍ୟା କେହି କିଛି ନିୟମ ପାଳନ କରନ୍ତି ନାହିଁ । ଯୌବନର ଉତ୍ତାଳ ତରଙ୍ଗରେ ଭାସିଯାଇ ନିଜର ଅତୃପ୍ତ କାମ ପିପାସାର ତୃପ୍ତି ନିମନ୍ତେ ସେମାନେ ସଂଯମ ହରାଇ ବସନ୍ତି । ନିଜର କୌଳିକ ପ୍ରଥା କିମ୍ବା ଧର୍ମକୁ ଭ୍ରୂକ୍ଷେପ କରନ୍ତି ନାହିଁ । ପ୍ରେମ କରି ବିବାହ କରିବାର ଦିନ କେତେଟା ପରେ ଅନୁତାପ କରିବାକୁ ହୁଏ । ତାର କାରଣ ବିବାହ ପୂର୍ବରୁ ସେମାନଙ୍କର ଯୌନ ମିଳନ ହୋଇସାରିଥାଏ । ପାଇବାର ଆଶା ଥିବାରୁ ବିବାହ ପୂର୍ବରୁ ଯୁବକ ଯୁବତୀର ସବୁ ପ୍ରାର୍ଥନା ପୂରଣ କରିବାକୁ ହୁଏ । କିନ୍ତୁ ବିବାହ ପରେ ଯଦି ଯୁବତୀର କୌଣସି ଇଚ୍ଛା ପୂର୍ଣ୍ଣ ନ ହୁଏ, ତେବେ ଦୁହିଁଙ୍କ ଭିତରେ ମନାନ୍ତର ସୃଷ୍ଟି ହୁଏ । ସେ ସଂସାରରେ ଆଉ ଶାନ୍ତି ରହେନାହିଁ । ହୁଏ ତ ଜଣକୁ ଛାଡ଼ପତ୍ର ଦେବାକୁ ହୁଏ—ନଚେତ୍ ଆତ୍ମହତ୍ୟା କରିବାକୁ ହୁଏ । କିନ୍ତୁ ପିତାମାତାଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ ହୋଇଥିବା ବିବାହରେ ଏ ପ୍ରକାର ଝଡ଼ଝଞ୍ଜା ଖୁବ୍ କମ୍ ଦେଖାଯାଏ । କାରଣ ଏପରି ବିବାହରେ ବରକନ୍ୟା ପରସ୍ପର ପରସ୍ପରର ଅପରିଚିତ ଥାଆନ୍ତି । ବିବାହ ପରେ ପ୍ରଣୟ ଆରମ୍ଭ ହୁଏ । ପ୍ରଣୟର ପରିପକ୍ୱତା ଆସିଲା ସମୟକୁ ଗୃହ ଜଞ୍ଜାଳ ଭିତରକୁ ଗୋଟିଏ ଅତିଥି ଆସିସାରିଥାଏ । ଜଞ୍ଜାଳ ଭିତରେ ସ୍ନେହ ନିବଦ୍ଧ ହୁଏ ସନ୍ତାନ ନିକଟରେ ।

 

—ତୁମେ ମାମା ବହୁତ ବଡ଼ ବଡ଼ କଥା କହୁଛ । ସେସବୁ ବୁଝିବାକୁ ମୋର କଣ ଜ୍ଞାନ ଅଛି ?

 

ପ୍ରକୃତିସ୍ଥା ହେଲେ ପ୍ରଫେସର ମିସ୍ ପଟ୍ଟନାୟକ । ଆରେ, ଏ ଗୁଡ଼ିକ କ’ଣ ସେ ଆୟା ଆଗରେ ଗପି ଚାଲିଛନ୍ତି ! ଏସବୁ ମନସ୍ତତ୍ତ୍ଵର କଥା, ସେ କ’ଣ ବୁଝିବ ? ତା ଆଗରେ କହିବସି ଲାଭ କଣ ? ଆତ୍ମସ୍ଥା ହୋଇ ସେ ଭାବିଲେ, ଏତେଗୁଡ଼ାଏ ଉତ୍ତେଜିତ ହେବା ତାଙ୍କ ପକ୍ଷରେ ଠିକ୍ ନୁହେଁ । ଯିଏ ଯେଉଁ ବାଟରେ ଯିବ, ତାକୁ ସେଇବାଟରେ ଛାଡ଼ିଦେବା ଭଲ । ସଂଗ୍ରାମ ଯଦି ଭଲ ହେବାର ଥିବ ହେବ । ମନ୍ଦ ହେବା ଯଦି ତାର ଭାଗ୍ୟରେ ଲେଖାଥିବା, ତାକୁ କେହି ବାଧା ଦେଇପାରିବେ ନାହିଁ । ତାର ଭଲମନ୍ଦ ବିଚାର କରିବାର ବୟସ ହୋଇଛି । ସଂଗ୍ରାମର ସେ ପାଳନକର୍ତ୍ତ୍ରୀ, ସେ ହିସାବରେ ମାମା ଡାକ ଶୁଣନ୍ତି । ସଂଗ୍ରାମ ଏହାର ଇତିବୃତ୍ତି ଜାଣେ କି ନାହିଁ ସନ୍ଦେହ । ତଥାପି ସଂଗ୍ରାମ ପ୍ରତି ତାଙ୍କର କର୍ତ୍ତବ୍ୟ ପାଳନ କରିବାରେ ସେ ହେଳା କରି ନାହାନ୍ତି । ସଂଗ୍ରାମକୁ ଜୀବନ-ସଂଗ୍ରାମକୁ ପଠାଇବା ପୂର୍ବରୁ ଜଣେ ଉତ୍ତମ ସୈନିକ ରୂପେ ତିଆରି କରିବାର ସମସ୍ତ କର୍ତ୍ତବ୍ୟ ସେ ବୋଧହୁଏ ପାଳନ କରିଛନ୍ତି । ଗୀତାର ସେଇ ମହନୀୟ ବାଣୀ, “କର୍ମ୍ମେଣ ବାଧିକାରସ୍ତେ—ମା ଫଳେଷୁ କଦାଚନ ।”

 

ସଂଗ୍ରାମକୁ ବାଟକୁ ଫେରାଇବା ପାଇଁ ସେ ଥରେ ଚେଷ୍ଟା କରିବେ—ସେ’ଟା ବି ତାଙ୍କର କର୍ତ୍ତବ୍ୟ ।

 

ନୀରବତା ଭଙ୍ଗ କରି ଆୟା ପଚାରିଲା, ମାମା କ’ଣ ଗୁଡ଼ାଏ ଏତେ ବସି ଭାବୁଛ ? ସଂଗ୍ରାମକୁ ଖଣ୍ଡିଏ ଚିଠି ଲେଖ । ସେ ସେଇ ବଜାରୁଣୀ ଟୋକୀଙ୍କ ସଙ୍ଗେ ମିଳାମିଶା ନ କରୁ । ମନ ଦେଇ ପାଠପଢ଼ୁ । ସେ ଯଦି ତୁମ କଥା ନ ମାନେ, ତାକୁ ଧମକାଇ ଲେଖନ୍ତୁ ଯେ ଭବିଷ୍ୟତରେ ତା ସହିତ ଆମର କିଛି ସଂପର୍କ ରହିବ ନାହିଁ ।

 

ଏତେ ଦୁଃଖରେ ବି ପ୍ରଫେସର ମିସ୍ ପଟ୍ଟନାୟକ ହସି ଉଠିଲେ । ହସୁ ହସୁ ସେ କହିଲେ, ତାର ଯେତିକି ଯୋଗ୍ୟତା ହୋଇଛି ସେଥିରେ ସେ ଆମ ସହିତ ସଂପର୍କ ନ ରଖିଲେ ବି ଦୁନିଆରେ ଭଲ ଭାବରେ ବଞ୍ଚିରହିବ ।

 

ତେବେ ସଂଞ୍ଜୟ ବାବୁଙ୍କୁ କ’ଣ ଜବାବ୍ ଦେବେ ?

 

ଯାହା ଜବାବ୍ ଦିଆ ହେବାର କଥା ତା ଦିଆଯିବ । ପୁଅ ତ ବର୍ତ୍ତମାନ ବିଦେଶରେ । ତେଣୁ ତାର ପାଠପଢ଼ା ସରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରନ୍ତୁ । ଯଦି ଅଧୈର୍ଯ୍ୟ ହୁଅନ୍ତି, ତେବେ ଅନ୍ୟତ୍ର ବ୍ୟବସ୍ଥା କରନ୍ତୁ, ଯେହେତୁ ଆଜିକାଲିର କୌଣସି ଶିକ୍ଷିତ ଯୁବକ ଉପରେ ସେମାନଙ୍କର ପିତାମାତାମାନେ ଆସ୍ଥା ରଖିବା ଉଚିତ ନୁହେଁ ।

 

ଆମ ସଂଗ୍ରାମକୁ ଆଉ ପାଠ ନ ପଢ଼ାଇଲେ ? ତାକୁ ଲେଖନ୍ତୁ ସେ ଫେରିଆସୁ ଆମର ଯେତିକି ପାଠ ହେଲା ସେଇ ଯଥେଷ୍ଟ ।

 

—ସେତିକି ପଢ଼ା ଯଥେଷ୍ଟ ନୁହେଁ । ଯଦି ପଢ଼ାଇଲେ ଭଲକରି ପଢ଼ାଇବା । ସେ ପିଲା–ସେ ଭୁଲ୍ କଲେ ଆମେ ତ ଭୁଲ୍ କରିବା ନାହିଁ । ଏତେ କରି ସାମାନ୍ୟରେ ନାଁଟା ପକାଇବା କ’ଣ ଠିକ୍ ହେବ ? —ଚାହା କପ୍ ଓ ପିଆଲା ଆୟା ହାତକୁ ବଢ଼ାଇ ଦେଲେ ।

 

ଆୟା ସେ ଘରୁ ଚାଲିଗଲା ।

 

କାନ୍ଥରେ ଜାତିର ପିତା ମହାତ୍ମା ଗାଂଧୀଙ୍କର ଫଟୋ ଝୁଲୁଛି । ଜନତା ପ୍ରତି ଆଶୀର୍ବାଦର ବାଣୀ ଶୁଣାଇ ହସି ହସି ସେ ମରଣକୁ ବରଣ କରିଛନ୍ତି । ବିବାହ ବିଷୟରେ ତାଙ୍କର ମତ ଅନେକ ଦିନ ତଳେ ଡଃ ମିସ୍ ପଟ୍ଟନାୟକ ପଢ଼ିଥିଲେ । ଏବେ ବି ସେଇ କେତେ ପଂକ୍ତି ତାଙ୍କ ମନରେ ଜାଗରୁକ ରହିଛି ।

 

Marriage is a force that protects Religion. Marriage is the linking of two lives for good or for evil.

 

କୌଳିକ ନୀତି ନିୟମାନୁବର୍ତ୍ତୀ ହୋଇ ପ୍ରଗତି ପଥରେ ଅଗ୍ରସର ହୋଇ ସଂସାର ଗଢ଼ି ପରସ୍ପର ଉଭୟ ସୁଖ ଦୁଃଖର ଅଂଶୀଦାର ହେବା ପାଇଁ ବିବାହ ଆବଶ୍ୟକ ।

 

ମହାତ୍ମାଙ୍କ ଫଟୋ ତଳେ ମୁଣ୍ଡଲଗାଇ ଡକ୍ଟର ମିସ୍ ପଟ୍ଟନାୟକ ସେଦିନର ସେଇ ବର୍ଷଣମୁଖର ସକାଳେ ଅଶ୍ରୁଳ ନୟନରେ ପ୍ରାର୍ଥନା କରୁଥିଲେ ବାପୁ ! ମୋତେ ତୁମେ ଆଲୋକ ଦିଅ । ସାହସ ଦିଅ । ହୃଦୟରେ ତୁମରିପରି ଅସୀମ ଧୈର୍ଯ୍ୟ ଦିଅ ।

 

ପ୍ରଫେସର୍ ମିସ୍ ପଟ୍ଟନାୟକ ମନର ଉଦବେଗତାକୁ ଚାପି ରଖିପାରିଲେ ନାହିଁ । ଶିଳ୍ପୀଙ୍କୁ ଦେଖିବାକୁ ସେ ବାଲେଶ୍ଵର ଦଶ, ବାରଦିନ ତଳେ ଯାଇଥିଲେ । ଏତେଦିନ ଧରି ରହିଥିବା ଅହଂକାର ତାଙ୍କର ନଇଁ ପଡ଼ିଥିଲା । ଶିଳ୍ପୀଙ୍କର ଜୟ ହେଲା । ଶିଳ୍ପୀଙ୍କର ମନର ଦୃଢ଼ତା ନିକଟରେ ତାଙ୍କର ହୃଦୟର ଦୁର୍ବଳତା ହାର ମାନି ନେଇଥିଲା ।

 

ବାଲେଶ୍ଵର ଟାଉନ୍ ଠାରୁ ଦୂରରେ ଗୋଟିଏ ବେସରକାରୀ ଉଚ୍ଚ ଇଂରାଜି ସ୍କୁଲରେ ଶିଳ୍ପୀ ଶୁଭେନ୍ଦୁ କୁମାର ଡ୍ରଇଂ ଶିକ୍ଷକ ରୂପେ କାମ କରନ୍ତି । ସମସ୍ତେ ଜାଣନ୍ତି ଶୁଭେନ୍ଦୁ ବାବୁ ଜଣେ ଡ୍ରଇଂ ଶିକ୍ଷକ । ଗାଁ ଗହଳିର ସାଧାରଣ ଚିତ୍ରକାର ପରି ତାଙ୍କର ସମ୍ମାନ । ଗୋଟିଏ ରୁମରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଗୁଡ଼ିଏ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନେଇ ଶିଳ୍ପୀଙ୍କର ସଂସାର । ଖଣ୍ଡିଏ ଖଟିଆରେ ଶିଳ୍ପୀଙ୍କର ବିଛଣା ଲୋଟିପଡ଼ିଛି । ଷ୍ଟୋଭ ଲଗାଇ ଚାହା କରିବାକୁ ଶିଳ୍ପୀ ଶୁଭେନ୍ଦୁ ଯାଉଥିଲେ । ଦ୍ଵାରଦେଶରେ ମିସ୍ ପଟ୍ଟନାୟକଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଉଠିଲେ । ନିଜ ଆଖିକୁ ନିଜେ ବିଶ୍ୱାସ କରିପାରିଲେ ନାହିଁ । କିଛିକ୍ଷଣ ସ୍ତମ୍ଭିତ ହୋଇ ଶିଳ୍ପୀ ଠିଆ ହୋଇ ରହିଲେ ।

 

ଡକ୍ଟର ମିସ୍ ପଟ୍ଟନାୟକ ଏଇ ସମୟରେ ଚନ୍ଦ୍ରଭାଗାର ବେଳା ଭୂମିରେ ଦେଖିଥିବା ସୌମ୍ୟଦର୍ଶନ ଯୁବକ ଓ ବର୍ତ୍ତମାନ ଅସ୍ଥିକଙ୍କାଳସାର ଶିଳ୍ପୀ ଶୁଭେନ୍ଦୁଙ୍କୁ ଦେଖି ପାର୍ଥକ୍ୟର ତୁଳନା କରୁଥିଲେ ।

 

ବସିବାକୁ କ’ଣ ଦେବେ ଠିକ୍ କରିବା ପୂର୍ବରୁ ଶିଳ୍ପୀଙ୍କର ନ ଯଯୌ ନ ତସ୍ଯୈ ଅବସ୍ଥା ଦେଖି ମିସ୍ ପଟ୍ଟନାୟକ ଶିଳ୍ପୀଙ୍କୁ ପ୍ରଣାମ ଜଣାଇ ନିଜ ଆସନ ସେଇ ଖଟିଆ ଉପରେ ସ୍ଥିର କରିନେଲେ ।

 

ଶିଳ୍ପୀ ଭାବିଲେ ଯାହାହେଉ ଗୋଟାଏ ବିପଦରୁ ରକ୍ଷା ପାଇଲେ, ତା ପରେ ଅଭ୍ୟର୍ଥନା......

 

ନିଜେ ଖଣ୍ଡିଏ ଟୁଲ ଉପରେ ବସି ଶିଳ୍ପୀ ପ୍ରଶ୍ନ କଲେ, ହଠାତ୍ ଏତେଦିନ ପରେ କିପରି ଏ ଦୁର୍ଭାଗା କଳାକାର ପାଖକୁ ଆସିଲେ ଭାବି ମୁଁ ବିସ୍ମିତ ହୋଇଉଠୁଛି ।

 

ମନ ଏପରି ଗୋଟାଏ ଉପାଦାନରେ ଗଢ଼ା ଯେ, ସେ କେତେବେଳେ କି ରୂପ ଧାରଣ କରେ, ସେ ବିଷୟରେ କେହି କଳ୍ପନା କରିପାରିବେ ନାହିଁ । ତେଣୁ ବିସ୍ମିତ ହେବାର କ’ଣ ଅଛି ? ମନ ହେଲା ଅନେକ ଦିନର ଜଣେ ପୁରୁଣା ବନ୍ଧୁଙ୍କୁ ଦେଖିବାକୁ, ତେଣୁ ଚାଲି ଆସିଲି । ସେ ଯାହାହେଉ, ତେବେ ଆପଣଙ୍କର ପତ୍ରରୁ ପଢ଼ି ଯାହା ଆଶଙ୍କା କରିଥିଲି, ବର୍ତ୍ତମାନ ତ ସେୟା ଦେଖୁଛି ।

 

ଏତେଦିନ ଧରି ମୋ ସଂପର୍କରେ ଆସି ମୋର କହିବା ଓ କରିବା ଭିତରେ କିଛି ପାର୍ଥକ୍ୟ ଦେଖି ପାରିଥିଲେ ? ଶିଳ୍ପୀ ଗୁଡ଼ାକ ଗରିବ ହୋଇ ପାରନ୍ତି, କିନ୍ତୁ ମିଥ୍ୟାବାଦୀ ନୁହନ୍ତି ।

 

—ଶିଳ୍ପୀମାନେ ଗରିବ ହୋଇ ସୁଦ୍ଧା ତାଙ୍କର ଅହଙ୍କାରକୁ ଛାଡ଼ିପାରନ୍ତି ନାହିଁ, ସେଇଟାହିଁ ଯଥେଷ୍ଟ ବ୍ୟଥା ଦିଏ ।

 

କଥାଟାକୁ ଶେଷ କରିବାକୁ ନ ଦେଇ ଶିଳ୍ପୀ କହିଲେ, ସେଇ ଅହଂକାର ଟିକକ ହିଁ ସେମାନଙ୍କର ସଂବଳ । ଆଉ ତ କିଛି ସେମାନଙ୍କର ନାହିଁ, ଯାହା ନେଇ ସେମାନେ ଗର୍ବ କରିବେ ତେଣୁ ଅହଂ ଭିତରେ ସେ ନିଜତ୍ଵକୁ ଖୋଜି ବସନ୍ତି । କ’ଣ ଏୟା ନୁହେଁ ?

 

ବଙ୍କା କଥା କହିବା ବୋଧହୁଏ ଆପଣମାନଙ୍କର ଗୋଟାଏ ସ୍ଵଭାବସୁଲଭ ଗୁଣ ।

 

ସିଧା କଥା ଆମେ ନ କହୁ ବୋଲି ତ ଆମ କଥାରେ ଶୈଳୀ ଥାଏ ଏବଂ ସେଇ କଥାକୁ ଆପଣମାନେ ଆଗ୍ରହ ସହକାରେ ଶୁଣନ୍ତି ।

 

ହସିଉଠିଲେ ପ୍ରଫେସର ମିସ୍ ପଟ୍ଟନାୟକ । ଶିଳ୍ପୀ ମଧ୍ୟ ତାଙ୍କ ସହିତ ଯୋଗ ଦେଲେ ।

 

ହଷ୍ଟେଲ୍‍ର ପୂଜାରୀକୁ ଡାକି ବଜାରକୁ କିଛି ମିଠା କିଣି ଆଣିବାକୁ ଶୁଭେନ୍ଦୁ ବାବୁ ବରାଦ କଲେ ।

 

ମିସ୍ ପଟ୍ଟନାୟକ କହିଲେ, ସେସବୁ ଭିତରେ କାହିଁକି ପଶୁଛନ୍ତି ? ମୁଁ ତ ଏଇ ଫେରନ୍ତା ଗାଡ଼ିରେ ଚାଲିଯିବି, ତାପରେ...

 

ଅବଶ୍ୟ ଓଡ଼ିଶାର ଜଣେ ପ୍ରଖ୍ୟାତ ସ୍ତ୍ରୀ-ରୋଗ ବିଶେଷଜ୍ଞାଙ୍କୁ ଗୋଟିଏ ଗରିବ ଶିଳ୍ପୀ ତାଙ୍କର ରୁଚି ଅନୁସାରେ ଚର୍ଚ୍ଚା କରି ନ ପାରେ; କିନ୍ତୁ ଅତିଥିଙ୍କୁ ଅଭୁକ୍ତ ଛାଡ଼ିବାର ଅମର୍ଯ୍ୟଦା ସେ ଶିକ୍ଷା କରିପାରି ନାହିଁ ।

 

ସେ ଦିନ ଶିଳ୍ପୀଙ୍କର କଥାରେ ଆହୁତ ହେବା ପରିବର୍ତ୍ତେ ଆନନ୍ଦ ଉପଭୋଗ କରୁଥିଲେ ପ୍ରଫେସର ମିସ୍ ପଟ୍ଟନାୟକ ।

 

ମିସ୍ ପଟ୍ଟନାୟକ କହିଲେ, ଆପଣଙ୍କର ଇଚ୍ଛା ଉପରେ ଅବଶ୍ୟ ମୁଁ ବାଧା ଦେଇପାରିବିନାହିଁ । ତେବେ ମୋର କହିବାର କଥା ଯେ, ଏ ଦେହଟା କ’ଣ ଆପଣଙ୍କର ଦୋଷ କରିଛି ଯେ ତା ଉପରେ ଏତେ ଅତ୍ୟାଚାର କରି ଚାଲିଛନ୍ତି ?

 

ହସିଉଠିଲେ ଶୁଭେନ୍ଦୁ ବାବୁ । ଦେହଟାର ଯତ୍ନ ନେବାକୁ ଆଉ ଇଚ୍ଛା ହେଉନି । ଯେତେ ଯତ୍ନ ନେଲେ ସୁଦ୍ଧା ସେ ତ ଭଲ ରହୁନାହିଁ । ତା ପରେ ଏତେ ବର୍ଷ ଧରି ଏଇ ଦେହଟାର ଯତ୍ନ ନେଇ ନେଇ ତା ପ୍ରତି କିପରି ଗୋଟାଏ ଅନାସକ୍ତି ଭାବ ଜାଗି ଉଠିଲାଣି ।

 

ସବୁ କଥାକୁ ଏପରି ହାଲ୍‍କା ଭାବରେ ଗ୍ରହଣ କଲେ କ’ଣ ଚଳିବ ? ଆପଣଙ୍କଠାରୁ ଦେଶ କେତେ ଆଶାକରେ । ଆପଣ ଅନ୍ତତଃ ଆପଣଙ୍କ ପାଇଁ କିଛି ନ କଲେ ସୁଦ୍ଧା ଦେଶ ପାଇଁ ଅନେକ କିଛି କରିପାରିବେ, ଏ ଭରସା ମୋର ଅଛି ।

 

ଆଉ ମିସ୍ ପଟ୍ଟନାୟକ—ଆପଣ ସେ ଆଦର୍ଶବାଦର ପୁରୁଣା ଫକ୍ତିଗୁଡ଼ାକ ଆଉ ଓଲଟାନ୍ତୁ ନାହିଁ । ବହୁ ପୁରୁଣା ସେ ଗୁଡ଼ାକ ହୋଇଗଲାଣି । ଏଣିକି ଆପଣଙ୍କର ଓ ମୋର ଜୀବନ କଥା ଭାବିବା । ଦେଶ ବୋଲି ଯାହା କହିଲେ, ସେ ବଡ଼ ବ୍ୟାପକ ବିଷୟ । ସେଥିରେ ଆମ କଥା କିଏ ଭାବୁଛି ? ଓଡ଼ିଶାରେ ଶିଳ୍ପ ଆଙ୍କି କେତେଜଣ ଏଇ ଦୁନିଆରୁ ସୁଖରେ ଆଖି ବୁଜିଛନ୍ତି— ? କାଲିପରି ଲାଗୁଛି, ଶିଳ୍ପୀଗୁରୁ ବି.ବର୍ମ୍ମାଙ୍କ ଅନ୍ତିମ ଦୁଃସ୍ଥ ସମୟରେ ସେ ଦେଶବାସୀଙ୍କ ଆଗରେ ହାତପାତି ନିରାଶରେ ଟୋପାଏ ଔଷଧ ଓ ଫାଳେ କମ୍ବଳାଲେମ୍ବୁ ବିନା ଶେଷ ନିଃଶ୍ୱାସ ତେଜିଲେ । ସେତେବେଳେ ଏ ଦେଶ, ଏ ସରକାର ଯାହା ତାଙ୍କ ପାଇଁ କରିଥିଲେ, ସେହି କର୍ତ୍ତବ୍ୟ ହିଁ ଆମ କପାଳରେ ଲେଖା ଅଛି । ଆପଣ ବର୍ତ୍ତମାନ ଯେଉଁ କଥା କହୁଥିଲେ, ସେ ବୋଧହୁଏ ଆପଣଙ୍କର ଏଡ଼ିନ୍‍ବରାର ସ୍ମୃତି ଉପରେ ପ୍ରତିଷ୍ଠିତ । ସେ ଦେଶର ଚାଲିଚଳଣ, ଶିକ୍ଷା, ଦୀକ୍ଷା, ସଂସ୍କୃତି ସବୁ ଉଚ୍ଚସ୍ତରର I ସେ ଦେଶର ଶିଳ୍ପୀ କହ, କବି କହ, ସଙ୍ଗୀତଜ୍ଞ କହ ସେମାନଙ୍କୁ ଯେଉଁ ସମ୍ମାନ ଦିଆଯାଏ, ତାର ପ୍ରତିବଦଳରେ ସେମାନେ ଦେଶ ପାଇଁ ସେମାନଙ୍କର ଅସୀମ ଶ୍ରଦ୍ଧା ଓ ଭକ୍ତି ଜଣାନ୍ତି । ଆମ ଓଡ଼ିଶାରେ ତେବେ ଏଇଆ ହେବ ଏବଂ ହେଉଛି ଯେ, ମୋର ମୃତ୍ୟୁ ପରେ ଗୋଟାଏ ଶୋକସଭା ହେବ, ସେଥିରେ ଆପଣଙ୍କ ପରି ଗୋଟାକେତେ ପରିଚିତ ବଂଧୁ ମୋର ଉପସ୍ଥିତ ଥିବେ । ସେମାନଙ୍କର ଉଦ୍ୟମରେ ଗୁଡ଼ାଏ ପ୍ରସ୍ତାବ ସେଇ ସଭାରେ ଅନୁମୋଦିତ ହେବ ଏବଂ ସଭା କାର୍ଯ୍ୟ ପରେ ପ୍ରସ୍ତାବ ଗୁଡ଼ାକ ସେହି ସଭାସ୍ଥଳୀର ବାୟୁମଣ୍ଡଳରେ ଉଭେଇ ଯିବ । ତେଣୁ ମୋର ସ୍ୱାସ୍ଥ୍ୟହାନୀ ହେଲେ ଯେ ଦେଶର ଗୋଟାଏ ଅପୂରଣୀୟ କ୍ଷତି ହୋଇଯିବ ତା ନୁହେଁ-। ଆଚ୍ଛା ମିସ୍ ପଟ୍ଟନାୟକ, ମୁଁ ଆପଣଙ୍କୁ ଗୋଟାଏ କଥା ପଚାରିପାରେ କି ଯେ, ଆପଣ କାହିଁକି ଏତେ ଦୁର୍ବଳ ଦିଶୁଛନ୍ତି ? ଅର୍ଥାଭାବ ହେତୁ ଉପଯୁକ୍ତ ପଥ୍ୟ ମୁଁ ଖାଇପାରୁ ନାହିଁ । କିନ୍ତୁ ଏ ସବୁର ଅଭାବ ତ ଆପଣଙ୍କର ନ ଥିବ । ତଥାପି ଆପଣଙ୍କୁ ଦେଖିଲେ ମନେହୁଏ ଆପଣ ଯେପରି ବର୍ଷୀୟସୀ ପରି ଜଣା ପଡ଼ିଛନ୍ତି ।

 

ଆପଣଙ୍କ କଥା ଅନୁସାରେ କେବଳ ଶିଳ୍ପୀର ଆଖି ନେଇ ଆପଣ ଶରୀରକୁ ଦେଖନ୍ତି । କିନ୍ତୁ ଶରୀର ଭିତରେ ଯେ ଗୋଟିଏ ଜିନିଷ ଅଛି, ତା ନାମ “ମନ” ଏବଂ ସେ ମନକୁ ମଧ୍ୟ ସାମୟିକ ରୋଗ ଧରେ; ତା ବୋଧହୁଏ ଆପଣ ଯଦିଓ ଜାଣନ୍ତି, କିନ୍ତୁ ପ୍ରକାଶ କରିପାରନ୍ତି ନାହିଁ । ସେଇ ମନକୁ ଥରେ ରୋଗ ହେଲେ ତାକୁ ଭଲ କରିବା ବଡ଼ କଷ୍ଟକର ହୋଇପଡ଼େ । ନିଦବଟିକା ଗିଳିଲେ ସିନା ରାତ୍ରିରେ ନିଦ ହେବ, ପୁଣି ତା ପରଦିନର ଆଲୋକରେ ସେ ଭୂତ ପୁଣି ମନରେ ପଶିବ । ତେଣୁ କହନ୍ତି, “ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି । ”

 

ଟିକେ ଇତଃସ୍ତତଃ ହୋଇ ଉଠିଲେ ଶିଳ୍ପୀ ଶୁଭେନ୍ଦ୍ର କୁମାର । କ’ଣ ଯେ କହିବେ ସେୟାହିଁ ଭାବୁଥିଲେ । ହଠାତ୍ ତାଙ୍କ ପାଟିରୁ ବାହାରିପଡ଼ିଲା, ଚିନ୍ତା କରିବାର କୌଣସି ଆବଶ୍ୟକତା ତ ଆପଣଙ୍କ ଜୀବନରେ ନ ଥିଲା ?

 

ଆବଶ୍ୟକତା କ’ଣ ସଦାବେଳେ ଥାଏ ? ସେ ଆପେ ଆପେ ସୃଷ୍ଟି ହୁଏ । ତାକୁ ପୂରଣ କରି ନ ପାରିଲେ ମନରେ ଘୃଣା ଲାଗେ ।

 

—ଆବଶ୍ୟକତା ବନାମ୍ ଜଞ୍ଜାଳ ସୃଷ୍ଟି ହେବ ବୋଲି ଆଶଙ୍କା କରି ଆପଣ ଚିରକୁମାରୀ ରହିଲେ । ପୈତୃକ ସଂପତ୍ତିକୁ ଦେଶ ନାମରେ ଉଇଲ୍ କରିଦେଲେ । ତଥାପି ଜଞ୍ଜାଳର ସୃଷ୍ଟି ହେଲା କାହିଁକି ?

 

—ଆଚ୍ଛା ଶୁଭେନ୍ଦୁ ବାବୁ, ଯେଉଁ ପ୍ରଶ୍ନଟି ଆପଣ ପଚାରିଲେ, ସେଇ ପ୍ରଶ୍ନଟି ଯଦି ଆପଣଙ୍କୁ ମୁଁ ପଚାରିବସେ, ତେବେ ତାର ଉତ୍ତର ପାଇବାକୁ ମୁଁ କ’ଣ ହକ୍‍ଦାର ନୁହେଁ ?

 

—ନିଃସଙ୍ଗତା, ନିର୍ଜ୍ଜନତା ମୋତେ ପ୍ରେରଣା ଦେଉଥିଲା । ମୋର ଶିଳ୍ପୀମାନସକୁ ସତେଜ କରୁଥିଲା । ମୁଁ ସୃଷ୍ଟିର ଅମର ସଙ୍ଗୀତକୁ ଏକାଗ୍ର ଭାବରେ ଉପଲବ୍ଧି କରୁଥିଲି । ସେତେବେଳେ ଯେଉଁ ଖିଆଲ ଜାଗିଉଠିଲା, ତାରି ଫଳରେ ଜଞ୍ଜାଳଠାରୁ ଦୂରେଇ ରହିଲି ।

 

—ସେଥିପାଇଁ ଶେଷରେ ନିଃସଙ୍ଗ ଜୀବନକୁ ବରଣ କରିନପାରି ଏଇ ଛୋଟ ଛୋଟ ପିଲାଙ୍କର କୋଳାହଳରେ ହଜିଗଲେ । ନିଜର ଅସ୍ଥିତ୍ୱ ଭୁଲିଗଲେ—ଆଉ ପଲ୍ଲୀବଧୂର ମୁହଁରେ ହସର ରେଖା ଟାଣିବାକୁ କିମ୍ବା ମୁଣ୍ଡରେ ଓଢ଼ଣା ଦେଖିବାକୁ ଇଚ୍ଛା ହେଲା ନାହିଁ । ଶିମ୍ବ, ଆମ୍ବର ଚିତ୍ର କରି ଜୀବନର ସରସତା ଉପଭୋଗ କଲେ ? ହଁ ସେ ଗୁଡ଼ାକ ବି ଭଗବାନ୍‍ଙ୍କର ସୃଷ୍ଟି । ହସି ହସି ମିସ୍ ପଟ୍ଟନାୟକ ବ୍ୟଙ୍ଗ କରି କହିଲେ । ସେସବୁ ଛଳନା କ’ଣ ଆଉ ଏ ଉତ୍ତର ଜୀବନରେ ଶୋଭାପାଏ ? ଏଇ ଭଦ୍ରତା ଓ ଆଭିଜାତ୍ୟର ଇନ୍ଦ୍ରଜାଲର ପରଦା ତଳେ ଜୀବନଟା ସାରା କେବଳ ପରସ୍ପର ପରସ୍ପର ସଙ୍ଗେ ଲୁଚକାଳି ଖେଳିଆସିଲେ । ମୋର ପରିବାର ଭିତରେ ସଂଗ୍ରାମର ଉପସ୍ଥିତି ଆପଣ ନିଶ୍ଚୟ ଜାଣନ୍ତି । କେଉଁ ଅନାମଧେୟ ପିତାର ସେ ପୁତ୍ର ମୁଁ ଜାଣେନା; କିନ୍ତୁ ମୁଁ ତାର ‘ମା’ ଏଇ ଗୌରବମୟ ପରିଚୟର ସ୍ୱାକ୍ଷର ବହନ କରି ସେ ବର୍ତ୍ତମାନ ଏଡ଼ିନ୍‍ବରାରେ ଏଫ. ଆର. ମି. ଏସ. ପଢ଼ୁଛି । ସେ ଜଞ୍ଜାଳକୁ ମୁଁ ତ ଆବଶ୍ୟକତା ମନେ କରିନଥିଲି । ଯେଉଁ ପରିସ୍ଥିତିରେ ସଂଗ୍ରାମକୁ ଭୂଇଁରୁ ତୋଳି ନେଲି, ସେତେବେଳଠାରୁ ଜଞ୍ଜାଳ ସୃଷ୍ଟିହେଲା । ମୁଁ ଚିରକୁମାରୀ ଥାଇ ବି ମାଆ—ମୋର ପୁତ୍ର ନ ଥାଇବି ମୋ ପାଖକୁ ବୋହୂର ପ୍ରସ୍ତାବ ନେଇ ଅନେକ ସୁଶ୍ରୀ, ଶିକ୍ଷିତା, ଆଭିଜାତ୍ୟସଂପନ୍ନା କନ୍ୟାମାନଙ୍କର ପିତାମାନେ ଆସୁଛନ୍ତି । ସେ ଜଞ୍ଜାଳ ବି ସୃଷ୍ଟି ହେଉଛି, ତାକୁ ବି ମୁଣ୍ଡପାତି ଗ୍ରହଣ କରିବି ।

 

ହଷ୍ଟେଲ୍‍ର ପୂଜାରୀ ଗୋଟିଏ ପ୍ଲେଟରେ କିଛି ମିଠା ଓ ଜଳଖିଆ ଆଣି ପହଞ୍ଚିଲା । ସେଇ ସାମାନ୍ୟ ଜଳଖିଆର ସଦ୍‍ବ୍ୟହାର କରିବା ପାଇଁ ଶିଳ୍ପୀ ଶୁଭେନ୍ଦୁ କୁମାର ମିସ୍ ପଟ୍ଟନାୟଙ୍କୁ ଅନୁରୋଧ କଲେ ।

 

ଶିଳ୍ପୀଙ୍କର ଅନୁରୋଧକୁ ସମ୍ମାନ ଦେବାପାଇଁ ମିସ୍ ପଟ୍ଟନାୟକ ହାତ ଧୋଇଲେ । ଜଳଖିଆ ଖାଉ ଖାଉ କହିଲେ, ଅନ୍ତତଃ ଯେତେଟା ଦିନ ବଞ୍ଚିଛନ୍ତି ସେତେଟା ଦିନ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କ ଚିଠିଟା ପାଇ ମୁ ଟିକେ ବିବ୍ରତ ହୋଇପଡ଼ିଲି । ଦୁନିଆରେ କାହାପାଇଁ କିଛି ଦେବାକୁ ଆପଣଙ୍କୁ ପଡ଼ୁନାହିଁ । ମୋ ଅପେକ୍ଷା ଆପଣ ବେଶୀ ନିଜଞ୍ଜାଳୀ । ଯାହା କହିଛନ୍ତି, ଦେଶପାଇଁ ଆପଣ ନୁହନ୍ତି, କେବଳ ନିଜ ପାଇଁ, ତା ଯଦି ସତ୍ୟ ହୁଏ, ତେବେ ନିଜ କଥା ବେଶୀ ଭାବନ୍ତୁ । ଅନେକ ଦିନ ହେବ ଆମର ସାକ୍ଷାତ୍ ହୋଇ ନଥିଲା । ଭାବିଥିଲି ନାରୀ ହିସାବରେ ସମସ୍ତ ଅଭିମାନ କରିବାର ଅଧିକାର ମୋର ଅଛି ଏବଂ ସେଥିପାଇଁ ମୁଁ ହକ୍‍ଦାର ମଧ୍ୟ ଅଟେ । ଆଶା କରିଥିଲି ଆପଣ ଏ ଭିତରେ ଅନ୍ତତଃ ଥରେ ହେଲେ କଟକ ଯାଇ ପାରିଥାନ୍ତେ । କିନ୍ତୁ ଦେଖିଲି ଆପଣ ପୁରାତନ ମନୋବୃତ୍ତି ନେଇ ରହୁଛନ୍ତି । ଶସ୍ତା ଆଦର୍ଶବାଦ ଭିତରେ ମୁଣ୍ଡଗୁଞ୍ଜି ମନର ବେଦନାକୁ ମାରି ମୋଠାରୁ ଦୂରେଇ ରହୁଛନ୍ତି । ତେଣୁ ମୁଁ ବାଧ୍ୟହେଲି ମୋର ଅହଂକାର ଅଭିମାନକୁ ଠେଲି ଆପଣଙ୍କ ପାଖକୁ ଦୌଡ଼ିଆସିବାକୁ କଥାରେ ଅଛି, ନାରୀର ପ୍ରାର୍ଥନା ପୂରଣ କରିବାକୁ ପୁରୁଷ ସର୍ବଦା କାଙ୍ଗାଳ । କିନ୍ତୁ ଆପଣ କ’ଣ ଏ ଭିତରେ ଏକ ବ୍ୟତିକ୍ରମ ବୋଲି କହିବା ମୋର ଭୁଲ୍ ହେବ ?

 

ଶିଳ୍ପୀଙ୍କର ଆଖିରେ ଲୁହ ଛଳଛଳ ହୋଇଉଠିଲା । ତାଙ୍କର ସମସ୍ତ ଛଳନା ମିସ୍ ପଟ୍ଟନାୟକଙ୍କ ନିକଟରେ ଧରା ପଡ଼ିଯାଇଛି । ପ୍ରକୃତରେ ସେ କ’ଣ ମିସ୍ ପଟ୍ଟନାୟକଙ୍କର ତନୁ ତନିମାକୁ ଭଲ ପାଉଥିଲେ ? ତା ଯଦି ସତ୍ୟ, ତେବେ ବର୍ତ୍ତମାନ ତାଙ୍କର କେଉଁ ଲାବଣ୍ୟ ଅଛି ? କାହିଁକି ତାଙ୍କ ପ୍ରତି ଏ ହୃଦୟରେ ଅନୁକମ୍ପା ଜାତ ହେଉଛି ? କାହିଁକି ସେ ମିସ୍ ପଟ୍ଟନାୟକଙ୍କର ଜୀବନର ଇତିବୃତ୍ତିର ଖବର ଦେଇଥିଲେ ? ଅନେକ ଦିନ ତଳେ ଏଇ ରେଖା ଦେବୀ କହିଥିଲେ ଯେ, ଏଇ ଅଚିର ରକତ ମାଉଁସ ଦେହତଳେ ଗୋଟାଏ ଜିନିଷ ଅଛି, ତାର ନାମ ‘ମନ’ । ସେଇ ମନ ଦର୍ପଣରେ ହୃଦୟର ପ୍ରତିଫଳନ ନ ହେଲେ ଆକର୍ଷଣ ହୁଏନି ଏବଂ ସେଇ ଆକର୍ଷଣକୁ ହିଁ ଭଲପାଇବା କହନ୍ତି । ଏଇ ନିଷ୍ଠୁର ସତ୍ୟକୁ ସେ କେବଳ ଆଦର୍ଶବାଦର ଗୋଟାଏ ଖିଆଲ ଯୁକ୍ତି ପଛରେ ଗୋଡ଼ାଇ ଅସ୍ଵୀକାର କରିଥିଲେ । ବର୍ତ୍ତମାନ ସେହି ନିଷ୍ଠୁର ସତ୍ୟକୁ ସେ କ’ଣ ଅସ୍ଵୀକାର କରିପାରିବେ ? ଶିଳ୍ପୀ ଶୁଭେନ୍ଦୁଙ୍କର ନିଃସନ୍ଦ ଜୀବନ ଅତିବାହିତ କରିବା ପଛରେ ଏଇ ସତ୍ୟରୁ କ’ଣ କାଣିଚାଏ ନାହିଁ ?

 

ନୀରବରେ ରୁମାଲରେ ଆଖି ପୋଛିଲେ ଶିଳ୍ପୀ ଶୁଭେନ୍ଦୁ କୁମାର ।

 

ଜଳଖିଆ ଖାଇସାରିଲେ ମିସ୍ ପଟ୍ଟନାୟକ, ହାତ ଘଣ୍ଟାକୁ ଚାହିଁଲେ । ଆଉ ଘଣ୍ଟାଏ ଭିତରେ ଫେରନ୍ତା ବସ୍ ଧରି ତାଙ୍କୁ ଷ୍ଟେସନକୁ ଯିବାକୁ ହେବ ।

 

ଶିଳ୍ପୀ ଶୁଭେନ୍ଦୁ କୁମାର କ’ଣ କହି ପୁଣି କଥା ଆରମ୍ଭ କରିବେ ଭାବୁଥିଲେ ।

 

ମିସ୍ ପଟ୍ଟନାୟକ କହି ଉଠିଲେ । ଚାକିରୀଟାର ମୋହ ଛାଡ଼ି ଦିନ କେତଟା ଶାନ୍ତିରେ କଟକରେ ରହିଲେ କିପରି ହେବ ?

 

—ସେଇ କଥା ହିଁ ଭାବୁଛି । ଏତେଦିନ ପର୍ଯ୍ୟନ୍ତ ଯେଉଁ ଆଦର୍ଶ ମାନି ଆସିଲେ—ଏ ବୟସରେ ପୁଣି ତା ପ୍ରତି ଆକୃଷ୍ଟ ହେଲେ ଲୋକ ଚକ୍ଷୁରେ ଆପଣଙ୍କ ଚରିତ୍ର ଉପରେ ସମାଲୋଚନା ହେବ ନାହିଁ ? ଆପଣ ତ ନିଷ୍କଳଙ୍କ । କିନ୍ତୁ ସନ୍ଦେହରେ କଳଙ୍କିତ ହେବାର ସମାଲୋଚନାକୁ ମୁଁ ଆପଣଙ୍କ ପାଖରେ ରହି ପ୍ରଶ୍ରୟ ଦେବାଟା କ’ଣ ଭଲ ହେବ ? ଆପଣ ତ ଡାକ୍ତର ଲୋକ । ବିଶେଷରେ ବିଶେଷଜ୍ଞା । ତେଣୁ ଏଇ ଶରୀରଟାକୁ ଦେଖି ନେଇ କଳନା କରନ୍ତୁ, କେତେଦିନ ଏଇ ଶରୀରଟାର ଆଉ ଆୟୁଷ ଅଛି ? ମୁଁ ଆପଣଙ୍କ ପାଇଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ । କିନ୍ତୁ ଆପଣଙ୍କ ଚରିତ୍ର ଉପରେ ଆଞ୍ଚ ଆସିବା ଭଳି କୌଣସି କାମ ମୁଁ କରିପାରିବି ନାହିଁ-?

ହସିଉଠିଲେ ଡାକ୍ଟର ମିସ୍ ପଟ୍ଟନାୟକ । କହିଲେ, ‘ଚରିତ୍ରଟା କ’ଣ ଏତେ ଶସ୍ତା ଜିନିଷ ବୋଲି ଆପଣ ଭାବୁଛନ୍ତି ଯେ ସହଜରେ କଳଙ୍କ ଲାଗିଯିବ ? ସେଟା କଂସା ଅବା ପିତ୍ତଳ ନୁହେଁ ଯେ ମନଇଚ୍ଛା ତାକୁ ଭାଙ୍ଗିହେବ । ସେଥିରେ ସହଜରେ କଳଙ୍କ ଲାଗେନାହିଁ । ତାପରେ ନିଜକୁ ସଂଯତ କରି ପୁଣି କହିବାକୁ ଆରମ୍ଭ କଲେ । ଥରେ କହିଛି, ମା ନ ହୋଇ ମା ଡାକ ଶୁଣିଛି । ସେଥିରେ କ’ଣ ସଂଦେହ କରିବାର କୌଣସି ଅବକାଶ ନ ଥିଲା ? ଏବେ ମଧ୍ୟ ସଂଗ୍ରାମ ଓ ମୋ ସମ୍ପର୍କରେ କେତେକଙ୍କର କ’ଣ ମୋର ଚରିତ୍ର ଉପରେ ଭ୍ରମ ଧାରଣା ନ ଥିବ ? ସେପରି ହୁଏତ ଆପଣଙ୍କୁ ନେଇ ଆଉ ଗୋଟାଏ କିଛି ଶୁଣିବି । ଏ ଦୁନିଆଁକୁ ଡରିଲେ, ସେ ଆମକୁ ଡରାଇବ । ହସି ଗଡ଼ାଇବ । ଛଳ ଛଳ ତରଳ ଯୌବନର ଉଦ୍ଦମତା ଆଉ ତ ନାହିଁ । ଜୀବନର ତୃତୀୟାଂଶ କଟିଗଲାଣି । ଆଉ ନିଃସଙ୍ଗତା ଭଲ ଲାଗୁନାହିଁ । ତାପରେ ଆପଣଙ୍କ ସ୍ଵାସ୍ଥ୍ୟକୁ ଦେଖିଲେ ଦୁଃଖ ହୁଏ । ଆପଣାର ପ୍ରିୟଜନ ଭାବି ଥରେ ଆପଣଙ୍କୁ ଗ୍ରହଣ କରି ନେଇଥିବାରୁ ଆପଣଙ୍କର ସ୍ଵାସ୍ଥ୍ୟର ଉନ୍ନତି ଦେଖିବା ମୋର ବର୍ତ୍ତବ୍ୟ ନୁହେଁ କି ?

ଶିଳ୍ପୀ ଶୁଭେନ୍ଦୁ ଭାବୁଥିଲେ ଯେ, ନିଃସଙ୍କୋଚରେ ଏବଂ ସ୍ପଷ୍ଟ ଭାବରେ ଯେଉଁ କଥା କୌଣସି ନାରୀ ତାର ନାରୀସୁଲଭ ଗୁଣରେ କହିବାକୁ ପ୍ରସ୍ତୁତ ନୁହେଁ, ସେଇ କଥାଗୁଡ଼ାକ କିପରି ମିସ୍ ପଟ୍ଟନାୟକ—

ଶୁଭେନ୍ଦୁ ବାବୁଙ୍କ ପାଟିରୁ ବାହାରିପଡ଼ିଲା, ମୋତେ ଟିକେ ସମୟ ଦିଅନ୍ତୁ ମିସ୍ ପଟ୍ଟନାୟକ ।

—ବିସ୍ମିତା ହାଇ ମିସ୍ ପଟ୍ଟନାୟକ କହିଲେ, କ’ଣ ଯେ ଏଥିରେ ଭାବିବାକୁ ରହିଯାଇଛି ତା ମୁଁ ଉପଲବ୍ଧି କରି ପାରୁନାହିଁ । ତେବେ ଏୟା ହୋଇପାରେ ଯେ, ଛୋଟ ହେଲେ ବି ସ୍କୁଲଟିଏ । ସେଥିରେ ଯେତେବେଳେ ଚାକିରୀ କରିଛନ୍ତି, ତାର ଦାୟିତ୍ଵ ହସ୍ତାନ୍ତର କରିଯିବେ । ଏଇଟା ସତ କଥା ।

ଶୁଭେନ୍ଦୁ କୁମାରଙ୍କ କଣ୍ଠ ଖୋଲି ଅତି ଧୀରରେ ‘ହଁ’ ବୋଲି ପଦୁଟିଏ ବାହାରିଲା ।

ପୁଲକିତା ହୋଇଉଠିଲେ ମିସ୍ ପଟ୍ଟନାୟକ ।

ହାତ ଘଣ୍ଟାକୁ ଚାହିଁ ସେ ଉଦ୍‍ବିଗ୍ନା ହୋଇଉଠିଲେ, ବସ୍ ଧରିବା ପାଇଁ । ତାଙ୍କୁ ଯେ କୌଣସି ମତେ ଫେରନ୍ତା ବସରେ ଫେରି ଯିବାକୁ ହେବ । ହ୍ୟାଣ୍ଡ୍ ବ୍ୟାଗ୍‍ଟା ଧରି ବସ ଷ୍ଟାଣ୍ଡକୁ ଯିବାକୁ ବାହାରିଲେ ମିସ୍ ପଟ୍ଟନାୟକ ।

କଥାବାର୍ତ୍ତା ଭିତରେ ଡେରି ହୋଇଯାଇଥିଲା । ତେଣୁ ସେ ବସ୍‍ ଷ୍ଟାଣ୍ଡରେ ପହଞ୍ଚିବାର ଅଳ୍ପ ସମୟ ପରେ ବସ୍ ପହଞ୍ଚିଲା । ବସରେ ଚଢ଼ିବା ସମୟରେ ପ୍ରଫେସର ମିସ୍ ପଟ୍ଟନାୟକ ଦେଖିଲେ, ଶିଳ୍ପୀ ଶୁଭେନ୍ଦୁ କୁମାର ରୁମାଲ୍ ରେ ଆଖି ପୋଛୁଛନ୍ତି । ତାଙ୍କ ମନରେ ଚମକ ଲାଗିଲା । ଏତେଦିନ ପର୍ଯ୍ୟନ୍ତ ଶିଳ୍ପୀଙ୍କ ଆଖିରେ ସେ ଲୁହ ଦେଖି ନ ଥିଲେ । ତେବେ ଆଜି ତାଙ୍କର ଆଖି ଉପକୂଳରେ ଏ ଲୁହର ବନ୍ୟା କାହିଁକି ? କାରଣ କଣ ? କିଏ ଉତ୍ତର ଦେବ ?

ବସ୍ ଛାଡ଼ିଲା । ଶିଳ୍ପୀ ଅଦୃଶ୍ୟ ହେଲେ । ମିସ୍ ପଟ୍ଟନାୟକ ରୁମାଲରେ ନିଜ ଆଖି ପୋଛିଲେ ।

ବସାକୁ ଫେରିଲା ପରେ ମିସ୍ ପଟ୍ଟନାୟକ ପୁଣି ଗାଇନିକ୍ ବିଭାଗର ପ୍ରଫେସର ସାଜିଛନ୍ତି । ପୁଣି ମୁହଁରେ ମାସ୍କ ବାନ୍ଧି ହାତରେ ଗ୍ଲୋବ୍‍ସ ପିନ୍ଧି ଅପରେସନ୍ କରିଛନ୍ତି । ଶିଳ୍ପୀଙ୍କ ସହିତ ଦେଖା ପରେ ମନରେ ତାଙ୍କର ଉଲ୍ଲାସ ଦେଖାଦେଇଛି । ପ୍ରାଣରେ ପରିବର୍ତ୍ତନ ଆସିଛି । ତାଙ୍କର ହୃଦବୋଧ ହୋଇଛି ଯେ, ଏଥର ଶିଳ୍ପୀଙ୍କର ଅହଂକାରର ମୈନାକ ପାହାଡ଼କୁ ଟଳାଇ ଦେଇପାରିଛି । ଶିଳ୍ପୀଙ୍କର ନିଶ୍ଚୟ ତାଙ୍କ ପ୍ରତି ସମର୍ଥନ ଅଛି । ସେ ସଦାବେଳେ ଅପେକ୍ଷମାଣା ହୋଇଉଠିଛନ୍ତି । ନୂତନ ଆଶାର ବୀଜ ତାଙ୍କ ହୃଦ କେଦାରରେ ଅଙ୍କୁରିତ ହୋଇଉଠିଛି ।

ବିଚାରି ଆୟାଟା ବି ଖୁସି ହୋଇଛି । ଯାହାହେଉ ଏ ଦିନ କେତେଟା ତା ମାମା ଖୁସି ଅଛନ୍ତି ।

ସେଦିନ ହସ୍ପିଟାଲରୁ ଫେରି ସେ ଡାକରେ ଆସିଥିବା ଚିଠି ଗୁଡ଼ାକ ଦେଖୁଥିଲେ । ବିଦେଶୀ ଲଫାଫା ଦେଖି ସେ ଆଗ ସେଇଟା ଚିରି ବସିଲେ । ମନର ଅଧୀରତା ତାଙ୍କର ବଢ଼ି ଉଠୁଥିଲା । ସଂଗ୍ରାମ ଚିଠି ଦେଇଛି । କ’ଣ ଲେଖିଛି ବୋଲି ଅତି ତରତରରେ ପଢ଼ି ବସିଲେ ମିସ୍ ପଟ୍ଟନାୟକ ।

ଏଡ଼ିବରାନ୍

ତା............

ମାମି,

ମୋର ପ୍ରଣାମ ନେବ, ତୁମର ଆଶୀର୍ବାଦରୁ ଏବଂ ଭଗବାନଙ୍କ ଅପାର କୃପା ବଳରୁ ମୁଁ ପନ୍ଦର ଦିନ ତଳେ ଏଫ୍. ଆର. ସି. ଏସ୍ (F.R.C.S) ରେ ସର୍ବୋଚ୍ଚ ସ୍ଥାନ ରଖି କୃତିତ୍ଵର ସହିତ ପାଶ୍ କରିଛି । ଭାରତୀୟ ଛାତ୍ର ଭିତରେ ଏ ପର୍ଯ୍ୟନ୍ତ କେହି ଏ ଗୌରବର ଅଧିକାରୀ ହୋଇ ନଥିଲେ । ତୁମର ସଂଗ୍ରାମ ଏଡ଼ିନ୍‍ବରା ବିଶ୍ଵବିଦ୍ୟାଳୟର ରେକର୍ଡ଼ ଭାଙ୍ଗିଲା । ଜୀବନର ଗୋଟାଏ ବଡ଼ ଲକ୍ଷ୍ୟ ପୂରଣ ହୋଇଗଲା । ତୁମେ ନିଶ୍ଚୟ ଖୁସି ହେବ । ମୁଁ ଯଦି ବର୍ତ୍ତମାନ କଟକରେ ଥାନ୍ତି, ଏ ଖବର ପରେ ମୁଁ ଓ ତୁମେ ଦୁହେଁ ଏକା ସଙ୍ଗରେ ବହୁତ ଖୁସି ହୋଇଥାନ୍ତେ । ମୁଁ ତୁମଠାରେ ନିଶ୍ଚୟ ଗୋଟାଏ ଭଲ ଧରଣର ଭୋଜି ଆଦାୟ କରିଥାନ୍ତି । ଆୟା ବି କମ୍ ଖୁସି ହୋଇ ନ ଥାନ୍ତା-! ତାକୁ ଏ ଖବର କହିବ । ବର୍ତ୍ତମାନ ମୁଁ ଏଇଠାର ଗୋଟିଏ ବଡ଼ ହାସ୍ ପାତାଲରେ ଜୁନିଅର ସର୍ଜ୍ଜନ ହିସାବରେ କାମ କରୁଛି । ତୁମେ ମାମା, ଏଡ଼ିନ୍‍ବରାର କଥା ସବୁ ଜାଣିଛ । କାରଣ ତୁମେ ଏହି କଲେଜର ଛାତ୍ରୀ ଥିଲ । ସତ କହିଲ ମାମି, ଏଠାକାର ଚିକିତ୍ସାବିଜ୍ଞାନ କେତେ ଉନ୍ନତି କରିଛି । ବହୁତ କଥା ଶିକ୍ଷା କରିବାକୁ ଜୀବନରେ ଏଠାରେ ଅଛି । ତେଣୁ ଅଦମ୍ୟ ବିଜ୍ଞାନର ପିପାସାକୁ ତ୍ୟାଗ କରି ମୁଁ ଭାରତ ଫେରି ପାରୁନାହିଁ ।

 

ଏଇ ପଦକ କଥା ଶୁଣି ତୁମେ ଯେତିକି କାନ୍ଦିବ, ତାଠାରୁ ଅଧିକ ମୋ ଉପରେ ଅସନ୍ତୁଷ୍ଟ ହେବ । କିନ୍ତୁ ଅଭିଶାପ ଦେଇପାରିବ ନାହିଁ । କାରଣ ମୁଁ ତୁମର ପୁଅ । ମୁଁ କୁପୁତ୍ର ହୋଇପାରେ; କିନ୍ତୁ ତୁମେ’ତ କୁମାତା ହୋଇ ପାରିବ ନାହିଁ । ତୁମେ ଧରିତ୍ରୀ ପରି ସର୍ବଂସହା । ସବୁ ସହିଆସିଛ ତେଣୁ ସହିବ ।

 

ସଞ୍ଜୟବାବୁ କନ୍ୟାଙ୍କ ବିଷୟରେ ତୁମେ ମୋ ପାଖକୁ ପତ୍ର ଦେଇଥିଲ । ବାରମ୍ବାର ମୋତେ ଅସ୍ଥିର କରିଛ, ସେ ବିଷୟରେ ମୋର ମତାମତ ଜାଣିବା ପାଇଁ । ମେରୀର ଫଟୋଟା ପଠାଇଥିଲି ବୋଲି ମୋତେ ବହୁତ ଭର୍ତ୍ସନା କଲ । ସବୁ ସହିଲି । ସବୁ ସହିବି । କାରଣ ମାଆ ହିସାବରେ ତୁମର କହିବାର ଅଧିକାର ଅଛି ।

 

ବାଧ୍ୟ ହୋଇ ଜୀବନରେ କେବେ ଅବାଧ୍ୟ ହୋଇ ନାହିଁ । କିନ୍ତୁ ଏଥର ମୋତେ ଅବାଧ୍ୟ ହେବାକୁ ପଡ଼ୁଛି । ତାର କାରଣ ମେରୀ ସହିତ ଏଠାରେ ଅବାଧ ମିଳାମିଶା ଫଳରେ ମୋର ଓ ତା ଭିତରେ ସଂପର୍କ ବହୁତ ନିକଟତର ଓ ଘରୋଇ ହୋଇଉଠିଲା । ତେଣୁ ତାକୁ ବାଧ୍ୟହୋଇ ଆସନ୍ତା ମାସରେ ମୁଁ ବିବାହ କରିବାକୁ ସ୍ଥିର କରିଛି । ମେରୀକୁ ବାହା ହେବାରେ ମୋର ଆନନ୍ଦ ଅଛି । ମା ହିସାବରେ ତୁମେ ବି ଆନନ୍ଦିତା ହେବ । ମୋ ପାଇଁ ଓ ମେରୀ ପାଇଁ ଆଶିଷ ପଠାଇବ ।

 

ଏ ବାହାଘରକୁ ମୁଁ ସ୍ଵାଗତ କରିବା ବ୍ୟତୀତ ମୋର ଅନ୍ୟ ପନ୍ଥା ନ ଥିଲା । ଆଜିଯାଏଁ ଓଡ଼ିଶା ଭୂଇଁରେ ତୁମରି ସ୍ନେହ, ସୋହାଗ ଭିତରେ ବଢ଼ି ଆସିଛି । ଦିନେ ତୁମେ ମୋର କୌଣସି ବିଷୟରେ ଅଭାବ ରଖିନାହଁ । ଯାହା ଯେତେବେଳେ ଚାହିଁଛି ତା ପାଇଛି । ଭାରତକୁ ଫେରିଲେ ତୁମ କୋଳରେ ମୁଣ୍ଡ ଗୁଞ୍ଜି ସେଇ ଆଶିଷ ବି ଦାବୀ କରିବସିବି ।

 

ଗୋଟାଏ କଥା ମୁଁ ତୁମ ପାଖକୁ ଏତେଦିନ ପରେ ଖୋଲି ଲେଖୁଛି । ତୁମେ ବ୍ୟସ୍ତ ହେବ ନାହିଁ କିମ୍ବା ବିରକ୍ତ ହେବ ନାହିଁ । ତୁମେ ପଢ଼ିଥିଲ, ମୁଁ ପଢ଼ିଛି ଏବଂ ଆମର ଭବିଷ୍ୟତ ବଂଶଧରମାନେ ପଢ଼ିବେ ଯେ, କୋଣାର୍କର ଦେଉଳ ତୋଳା ହେଲାବେଳେ ବିଶୁ ମହାରଣା ପ୍ରଧାନ ଶିଳ୍ପୀ ଥିଲେ । ଗାଁରେ ତାଙ୍କର ପରିଣିତା ପତ୍ନୀ ଓ ଶିଶୁପୁତ୍ର ଥିଲେ । ବାରଶ ବଢ଼େଇ କାମରେ ଲାଗିଛନ୍ତି, କେତେବର୍ଷ କାମ ଲାଗିବ । ଶିଶୁପୁତ୍ରର ମୁଖ ବିଶୁ ମହାରଣା ଜନ୍ମରୁ ଦେଖି ନାହାନ୍ତି । ସମୟ ଗଡ଼ି ଚାଲିଲା, ଧର୍ମପଦକୁ ପାଞ୍ଚ ପୂରିଲା । ସ୍କୁଲରେ ନାଁ ଲେଖାଇଲା । ପାଠ ପଢ଼ିଲାବେଳେ ଖଡ଼ି ଗୋଟାଳି ତାର ଗଡ଼ିଗଲା । ଖଡ଼ିଟା ଗୋଟାଇ ଆଣିବାକୁ ସାଥୀପିଲାଙ୍କୁ ଅନୁରୋଧ କଲା ! ପ୍ରତ୍ୟୁତ୍ତରରେ ସାଥିପିଲା ଖଡ଼ି ଆଣିବାକୁ ନାସ୍ତିକରି କହିଲା, ତୁ ଅଣବାବୁଆଟେ । ଧର୍ମପଦ ମନରେ ଚମକ ଲାଗିଲା । କାନ୍ଦି କାନ୍ଦି ମା ପାଖକୁ ଆସିଲା । ମାଆକୁ ପଚାରିଲା ତା ବାପା କିଏ ? ମାଆ ତାର ବାପାଙ୍କ ଠିକଣା ଦେଲା । ଧର୍ମପଦ ଯାଇ ତାର ବାପାଙ୍କୁ ଖୋଜି ବାହାର କଲା । ପିତା ପୁତ୍ରର ମିଳନ ହେଲା । ଓଡ଼ିଶାର ଅକ୍ଷୟକୀର୍ତ୍ତି କୋଣାର୍କ ଥିବା ପର୍ଯ୍ୟନ୍ତ ଏ ପ୍ରକାର କିମ୍ୱଦନ୍ତୀ ବି ଥିବ ।

 

ଅନେକ ଦିନ ତଳେ ସମ୍ଭବତଃ ରେଭେନ୍‍ସା କଲେଜରେ ଛାତ୍ର ଥିବାବେଳେ ମନରେ ମୋର ମଧ୍ୟ ସେଇ ପ୍ରଶ୍ନ ଜାଗି ଉଠିଥିଲା । କେତେଥର ଆପଣଙ୍କୁ ପଚାରିବି ବୋଲି ଠିକ୍‍ କରିଛି । କିନ୍ତୁ ଲାଜରେ ପଚାରିବାର କଥା ପଚାରି ପାରେନାହିଁ । ପ୍ରଶ୍ନ ଗୁଡ଼ାକ ଆସି ତଣ୍ଟି ପାଖରେ ମିଳାଇ ଯାଆନ୍ତି; ତାର କାରଣ ମୋର ସେତେବେଳକୁ ପରିଣତ ବୟସ ହୋଇ ଯାଇଥିଲା । ଭଲ ମନ୍ଦ ଉପଲବ୍ଧି କରିବାର ଶକ୍ତି ମୋର ଅଳ୍ପ ବହୁତ ହୋଇଥିଲା । ତୁମକୁ ଲୁଚାଇ କରି ତୁମର ପଢ଼ାବହି ପଢ଼ିବା ସଙ୍ଗେ ସଙ୍ଗେ ତୁମର ଡାଇରୀଟା ପଢ଼ିଛି । ଏ ମୋର ଗୋଟାଏ ଦୁଷ୍ଟାମି ଥିଲା । ଏଥିପାଇଁ ଆୟାଠାରୁ ଧମକ ପାଇଛି । ତୁମରି ଡାଇରୀ ପଢ଼ୁ ପଢ଼ୁ ମୋର ଏ ଜନ୍ମର ଇତିହାସ ମୁଁ ଜାଣି ପାରିଲି । ମନର ବ୍ୟଥାକୁ ମନରେ ମାରିଲି । କାରଣ ଆପଣଙ୍କୁ ପଚାରିବାର କୌଣସି ଆବଶ୍ୟକତା ଅନୁଭବ କରିପାରିଲି ନାହିଁ । ମନରେ ଯେତିକି ଲଜ୍ଜା ଓ ଦୁଃଖ ଆସିଲା, ତାହା ବର୍ଣ୍ଣନା କରି ହେବ ନାହିଁ । ତଥାପି କୃତଜ୍ଞତାରେ ମୋର ମନ ତୁମ ପ୍ରତି ନଇଁ ଆସିଲା । ତୁମେ ତ ଦିନକ ପାଇଁ ମୋତେ ଭିନ୍ନ ଦୃଷ୍ଟିରେ ଦେଖି ନାହଁ । ନିଜର ଜନ୍ମକଲା ମାଆ ମୋର ମୋତେ ସେ ଅଧିକ ସ୍ନେହ, ସୋହାଗ ଦେଇ ବଢ଼ାଇଥାନ୍ତା ତା ମୁଁ କଳ୍ପନା କରି ପାରୁନି । ମଣିଷ ପରି ଦୁନିଆଁରେ ମଣିଷଟିଏ କରି ଗଢ଼ିଲ ।

 

ଭାରତୀୟ ସମାଜରେ ମୁଁ ଫେରିଲେ ପ୍ରତିଷ୍ଠିତ ହେବି; କିନ୍ତୁ ଗୁଜବ ସନ୍ଦେହରୁ କି ମୁକ୍ତ ହେବି ? ଭାରତ ବିଶେଷତଃ ଓଡ଼ିଶା ଭୂଇଁର ଲୋକେ କହିବେ—ଓଃ । ସଂଗ୍ରାମ ପଟ୍ଟନାୟକ ଯେ ବିଲାତରୁ ଫେରିଛନ୍ତି, ଯାହାକୁ ପ୍ରଫେସର ମିସ୍ ପଟ୍ଟନାୟକ ରାସ୍ତାରୁ ଗୋଟାଇ ଆଣି ପାଳିଥିଲେ, ତାଙ୍କର ପାଖକୁ ଯିବା । ତାପରେ ହୁଏତ ଭଲ ଡାକ୍ତର କି ମନ୍ଦ ଡାକ୍ତର କହି ନିନ୍ଦା କିମ୍ବା ପ୍ରଶଂସା କରିପାରନ୍ତି । ସେଇ ଯେଉଁ ସଂଦେହର ଭୂତ ମୋର ମନରେ ପ୍ରବେଶ କରିଛି ସେ ଏବେ ବି ବିବ୍ରତ କରି ପକାଉଛି ।

 

ଧାରା—ସଞ୍ଜୟ ବାବୁଙ୍କ କନ୍ୟା କଥା ଲେଖୁଛି, ସେ ରୂପସୀ ଏଥିରେ ସନ୍ଦେହ ନାହିଁ । ସେ ଧନୀ, ସେ ସୁଶିକ୍ଷିତା ଏବଂ ଆଭିଜାତ୍ୟ ସଂପନ୍ନା ଏଥିରେ ବି ଦ୍ୱିରୁକ୍ତି କରିବାର କିଛି ନାହିଁ । ଏ ଭଳି ଗୋଟିଏ ବଧୂ ଖୁବ୍ କମ୍ ମିଳନ୍ତି । ସଞ୍ଜୟବାବୁଙ୍କୁ ମୋଠାରୁ ଢେର ଭଲ ପାତ୍ର ମିଳି ପାରନ୍ତି । ତେଣୁ ସେ ଦୁଃଖିତ ହେବେ ନାହିଁ । ଭବିଷ୍ୟତରେ ଧାରା ଓ ମୋର ଦାମ୍ପତ୍ୟ ଜୀବନରେ କେବେ ଯଦି ଝଡ଼ ଉଠିଥାନ୍ତା, ତେବେ ସେଥିପାଇଁ କ’ଣ ମୋର ଇତିହାସବିହୀନ ଜନ୍ମ ଦାୟୀ ହୋଇ ନ ଥାନ୍ତା ? ତା ପରେ ଆମର ଭାରତରେ ସନାତନ ଧର୍ମ କୁହ ବା ହିନ୍ଦୁଧର୍ମ କୁହ, ସେ ଏପରି କଠିନ ନିୟମରେ ପରିଚାଳିତ ଯେ ତା କଳ୍ପନା କରି ହୁଏନି । ବର୍ଣ୍ଣହୀନ ସମାଜର କଳ୍ପନା ମୋ ଦେଶରେ ଦେଖିବାର ସ୍ଵପ୍ନ ହୁଏ । ନିଜ ମନକୁ ପଚାରିବ—ସଦାବେଳେ କ’ଣ ସଞ୍ଜୟ ବାବୁ ଭଳି ଆମେ ପ୍ରଗତିଶୀଳ ଲୋକ ପାଇବା, ଯେଉଁମାନେ କି ଏ ଭଳି ଦୁଃସାହସ କରିପାରିବେ । ଭବିଷ୍ୟତରେ ମୋର ଭାବୀ ବଂଶଧରଙ୍କର ବୈବାହିକ ବିଷୟରେ ସମାଜରେ କେତେ ଅସୁବିଧା ହେବ ଭାବିଲ !

 

ଗୋଟାଏ ଶାନ୍ତିର ନିଃଶ୍ୱାସ ମାରିବାକୁ ମଣିଷକୁ ଯଦି ସବୁ ପ୍ରକାର ଉପାଦାନ ଯୋଗେଇ ଦିଆଯାଏ, ତେବେ ସେ ଯାହା କରନ୍ତା, ତାହା ମୁଁ ଏଇଠି ପାଇ ପାରୁଛି ଏବଂ ସେଥିପାଇଁ ଏ ପ୍ରକାର ନିଷ୍ପତି ନେଲି ! ଏଠାରେ ଆମଦେଶ ପରି ସେତେଟା ଜାତିଆଣ ସଂକୀର୍ଣ୍ଣତା ନାହିଁ । ଏଠା ବିଷୟରେ ତୁମକୁ ବିଶେଷ କହିବାଟା ବାହୁଲ୍ୟ ମାତ୍ର ।

 

ମାମି, ତୁମେ ସୁଶିକ୍ଷିତା,—ତୁମକୁ ମାଆରୂପେ ପାଇ ମୁଁ ଗର୍ବିତ । ହୁଏ ତ ତୁମ ହାତରେ ନ ପଡ଼ି ଆଉ କାହା ହାତରେ ପଡ଼ିଥିଲେ ଗୋଟାଏ ଗୁଣ୍ଡା କିମ୍ବା ବଜାରୀ ହୋଇ ଏତେବେଳେକୁ କଟକର ରାଜରାସ୍ତା ଉପରେ ଦିନ ଦ୍ଵିପହରେ ମଦ ପିଇ ବୁଲୁଥାନ୍ତି । ମୋର ସୌଭାଗ୍ୟ ଯେ ମୁଁ ତୁମଭଳି ମାଆ ପାଇଛି ।

 

ତୁମେ ମୋର ମାଆ । ତୁମ ବ୍ୟତୀତ ଦୁନିଆଁରେ ଆଉ କିଏ ପରିଜନ ଅଛନ୍ତି ବୋଲି ମୁଁ ଜାଣେନାହିଁ । ମୁଁ କୃତଘ୍ନ ହେଲି ବୋଲି ବାହାର ଲୋକେ ବିଶ୍ୱାସ କରିପାରନ୍ତି । କିନ୍ତୁ ତୁମେ କରିପାରିବ ନାହିଁ । ତାର କାରଣ ଏ ପର୍ଯ୍ୟନ୍ତ ପାଇବାର ଆଶା ରଖି ତୁମେ ଜୀବନରେ କୌଣସି କାମ କରିନାହଁ । କାହାକୁ ଅପେକ୍ଷା ରଖିନାହଁ । ନିଜର ସ୍ଵାଧୀନତାକୁ ବଜାୟ ରଖିଛ । ତୁମର ଜୀବନୀ ଅନନ୍ୟସାଧାରଣ । ତାକୁ ବିଶ୍ଳେଷଣ କଲେ ବହୁତ କଥା ଶିକ୍ଷା କରିବାକୁ ମିଳିବ । ପୈତୃକ ସଂପତ୍ତି ଉପରେ ମୋହ ନ ରଖି ଯେ ନିଜର ଅର୍ଜିତ ସଂପତ୍ତି ଉପରେ ଚଳୁଛି, ମୁଁ କ’ଣ ଭାବିବି ଯେ ସେପରି ମହୀୟସୀ ନାରୀ ଗୋଟିଏ ରାସ୍ତା କଡ଼ର ସାଉଣ୍ଟା ପିଲାଠାରେ କିଛି ଆଶା ରଖିଛନ୍ତି ? ଯେଉଁମାନେ ତୁମକୁ ଚିହ୍ନି ନାହାନ୍ତି, ସେମାନେ କେବଳ କହିପାରିବେ ଯେ ମୁଁ ତୁମ ପ୍ରତି କୃତଘ୍ନତା କଲି । କିନ୍ତୁ ତୁମକୁ କ’ଣ ଦେଇ ବା ମୁଁ ସନ୍ତୋଷ କରିପାରିବି ? ତୁମେ ମାଆ, ମୁଁ ତୁମର ପୁଅ । ତେଣୁ ନେବାର ଅଧିକାର ମୋର ରହିବ ।

 

ସମସ୍ତ ବିଷୟ ବୁଝାଇ ଲେଖିଲି । ମୋତେ ତୁମେ ଅନ୍ୟପ୍ରକାର ଭାବିବ ନାହିଁ । ଏ ଆଶା ଓ ଭରସା ମୋର କେବଳ ଅଛି । କେବଳ ତୁମକୁ ଏତିକି ଦୁଃଖ ଦେଲି ଯେ, ସବୁଦିନ ପାଇଁ ତୁମ ପାଖରେ ରହିପାରିଲି ନାହିଁ ।

 

ତୁମେ ମେରୀକୁ ତୁମର ପୁତ୍ରବଧୂ ରୂପେ ଗ୍ରହଣ କରିବ । ମୁଁ ତାକୁ ତୁମ ବିଷୟରେ ସମସ୍ତ କଥା କହିଛି । ଏପରି କି ମୋର ଜନ୍ମ ବିଷୟରେ କୌଣସି ଇତିହାସ ତାଠାରୁ ଗୋପନ ରଖିନାହିଁ । ମୋଠାରୁ ସବୁ ଶୁଣି ସାରିବା ପରେ ତାର ତୁମ ନିକଟରେ ଅସୀମ ଭକ୍ତି । ସେ କହିଲା, ତୁମେ ଏତେ ମହତ୍ ଯେ ଦେବୀ ତୁଲ୍ୟା । ବାସ୍ତବିକ ତୁମେ ଦେବୀ—ମାନବୀ ନୁହ । କୌଣସି ମାନବୀ ପକ୍ଷରେ ଏତେ ଗୁଡ଼ାଏ ସଦ୍‍ଗୁଣ ଥାଇପାରେ ବୋଲି ମୁଁ ତ କଳ୍ପନା କରି ପାରୁନାହିଁ ।

 

ମୋର ଭୂମିଷ୍ଟ ପ୍ରଣାମ ଗ୍ରହଣ କରିବ । ସମ୍ଭବତଃ ଆସନ୍ତା ଏକ୍ସ ମାସରେ ମୁଁ ମେରୀକୁ ନେଇ ତୁମ ଚରଣ ଧୂଳି ଆଣିବାକୁ ଯିବି ।

 

ତୁମର ଆଶିଷ ପାଇବା ଆଶାରେ ରହିଲି । ଇତି ।

 

ସଂଗ୍ରାମ

 

ଚିଠିଟା ପଢ଼ିସାରି ଦୁଇ ହାତ ଭିତରେ ମୁହଁଗୁଞ୍ଜି କଇଁ କଇଁ ହୋଇ ଡକ୍ଟର ମିସ୍ ପଟ୍ଟନାୟକ କାନ୍ଦିଉଠିଲେ—

 

କୌଣସି ଗୋଟାଏ ଅଘଟନ ଘଟିଲା ବୋଲି ରୋଷାଇ ଘରୁ ଆୟା ଦଉଡ଼ି ଆସିଲା । ଡକ୍ଟର ପଟ୍ଟନାୟକଙ୍କ ବେଡ଼ରୁମ୍‍କୁ ପଶିଯାଇ ଯାହା ଦେଖିଲା, ସେଥିରେ ଆୟା ଆତଙ୍କିତ ହୋଇଉଠିଲା । ଶେଯ ଉପରେ ମୂର୍ଚ୍ଛିତା ହୋଇ ପଡ଼ିଛନ୍ତି ତାର ଆଦରିଣୀ ମାମା । ହାତରେ ଝୁଲୁଛି କେତେ ପୃଷ୍ଠାର ଚିଠି ଖଣ୍ଡିଏ ।

 

ମୁହଁରେ ପାଣି ସିଞ୍ଚି ମିସ୍ ପଟ୍ଟନାୟକଙ୍କର ଚେତନା ଆୟା ଫେରାଇଲା । ଘରେ ଥିବା ଅରେଞ୍ଜ ସ୍କ୍ୱାସ୍‍ରୁ ଏକ ଗିଲାସ ତିଆରିକରି ପିଆଇଲା । ଫ୍ୟାନଟା ଖୋଲିଦେଇ ଗୋଡ଼ମୋଡ଼ି ବସିଲା ।

 

ପଙ୍ଖାକୁ ଚାହିଁ ଚିତ୍ ହୋଇ ଡକ୍ଟର ମିସ୍ ପଟ୍ଟନାୟକ ଶୋଇଥାନ୍ତି—ଆଖିରୁ ତାଙ୍କର ଅଶ୍ରୁର ଶ୍ରାବଣୀ ଛୁଟି ଚାଲିଥାଏ । ମୁହଁଟା ଚକ୍ ଖଡ଼ିପରି ଶେତା ହୋଇ ଯାଇଥାଏ ।

 

ଆୟା ଭାବୁଥିଲା—କେଉଁଠାରୁ ଏଇ ଅଘଟନ ଚିଠି ଗୁଡ଼ାକ ଆସି ମୋ ମାମାଙ୍କ ମନକୁ ପାଗଳ କରି ଦେଉଛି କେଜାଣି ? ଏଇ କେତେଦିନ ହେବ ମାମା ବାଲେଶ୍ଵରରୁ ଫେରି ହରଷିତ ଥିଲେ—ମୁହଁରେ ତାଙ୍କର ହସ ଦିଶୁଥିଲା । ଘର ଦୁଆରର ଯତ୍ନ ନେଉଥିଲେ, ବୈଠକଖାନାଟା ନୂଆରୂପେ ସଜାଉଥିଲେ । ଅଲରା କେଶକୁ ସାଉଁଳାଇ ଟିକେ ବେଶଭୂଷାର ଯତ୍ନ ନେଉଥିଲେ । ମନରେ କେଡ଼େ ଆଶା ସେ ପୋଷି ନ ଥିଲା ଯେ, ଯାହାହେଉ ମାମା ଏତେଦିନକେ ବାଟକୁ ଆସିଲେଣି—କେଉଁ ଛଅଟା ନା ନଅଟା ଅଛନ୍ତି ଯେ, କାହା ପାଇଁ ଏତେ ବ୍ୟସ୍ତ ? ନିଜେ ଅର୍ଜିବେ, ନିଜେ ଖାଇବେ—ସେଥିପାଇଁ ଏତେ ପରିଶ୍ରମ କାହିଁକି ? ପୁଣି କିଏ କ’ଣ କଲାଣି ଯେ ଯେଉଁ କଥାକୁ ସେଇକଥା—ପୁଣି ତ ମୁଣ୍ଡରେ କ’ଣ ଗୁଡ଼ାଏ ପଶିଲାଣି, କିଏ ଜାଣେ କ’ଣ ହେବ ?

 

ଆୟା ମନରେ ପାପ ଛୁଇଁଲା । ମନେ ମନେ ସେ କେତେ ଦେବ ଦେବୀଙ୍କୁ ଭୋଗ ମନାସିଲା । ଦୁନିଆଁ ଭାସିଯାଉ ପଛେ, ତା ମାମାଙ୍କର କିନ୍ତୁ କିଛି ନ ହେଉ ।

 

ଗୋଟାଏ ବୁକୁଫଟା ଦୀର୍ଘ ନିଃଶ୍ଵାସ ଟାଣି ଡକ୍ଟର ମିସ୍ ପଟ୍ଟନାୟକ କଡ଼ ଲେଉଟାଇଲେ-। ମିସ୍ ପଟ୍ଟନାୟକ ପିନ୍ଧା ଶାଢ଼ି ଅଞ୍ଚଳରେ ଲୁହ ପୋଛି କହିବସିଲେ—ଆୟା ଆଉ, ସଂଗ୍ରାମ ଆସିବ ନାହିଁ, ମୁଁ ଯାହା ଭାବୁଥିଲି ସେୟାହିଁ ହେଲା । ସେ ମେରୀକୁ ହୁଏତ ଦିନ କେତେଟା ପରେ ଏଡ଼ିନ୍‍ବରାର ଚର୍ଚ୍ଚରେ ବାହାହେବ । ବିଶପ୍ ତାକୁ ବାଇବେଲ ପଢ଼ାଇ ଆଶୀର୍ବାଦ କରିବେ-

 

ଆଉ ଆମର ଧାରା କଥା କ’ଣ ହେବ ? ହଠାତ୍ ପାଟିରୁ ଆୟାର ବାହାରିପଡ଼ିଲା । ପ୍ରଶ୍ନଟା ପଚାରି ସାରି ସଞ୍ଜତ ହୋଇ ଉଠିଲା । ଭାବିଲା—ନ ପଚାରିଥିଲେ ବୋଧହୁଏ ଭଲ ହୋଇଥାନ୍ତା ।

ହବ ଆଉ କ’ଣ ? ଯେଉଁ ପୋଷ୍ଟ ଅଫିସରେ ଯେଉଁ ଲଫାଫା ଭିତରେ ସେ ଏ ଘରକୁ ବୋହୂ ହେବାର କାମନା ନେଇ ଆସିଥିଲା; ତାକୁ ସେମିତି ସେଇ ଲଫାଫା ଭିତରେ ବନ୍ଦ କରି ଫେରାଇ ଦେ । ଭଗବାନ ବଡ଼ଲୋକ । ତା ପରି ଗୋଟିଏ ଆଭିଜାତ୍ୟ ସମ୍ପନ୍ନା, ସର୍ବଗୁଣ ସମ୍ପୂର୍ଣ୍ଣା ଝିଅ ଯେ ସଂଗ୍ରାମ ପରି ଗୋଟିଏ କୁଳାଙ୍ଗାର ଯାରଜର ଗଳାରେ ତାର ବରଣମାଳା ନ ପିନ୍ଧାଇଛି, ସେତକ ଭଗବାନଙ୍କର ତା’ ପକ୍ଷରେ ପରମ ଆର୍ଶୀବାଦ । ଅବଶୋଷରେ ଏତକ କହି ମିସ୍ ପଟ୍ଟନାୟକ ପୁଣି ଆଖିରୁ ଲୁହ ପୋଛିଲେ ।

 

ଘୁରୁଥିବା ଲଲେକ୍ଟ୍ରିକ୍ ଫ୍ୟାନକୁ ଚାହିଁ ଆୟା ଭାବୁଥିଲା କ’ଣ କହି ଗୋଟାଏ ବ୍ୟାକୁଳିତା ମାତୃ ହୃଦୟକୁ ସାନ୍ତ୍ୱନା ଦେଇ ପାରିବ...

 

ପୋଷ୍ଟ ଅଫିସକୁ ଯାଇ ଆଶୀର୍ବାଦ କରି ଗୋଟିଏ ଟେଲିଗ୍ରାମ ଡକ୍ଟର ମିସ୍ ପଟ୍ଟନାୟକ ସଂଗ୍ରାମ ନିକଟକୁ ପଠାଇ ଦେଇ ଆସିଲେ ।

 

ବିରସ ମନରେ ଫେରି କାର୍‍ଟା ଗ୍ୟାରଜରେ ରଖି ଦେଇ ଫେରି ଆସିଲେ ନିଜ କୋଠା ଆଗର ପୋର୍ଟିକୋ ନିକଟକୁ । ଇଜି ଚେୟାରରେ ବସି ସେ ନିଜକୁ ବିଶ୍ଳେଷଣ କରୁଥିଲେ ।

 

ଅନାହୃତ ଭାବରେ ସଂଗ୍ରାମ ତାଙ୍କ ନିକଟକୁ ଆସି ପହଞ୍ଚିଲା । ଅହେତୁକ ମାୟା, ମମତା ସୃଷ୍ଟି କଲା ଏବଂ ସେ ମଧ୍ୟ ମାତୃତ୍ଵର ଗୋଟାଏ ଲୁକ୍କାୟିତ ପିପାସାର ଶାନ୍ତି ପାଇଁ ସନ୍ତାନ ବତ୍ସଳତା ସଂଗ୍ରାମ ଭିତରେ ଦେଖିଲେ ନିଜର ସମସ୍ତ ସ୍ନେହକୁ ଚିପୁଡ଼ି ସେ ଭଲ ପାଇଲେ ସଂଗ୍ରାମକୁ । ମଣିଷ ପରି ମଣିଷଟିଏ କରି ଗଢ଼ିବାକୁ ଚେଷ୍ଟାକଲେ ଏବଂ ସେଥିରେ ସଫଳ ହେଲେ-

 

ପୁଣି ମନରେ ଚେଇଁ ଉଠିଲା, କିଛି ଭୁଲ ସେ ତ କରିନାହାଁନ୍ତି । ସଂଗ୍ରାମ ଯାହା କହିଛି ଦୁନିଆ ଲୋକେ ତାଙ୍କୁ କହିପାରନ୍ତି ଯେ, ସେ ଭୁଲ କରିଛନ୍ତି । ରକ୍ତରୁ ଫୁଟା ପଦ୍ମ ଫୁଲ ତ ସଂଗ୍ରାମ ନୁହେଁ; ତେଣୁ ସେ ତା’ଠାରୁ ଭକ୍ତିର ସୁବାସ ଖୋଜିବାଟା କ’ଣ ନିର୍ବୋଧତା ହୋଇ ନାହିଁ ? ତା’ପରେ କୁଆ ବସାକୁ କୋଇଲି ଛୁଆ ଗୋତ୍ର ସୁମରି ଉଡ଼ିଯାଏ; ତେଣୁ ଦିନେ ନା ଦିନେ ସଂଗ୍ରାମ ତାଙ୍କୁ ନିରାଶ କରି ଚାଲିଯିବ, ଏ କଥାଟା ଭାବିବା ତାଙ୍କର ବହୁ ପୂର୍ବରୁ ଉଚିତ୍ ନୁହେଁ କି ?

 

କାନ୍ଥରେ ଝୁଲୁଛି ସଂଗ୍ରାମର ଏନଲାର୍ଜ କରା ବଷ୍ଟ ଫଟୋଟା । ଢଳ ଢଳ ଭଶାଣିଆରେ ଆଖି । କେତେ ପ୍ରଶ୍ନ ସେ ଆଖିରୁ ବାହାରି ଆସୁଛି । ମିସ୍ ପଟ୍ଟନାୟକ ଫଟୋ ଆଡ଼େ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲେ । କାହିଁ ! ତଥାପି ତ ତାଙ୍କ ମନ ସଂଗ୍ରାମ ପ୍ରତି ବିଷେଇ ଉଠୁନି । ମନରେ କିଏ ତୁହାଇ ତୁହାଇ କହିଉଠୁଛି, ପିଲାଟା ସେ । ଭଲ ମନ୍ଦ ଜ୍ଞାନ ତାର କଣ ହେଲାଣି ? ମାକୁ ଛାଡ଼ି କେତେଦିନ ସେ ରହିବ ? ରୂପର ସୁନାହରିଣ ପଛରେ ସେ ଗୋଡ଼ାଇଛି । ଯେତେବେଳେ ତାର ମୋହ ଭାଙ୍ଗିବ, ସେ ସବୁ ବୁଝିପାରିବ । ଭାରତରେ ଅବାଧ ମିଳାମିଶା ନାହିଁ ବୋଲି ସେ ସିନା ଲେଖିଛି, କିନ୍ତୁ ହିନ୍ଦୁ ଧର୍ମର ଗଭୀର ତତ୍ତ୍ୱକୁ ଅନୁଧ୍ୟାନ କଲେ ବୁଝିପାରିବ ଯେ, ବହୁତ ଗୁଡ଼ାଏ କଠିନ ନିୟମ ଥିବାରୁ ଏ ହିନ୍ଦୁ ଧର୍ମ ଶୃଙ୍ଖଳିତ । ଏଇ ଧର୍ମ ଉପରେ ପ୍ରବଳ ଝଡ଼ ଝଞ୍ଜା ଉଠାଇ ଚାଲି ଯାଇଛନ୍ତି, ଶକ, ମୋଗଲ, ଇଂରେଜ । ତଥାପି ଏ ଧର୍ମ ବଞ୍ଚି ରହିଛି । ସନାତନ ଏଇ ଧର୍ମ—ଏକ ପତି, ଏକ ପତ୍ନୀବତ ଏଇ ହିନ୍ଦୁସ୍ଥାନରେ କେବଳ ଦେଖିବାକୁ ମିଳେ । ପତିର ମୃତ୍ୟୁ ପରେ ଏଇ ଦେଶର ନାରୀ ବିଧବା ହୁଏ । ପତିର ସ୍ମୃତି ପାଇଁ ସମସ୍ତ ଭୋଗକୁ ତ୍ୟାଗ କରେ । ଏବେ ସିନା କେଉଁଠି କାହିଁ ତାର ବ୍ୟତିକ୍ରମ ଦେଖା ଯାଉଛି । ଯେଉଁମାନେ ବ୍ୟତିକ୍ରମ ସୃଷ୍ଟି କରି ନୂତନ ସମାଜର ଅନ୍ୱେଷଣ କରୁଛନ୍ତି ସେଇମାନେ ପରେ ଅନୁତାପ କରୁଛନ୍ତି । ମେରୀ ଯେତେବେଳେ ସଂଗ୍ରାମକୁ ଡାଇଭର୍ସ କରି ସେ ଦେଶର ରୀତି ଅନୁଯାୟୀ ଅନ୍ୟ ପୁରୁଷର ହାତ ଧରି ଚାଲିଯିବ, ସେତେବେଳେ...

 

ଆଉ ଭାବି ପାରିଲେ ନାହିଁ ମିସ୍ ପଟ୍ଟନାୟକ । ମୁଣ୍ଡ ସତେ ଯେପରି ଗୋଳମାଳ ହୋଇଯାଉଛି । ଦୁଇ ହାତରେ ମୁଣ୍ଡକୁ ଚିପି ରଖି ସେ ମନେ ମନେ କହି ଉଠିଲେ; ଭଗବାନ ସଂଗ୍ରାମ ଜୀବନରେ ସେ ଦୁର୍ଦ୍ଦିନ ନ ଦିଅ । ବିଚ୍ଛେଦର ଘନ ଅନ୍ଧାର ଯେପରି ସେମାନଙ୍କର ଜୀବନ ପ୍ରଭାତରେ ଘୋଟି ନ ଯାଉ । ସେମାନେ ସୁଖୀ ହୁଅନ୍ତୁ । ଶାନ୍ତିରେ ଜୀଇ ରହନ୍ତୁ । ହାତୀ ବନସ୍ତରେ ଥିଲେ ତ ରଜାଙ୍କର...

 

ନିଜ ଅନ୍ତର ଚିରି ସେ ସଂଗ୍ରାମକୁ ଜନ୍ମ ନ ଦେଲେ କ’ଣ ହେବ, ପୁଅ ପରି ପାଳିଛନ୍ତି ତ-। ମା ବୋଲି ଡାକ ଶୁଣୁଛନ୍ତି । ସଂଗ୍ରାମ ଯାହା ଲେଖିଛି, ସେ କୁପୁତ୍ର ହୋଇପାରେ, କିନ୍ତୁ ସେ ତ କୁମାତା ହୋଇ ପାରିବେ ନାହିଁ । ତା ପ୍ରକୃତରେ ଅକ୍ଷରେ ଅକ୍ଷରେ ସତ୍ୟ । ଯାହାକୁ ପିଲାଟି ଦିନରୁ ପାଳି ଆଣି ତାର ସବୁ ଅର୍ଦ୍ଦୋଳିକୁ ବୁକୁ ପାତି ସହି ଯାଇଛନ୍ତି, ତା ପାଇଁ ସଦାବେଳେ ସେ କରୁଣାମୟୀ ରୂପେ ଠିଆ ହେବେ । ଆଶୀର୍ବାଦର ଉତ୍ସ ତାଙ୍କ ଅନ୍ତରରେ ଉଦବେଳିତ ହୋଇ ଉଠିଛି ଏବଂ ଉଠିବ । ସେଠାରେ ଅଭିଶାପର ପ୍ରଶ୍ନ ଉଠିବ କେଉଁଠି ?

 

ପ୍ରକୃତରେ ତାଙ୍କ ପୁଅ ସଂଗ୍ରାମ ଠିକ୍ ଲେଖିଛି । ଜୀବନରେ ସେ ତ କାହାରି ପାଇଁ ଅପେକ୍ଷା ରଖି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ଏ ପର୍ଯ୍ୟନ୍ତ ଚଳି ଆସିଛନ୍ତି । ସାଂସାରିକ ଜଞ୍ଜାଳକୁ ପଦେ ପଦେ ଉପେକ୍ଷା କରି ଆସିଛନ୍ତି । ତେଣୁ ସଂଗ୍ରାମ ଯେ ପାଠ ପଢ଼ି ତାଙ୍କୁ ପୋଷିଥାନ୍ତା, ସେ ଦୂରନ୍ତ ଆଶା ସେ କାହିଁକି ବା କରିବେ ? ଅନ୍ତତଃ ଯେତିକି ଟଙ୍କା ତାଙ୍କର ବ୍ୟାଙ୍କ ବାଲାନ୍‍ସ ଅଛି, ଭବିଷ୍ୟତରେ ସଂଗ୍ରାମ ତାର ଉତ୍ତରାଧିକାରୀ ହୋଇପାରେ । ସଂଗ୍ରାମ ବିଲାତରେ ରହିବାରେ ସେ କେବଳ ଏଇଥି ପାଇଁ ଦୁଃଖିତ ଯେ ପୁଅର ସେଇ ସୁଠାମ, ସୁଗୋଲ, ସୁଢ଼ଳ କଅଁଳ ଛନ ଛନ ମୁହଁଟି ସେ ସଦାବେଳେ ଦେଖି ପାରିବେ ନାହିଁ । ସଂଗ୍ରାମ ପାଖରେ ରହିଥିଲେ ଏହି ଡହଳବିକଳ ଜୀବନରେ ଟିକିଏ ଶାନ୍ତି ପାଇ ପାରିଥାନ୍ତେ ।

 

ଆଖିରୁ ତାଙ୍କର ଦୁଇଧାର ଅଶ୍ରୁ ଗଣ୍ଡଦେଇ ଗଡ଼ିଆସିଲା—

 

ଆୟା ଆସି ପହଞ୍ଚିଗଲା । ମାମାଙ୍କ ଆଖିରେ ଲୁହ ଦେଖି ଦୁଃଖିତ ହୋଇ ପଚାରିଲା—ତୁମେ ପୁଣି କାନ୍ଦୁଛ ?

 

—କାନ୍ଦିବା ଭଳି ସେପରି କିଛି ଘଟଣା ଘଟିନାହିଁ ବୋଲି ତୁ ଭାବୁଛୁ ?

 

ହେଲେ ତୁମ ଭଳି ଜଣେ ଲୋକ ପକ୍ଷରେ କାନ୍ଦିବାଟା କ’ଣ ଭଲ ?

 

ଆଲୋ ଆୟା—ମୁଁ ତ ମଣିଷ —କାଠ କିମ୍ବା ପଥର ନୁହେଁ । ରକ୍ତ ମାଉଁସର ଦେହ ହୋଇ ଏ ମନ କେତେ ସହିବ ? ବହୁତ ତୁ ବୁଝାଇଲୁ —ମୁଁ ମଧ୍ୟ ଏ ମନକୁ ବୁଝାଇବାକୁ ବହୁତ ଚେଷ୍ଟାକଲି । ତଥାପି ଏ ମନ କ’ଣ ବୁଝୁଛି ? ପାଗଳାଟା ଟିକେ ଟିକେ ପାଠ ପଢ଼ିସାରି ଆସିଥାନ୍ତା–ମୁଁ ତାକୁ ଆଖି ପୂରାଇ ନେଇ ଟିକେ ହେଲେ ଥରୁଟିଏ ଦେଖିଥାନ୍ତି । ସେଇ ମେରୀକୁ ସାଙ୍ଗରେ ଆଣନ୍ତା; କିନ୍ତୁ ଏହିଠାରେ ଏହିଘରେ ମୋ ପାଖରେ ରହନ୍ତା । ମୁଁ ତ ଆଦୌ ରହିବି ନାହିଁ-। ପୁଅ ମୋର ତାର ବଧୂ ନିର୍ବାଚନ କରିଛି । ସେ ଯାହାକୁ ବହାହେବ ସେ ମୋର ବୋହୂ ହେବ-। ସେ ଭାରତୀୟ ସମାଜକୁ ଡରୁଛି । ସେ ଭୁଲ୍ କରୁଛି । ଏ ସମାଜକୁ ମଣିଷ ଗଢ଼ୁଛି । ସମାଜ ମଣିଷ ଗଢ଼ୁନାହିଁ । ଆଜିର ଦୁନିଆରେ ନିଜେ ଆତ୍ମନିର୍ଭର ହେବା ସଙ୍ଗେ ସଙ୍ଗେ ନୂତନ ଦୁନିଆର ପରିକଳ୍ପନା କରିବା ତା ପରି ଯୁବକମାନଙ୍କର ଉଚିତ୍ ।

 

ଦୀର୍ଘ ନିଃଶ୍ୱାସ ପକାଇ ମିସ୍ ପଟ୍ଟନାୟକ କହିଲେ ଛାଡ଼—ସେ ମୋର ଦୁର୍ଭାଗ୍ୟ ? ବେଶୀ ଭାବିଲେ ମନସ୍ତାପ ବଢ଼ୁଛି । ନ ଭାବିକରି ବା କେଉଁ ରହି ହେଉଛି ?

 

ଦୁଇ ହାତରେ ଲୁହ ପୋଛିଲେ ଡକ୍ଟର ମିସ୍ ପଟ୍ଟନାୟକ ।

 

ନିଜର ବେଡ଼ରୁମକୁ ଯାଉ ଯାଉ ପ୍ରଫେସର ମିସ୍ ପଟ୍ଟନାୟକ ଭାବୁଥିଲେ—କାଲିକି କାଲି ଯେତେବେଳେ ସଂଗ୍ରାମ ପିତା ହେବ । ପିତୃତ୍ଵର ଆଦିମ ଗୌରବରେ ଉଲ୍ଲସିତ ହୋଇଉଠିବ-। ନିଜର ପତ୍ନୀ ସଙ୍ଗେ ବସି ଅଳସ ମୁହୂର୍ତ୍ତରେ ଚାହା କିମ୍ବା କଫି ପିଉ ପିଉ ନିଜ ସନ୍ତାନର କ୍ରୀଡ଼ା, ନୃତ୍ୟ ଗୀତ ଆଉ ଦରୋଟି ବଚନର ଅମୃତକୁ ମୁଗ୍‌ଧ ଭାବରେ ପାନ କରୁଥିବ, ସଂସାରର ହାନିଲାଭର ହିସାବ କରୁଥିବ, ସେତେବେଳେ କ’ଣ ଦଣ୍ଡେ ନିମିଷେକ ପାଇଁ ତା ମନରେ ଜାଗିବ ନାହିଁ ଯେ ସବୁ ନିନ୍ଦା, ଅପବାଦକୁ ମଥାର ସିନ୍ଦୂର କରି କେହି ଜଣେ ତାକୁ ଦିନେ ମାଆର ସ୍ନେହ ଏଇପରି ଦେଇ ଭଲ ପାଇଥିଲା !!! ସେତେବେଳେ କ’ଣ ଅନ୍ତର ତଳୁ ସଂଗ୍ରାମର ଅନୁତାପର ଲୁହ ଦୁଇଟୋପା ତାର ଆଖିର ଉପକୂଳରେ ଦେଖା ଦେବ ନାହିଁ ।

 

ଶେଷ ପରିଚ୍ଛେଦ

 

ବଡ଼ ଆଇନା ନିକଟରେ ଠିଆ ହୋଇ ପ୍ରଫେସର ମିସ୍ ପଟ୍ଟନାୟକ ନିଜକୁ ଦେଖୁଥିଲେ-। ନିଜର ରୂପରୁ ପ୍ରତିଫଳନ ହୋଇଛି ଆଇନାରେ । ବର୍ତ୍ତମାନର ରୂପ ଆଉ ତିରିଶ ବର୍ଷ ତଳର ରୂପ ଭିତରେ କି ପାର୍ଥକ୍ୟ ! ସେଇ ମୁହଁ, ସେଇ ଦେହ, ସେଇ ଆଖି ଅଛି, କିନ୍ତୁ ଦେହରୁ ଲାବଣ୍ୟ ଝରିଗଲାଣି । ମୁହଁରୁ ସେ ସରସତା ଚାଲିଗଲାଣି । ଆଖିରୁ ଜ୍ୟୋତି ଲିଭି ଲିଭି ଆସିଲାଣି-। ବଳିଲା ବଳିଲା ମାଂସାଳ ହାତରୁ ଚମ ଓହଳି ଝୁଲି ପଡ଼ିଲାଣି । ଆଉ ଆଖିତଳେ କଳଦାଗ ଉକୁଟି ଉଠିଲାଣି । ସେ ଆଖିରୁ ଆଉ ପ୍ରଶ୍ନ ଆସୁନି । ସେ ଓଷ୍ଠରୁ ଆଉ ରକ୍ତ ଥୋପି ଥୋପି ହୋଇ ବହି ପଡ଼ିନାହିଁ ।

 

ହତାଶାର ନିଶ୍ୱାସ ଛୁଟିଲା । ଚିତ୍ତଚକୋରୀ ତାଙ୍କର ବିଳାପ କରି ଉଠିଲା । ମନେ ପଡ଼ିଲେ ସଞ୍ଜୟ ବାବୁ, ସୁରଜିତ୍ ବାବୁ, ବର୍ତ୍ତମାନ ଯଦି ଏଇ ରୂପରେ ସେମାନେ ଦେଖିଥାନ୍ତେ ତେବେ.....ଶିଳ୍ପୀ ଶୁଭେନ୍ଦ୍ର କୁମାର କ’ଣ ବର୍ତ୍ତମାନ ତାଙ୍କର ଆଦର୍ଶର ଢୋଲ ପିଟି କହିପାରିବେ, ସେ ଏଇ ତନୁର ଶିଳ୍ପ ଆଙ୍କିଛନ୍ତି ? ଏଇ ତନୁରେ ସେ ଅଜନ୍ତା ଚିତ୍ରକଳାର ସ୍ଵପ୍ନ ଦେଖିଛନ୍ତି ? ମନୋଲିସାର ହସ ଦେଖିଛନ୍ତି ଏଇ ଶୁଷ୍କ ଅଧରରେ ?

 

କେହି ଆସିବେନି—କେହି ଦେଖିବେନି ।

 

ନିଜର ଶୁକ୍ଳ କୃଷ୍ଣ ମିଶ୍ରିତ କବରୀରେ ପାନିଆଁ ବୁଲାଇ ଆଣିଲେ ପ୍ରଫେସର ମିସ୍ ପଟ୍ଟନାୟକ । ତାଙ୍କୁ ଆଜି ବେଶ ହେବାକୁ ହେବ । ଅନେକ ଦିନ ତଳର ମିସ୍ ଚମ୍ପକରେଖା ପଟ୍ଟନାୟକ ରୂପରେ ସେ ପୁଣି ଠିଆହେବେ । ପୁଣି ଏ ଦେହର ଶୁଖିଲା ମରୁରେ ଲାବଣ୍ୟର ଝରଣା ଛୁଟାଇବାକୁ ଚେଷ୍ଟା କରିବେ । ମୁହଁରେ ଭଲ କରି ରୁଜ୍ ମାଇଲେ । ତା ପରେ ପାଉଡ଼ରର ଘନ ପ୍ରଲେପ ଦେଲେ । ଆଖିରେ ଟାଣିଲେ କଳା ଅଞ୍ଜନର ଗାର । ଦୁଇ ଭ୍ରୁଲତାର ମଝିରେ ସରୁ କୁଙ୍କୁମର ଟିପାଟିଏ ମାଇଲେ । ମୁଣ୍ଡ ପାଖରେ କର୍ଣ୍ଣ କୁଣ୍ଡଳକୁ ଦୁଇ ହାତରେ ମୋଡ଼ି ତାକୁ ସ୍ୱାଧୀନ ଭାବରେ ଛାଡ଼ିଦେଲେ । ସେପାଖ କାନ୍ଥରେ ଝୁଲୁଛି ତାଙ୍କର କଲେଜ ଛାତ୍ରୀ ଜୀବନର ବଷ୍ଟ ଫଟୋଟା । ତାର ବି ପ୍ରତିଫଳନ ହୋଇଛି ଆଇନାରେ । ଦୃଷ୍ଟି ପଡ଼ିଗଲା ମିସ୍ ପଟ୍ଟନାୟକଙ୍କର । ନିଜ ରୂପର ଗତ ଲାବଣ୍ୟକୁ ଦେଖି ଲଜ୍ଜିତା ହୋଇ ଉଠିଲେ । ଆଇନା ଉପରେ ଡଷ୍ଟ ପ୍ରୁଫ୍ (Dust prooff) ସ୍କ୍ରିନ୍ ଟା ଟାଣିଦେଲେ । ଗତ ଯୌବନର ଦ୍ରୁତ ଲାବଣ୍ୟ ସହିତ ବର୍ତ୍ତମାନର ବିଶ୍ରୀ ଶରୀରକୁ ଦେଖିବାକୁ ତାଙ୍କର ଧୈର୍ଯ୍ୟ ରହିଲା ନାହିଁ । ମନେ ମନେ ଭାବିଲେ ଅକାରଣରେ ଝରିଗଲା ସିନା ଏ ରୂପର ଶୈଫାଳିକା !!

 

ଅଧରର ଉପକୂଳରେ ଟିକେ ହସ ପାଇଁ, ନୟନ କୋଣରେ ଟିକେ ଇଙ୍ଗିତ ପାଇଁ ସମସ୍ତେ ଉନ୍ମନା ହୋଇ ଉଠିଛନ୍ତି । କିନ୍ତୁ ଉପଭୋଗ କରିବାର ସୁଯୋଗ କେତେଜଣ ପାଇଲେ ? କବି ଯଥାର୍ଥରେ କହିଛନ୍ତି—”ଯେଉଁ ପୁଷ୍କରିଣୀରେ ପଦ୍ମ ଫୁଟି ନାହିଁ ସେ, ପୁଷ୍କରିଣୀ କଣ ପୁଷ୍କରଣୀରେ ଲେଖା ? ଯଦିଓ ପଦ୍ମ ଫୁଟିଲା ଏବଂ ପଦ୍ମ ଫୁଲ ଯଦି ନିଜର ସୌରଭରେ ଭ୍ରମରକୁ ଟାଣି ଆଣି ନ ପାରିଲା, ସେ କଣ ପଦ୍ମ ଫୁଲରେ ଲେଖା ? ଭ୍ରମର ଯଦି ଆସି ସେ ପଦ୍ମକୁ ଚୁମ୍ବନ ନ କଲା, ତେବେ ତାର ସେ ରୂପର କଣ ମୂଲ୍ୟ ?”

 

ଜୀବନର ତୃତୀୟାଂଶ ଗତ ପରେ ଶିଳ୍ପୀ ତାଙ୍କର ଆଦର୍ଶର ହିମାଦ୍ରିରୁ ଖସି ଆସିଛନ୍ତି । ଚିଠି ଲେଖିଛନ୍ତି ଆସି ପହଞ୍ଚିବେ । ଚାକିରୀ ଜୀବନରେ ସମସ୍ତ ଜଞ୍ଜାଳକୁ ପରିତ୍ୟାଗ କରି ସେ ଏଠାରେ ରହିବେ । ମନେ ମନେ ଉଲ୍ଲସି ହୋଇଉଠିଲେ ମିସ୍ ପଟ୍ଟନାୟକ । ଶୁଭେନ୍ଦୁବାବୁ ଏଠାରେ ରହିଲେ, ଏ ନିର୍ଜନତା, ଏ ନିଃସଙ୍ଗତା, ଏତେ କଷ୍ଟ କଣ ଦେଇପାରିବେ ? ଦୁଇ ବନ୍ଧୁ ବହୁତ ସମୟ ଆଳାପ ଆଲୋଚନାରେ କଟାଇ ଦିଅନ୍ତେ । ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଉପରେ ଚାଲି ଚାଲି ସାନ୍ଧ୍ୟ ଭ୍ରମଣ କରନ୍ତେ, ସବୁଜ ଜୀବନରେ କୁସୁମିତ ସମୟରେ ସିନା ଚନ୍ଦ୍ରଭାଗାର ସୂର୍ଯ୍ୟୋଦୟ ଦେଖୁଥିଲେ । ଏବେ ପଶ୍ଚିମ ଜୀବନରେ ମହାନଦୀତୀରରେ ବସି ସୂର୍ଯ୍ୟାସ୍ତ ଦେଖି ଦର୍ଶନ, ରାଜନୀତି ଆଉ ମନୋବିଜ୍ଞନ ଉପରେ କେତେ ଆଲୋଚନା ଜମିଉଠିବ । ପୁଣି ମନେ ମନେ ଭାବିଲେ, ଯଦି ସେଥର ସେ ବାଲେଶ୍ଵର ଦିନକ ପାଇଁ ଯାଇନଥାନ୍ତେ, ଆଉ ଶିଳ୍ପୀଙ୍କ ନିକଟରେ ଆତ୍ମନିବେଦନ କରିନଥାନ୍ତେ, ତେବେ କଣ......

 

ହଠାତ୍ ତାଙ୍କ ମନରେ ଯେପରି କିଏ କହିଉଠିଲା, ସେ ତ ଆତ୍ମନିବେଦନ କରିବାକୁ ଯାଇ ନ ଥିଲେ କିମ୍ୱା ପ୍ରେମପାଗଳିନୀ ହୋଇ ଉଠି ନ ଥିଲେ । ସେ ଜଣେ ହିତାକାଙ୍‍କ୍ଷୀ ବାନ୍ଧବୀ ହିସାବରେ ଜଣେ ଅଭିମାନୀ ବନ୍ଧୁ ନିକଟକୁ ତାର ଭଲ ମନ୍ଦ ଖବର ବୁଝିବାକୁ ଯାଇଥିଲେ । ବନ୍ଧୁର ରୁଗ୍‍ଣ ଶରୀର, ଦୟନୀୟ ପରିସ୍ଥିତି ଦେଖି ସେ ସଂବେଦନଶୀଳ ହୋଇ କହି ଉଠିଥିଲେ ଯେ ବଞ୍ଚି ରହିବା ପାଇଁ ଯେତିକି ସୁସ୍ଥ ବାତାବରଣ ଆବଶ୍ୟକ, ସବୁ ସେ ଅକାତରେ ସୃଷ୍ଟି କରିବା ପାଇଁ ରାଜି ଅଛନ୍ତି । ସେହି ପ୍ରସ୍ତାବଟା ଶିଳ୍ପୀ କେବଳ ଗ୍ରହଣ କରିଛନ୍ତି ।

 

ନାରୀ ପୁରୁଷର ଓ ପୁରୁଷ ନାରୀର ପରିପୂରକ, ଏଇ ମହାନ ସତ୍ୟକୁ ଉଭୟେ ଉପଲବ୍ଧି କରିପାରିଛନ୍ତି । କିନ୍ତୁ ଶିଳ୍ପୀ ଯାହା ମୁହଁ ଖୋଲି ପ୍ରକାଶ କରିପାରିନଥିଲେ, ସେହି ବିଷୟ ସେ ବାଲେଶ୍ଵର ଯାଇ କହି ଆସିଛନ୍ତି । ମନଦର୍ପଣରେ ସବୁ ଦିନ ପାଇଁ ପ୍ରତିଫଳିତ ହୋଇ ଉଠିବା ରୂପକୁ ଯଦିଓ ଶିଳ୍ପୀ ଭଲ ପାଇବା ବୋଲି ଗ୍ରହଣ କରି ପାରୁଥିଲେ, କିନ୍ତୁ ସ୍ୱଭାବର ତାଡ଼ନାରେ ମଣିଷ ଯିମିତି ମାଗିବାକୁ ଚେଷ୍ଟା କରି ମାଗିପାରେ ନାହିଁ; ସେହିପରି ଶିଳ୍ପୀ ମନର ଇଚ୍ଛାକୁ ମନରେ ମାରି ବସୁଥିଲେ । ଦୁନିଆଁରେ ଲକ୍ଷ ଲକ୍ଷ ଲୋକ ଏମିତି କାରଣରୁ ଜୀବନରେ କିଛି ପାଇ ପାରନ୍ତି ନାହିଁ । ନିଜର ଅଭିଳଷିତ ଇଛାକୁ ମନରେ ମାରି ମାରି କିଛି ତ ପାଆନ୍ତି ନାହିଁ, ବରଂ ସନ୍ତୁଳି ହୁଅନ୍ତି-। ସେଇ ଗଣଙ୍କ ଭିତରେ ଶିଳ୍ପୀ ଜଣେ ।

 

ମଣିଷ ମନରେ ଗୋଟାଏ ଆକାଙ୍‍କ୍ଷା ଆସି ସେଥିରେ ଅସାମର୍ଥ୍ୟତା ଦେଖାଗଲା ପରେ ସେ ପ୍ରାୟଶଃ ସଂକୀର୍ଣ୍ଣମନା ହୋଇ ଉଠେ । ଶିଳ୍ପୀ ଚିରକୁମାର ରହିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ଇତିବୃତ୍ତିର ଖବର ରଖୁଥିଲେ । ତାଙ୍କ ପାଇଁ ଦରଦୀ ହୋଇ ଉଠୁଥିଲେ, ଯଦିଓ ବାହାରେ ପ୍ରକାଶ କରୁଥିଲେ ଯେ ସେ ମିସ୍ ପଟ୍ଟନାୟକଙ୍କୁ ଭଲ ପାଆନ୍ତି ନାହିଁ ।

 

ମନେ ମନେ ହସି ଉଠିଲେ ମିସ୍ ପଟ୍ଟନାୟକ । ଚମତ୍କାର ଛଳନା ଦେଖାଉଥିଲେ ଶୁଭେନ୍ଦୁ ବାବୁ । ପୁରୁଷ ହୋଇ ପୁଣି ମଣିଷ ଏତେ ଲାଜକୁଳା ।

 

ଶିଳ୍ପୀ ଶୁଭେନ୍ଦୁ କୁମାର ଆଜି ଆସିବାର କଥା । ହୁଏତ ଆଜି ଦିନ ଟ୍ରେନ କିମ୍ବା ରାତ୍ରୀ ଟ୍ରେନରେ ଆସି ପହଞ୍ଚି ପାରନ୍ତି । ଏଣିକି ଶିଳ୍ପୀଙ୍କର ସଂସାର ଏଠାରେ ସାମିଲ କରି ଦେବାକୁ ହେବ-। କୌଣସି ଭିନ୍ନତା ସେ ଯେପରି ଏଣିକି ଦେଖି ନ ପାରନ୍ତି । ତାଙ୍କର ରହିବା ପାଇଁ ଗୋଟିଏ ସ୍ଵତନ୍ତ୍ର ପ୍ରକୋଷ୍ଠର ପରିକଳ୍ପନା ଯାହା ଡକ୍ଟର ମିସ୍ ପଟ୍ଟନାୟକ କରୁଥିଲେ, ସେଇ କଳ୍ପନାକୁ ସେ ବନ୍ଦ କଲେ । ମନେ ମନେ ଭାବିଲେ ଛିଃ ଶିଳ୍ପୀ କଣ ଭାବିବେ ? ଜଣେ ପେଇଙ୍ଗ ଗେଷ୍ଟ (Paying Guest) କରିବାକୁ ସେ କଣ ତାଙ୍କୁ ଯାଇଥିଲେ ନିମନ୍ତ୍ରଣ କରି ଆଣିବାକୁ ? ସେ ଯେପରି ଖିଆଲି ଓ ଏକବୁଝା, ହୁଏତ ତାଙ୍କ ମନରେ ଖଟକା ଲାଗିଲେ କେତେବେଳେ କଣ ଯେ କରିବସିବେ, ତାର ସ୍ଥିରତା ନାହିଁ । ବଡ଼ ଜିଦଖୋର ସେ । ମିସ୍ ପଟ୍ଟନାୟକ ଆଇନା ପାଖରେ ଠିଆ ହୋଇ କାନରେ ଦୁଇଟି ଡପ୍ ଖଞ୍ଜୁଥିଲେ । ମନେ ମନେ ଭାବିଲେ, ନାଃ, ଏଇ ଘରେ, ଏଇ ଆସବାବପତ୍ରରେ, ଏଇ ଘରର ପ୍ରତି ଇଞ୍ଚ ଭୂଇଁରେ ସେ ଶିଳ୍ପୀଙ୍କର ଅଧିକାର ଦେଖିଲେ ଖୁସି ହେବେ । ସେତକ ପାଇଁ ଏତେ ଦିନର ବୁଭୁକ୍ଷା ଆଜି ଅସହ୍ୟ ହୋଇଉଠୁଛି ।

 

ମନ ଉପରେ ଯେପରି କିଏ ସ୍ଵର ତୋଳି କହିଉଠିଲା—ସ୍ୱାଧୀନତାରେ ନାରୀର ଆନନ୍ଦ ନ ଥାଏ—ଥାଏ ବନ୍ଧନରେ । ପୁରୁଷ ନିକଟରେ ଆତ୍ମ ସମର୍ପଣରେ.....

 

ନିଜର ଗତଯୌବନକୁ ସ୍ଵପ୍ନରେ ଦେଖିବାକୁ ଚେଷ୍ଟା କଲା—ପରି ଡକ୍ଟର ମିସ୍ ପଟ୍ଟନାୟକ ନିଜର ପ୍ରସାଧନୀ କରୁଥିଲେ ।

 

ଏ ଭିତରେ ଘର ଭିତରକୁ ପଶିଆସିଛି ଆୟା । ଡକ୍ଟର ମିସ୍ ପଟ୍ଟନାୟକଙ୍କର ଏ ଅଦିନିଆ ବ୍ୟବହାର ଦେଖି ଫିକ୍‍କରି ହସି ଦେଉଛି । ତାର ହସ ବି ପ୍ରତିଫଳିତ ହୋଇଛି ଆଇନାରେ । ମିସ୍ ପଟ୍ଟନାୟକଙ୍କ ଆଖିରୁ ସେତକ ବି ବାଦ୍ ଯାଇନାହିଁ ।

 

ଡକ୍ଟର ମିସ୍ ପଟ୍ଟନାୟକ ଲାଜରା ହୋଇ ଉଠିଲେ । ମନେ ମନେ ଭାବିଲେ ଏ ଆୟାକୁ କ’ଣ କମ୍ କହିବି ?

 

ହଠାତ୍ ଫୋନଟା ବାଜି ଉଠିଲା ।

 

ବିରକ୍ତ ହୋଇ ଉଠିଲେ ପ୍ରଫେସର ମିସ୍ ପଟ୍ଟନାୟକ । ସଦାବେଳେ ରିଂ—ସାମାନ୍ୟ ରୋଗୀକୁ ବି ହାଉସ୍ ସର୍ଜନମାନେ ସମ୍ଭାଳି ପାରୁନାହାନ୍ତି । ଆଜିକାଲି ଏ ଯେଉଁ ନର୍ସ ଗୁଡ଼ାକ, ସେମାନେ ବି ଭାବି ପାରୁନାହାନ୍ତି ଯେ, ଦୀର୍ଘ ସମୟ ଧରି ଖାଟେଣୀ ପରେ ବି ବିଶ୍ରାମ ଦରକାର । ବେଳ ନାହିଁ ଅବେଳ ନାହିଁ—ସଦାବେଳେ ଫୋନ—ଆସନ୍ତୁ ଆଜ୍ଞା, ରୋଗୀର ଅବସ୍ଥା ସାଙ୍ଘାତିକ–ଏଇପରି ଗୁଡ଼ାଏ ନିତ୍ୟ ବ୍ୟବହୃତ ଅନୁରୋଧ ।

 

ବିରକ୍ତରେ ଫୋନ ରିସିଭରଟା କାନ ପାଖକୁ ନେଲେ ପ୍ରଫେସର ମିସ୍ ପଟ୍ଟନାୟକ ।

 

....................

 

“ସର୍ଜିକାଲ ୱାର୍ଡ଼ରୁ କହୁଛ ?”

 

...................

 

“ଶିଳ୍ପୀ ଶୁଭେନ୍ଦ୍ର କୁମାରଙ୍କ ଅପରେସନ୍ ହୋଇଛି ?” ଚମକି ଉଠିଲେ ଡକ୍ଟର ମିସ୍ ପଟ୍ଟନାୟକ । ରିସିଭରଟା ଥୋଇ ଦେଇ ଗ୍ୟାରେଜରୁ କାରଟା ବାହାର କରି ସେ ତୀର ବେଗରେ ହାସପାତଲକୁ ଛୁଟାଇ ଦେଲେ ।

 

ସେ ଦିନ ସଞ୍ଜବେଳ । ପ୍ରଫେସର ରାୟ ଚୌଧୁରୀଙ୍କର ସଫଳ ଅସ୍ତ୍ର ଚିକିତ୍ସା ପରେ କିନ୍ତୁ ଶିଳ୍ପୀ ଶୁଭେନ୍ଦୁ କୁମାର ସାମନ୍ତରାୟ ଆପେଣ୍ଡିସାଇଟିସ୍ ରୋଗରେ ଅନ୍ତିମ ନିଶ୍ଵାସ ତ୍ୟାଗ କଲେ । ଶିଳ୍ପୀଙ୍କର ପରିଜନ ହିସାବରେ ଶବ ସତ୍କାର କରି ଘରକୁ ଫେରିଲେ ମିସ୍ ପ୍ରଫେସର ପଟ୍ଟନାୟକ......

 

ଶ୍ମଶାନଠାରୁ କାରଟା ଡାଇଭ କରି କିପରି ଆଣିଲେ ତା ସେ ଜାଣନ୍ତିନି । ଗୋଟାଏ ବାତ୍ୟାନ୍ଦୋଳିତ ଲତା ପରି ସେ ନିଷ୍ପ୍ରାଣ ହୋଇ ପଡ଼ିଛନ୍ତି । କାରଟା ଗ୍ୟାରେଜରେ ରଖି ଗୋଡ଼ ଦୁଇଟା ଘୋଷାରି ଘୋଷାରି ପୋଟି କୋର ପାହାଚ ଉପରକୁ ଉଠିଲେ ।

 

ବାହାର ଆଉଟ ରୁମରେ ପହଞ୍ଚି କାଉଚ୍ ଉପରେ ଢଳି ପଡ଼ିଲେ ମିସ୍ ପଟ୍ଟନାୟକ । ମୁଦିଟା ତାଙ୍କର ଧଳା କାଗଜ ପରି ସଦା ହୋଇ ଯାଇଛି । ଦୃଷ୍ଟି ପଡ଼ିଲା ତାଙ୍କର କାନ୍ଥରେ ଝୁଲୁଛି ଆତ୍ମୋତ୍ସର୍ଗ ଛବିଟା । ଶିଳ୍ପୀ ଶୁଭେନ୍ଦୁଙ୍କର ଅମର କୃତୀ । ସେ ପାଖ କାନ୍ଥରେ ଝୁଲୁଛି ସଂଗ୍ରାମର ଏନଲାର୍ଜ କରା ବଷ୍ଟ ଫଟୋଟା ।

 

ଫଟୋ ଦୁଇଟାକୁ ଦେଖି ପ୍ରଫେସର ମିସ୍ ପଟ୍ଟନାୟକ ଦୁଇ ହାତରେ ମୁହଁକୁ ଚାପି ରଖି କଇଁ କଇଁ ହୋଇ ଫୁଲି ଫୁଲି କାନ୍ଦି ଉଠିଲେ ।

Image